26.1 C
Bhubaneswar
Wednesday, May 25, 2022
Homeଓଡିଶାକୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର : ଦିଲୀପ ମଲ୍ଲିକ

କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର : ଦିଲୀପ ମଲ୍ଲିକ

 ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାରୁ ୪୩୪୮୯ ଛାତ୍ରଛାତ୍ରୀ କାହିଁକି ବଂଚିତ ହେଲେ ? ସିଧାସଳଖ ଜବାବ୍ ରଖନ୍ତୁ ରାଜ୍ୟ ସରକାର
 ବିଦ୍ୟାଳୟ ରୁପାନ୍ତରିତ କେବଳ ପ୍ରହସନ ଏବଂ ଏହା ନାମରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ଏବଂ ଶାସକ ବିଜେଡି ମନ୍ତ୍ରୀ ଓ କର୍ମୀମାନେ କୋଟିପତି ସାଜିଛନ୍ତି
ଭୁବନେଶ୍ୱର, : ଆଜି ଦେଶ ‘ଆଜାଦୀ କି ଅମୃତ ମହୋତ୍ସବ’ ପାଳନ କରୁଥିବାବେଳେ ଓଡ଼ିଶାରେ ଶିକ୍ଷାର ଆଶାନୁରୁପ ବିକାଶ ହୋଇନାହିିଁଁ । ଯେଉଁଠି ସ୍କୁଲ ଅଛି, ସେଠି ଶିକ୍ଷକ ନାହାନ୍ତି; ଯେଉଁଠି ଶିକ୍ଷକ ଅଛନ୍ତି, ସେଠି ପିଲା ନାହାନ୍ତି । ଆଉ କେଉଁଠି ଖୋଲା ଆକାଶତଳେ ନିଜର ଭବିଷ୍ୟତ ଗଢ଼ୁଛନ୍ତି କୋମଳମତୀ ଛାତ୍ରଛାତ୍ରୀ । ରାଜ୍ୟରେ ଶିକ୍ଷାର ସ୍ତମ୍ଭ ଭୁଷୁଡୁଥିବାବେଳେ ‘ମୋ ସ୍କୁଲ’, ‘ହକି କ୍ଲବ’ ଭଳି ନାନାଦି ଯୋଜନା କରି ଲୋକଙ୍କୁ ଭକୁଆ ବନଉଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟ ରୁପାନ୍ତରିତ କେବଳ ପ୍ରହସନ ଏବଂ ଏହା ନାମରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ଏବଂ ଶାସକ ବିଜେଡି ମନ୍ତ୍ରୀ ଓ କର୍ମୀମାନେ କୋଟିପତି ସାଜିଛନ୍ତି । ରାଜ୍ୟ ସରକାର କୋମଳମତୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଓ ବିଭିନ୍ନ ଯୋଜନା ନାଁରେ ଅଭିଭାବକମାନଙ୍କୁ ଠକି ଚାଲିଛନ୍ତି ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।
ରାଜ୍ୟର ଗରିବ ଛାତ୍ରଛାତ୍ରୀମାନେ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷା ପ୍ରାପ୍ତ କରିନପାରି ସରକାରୀ ସ୍କୁଲ ଉପରେ ନିର୍ଭର କରୁଛନ୍ତି । ମାତ୍ର ଆବଶ୍ୟକୀୟ ଭିତିଭୁମି ଓ ଶିକ୍ଷକମାନଙ୍କ ଘୋର ଅଭାବ କାରଣରୁ ଉଚିତ୍ ଶିକ୍ଷାପ୍ରାପ୍ତିରୁ ବଂଚିତ ହେଉଛନ୍ତି । ଅନ୍ୟ ପଟେ ଅପାରଗ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଶିକ୍ଷାମାନର ବୃଦ୍ଧି ପାଇଁ କୌଣସି ସୁବିଧା ନକରି ନିରବଦ୍ରଷ୍ଟା ସାଜିଛନ୍ତି । ଭୁବନେଶ୍ୱର ମହାନଗରରେ ଥିବା ସରକାରୀ ବିଦ୍ୟାଳୟରେ ବର୍ତମାନ ୨୩୮ଟି ଶିକ୍ଷକ ଶିକ୍ଷୟତ୍ରୀ ପଦବୀ ଖାଲି ପଡିଛି । ଭୁବନେଶ୍ୱର ବ୍ଲକରେ ପ୍ରାୟ ୭୦ ଶିକ୍ଷକଙ୍କ ଅଭାବ ରହିଛି । କିନ୍ତୁ ରାଜ୍ୟ ସରକାର ଏତିପ୍ରତି ଧ୍ୟାନ ଦେବାରେ ବିଫଳ ହୋଇଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଏବେ ରାଜ୍ୟରେ ମଧ୍ୟ ନକଲି ଶିକ୍ଷକଙ୍କ ମାତ୍ରା ବଢ଼ି ବଢ଼ିଚାଲୁଛି । ତାହା ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିଛି । ନକଲି ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ନେଇ ବିଧାନସଭାରେ ଚର୍ଚ୍ଚା ହୋଇଥିଲେ ମଧ୍ୟ ତାହାର ତଦନ୍ତ ବା କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଶିକ୍ଷାର ଆଉ ଏକ ଦୁର୍ନୀତି ଫର୍ଦ ଯୋଡିହୋଇଛି ଯେ, ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷାରୁ ଓହରି ଯାଇଛନ୍ତି । ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାରୁ ୪୩୪୮୯ ଛାତ୍ରଛାତ୍ରୀ କାହିଁକି ବଂଚିତ ହେଲେ ଏବଂ ଏହାର ସିଧାସଲଖ ଜବାବ୍ ରାଜ୍ୟ ସରକାର ରଖନ୍ତୁ । ଶିକ୍ଷା ବ୍ୟବସ୍ଥା ଓ ଏହାର ସୁପରିଚାଳନା ଉପରେ ରାଜ୍ୟ ସରକାରଙ୍କ ଆଉ ନିୟନ୍ତ୍ରଣ ନାହିଁ । ଛାତ୍ରଛାତୀଙ୍କ ଭବିଷ୍ୟତ ସହ ଖେଳିଥିବା ଶିକ୍ଷା ବିଭାଗ ଏବଂ ରାଜ୍ୟ ସରକାର ବର୍ତମାନ ନିଜ ଉପରୁ ଦୋଷ ଖସାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରୁଛନ୍ତି । ଶିକ୍ଷକମାନେ ସମ୍ମେଟିଭ ପରୀକ୍ଷା ନଦେବା ପରେ ଫର୍ମ ପୂରଣ କେମିତି କଲେ ଏହାର ସ୍ପଷ୍ଟୀକରଣ ରାଜ୍ୟ ସରକାର ଦିଅନ୍ତୁ ବୋଲି ବିଜେପି ଦାବୀ କରିଛି । ନବୀବ ବାବୁ ହାଇସ୍କୁଲ ପିଲାଙ୍କୁ ସାଇକେଲ ଦେଉଛନ୍ତି କିନ୍ତୁ ଯଦି ସ୍କୁଲରେ ପିଲାନାହାନ୍ତି ତାହାଲେ ଏହି ଯୋଜନା କାହା ପାଇଁ ? ରାଜ୍ୟ ସରକାର ଉତର ଦିଅନ୍ତୁ ବୋଲି ଶ୍ରୀ ମଲ୍ଲିକ ଦାବୀ କରିଛନ୍ତି ।
ଛାତ୍ରଛାତ୍ରୀ ପାଠପଢ଼ା ଛାଡି ଦାଦନ ଖଟୁଥିଲେ ମଧ୍ୟ ସ୍କୁଲରେ ସେମାନଙ୍କ ନାମ ଗଡୁଛି । ନାଁ ନୁହଁ ଛାତ୍ରଛାତ୍ରୀଙ୍କ ଅଜାଣତରେ ସେମାନଙ୍କ ନାଁରେ ମଧ୍ୟ ଫର୍ମପୂରଣ ହେଉଛି ଯାହା ଓଡ଼ିଶାର ଶିକ୍ଷାପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିଛି ବୋଲି ବିଜେପି ଦାବି କରିଛି । ରାଜ୍ୟ ସରକାର ସ୍କୁଲରେ ପିଲାଙ୍କ ପାଇଁ ଅଧିକ ଯୋଜନା କରୁଥିବା ଡିଣ୍ଡିମ ପିଟି ଶିକ୍ଷାବ୍ୟବସ୍ଥାକୁ ଦୁର୍ବଳ କରିବାରେ କୌଣସି ପ୍ରଣାଳୀ ଛାଡୁନାହାନ୍ତି । ରାଜ୍ୟ ସରକାର ଏହି ଛାତ୍ରଛାତ୍ରୀଙ୍କ ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଲିଷ୍ଟ ଦେଖାଉଛନ୍ତି କିନ୍ତୁ ବାସ୍ତବରେ ପିଲା ସ୍କୁଲ ଯାଉନାହାନ୍ତି କି ସ୍କୁଲ ସହ ସେମାନଙ୍କର କୌଣସି ସମ୍ପର୍କରେ ନାହିଁ ବୋଲି ସ୍ପଷ୍ଟ ହେଉଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ରାଜ୍ୟ ସରକାର ଶିକ୍ଷାରେ ଦୁର୍ନୀତି କରିବାରେ ସିଦ୍ଧହସ୍ତ ହାସଲ କରିଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking