ଖୋର୍ଦ୍ଧା : ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ୭୯୦କି.ମି. ପରିବ୍ୟାପ୍ତ ଅଞ୍ଚଳରେ ଅବସ୍ଥିତ ଚିଲିକା । ଏସିଆ ମହାଦେଶର ସର୍ବବୃହତ ଲବଣ ହ୍ରଦ ଭାବେ ମାନ୍ୟତା ପାଇଛି । କାହା ପାଇଁ ଚିଲିକା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତ ଆଉ କାହା ପାଇଁ ବୈଚିତ୍ରମୟ ଜୈବ ବିବିଧତାର ଏକ ବିରଳ ଭଣ୍ଡାର । ମାତ୍ର ଚିଲିକା ଉପକୂଳବର୍ତୀ ଗ୍ରାମର ହଜାର ହଜାର ପରିବାର ପେଟ ପାଟଣା ପାଇଁ ନିର୍ଭର କରନ୍ତି ଚିଲିକା ଉପରେ । ଲକ୍ଷାଧିକ ଲୋକଙ୍କ ଭାତହାଣ୍ଡି ପାଲଟିଥିବା ବେଳେ ଧିରେ ଧିରେ ଚିଲିକା ମାଫିଆଙ୍କ କବ୍ଜାକୁ ଯିବାରେ ଲାଗିଛି। ଦିନକୁ ଦିନ ଚିଙ୍ଗୁଡି ମାଫିଆ ଓ ଦଲାଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି ।
ଯାହାଫଳରେ ମତ୍ସ୍ୟଜିବୀଙ୍କ ଦୁଃଖ ସରୁନଥିବାବେଳେ ଦୁର୍ଦ୍ଦଶା ମଧ୍ୟରେ ଗତିକରୁଛି ମତ୍ସ୍ୟଜୀବିମାନଙ୍କର ଏହି ମୁଖ୍ୟ ବେଉସା । ଅବସ୍ଥା ଏମିତି ହୋଇଛି ଯେ ବର୍ଷ ତମାମ ପେଟକୁ ଗଣ୍ଡେ ଦାନା ଦେଉଥିବା ଚିଲିକାକୁ ଭୁଲି ଦାଦନ ଯିବା ପାଇଁ ମତ୍ସ୍ୟଜୀବିମାନେ ବାଧ୍ୟ ହେଉଛନ୍ତି। ଏବେ ଚିଲିକା ଉପରେ ନିର୍ଭର କରି ଗୁଜୁରାଣ ମେଂଟାଉଥିବା ଅନେକ ଗ୍ରାମର ଶହ ଶହ ସଂଖ୍ୟାରେ ମତ୍ସ୍ୟଜୀବି ଜିଲ୍ଲା ଓ ରାଜ୍ୟ ବାହାରକୁ କାମ ଅନ୍ୱେଷଣରେ ଦାଦନ ଖଟିବାକୁ ଯାଉଛନ୍ତି । ବିଡମ୍ବନା ଓ ଦୁଃଖର ବିଷୟ ଯେ ମତ୍ସ୍ୟଜୀବିମାନଙ୍କର ଏହି ମୌଳିକ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୀର୍ଘ ବର୍ଷ ଧରି ଅବଗତ ଥାଇ ମଧ୍ୟ ସମ୍ପୁର୍ଣ୍ଣ ନିରବତା ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି ।
ଚିଲିକାରେ ଲୁଣି ପାଣି ସହ ବିଭିନ୍ନ ପ୍ରଜାତିର ଗୁଳ୍ମ ଜାତୀୟ ଉଦ୍ଭିଦ ଓ ହରିତ୍ଶୈବାଳ ବହୁ ପରିମାଣରେ ଥିବାରୁ ଏଠାରେ ପ୍ରାୟ ୨୨୩ପ୍ରକାରର ମାଛ ଦେଖାଯାଆନ୍ତି । ବିଶେଷ କରି ଚିଙ୍ଗୁଡି ଚାଷରୁ ଆଶାତୀତ ଲାଭ ମିଳୁଥିବାରୁ ୧୯୮୦ ମସିହାରୁ ଏଠାରେ ଆରମ୍ଭ ହୋଇଥିଲା ଚିଙ୍ଗୁଡିଚାଷ । ଯାହାକି ପରବର୍ତୀ ସମୟରେ ଚିଲିକାର ଶାନ୍ତ ବାତାବରଣକୁ ଅଶାନ୍ତ କରିବା ସହ ମତ୍ସ୍ୟଜୀବିମାନଙ୍କୁ ଏବେ ଢ଼ୋକେ ପିଇ ଦଣ୍ଡେ ଯିଇଁବା ଅବସ୍ଥାକୁ ଆଣି ଦେଇଛି ବୋଲି କୁହନ୍ତି ମତ୍ସ୍ୟଜିବୀ ନାରାୟଣ ଭୂୟାଁ କହିଛନ୍ତି । ବିଭିନ୍ନ କାରଣରୁ ଚିଲିକା ଉପରେ ନିର୍ଭର କରି ରହୁଥିବା ହଜାର ହଜାର ପରିବାର ଏବେ ଓଳିଏ ଖାଇଲେ, ଓଳିଏ ଉପାସ ରହିବା ଭଳି ଅବସ୍ଥା ଆସିଛି । ଡଙ୍ଗା ଅଛି, ଜାଲ ଅଛି ମାତ୍ର ମିଳୁଥିବା ମାଛର ପରିମାଣ ଅତିକମ୍ ବୋଲି ସେ ଅଭିଯୋଗ କରିଛନ୍ତି ।
ଚିଲିକା ଉନ୍ନୟନ କର୍ତୁପକ୍ଷଙ୍କ ପରିସଂଖ୍ୟାନ ଅନୁଯାୟୀ ଚିଲିକା ଉପରେ ୧୩୨ଟି ଗ୍ରାମର ୧୨ହଜାର ୩୬୩ଟି ମତ୍ସ୍ୟଜୀବି ପରିବାରର ଲକ୍ଷାଧିକ ଲୋକ ମାଛ ମାରି ଜୀବିକା ନିର୍ବାହ କରନ୍ତି । ପୂର୍ବରୁ ମତ୍ସ୍ୟଜୀବିମାନଙ୍କୁ ସହାୟତା କରିବାକୁ ୬୬ଟି ସମବାୟ ସମିତି ଗଠନ କରାଯାଇଥିବା ବେଳେ ୧୨ଟି ଜେଟି ମଧ୍ୟ ନିର୍ମାଣ ହୋଇଥିଲା । ଏବେ କିନ୍ତୁ ଚିଲିକାର ମୁହାଣ ପୋତି ହୋଇଯିବାରୁ ସମୁଦ୍ରରୁ ମାଛ ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେବା ସହ ମତ୍ସ୍ୟ ଉପାଦନ ହ୍ରାସ ପାଇଛି ।ଏହାଛଡା ଦିନକୁ ଦିନ ମଧ୍ୟ ଜନସଂଖ୍ୟା ବୃଦ୍ଧି ପାଇବାରୁ ସଭିଏଁ ଚିଲିକା ଉପରେ ନିର୍ଭର କରି ଗୁଜୁରାଣ ମେଂଟାଇବା ସମ୍ଭବ ହେଉନାହିଁ । ଚିଙ୍ଗୁଡି ଘେରୀ ନିର୍ମାଣ ସହ ରାସାୟନିକ ସାର ପ୍ରୟୋଗ ବହୁ ମାଛ ବଂଶକୁ ଏକ ରକମ ନିଶ୍ଚିହ୍ନ କରିଥିବା ବେଳେ ନୀଳ ଜାଲ, ଖନ୍ଦା ଜାଲ ଆଦି ନିଷେଧକୁ ନେଇ କେବଳ ରାଜନୀତିର ଖେଳ ହିଁ ଦେଖିବାକୁ ମିଳୁଛି । ଏବେ ଚିଲିକାର ପ୍ରାୟ ଅଢେଇ ହଜାର ଏକର ଅଞ୍ଚଳ ଘେରିମୟ ଥିବା ବେଳେ ଏହାକୁ ମୁକ୍ତ କରିବା ପାଇଁ ନାଁ ପ୍ରଶାସନ, ନାଁ ସରକାର କେହି ସାହାସ ଜୁଟାଇ ପାରୁନଥିବା ଅଭିଯୋଗ ହେଉଛି ।
ଫଳରେ ଚିଲିକାର ମତ୍ସ୍ୟଜୀବି ଓଳିଏ ଖାଇଲେ ଆର ଓଲି ଉପାସ ରହିବାକୁ ବାଧ୍ୟ ହେଉଛନ୍ତି । ଚିଲିକାରେ ଘେରି ଉଚ୍ଛେଦ ଅଭିଯାନ କେବଳ ପ୍ରତିବର୍ଷ ଲୋକ ଦେଖାଣିଆ ଭାବେ ହେଉଥିଲେ ହେଁ, ବାସ୍ତବରେ ଏବେ ହିଁ ଚିଲିକାରେ ଚିଙ୍ଗୁଡି ମାଫିଆ, କିଛି ରାଜନେତାଙ୍କ ବେଆଇନ ଘେରି ରହିଛି । ଏମିତିକି ଚିଙ୍ଗୁଡି ମାଫିଆଙ୍କ ଦୌରାତ୍ମକୁ ମୁକାବିଲା କରି ଅନେକ ମତ୍ସ୍ୟଜୀବି ମଧ୍ୟ ସେମାନଙ୍କ ପ୍ରାୟୋଜିତ ଭଡାଟିଆ ଗୁଣ୍ଡାଙ୍କ ଆକ୍ରମଣର ଶିକାର ହେବାର ଅନେକ ନଜିର ସରକାରଙ୍କ ନିକଟରେ ମହଜୁଦ ରହିଛି । ମତ୍ସଜୀବିମାନେ ଡଙ୍ଗା ନେଇ ଚିଲିକାକୁ ଯାଉଥିଲେ ମଧ୍ୟ ଡଙ୍ଗା ଖର୍ଚ୍ଚ ବି ଉଠୁନି ।ତେବେ ଏଭଳି ପରିସ୍ଥିତିରେ ଚିଲିକାରୁ ମାଛ ମାରି ପେଟ ପୋଷୁଥିବା ମତ୍ସ୍ୟଜୀବିମାନେ ତାଙ୍କ ଜୀବନ ଜୀବିକା ଓ ଭବିଷ୍ୟତକୁ ନେଇ ଚିନ୍ତାରେ ରହିଥିବା ଜଣାଯାଇଛି ।