କେନ୍ଦ୍ରାପଡ଼ା : ନଦୀରେ ବନ୍ୟା ଆସିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ନଦୀକୂଳିଆ ଗାଁ’ର ଲୋକମାନେ ପାନୀୟଜଳ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ମହାକାଳପଡ଼ା ବ୍ଲକ ପାଟଳିପଙ୍କ ପଞ୍ଚାୟତ ଅନ୍ତର୍ଗତ କୋଦାକଣ ଗ୍ରାମର ମହିଳାମାନେ ନଦୀରେ କୁମ୍ଭୀର ଓ ପାଣିସୁଅକୁ ଭୟ ନକରି ବନ୍ୟାରେ ଅଧାବୁଡିଥିବା ଏକ ନଳକୂଅରୁ ଅତିକଷ୍ଟରେ ଜଳ ସଂଗ୍ରହ କରିବା ପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।
ବନ୍ୟା ସମୟରେ ଦେଖାଦେଇଥିବା ପାନୀୟଜଳ ସଂକଟ ସମ୍ପର୍କରେ ଗ୍ରାମର ବିଚିତ୍ର ମଲ୍ଲିକ କହନ୍ତି, କୋଦାକଣ ଗ୍ରାମର ମୋଟ ଶହେ ପରିବାର ବସବାସ କରନ୍ତି । ସେଥିମଧ୍ୟରୁ ଗୋଟିଏ ନଳକୂପ ଉପରେ ୮୦ଟି ପରିବାର ଓ ଅନ୍ୟଟି ଉପରେ ୨୦ଟି ପରିବାର ପାନୀୟଜଳ ସଂଗ୍ରହ ପାଇଁ ନିର୍ଭର କରନ୍ତି । ନଦୀକୂଳ ଛଡ଼ା ଗ୍ରାମର ଅନ୍ୟ ସ୍ଥାନରେ ନଳକୂପ ବସିଲେ ଲୁଣି ପଡୁଥିବାରୁ କେବଳ ନଦୀ ନିକଟସ୍ଥ ଉପକୂଳରେ ବସିଥିବା ସରକାରୀ ଟ୍ୟୁୱେଲରୁ ଗ୍ରାମବାସୀ ପ୍ରତିଦିନ ଆବଶ୍ୟକ ପଡୁଥିବା ମଧୁରଜଳ ସଂଗ୍ରହ କରନ୍ତି । ତେବେ ନଦୀରେ ବନ୍ୟା ଆସିବା ପରେ ଜଳସ୍ତର ବଢି ଏହି ଟ୍ୟୁୱେଲ ଅଧାବୁଡିବା ଅବସ୍ଥାରେ ଥିବାବେଳେ ଗ୍ରାମର ଲୋକମାନେ କିଛିବାଟ ନଦୀରେ ପଶି ଓ କିଛିବାଟ ପହଁରିଯାଇ ଟ୍ୟୁୱେଲରୁ ଅତିକଷ୍ଟରେ ପାନୀୟଜଳ ସଂଗ୍ରହ କରୁଥିବା ସେ ପ୍ରକାଶ କରିଛନ୍ତି । ତେବେ ଜୁଆର ସମୟରେ ଏହି ଜଳସ୍ତର ବଢିଯିବାରୁ ଟ୍ୟୁୱେଲରୁ ପାଣି ଆଣିବା ଅସମ୍ଭବ ହୋଇପଡୁଛି । ତେବେ ବନ୍ୟା ସମୟରେ ନଦୀରେ କୁମ୍ଭୀର ମଧ୍ୟ ଆସିଥାଇ ପାରନ୍ତି । ମାତ୍ର ପାନୀୟଜଳର ସେପରି କୌଣସି ସୁବିଧା ନଥିବାରୁ ବାଧ୍ୟହୋଇ ଗ୍ରାମର ମହିଳାମାନେ ବନ୍ୟାପାଣିରେ ପଶି ଅନେକବାଟ ଯିବା ପରେ ପାଣି ସଂଗ୍ରହ କରୁଥିବା ଗ୍ରାମର ମିନତୀ ମଲ୍ଲିକ(୩୪) ଓ ବନିତା ମଲ୍ଲିକ(୩୭) ପ୍ରକାଶ କରିଛନ୍ତି । ତେବେ ପ୍ରତିବର୍ଷ ନଦୀରେ ଦୁଇ/ତିନି ଥର ବନ୍ୟା ଆସିବା ସମୟରେ ଗ୍ରାମର ଲୋକମାନେ ଜଳ କଷ୍ଟର ସମ୍ମୁଖୀନ ହେଉଥିବା ଜୟନ୍ତୀ ମଳ୍ଲିକ(୩୨) ଅଭିଯୋଗ କରିଛନ୍ତିି । ନଦୀରେ ବନ୍ୟାପାଣି ଆସିଲେ ଆମକୁ ପିଇବା ପାଣି ସଂଗ୍ରହକରିବା ଚିନ୍ତା ଘାରିଥାଏ ବୋଲି ସେ କହିଛନ୍ତି । ତେବେ ଟ୍ୟୁୱେଲ ବସିଥିବା ଜାଗା ଟିକିଏ ଉଚ୍ଚା ହୋଇଥିବାରୁ ଜୁୁଆର ସମୟରେ ଏହା ସଂପୂର୍ଣ୍ଣ ବୁଡୁନଥିବାରୁ ସେଠାକୁ ଲୋକମାନେ ପହଁରି ପହଁରିଯାଇ ନଦୀରେ ଗରା ଭସାଇ ଅତିକଷ୍ଟରେ ଜଳ ସଂଗ୍ରହ କରୁଥିବା ସେ କହିଛନ୍ତି । ପାନୀୟଜଳ ପ୍ରକଳ୍ପରୁ ଗ୍ରାମକୁ ଅନିୟମିତ ଭାବରେ ପାଣି ଆସୁଛି ବୋଲି କୋଦାକଣ ଗ୍ରାମର ସୁଧାଂଶୁ ମଲ୍ଲିକ କହିଛନ୍ତି । ଏହିପାଣି ହଳଦିଆ ହୋଇଯାଉଥିବାରୁ ଏହାକୁ ଲୋକମାନେ ପିଇବା ପାଇଁ ବ୍ୟବହାର କରୁନାହାଁନ୍ତି । ତେବେ ଗତ ୫ ଦିନ ହେବ ଆଦୌ ପାଣି ଆସୁନଥିବାରୁ ଲୋକମାନେ ରୋଷେଇବାସ ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ କୋଦାକଣ ସହିତ ପଡୋଶୀ ମୌଜା ରଘୁନାଥପୁର ଗ୍ରାମର ଲୋକମାନେ ମଧ୍ୟ ସମାନ ସମସ୍ୟାରେ ପଡିଥିବା ସେ ପ୍ରକାଶ କରିଛନ୍ତିି । ତେବେ ଏହି ବନ୍ୟା ସମୟରେ ସରକାରଙ୍କ ପକ୍ଷରୁ କିମ୍ବା ପଞ୍ଚାୟତଦ୍ୱାରା ଟ୍ୟାଙ୍କର ମଧ୍ୟମରେ ପାନୀୟ ଜଳ ଯୋଗାଇ ଦେଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ବୋଲି ଗ୍ରାମର ଲୋକମାନେ ଦାବି କରିଛନ୍ତି ।