34.1 C
Bhubaneswar
Friday, March 29, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିଳାଚଳ ଇସ୍ପାତ ବନ୍ଦ: ଶ୍ରୀକାନ୍ତ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିଳାଚଳ ଇସ୍ପାତ ବନ୍ଦ: ଶ୍ରୀକାନ୍ତ

ଭୁବନେଶ୍ୱର (ଓଏନଏ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିଳାଚଳ ଇସ୍ପାତକୁ ବନ୍ଦ କରାଯାଇଛି । ଇପିକଲ, ଓଏମସି ଓ ଅନ୍ୟମାନଙ୍କୁ ନେଇ ନିଳାଚଳ ଇସ୍ପାତ ନିଗମ ଗଠନ କରାଯାଇଥିଲା । ଏମଏନଟିସି ଏଥିରେ ଭାଗିଦାରୀ ନେଇଥିଲା । ପ୍ଲାଣ୍ଟ ଭଲଭାବରେ ଚାଲିଲା । ୧୦ ହଜାର ଲୋକ ଏଥିରେ କାମ କଲେ । ରାଉରକେଲା ପରେ ଏହା ଥିଲା ଦ୍ୱିତୀୟ ଇସ୍ପାତ କାରଖାନା । ବିଜୁବାବୁଙ୍କ ସ୍ୱପ୍ନ ଥିଲା କଳିଙ୍ଗନଗରରେ ଆମେ ଦ୍ୱିତୀୟ ଇସ୍ପାତ କାରାଖାନା କରିବୁ । ତାକୁ ସଫଳ କରାଯାଇଥିଲା । ସେ ୧୯୯୬ରେ କେନ୍ଦ୍ରରେ ମନ୍ତ୍ରୀ ଥିଲା ବେଳେ ଏହି କାରଖାନା କରିବା ପାଇଁ ଉଦ୍ୟମ କରିଥିଲେ । ଯାହା ସଫଳ ହୋଇଥିଲା । ଏହାକୁ ଏବେ ବନ୍ଦ କରିଦିଆଗଲା । ସାରା ବିଶ୍ୱ ଯେତେବେଳେ, ସମଗ୍ର ଦେଶ ଯେତେବେଳେ ଓ ରାଜ୍ୟବାସୀ ଯେତେବେଳେ କରୋନା ଭାଇରସକୁ ନେଇ ଚିନ୍ତିତ ଓ ଘରେ ବସିଛନ୍ତି ଏହି ଅନ୍ଧକାର ଭିତରେ ଏଭଳି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ କିପରି ନେଲେ । ଏ ନେଇ ସେ ଏକ ଭିଡିଓ ଜାରି କରି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ।
ଶ୍ରୀ ଜେନା ତାଙ୍କ ଭିଡ଼ିଓରେ କହିଛନ୍ତି ଯେ, ନିଳାଚଳକୁ କୋଇଲା ଦିଆଯିବ ନାହିଁ । ଫଳରେ ତାର କୋକଭେନ ପ୍ଲାଣ୍ଟ ଚାଲିବ ନାହିଁ । କୋକଭେନ ନ ଚାଲିଲେ ପାୱାର ପ୍ଲାଣ୍ଟ ଚାଲିବ ନାହିଁ । ପାୱାର ପ୍ଲାଣ୍ଟ ନ ଚାଲିଲେ ସେଠାରେ ଅନ୍ୟ ସବୁ ଉତ୍ପାଦନ ବନ୍ଦ ହୋଇଗଲା । ସେଠି ସାର ଉତ୍ପାଦନ ହେଉଥିଲା । କୋକ ବାହାରୁଥିଲା । ଏବେ ସବୁ ଉତ୍ପାଦନ ବନ୍ଦ । ୧୦ ହଜାର ଲୋକ ରାସ୍ତାରେ । ଶ୍ରମିକମାନେ ବହୁଦିନରୁ ପ୍ରତିବାଦ କରି ଚାଲିଛନ୍ତି । ସାଧାରଣ ଲୋକେ, ରାଜନୈତିକ ଦଳ ଓ ଶ୍ରମିକ ସଙ୍ଗଠନ ପ୍ରତିବାଦ କରୁଛନ୍ତି । ଏହି ଅନ୍ଧକାର ଭିତରେ ଏତିକିବେଳେ ବିଲେଇ ଯେପରି ଆଖିବୁଜିକି ଖିର ପିଇଦିଏ ବୋଲି ଭାବେ ସେହିପରି ନବୀନ ବାବୁ ଏହି କାର୍ଯ୍ୟ କରିଛନ୍ତି । ଲୋକଙ୍କ ଲକ୍ଷ୍ୟ ଯେତେବେଳେ ଅନ୍ୟ ଆଡ଼େ ରହିଛି ସେହି ସମୟରେ ଏହି କାର୍ଯ୍ୟ ନବୀନ ବାବୁ କରିଛନ୍ତି । ଏହାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଲେ ତାମିଲନାଡୁର ଜଣେ ଯୁବକ । ଯିଏ ୧୦ ବର୍ଷ ତଳେ ଏ ରାଜ୍ୟକୁ ଆସିଥିଲେ ଟ୍ରକ ଖଣ୍ଡେ ଧରି । ସେ ପହଂଚିଥିଲେ କେନ୍ଦୁଝର ଜିଲ୍ଲାରେ । ସେ ଏବେ ସବୁଠୁ କୁଆଡ଼େ ବଡ଼ ଶିଳ୍ପପତି ହୋଇଯାଇଛନ୍ତି । ୬୦/୭୦ ହଜାର କି ଲକ୍ଷେ କୋଟି ଟଙ୍କାର ମାଲିକ ହୋଇଗଲେଣି । କିପରି ହେଲେ ଭଗବାନ ଜାଣନ୍ତି । ବ୍ରାହ୍ମଣୀ ରିଭର ପିଲେଟ ପ୍ଲାଣ୍ଟ ଭଳି ସେ ଓ ଜେଏସଡବ୍ଲ୍ୟୁ ବା ଜିନ୍ଦଲ ଗ୍ରୁପ ସେମାନେ ମିଶିକି ନେଇଛନ୍ତି । ଏହାର ପାଖକୁ ଲାଗିଛି ନିଳାଚଳ ଇସ୍ପାତ । ପାଚେରି ଉଠାଇବେ ଓ କାରଖାନାକୁ ନେବେ । ଏହା ପଛର ରହସ୍ୟ ହେଉଛି ଏକ ଅତ୍ୟାଧୁନିକ ପ୍ଲାଟ ନେବେ ଓ ନୀଳାଚକୁ ଯେଉଁ ୧୨୦ ମିଲିୟନ ଟନର ଖଣି ଦିଆଯାଇଥିଲା ତାକୁ ନେବେ । ଏହି ଖଣିକୁ ମୂଲ୍ୟାୟନ କଲେ ୧ ଲକ୍ଷ କୋଟି ଟଙ୍କା ହେବ । ଏଣୁ କାରଖାନାକୁ କିପରି ନେବେ ନା ଏଥିଲାଗି ମୂଲ୍ୟ କମାଅ । କିପରି ମୂଲ୍ୟ କମିବ ନା କୋକଭନ ପ୍ଲାଟ ବନ୍ଦ କର, ପାୱାର ପ୍ଲାଣ୍ଟ ବନ୍ଦ କର । ଆମେ ସ୍କ୍ରାପ ଦରରେ ପ୍ଲାଣ୍ଟ ନେବୁ । ଏସବୁ ବନ୍ଦ ହୋଇଗଲେ ଯେତେବେଳେ ମୂଲ୍ୟାୟନ ହେବ ସେତେବେଳେ ପ୍ଲାଟ ବନ୍ଦ ହୋଇଥିବାରୁ ସେତେବେଳେ ମୂଲ୍ୟ କମିଯିବ । ସେମାନେ ଏହାକୁ ସ୍କ୍ରାପ ଦରରେ ନେବେ । ଏଥି ସହିତ ଲକ୍ଷେ କୋଟି ଟଙ୍କାର ପାହାଡ଼ ବି ନେବେ । ନବୀନ ବାବୁଙ୍କ ୨୦ ବର୍ଷ ଶାସନରେ ଓଡ଼ିଶା କାଙ୍ଗାଳ ହୋଇଛି । ୨ କିଲୋ ୫ କିଲୋ ଚାଉଳ ପାଇଁ ଲୋକେ ଘରେ ଅପେକ୍ଷା କରି ବସିଛନ୍ତି । ତାର ସୁଯୋଗ ନେଉଛନ୍ତି ନବୀନ ବାବୁ । କାରଣ ସମ୍ବାଦ ପତ୍ରରେ ଏକଥା ବାହାରିବ ନାହିଁ । କାରଣ ସମ୍ବାଦପତ୍ରମାନେ ଭାବୁଛନ୍ତି ଆମର ବିଜ୍ଞାପନ ବନ୍ଦ ହୋଇଯିବ । ଟେଲିଭିଜନ ଚ୍ୟାନେଲ ସେମାନେ ତାର ମାଲିକ । ଫଳରେ ଲୋକେ ଜାଣିବେ କେମିତି । ସେଥିପାଇଁ ଭିଡ଼ିଓ ମାଧ୍ୟମରେ ସେ ଲୋକଙ୍କ ନିକଟରେ ବାର୍ତ୍ତା ପହଂଚାଇବାକୁ ଉଦ୍ୟମ କରିଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି ।
ଯେଉଁ ଦି ଲକଡାଉନ ଉଠିବ ଓଡ଼ିଶାର ପ୍ରତିକୋଣେ ଅନୁକୋଣରେ ଏକଥା ପହଂଚାଯିବ । ଏହା ଏକ ମାମୁଲି ନିଷ୍ପତ୍ତି ନୁହେଁ । ମୁଖ୍ୟମନ୍ତ୍ରୀ ଶାଗମାଛ ଦରରେ ଯାହାକୁ ପାର ତାକୁ ବିକ୍ରୀ କରିଦେଲେ । ଏହାର ଘୋର ପ୍ରତିବାଦ କରାଯିବ । ସାରା ରାଜ୍ୟରେ ପ୍ରତିବାଦ ହେବ । ଗାଁରୁ ସହର ପର୍ଯ୍ୟନ୍ତ ଲକଡାଉନରେ ଯେପରି ଅଚଳ ହୋଇଛି ସେପରି ଅଚଳ କରିଦିଆଯିବ । ଦଳମତ ନିର୍ବିଶେଷର ସମସ୍ତଙ୍କର ନିଳାଚଳ ଇସ୍ପାତକୁ ରକ୍ଷା କରିବା ହେଉଛି ପରମକର୍ତ୍ତବ୍ୟ । କାରଣ ଏହା ହେଉଛି ଓଡ଼ିଶାର ସମ୍ପତ୍ତି । ଓଡ଼ିଶାର ଯୁବକମାନଙ୍କର ଭବିଷ୍ୟତ ଏହାଦ୍ୱାରା ଅନ୍ଧକାର ହେବ । ଟାଟା ହେଉ କି ଜିନ୍ଦଲ ହେଉ କି ବୁର୍ଲା ହେଉ ଯେଉଁମାନେ ହୁଅନ୍ତୁ ଗୋଟିଏ ମେଡିକାଲ ବେଡ ଏମାନେ ତିଆରି କରିଛନ୍ତି ରାଜ୍ୟରେ କେବଳ ଲୁଟିଛନ୍ତି । ୫୦ ବର୍ଷ ହେଲା ସୁକିନ୍ଦା ଭାଲିର କ୍ରୋମାଇଟକୁ କେଉଁମାନେ ଲୁଟିଛନ୍ତି । କେଉଁମାନେ କୋଟିପତି ହୋଇଛନ୍ତି । ସେମାନେ ପୁଣି ନେତାହେବେ । ଲୋକଙ୍କର ଉପାୟ କିଛି ନାହିଁ । ଲୁଟେରାମାନଙ୍କୁ ନେତା କରି ଛାଡ଼ିଲେ ଯାହା ହୁଏ ଆଜି ସେହି ଅବସ୍ଥା ହୋଇଛି ରାଜ୍ୟର । ପ୍ରତ୍ୟେକ ଓଡ଼ିଶାବାସୀଙ୍କର ଏ ବିଷୟରେ ଭାବିବାର ଆଜି ବେଳ ଆସିଛି । ଭୋଟ ଦେଳା ବେଳେ ଚିନ୍ତାକରି ଭୋଟ ଦେଇଥିଲେ ହୁଏତ ଆଜି ଏ ଅବସ୍ଥା ହୋଇ ନ ଥାନ୍ତା । ଓଡ଼ିଶାର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ରକ୍ଷା କରନ୍ତୁ । ଅନ୍ଧକାର ସମୟ ଭିତରେ ଏମାନେ ଯେଉଁଭଳି କାର୍ଯ୍ୟ ହାତେଇବାକୁ ବସିଛନ୍ତି ତାର ପ୍ରତିବାଦ କରନ୍ତୁ ବୋଲୁ ଶ୍ରୀ ଜେନା ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking