27.1 C
Bhubaneswar
Friday, March 29, 2024
Homeଓଡିଶାଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସବୁଦିନିଆ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସବୁଦିନିଆ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର

ପୁରୀ: ଆସନ୍ତା ବର୍ଷ ରଥରେ ସମସ୍ତ ସେବାୟତ ଚଢ଼ିବେନି । କେବଳ ନୀତି ସହ ଜଡ଼ିତ ସେବାୟତ ହିଁ ରଥ ଉପରକୁ ଚଢ଼ିପାରିବେ । ଫଳରେ ଠାକୁରଙ୍କୁ ଭଲ ଭାବେ ଦର୍ଶନ କରିପାରିବେ ଭକ୍ତ । ଶନିବାର ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳଚନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ ବିଶେଷ ଭାବେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଏହାଛଡ଼ା ଗରିବ ସେବାୟତଙ୍କ ନିମନ୍ତେ ଆବାସ ପ୍ରକଳ୍ପ ଓ ସେବାୟତ ପିଲାଙ୍କ ପାଠପଢ଼ା ପାଇଁ ଗୁରୁକୁଳ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ଜମିଜମା ସୁରକ୍ଷା ଓ ବିକ୍ରିବଟା, ରତ୍ନଭଣ୍ଡାର ସୁରକ୍ଷା, ଶ୍ରୀମନ୍ଦିର କରିଡ଼ର ପ୍ରଭୃତି ବିଷୟରେ ବିଶେଷ କୌଣସି ଆଲୋଚନା ହୋଇପାରିନି । ତେବେ ଚଳିତ ବର୍ଷ ସ୍ନାନଯାତ୍ରା ଓ ରଥଯାତ୍ରାରେ ଠାକୁରମାନଙ୍କ ଆଗପଛରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ବହୁ ଅଧିକ ସେବାୟତମାନେ ଘେରି ରହିବାରୁ ଭକ୍ତଙ୍କୁ ଭଲ ଦର୍ଶନ ନ ମିଳିବା ଏବଂ ସ୍ଥିରୀକୃତ ଆଚରଣ ସଂହିତାକୁ ଉଲ୍ଲଂଘନ କରାଯିବା ନେଇ କ୍ଷୁବ୍ଧ ଥିବା ପ୍ରଶାସନ କଠୋର ମନୋଭାବ ପୋଷଣ କରିଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇଛନ୍ତି, ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ସମୀକ୍ଷା ହୋଇଥିଲା । ଆସନ୍ତା ବର୍ଷ ଏହି ଉତ୍ସବ ପାଳନ ବେଳେ ସେବାୟତମାନେ ଠାକୁରଙ୍କ ପାଖରେ ଏମିତି ଠିଆ ହେବେ, ଯେପରି ଭକ୍ତ ଭଲଭାବେ ଠାକୁର ଦର୍ଶନ କରିବେ । ଠାକୁରଙ୍କ ନୀତି ପରିଚାଳନା ପାଇଁ ଯେତିକି ସେବାୟତ ଆବଶ୍ୟକ ସେତିକି ରହିବେ । ୩୬ ନିଯୋଗ ସହିତ ଏନେଇ ବୈଠକ କରି ଅଲୋଚନା ହେବ । ଏହାଛଡ଼ା ବୈଠକରେ ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା । ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ଆଲୋଚନା ହୋଇଛି । ସେହିପରି ସେବକ ବାସଗୃହ ନିମନ୍ତେ ପ୍ଲାନ୍ ଆପ୍ରୁଭାଲ ହୋଇଛି । ୪ ମାସ ଭିତରେ କାମ ଆରମ୍ଭ ହେବ । ଗତ ବୈଠକରେ ଲ୍ୟାଣ୍ଡ ସବ୍ କମିଟି ନେଇଥିବା ନିଷ୍ପତ୍ତିକୁ ଆପ୍ରୁଭାଲ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପରିଚାଳିତ ଗେଷ୍ଟ ହାଉସ୍ ରୁମ୍‌ଗୁଡ଼ିକ ସୁବିଧାରେ ଅନ୍‌ଲାଇନ୍‌ରେ ବୁକିଂ ପାଇଁ ଏଚ୍‌ଡିଏଫ୍‌ସି ସହିତ ଏକ ଏମ୍‌ଓଏୟୁ କରାଯିବ । ଏହାକୁ ପରିଚାଳନା କମିଟିରେ ମଞ୍ଜୁରୀ ମିଳିଛି । ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟ ସବୁଦିନିଆ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନ ବେଦୀ ଓ ରୋଷଘର ବ୍ୟାରିକେଟ କରାଯିବ । ଭକ୍ତ ଏଠାରେ ବୁଲିପାରିବେ ନାହିଁ । ଅନ୍ୟ ସମସ୍ତ ସ୍ଥାନ ଦେଖିପାରିବେ ବୋଲି ସେ କହିଛନ୍ତି ।
ପରିଚାଳନା କମିଟି ସଦସ୍ୟ କହିଛନ୍ତି, ବୈଠକରେ ସେବାୟତଙ୍କ ସୁବିଧା ପାଇଁ ମାଟିତୋଟା ପରିବର୍ତ୍ତେ ହରଚଣ୍ଡିସାହିର ୩.୧୮୩ ଏକର ଓ ମାଟିମଣ୍ଡପସାହିର ୨.୮୧୧ ଏକର ଜମିରେ ସେବକ ଆବାସ କରାଯିବାକୁ ନିଷ୍ପତ୍ତି ହୋଇଛି । ହରଚଣ୍ଡି ସାହିରେ ୨୨୪ ବାସଗୃହ ପ୍ରଥମେ କରାଯିବ । ପ୍ରତ୍ୟେକ ସେବାୟତଙ୍କ ନିମନ୍ତେ ଏଠାରେ ୨ଟା ରୁମ୍ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ । ସେହିପରି ଆସନ୍ତା ୫ ବର୍ଷ ପାଇଁ ଶ୍ରୀମନ୍ଦିରରେ କେଉଁ ସବୁ ଉନ୍ନତୀକରଣ କାମ ଆବଶ୍ୟକ ସେନେଇ ଏଏସ୍‌ଆଇକୁ ଏକ ରିପୋର୍ଟ ଦେବାକୁ କୁହାଯାଇଛି । ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଆରକ୍ୟୁଲୋଜିଷ୍ଟ ଅରୁଣ ମଲ୍ଲିକ ରତ୍ନସିଂହାସନ ପଛରୁ ଖସି ପଡ଼ିଥିବା ପ୍ଲାଷ୍ଟର ସମ୍ପର୍କରେ କହିଛନ୍ତି, ଏହା ମନକୁ ଖସିନି କିମ୍ବା ଆଦ୍ରତା ଯୋଗୁ ଖସିନି । ଏହାକୁ ଖସାଇ ଦିଆଯାଇଛି । ପ୍ଲାଷ୍ଟର ଉପରେ କୌଣସି ଜିନିଷ ମାଡ଼ ହେବାରୁ ଏହା ଖସି ପଡ଼ିଛି । ପୂଜକମାନେ ଏହା ଜାଣିଥିବେ । ଏହି ପ୍ଲାଷ୍ଟର ବହୁତ ବର୍ଷ ତଳେ କରାଯାଇଥିଲା । ଏଭଳି ଘଟଣା ପୁଣି ଘଟିବନି ବୋଲି କହି ହେବନି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଯନ୍ତ୍ରୀମାନଙ୍କ ସହ ଆଲୋଚନା ହୋଇସାରିଛି । ଆସନ୍ତାବର୍ଷ ରଥଯାତ୍ରା ସମୟରେ ପୁଣି ଆବଶ୍ୟକ ମରାମତି କାମ ହେବ । ସେହିପରି ସେ ରତ୍ନ ଭଣ୍ଡାର ସମ୍ପର୍କରେ କହିଛନ୍ତି, ଏହାର ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନ କହିଲେ କରାଯିବ । ୨୦୧୮ରେ ରତ୍ନ ଭଣ୍ଡାର ଯାଞ୍ଚ ସମ୍ପୂର୍ଣ୍ଣ ହୋଇ ନ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking