ଗୋଚର ଜମି ହଡପ ନେଇ ପ୍ରତିବାଦ

ପିପିଲି: ପିପିଲି ରେ ବହୁମୂଲ୍ୟ ସରକାରୀ ଜମିକୁ ଜାଲିଆତି କରି ହାତେଇ ନେଇଛନ୍ତି ବିଲଡର ଓ ଜମି ମାଫିଆ । ତରାକାଜ ଓଭରବ୍ରିଜ୍ ନିକଟରେ କୋଟି କୋଟି ଟଙ୍କାର ଏକର ଏକର ଗୋଚର ଜମିକୁ ହାତେଇବାକୁ ମସୁଧା ଚାଲିଛି । ଏପରିକି ସେଠାରେ ଏକ ଗୋଶାଳା କରିବା ନାଁରେ ଜମି ହଡପ କରିବାକୁ ଯୋଜନା କରାଯାଉଥିବା ସାଂଘାତିକ ଅଭିଯୋଗ ହୋଇଛି । ଏହାକୁ ପ୍ରତିବାଦ କରି ଆଜି ମଧ୍ୟାହ୍ନରେ ଜାତୀୟ ଦଳିତ ଆଦିବାସୀ ମାଇନରିଟି ମହାସଂଘ ରାସ୍ତାକୁ ଓହ୍ଲାଇଛି । ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଉକ୍ତ ଗୋଚର ଜମିରେ ନୀଳ ପତାକା ପୋତି ତାହାକୁ ଭୁମିହୀନ ଲୋକଙ୍କୁ ଦଖଲ ଦେଇଛନ୍ତି । ପରେ ବେଆଇନ ନିର୍ମାଣ ହୋଇଥିବା ଘର ସାମ୍ନାରେ ଧାରଣା ଦେବା ସହ ସେଠାରୁ ବିଶାଳ ଶୋଭାଯାତ୍ରା ଶତାଧିକ ମହିଳା ପୁରୁଷ ପଦଯାତ୍ରାରେ ପିପିଲି ତହସିଲ କାର‌୍ୟ୍ୟାଳୟ ପର‌୍ୟ୍ୟନ୍ତ ଯାଇଥିଲେ । ତହସିଲ କାର‌୍ୟ୍ୟାଳୟ ଫାଟକ ସମ୍ମୁଖରେ ମହାସଂଘ ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ଆଗାମୀ ୭ଦିନ ମଧ୍ୟରେ ସମସ୍ତ ଗୋଚର ଜମି ଜବର ଦଖଲକାରୀଙ୍କ ଠାରୁ ଜମି ଉଛେଦ କରାଯାଉ ଏବଂ ସରକାର ନିୟମ ମୁତାବକ ସେଠାରେ ବୃକ୍ଷରୋପଣ କରିବାକୁ ମହାସଂଘ ଦାବୀ କରିଛି । ଏନେଇ ମହାସଂଘ ପକ୍ଷରୁ ତହସିଲଦାର ସପନ କୁମାର ନନ୍ଦଙ୍କ ନିକଟରେ ଦାବୀପତ୍ର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here