ବେଓଭାଲ୍ : ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଟେଷ୍ଟ୍ କ୍ରିକେଟ୍ରେ ସର୍ବାଧିକ ଛକାର ରେକର୍ଡ ନିଜ ନାମରେ କରିଛନ୍ତି । ଏହି କ୍ଷେତ୍ରରେ ସେ ନିଜ ଦଳର ମୁଖ୍ୟ କୋଚ୍ ବ୍ରାଣ୍ଡନ୍ ମ୍ୟାକ୍କୁଲମ୍ଙ୍କୁ ପଛକରେ ପକାଇଛନ୍ତି । ବେ ଓଭାଲ୍ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ୍ରେ ସେ ଏହି କାରନାମା କରିଛନ୍ତି । ଟେଷ୍ଟ୍ କ୍ରିକେଟ୍ରେ ଏବେ ଷ୍ଟୋକ୍ସଙ୍କ ନାମରେ ୧୦୯ ଛକା ହୋଇଛି । ଏହା ପୂର୍ବରୁ ନ୍ୟୁଜିଲାଣ୍ଡର ପୂର୍ବତନ ଖେଳାଳି ମ୍ୟାକ୍କୁଲମ୍ଙ୍କ ନାମରେ ଏହି ରେକର୍ଡ ଥିଲା । ୧୦୧ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ମ୍ୟାକ୍କୁଲମ୍ଙ୍କ ନାମରେ ୧୦୭ ଛକା ରହିଛି । ତେବେ ଷ୍ଟୋକ୍ସ ମାତ୍ର ୯୦ ମ୍ୟାଚ୍ରେ ଏହି ରେକର୍ଡ ଭଙ୍ଗ କରିଛନ୍ତି । ଏହାପରେ ଆଦାମ୍ ଗିଲ୍କ୍ରିଷ୍ଟ୍ (୧୦୦), କ୍ରିସ୍ ଗେଲ୍ (୯୮) ଏବଂ ଜ୍ୟାକ୍ କାଲିସ୍ (୯୭)ଙ୍କ ନାମ ରହିଛି ।
ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍ର ଶନିବାର ତୃତୀୟ ଦିନ ଥିଲା । ଦିନର ଖେଳ ଶେଷ ବେଳକୁ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ୍ରେ ୫ ୱିକେଟ୍ ହରାଇ ୬୩ ରନ୍ କରିଥିଲା । ଦଳକୁ ବିଜୟ ପାଇଁ ଆଉ ୩୩୧ ରନ୍ ଦରକାର ଥିବାବେଳେ ଇଂଲଣ୍ଡକୁ ଏହି ଜିତିବା ପାଇଁ ୫ଟି ୱିକେଟ୍ର ଆବଶ୍ୟକତା ରହିଛି । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୯ ୱିକେଟ୍ ବିନିମୟରେ ୩୨୫ ରନ୍ କରି ପ୍ରଥମ ଇନିଂସ୍ ଘୋଷଣା କରିଥିଲା । ଜବାବରେ ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ୍ ୩୦୯ରେ ଶେଷ ହୋଇଥିଲା । ଦ୍ୱିତୀୟ ଇନିଂସ୍ରେ ଇଂଲଣ୍ଡ ୩୭୪ ରନ୍ କରି ନ୍ୟୁଜିଲାଣ୍ଡ୍ ଆଗରେ ୩୯୪ ରନ୍ର ଟାର୍ଗେଟ୍ ରଖିଥିଲା । ତୃତୀୟ ଦିନ ଷ୍ଟମ୍ପ୍ସ ବେଳକୁ ଡାରିଲ୍ ମିଚେଲ୍ ୧୩ ଏବଂ ମାଇକେଲ୍ ବ୍ରାସ୍ୱେଲ୍ ୨୫ ରନ୍ରେ ବ୍ୟାଟିଂ କରୁଥିଲେ । ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍ ୪ଟି ଏବଂ ଓଲି ରବିନ୍ସନ୍ ଗୋଟିଏ ୱିକେଟ୍ ହାସଲ କରିଛନ୍ତି ।