ଗଣ ବିକ୍ଷୋଭ

ମୟୂରଭଞ୍ଜ : ସ୍ଥାନାନ୍ତର ପ୍ରତିବାଦରେ ସିୟ୍ୟୁସିଆଇ ନେତୃତ୍ବରେ ଗଣ ବିକ୍ଷୋଭ ପ୍ରଦର୍ଶନ । ମୟୁରଭଞ୍ଜ ଜିଲ୍ଲା ଯଶିପୁର ବ୍ଳକ କାର‌୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଗୁରୁଗୁଡ଼ିଆ ଗ୍ରାମପଞ୍ଚାୟତର ଖେଜୁରୀ ଗ୍ରାମର ୧୧୦ ପରିବାରକୁ ଉଛେଦ ପ୍ରତିବାଦରେ ବିକ୍ଷୋଭ । ଆସନ୍ତା ୨୪ ତାରିଖରେ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗର ମିଳିତ ସହଯୋଗରେ ଖେଜୁରୀ ଗ୍ରାମର ୧୧୦ ଆଦିବାସୀ ପରିବାରକୁ ସ୍ଥାନାନ୍ତରଣ ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ତେବେ ବଂଶାନୁକ୍ରମିକ ଭାବେ ବସବାସ କରି ଆସୁଥିବା ସ୍ଥାନୀୟ ବନବାସୀ ଏହି ନିଷ୍ପତ୍ତିର ବିରୋଧ କରିଛନ୍ତି । ଗ୍ରାମରେ ବିନା ପାଲ୍ଲୀସଭାରେ ବନବିଭାଗ ଲୋକଙ୍କୁ ପ୍ରଲୋଭିତ କରି ସ୍ଥାନାନ୍ତରଣ ପାଇଁ ପ୍ରୟାସ ଚଲାଇ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ରୋକଠୋକ ଚରମବାଣୀ ଶୁଣାଇ ଆନ୍ଦୋଳନକୁ ଆହ୍ଲାଇଛନ୍ତି ଗ୍ରାମବାସୀ । ଯଶିପୁର ସିୟ୍ୟୁସିଆଇ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ବିଧାୟକ ଶମ୍ଭୁନାଥ ହେମ୍ବ୍ରମଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରାରେ ଶହ ଶହ ଲୋକ ସାମିଲ ହୋଇ ଯଶିପୁର ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିଭଳି ସ୍ଥାନାତରଣ ହେଉଥୁବା ଗ୍ରାମରେ କୌଣସି ପ୍ରକାର ସରକାରୀ ଉନ୍ନୟନମୂଳକ କାର‌୍ୟ୍ୟ ହେଉ ନ ଥିବାରୁ ଯଥାଶୀଘ୍ର କାର‌୍ୟ୍ୟକାରୀ କରାଯାଇ ରୋଜଗାର ଯୋଗାଇ ଦେବା ସହିତ ପୂର୍ବରୁ ମିଳୁଥିବା ସମସ୍ତ ପ୍ରକାର ସରକାରୀ ସହଯୋଗ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଯଶୀପୁର ବ୍ଲକରେ ଦାୟିତ୍ବରେ ଥିବା ବିଡ଼ିଓଙ୍କ ଅତ୍ୟଧିକ ପିସି ଦାବି ଯୋଗୁଁ ଉନ୍ନୟନ କାର‌୍ୟ୍ୟ ମଧ୍ୟ ପ୍ରଭାବିତ ହେଉଥିବା ଭଳି ଗୁରୁତର ଅଭିଯୋଗ ବିକ୍ଷୋଭକାରୀଙ୍କ ଭିତରେ ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଇଛି । ତେବେ ଏଇ ସ୍ଥାନାନ୍ତରଣ ପ୍ରକ୍ରିୟାରେ ଜୀବନ ଥିବା ପର‌୍ୟ୍ୟନ୍ତ ସାମିଲ ନ ହେବା ପାଇଁ ଏକ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଯଶିପୁର ଗୋଷ୍ଟି ଉନ୍ନୟନ ଅଧିକାରିଣୀ ଅନୁପୋମା ଘୋଷଙ୍କୁ ପ୍ରଦାନ କରିଛନ୍ତି । ତେବେ ଦେଖିବା ପାଇଁ ବାକି ରହିଲା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ କଣ ପଦକ୍ଷେପ ଗ୍ରହଣ କରାଯାଉଛି ।