32.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଷ୍ଟେରଏଡ୍‌ର ଅପବ୍ୟବହାର ବ୍ଲାକ୍ ଫଙ୍ଗସ୍‌ର ମୁଖ୍ୟ କାରଣ : ଡ. ଗୁଲେରିଆ

ଷ୍ଟେରଏଡ୍‌ର ଅପବ୍ୟବହାର ବ୍ଲାକ୍ ଫଙ୍ଗସ୍‌ର ମୁଖ୍ୟ କାରଣ : ଡ. ଗୁଲେରିଆ

ନୂଆଦିଲ୍ଲୀ : କୋଭିଡ୍‌ରୁ ସୁସ୍ଥ ହେଉଥିବା ରୋଗୀ ପରବର୍ତ୍ତୀ ସମୟରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣର ଶିକାର ହେଉଥିବା ଘଟଣା ବର୍ତ୍ତମାନ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ଦିଲ୍ଲୀ ଏମ୍‌ସର ନିର୍ଦ୍ଦେଶକ ଡଃ ରଣଦୀପ ଗୁଲେରିଆ କହିଛନ୍ତି ଯେ ଷ୍ଟେରଏଡ୍ ଅପବ୍ୟବହାର ବ୍ଲାକ୍ ଫଙ୍ଗସ୍‌ର ମୁଖ୍ୟ କାରଣ ପାଲଟିଛି । ଦ୍ୱିତୀୟ ପର୍ଯ୍ୟାୟରେ ସୃଷ୍ଟ ଫଙ୍ଗାଲ କିମ୍ବା ବାକ୍ଟେରିଆଲ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ପ୍ରୋଟୋକଲକୁ ଅନୁସରଣ କରିବାକୁ ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ସବୁ ହସ୍ପିଟାଲ ଅଗ୍ରାଧିକାର ଦେବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି । ସଂପ୍ରତି ଫଙ୍ଗାଲ ଓ ବାକ୍ଟେରିୟାଲ ସଂକ୍ରମଣ ଯୋଗୁଁ ଦେଶରେ ମୃତ୍ୟୁ ହାର ବୃଦ୍ଧି ପାଉଥିବା ସେ କହିଛନ୍ତି । ତେବେ କୋଭିଡ୍ ପୂର୍ବରୁ ଏଭଳି ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଉଦ୍‌ବେଗଜନକ ନୁହେଁ ବୋଲି ସେ କହିଛନ୍ତି ।

ଏହି ପରିସ୍ଥିତିରେ ହସ୍ପିଟାଲଗୁଡିକ ସଂକ୍ରମଣ ରୋକିବା ନିମନ୍ତେ ଉଦ୍ଦିଷ୍ଟ ପ୍ରୋଟକଲ ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି । ଏକ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳାକୁ ଉଦ୍‌ବୋଧନ ଦେବା ଅବସରରେ ଡଃ ଗୁଲେରିଆ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଏମ୍‌ସରେ ଫଙ୍ଗାଲ ସଂକ୍ରମିତ ୨୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କଠାରେ କୋଭିଡ୍ ପଜିଟିଭ୍ ଲକ୍ଷଣ ରହିଛି । ଅବଶିଷ୍ଟ ତିନିଜଣ ରୋଗୀଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ରହିଥିବା ଜଣାପଡିଛି । ବିଭିନ୍ନ ରାଜ୍ୟରେ ଏପର୍ଯ୍ୟନ୍ତ ୫୦୦ରୁ ଊର୍ଦ୍ଧ୍ୱ ରୋଗୀ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବ୍ଲାକ୍ ଫଙ୍ଗସ୍ ଯୋଗୁଁ ରୋଗୀର ମୁଖମଣ୍ଡଳ, ନାକ, ଆଖିପତା କିମ୍ବା ମସ୍ତିଷ୍କରେ ସଂକ୍ରମଣ ଦେଖାଦେଇପାରେ ବୋଲି ସେ କହିଛନ୍ତି ।

ଏପରିକି ବ୍ଲାକ୍ ଫଙ୍ଗସ୍ ଯୋଗୁଁ ଜଣେ ରୋଗୀ ଦୃଷ୍ଟି ଶକ୍ତି  ମଧ୍ୟ ହରାଇପାରେ ଏବଂ ଏହା ଫୁସଫୁସକୁ ମଧ୍ୟ ସଂକ୍ରମିତ ହୋଇପାରେ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଷ୍ଟେରଏଡ୍‌ର ଅପବ୍ୟବହାର ଏହାର  ମୁଖ୍ୟ କାରଣ ହୋଇଥିବା ସେ କହିଛନ୍ତି । ଏପରିକି ମଧୁମେହ କିମ୍ବା କୋଭିଡ୍ ପଜିଟିଭ୍ ରୋଗୀ ଯଦି ଷ୍ଟେରଏଡ୍ ବ୍ୟବହାର କରୁଥାନ୍ତି, ତାହାହେଲେ ସେମାନଙ୍କ କ୍ଷେତ୍ରରେ ଫଙ୍ଗାଲ ସଂକ୍ରମଣ ଅଧିକ ଘନୀଭୂତ ହେବାର ଆଶଙ୍କା ରହିଥିବା ସେ କହିଛନ୍ତି । ଏହି ପରିପେକ୍ଷରେ କୋଭିଡ୍ ରୋଗୀଙ୍କୁ ଷ୍ଟେରଏଡ୍ ନ ଦେବାକୁ ଡଃ ଗୁଲେରିଆ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking