28.1 C
Bhubaneswar
Thursday, March 28, 2024
Homeଓଡିଶାରାସ୍ତା, ଆଲୋକ ଜିଲ୍ଲା ବିକାଶର ମାପକାଠି ନୁହେଁ 

ରାସ୍ତା, ଆଲୋକ ଜିଲ୍ଲା ବିକାଶର ମାପକାଠି ନୁହେଁ 

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପ୍ରଗତିରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବାଧକ ସାଜିଛନ୍ତି । ଜିଲ୍ଲାର ଅନେକ ଗ୍ରାମକୁ ରାସ୍ତାଘାଟ ଏବଂ ବିଜୁଳି ସଂଯୋଗ ହୋଇଛି । କିନ୍ତୁ ରାସ୍ତା ଏବଂ ଆଲୋକ ଜିଲ୍ଲାର ବିକାଶର ମାପ କାଠି ନୁହେଁ । ମାଲକାନଗିରିରେ ପାନୀୟଜଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବା ବେଳେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତଥାପି ଜନସାଧାରଣ ଝରଣା ଜଳ , ପୋଖରୀ ଓ ନଈନାଳ ଜଳକୁ ପାନୀୟଜଳ ଭାବେ ବ୍ୟବହାର କରୁଛନ୍ତି । ଅର୍ଥ ଖର୍ଚ୍ଚ ସତ୍ୱେ ଏହି ସମସ୍ୟା ଦୂର କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅନେକ କୋଠାବାଡି ନିର୍ମାଣ ହୋଇଥିଲେ ମଧ୍ୟ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଅଭାବ ଯୋଗୁଁ ଲୋକମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେବା ସହ ବାଧ୍ୟ ହୋଇ ଗୁଣିଗାରେଡି ଓ ଦିଶାରୀଙ୍କ ଉପରେ ନିର୍ଭର କରୁଛନ୍ତି । ଆଗାମୀ ଦିନରେ ସମସ୍ତ ମୂଳବାସୀ, ବର୍ଷ ବର୍ଷ ଧରି ଜିଲ୍ଲାରେ ରହି ଆସୁଥିବା ଲୋକମାନଙ୍କୁ ତୁରନ୍ତ ଘର ବାଡି ଓ ଜମି ପଟ୍ଟା, ସ୍ୱାସ୍ଥ୍ୟସେବା, ପାନୀୟଜଳ ଓ ଚାଷୀମାନଙ୍କ ଧାନ ସରକାରୀ ଧାର୍ଯ୍ୟ ଦରରେ କ୍ରୟ କରାଯିବନାହିଁ । ଫଳରେ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସିପିଆଇ(ଏମ) ଓଡ଼ିଶା ରାଜ୍ୟ କମିଟିର ବରିଷ୍ଠ ନେତା ଜନାର୍ଦ୍ଧନ ପତି ଅଭିଯୋଗ କରିଛନ୍ତି । ଆଜି ମାଲକାନଗିରିସ୍ଥିତ ମାଲ୍ୟବନ୍ତ ହୋଟେଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି । ଦେଶରେ ଦୈନିକ ୯୦ ଲକ୍ଷ ଟିକା ପ୍ରଦାନ କଲେ ଆସନ୍ତା ଡିସେମ୍ବର ସୁଦ୍ଧା ଆମେ ସମସ୍ତ ନାଗରିକଙ୍କୁ ଟିକା ପ୍ରଦାନ କରି ତୃତୀୟ ଲହରୀକୁ ମୁକାବିଲା କରିବା ବୋଲି ସେ ପ୍ରକାଶ କରିଛନ୍ତି । ରାଜ୍ୟର ଅନ୍ୟ ପଛୁଆ ଜିଲ୍ଲା ତୁଳନାରେ ମାଲକାନଗିରି ଜିଲ୍ଲା କୋଭିଡ-୧୯ ଟିକାରଣ ଓ ସ୍ୱାବ ସଂଗ୍ରହରେ ପଛରେ ଥିବା ବେଳେ ଏହି ଜିଲ୍ଲାକୁ ଦକ୍ଷିଣ ଭାରତକୁ ଦାଦନ ଖଟିବାକ୍‌ୁ ଯାଇଥିବା ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଜିଲ୍ଲାକୁ ଫେରିଥିଲେ । କିନ୍ତୁ ସେମାନଙ୍କୁ କୌଣସି କର୍ମ ନିଯୁକ୍ତି ଜିଲ୍ଲା ପ୍ରଶାସନ ଯୋଗାଇ ଦେଇନାହିଁ । ଯାହା ଫଳରେ କୋଭିଡ୍ ମହାମାରୀ ସମୟରେ ଶ୍ରମିକମାନେ ଟିକାକରଣରୁ ବଞ୍ଚିତ ହେବା ସହ ଅର୍ଥ ଉପାର୍ଜନ ନ କରି ପରିବାର ସହ ଚିନ୍ତାରେ ଅଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ମନରେଗା ଯୋଜନାରେ ଶ୍ରମିକ ବଦଳରେ କୋଟି କୋଟି ଟଙ୍କାର କାମ ମେସିନ୍ ଦ୍ୱାରା କରୁଛନ୍ତି ବୋଲି ସିପିଆଇ(ଏମ) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ପ୍ରତି ଶ୍ରମିକ ପରିବାରକୁ ମାସିକ ୭ହଜାର ୫ ଶହ ଟଙ୍କା ତାଙ୍କର ଜମା ଖାତାରେ ପ୍ରଦାନ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ଚାଉଳ ଦେଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ୧୮ ବର୍ଷରୁ ୪୦ ବର୍ଷ ବୟସ୍କଙ୍କୁ ସମ୍ପୁର୍ଣ୍ଣ ଟିକାକରଣ କେତେ ଦିନ ଲାଗିବ ବୋଲି ବରିଷ୍ଠ ନେତା ଶ୍ରୀ ପତି ଓ ରାଜ୍ୟ ସମ୍ପାଦକ ଶ୍ରୀ ପଟ୍ଟନାୟକ ଉଭୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଆମ ଦେଶରେ କୋଭିଡ୍ ମହାମାରିରେ ଅନେକ ଧନ ଜୀବନ ନଷ୍ଟ ହେଉଥିବା ବେଳେ ଦେଶରେ ଟିକାର ଅଭାବ ଯୋଗୁଁ ଆଜି କୋଟି କୋଟି ଲୋକ ଟିକା ନେବାରୁ ବଞ୍ଚିତ ହୋଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ବାହାର ଦେଶକୁ କେଉଁ କାରଣରୁ ଟିକା ରପ୍ତାନି କଲେ ବୋଲି ପ୍ରଶ୍ନ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ଶରଣାର୍ଥି ମାନଙ୍କୁ ଥଇଥାନ କରାଯାଇ ୬ ଏକର ଜମି ଦିଆଯାଇଥିବା ବେଳେ ଜିଲ୍ଲାର ୫୦ ହଜାରୁ ଊର୍ଦ୍ଧ୍ୱ ମୂଳ ବାସିନ୍ଦା ବର୍ଷ ବର୍ଷ ଧରି ତାଙ୍କର ଜମିର ପଟ୍ଟା ନ ପାଇବା ମୂଳ ବାସିନ୍ଦାଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାର ଏକ ନମୁନା । ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳର ଘୋଷଣା କରି ସେହି ଅଞ୍ଚଳର ଲୋକ କିପରି ସ୍ୱାଭିମାନ ଅବସ୍ଥାରେ ଅଛନ୍ତି ତାହା ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆସିବ । ମାଓବାଦୀ ଦମନ ନାମରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଲୋକଙ୍କୁ ଭୟଭୀତ କରି ରଖିଛି ବୋଲି ରାଜ୍ୟ ସମ୍ପାଦକ ମଣ୍ଡଳୀର ସାଥୀ ଜଗନ୍ନାଥ ମିଶ୍ର ଅଭିଯୋଗ କରିଛନ୍ତି । ଜୁଲାଇ ଶେଷ ସପ୍ତାହରେ କୋଭିଡ୍‌-୧୯ର ତୃତୀୟ ଲହରୀ ଭୟଙ୍କର ରୂପ ଧାରଣ କରି ଆସୁଥିବା ବିଶେଷଜ୍ଞ ଓ ସରକାର ଘୋଷଣା କରିଥିବା ବେଳେ ଟିକାକରଣ ପକ୍ରିୟା ମାସକ ମଧ୍ୟରେ କିପରି ଶେଷ କରିବେ ବୋଲି ସରକାରଙ୍କୁ ଏହି ନେତାମାନେ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ବିଜୁ ଜନତା ଦଳ କେନ୍ଦ୍ରର ଅନେକ ଅସଫଳତାକୁ ଆଖି ବୁଜି ସମର୍ଥନ କରୁଥିବାକୁ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆବାହକ ବ୍ରଜ ମାଝି , ବଲରାମ ଗୋଲରୀ , କୃଷ୍ଣ ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking