40.1 C
Bhubaneswar
Thursday, April 25, 2024
Homeଓଡିଶାପୁଣି ନିଆଁରେ ଘିଅ ଢ଼ାଳିଲେ ସୌମ୍ୟ

ପୁଣି ନିଆଁରେ ଘିଅ ଢ଼ାଳିଲେ ସୌମ୍ୟ

ଭୁବନେଶ୍ୱର : ପୁଣି ନିଆଁରେ ଘିଅ ଢ଼ାଳିଲେ ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ମଙ୍ଗଳବାର ତାଙ୍କ ଖବର କାଗଜଜରେ ନିଜ ନାମରେ ଆମ ଘରର ହାଲଚାଲ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରୀ ବ୍ୟବସ୍ଥା ଉପରେ ଯେଉଁ ମତ ଦେଇଛନ୍ତି, ତାକୁ ନେଇ ରାଜନୈତିକ ମହଲରେ ବେଶ୍ ହଟଚମଟ ସୃଷ୍ଟି ହୋଇଛି । ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ସୌମ୍ୟ ରଞ୍ଜନ ଏହିଭଳି ସମ୍ପାଦକୀୟ ଲେଖିଥା’ନ୍ତି । କିନ୍ତୁ ଏବେ ଯେଉଁ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୌତିକ ବାତାବରଣ ସରଗରମ ରହିଛି, ସେହି ସମୟରେ ସୌମ୍ୟଙ୍କ ବିରୋଧୀଙ୍କୁ ସୁହାଲିଲା ଭଳି ଲେଖା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । କେବେଳ ଆଜି ନୁହେଁ ଗତ ୨୨ତାରିଖରେ ମଧ୍ୟ ସେ ଏହି ପ୍ରସଙ୍ଗକୁ ନେଇ ସଂପାଦକରେ ତେର୍ଚ୍ଛାବାଣ ମାରିଥିଲେ । ବାରମ୍ବାର ସୌମ୍ୟଙ୍କ ଏଭଳି ଲେଖାକୁ ନେଇ ଏବେ ଆଲୋଚନା ହେଉଛି ଯେ, ବର୍ତ୍ତମାନାର ସରକାରୀ ବ୍ୟବସ୍ଥାକୁ ସେ ଗ୍ରହଣ କରିପାରୁ ନାହାଁନ୍ତି । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଏହି ଘଟଣାରେ ଠିକ୍ ବାଟରେ ଯାଉ ନାହିଁ । ଏକଥା ଦର୍ଶାଇବା ସହ ବିରୋଧୀଙ୍କ ଦାବିକୁ ଏକପ୍ରକାର ସମର୍ଥନ ଜଣାଉଛନ୍ତି ବୋଲି କୁହାଯାଉଛି।

ଗତ ୨୨ତାରିଖରେ ସୌମ୍ୟ ବାବୁଙ୍କ ସଂପାଦକୀୟର ଶୀର୍ଷକ ଥିଲା ‘ଅକ୍ଷମଣୀୟ’ । ଆଜିର ଆମ ଘରର ହାଲଚାଲ୍‌ର ଶୀର୍ଷକ ହେଉଛି ‘ନବୀନ ବାବୁଙ୍କ ପାଇଁ ଇଶ୍ୱରଙ୍କ ଠାରେ….’ । ସବୁଥରକ ଭଳି ଏଥର ମଧ୍ୟ ସୌମ୍ୟରଞ୍ଜନ ତାଙ୍କ ଲେଖାରେ ନବୀନ ପଟ୍ଟନାୟକଙ୍କୁ ପ୍ରଥମେ ଏତେ ଶୀର୍ଷକୁ ଉଠାଇଛନ୍ତି ଓ ଏତେ ପ୍ରଶଂସା କରିଛନ୍ତି ଯାହା ନ କହିଲେ ଭଲ । ନବୀନଙ୍କୁ ‘ଭଗବାନଙ୍କ ଦୂତ’ ଭାବରେ ବର୍ଣ୍ଣନା କରିଛନ୍ତି । ପରୋକ୍ଷରେ ସେ ସୂଚାଇଛନ୍ତି ଯେ, ଓଡ଼ିଶାରେ ଯେଉଁ ଅନ୍ୟାୟ, ଅନୀତି, ଦୂର୍ନିତୀ, ଭ୍ରଷ୍ଟାଚାର ଓ ନାରୀ ନିର୍ଯ୍ୟାତନା ଚାଲିଥିଲା ସେଥିରୁ ଓଡ଼ିଶାବାସୀଙ୍କୁ ସୁରକ୍ଷା ଦେବା ପାଇଁ ଭଗବାନ ଦୂତ ଭାବରେ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ନବୀନ ବାବୁ କ୍ଷମତାକୁ ଆସି ଯେଉଁ ସବୁ କାର୍ଯ୍ୟକ୍ରମ ଗ୍ରହଣ କଲେ ତାହା ଓଡ଼ିଶାବାସୀଙ୍କ ପାଇଁ ଆର୍ଶୀବାଦ ହେଲା । ସ୍ୱଚ୍ଛତା ଓ ଦୁର୍ନିତୀ ପ୍ରତି ‘ଶୂନ୍ୟ ସହନଶୀଳତା’ ଯେଉଁ ମୂଳମନ୍ତ୍ର ଥିଲା ସେଥିରେ ଏବେ ଦାଗ ଲାଗିଲାଣି ବୋଲି ସୌମ୍ୟରଞ୍ଜନ ଦର୍ଶାଇବାକୁ ଚାହିଁଛନ୍ତି । ଏହି ନଜୀର୍ ଦେଇ ସେ ଅତିତର କଥାକୁ ମନ ପକାଇଦେଉଛନ୍ତି ଯେ, ଛାୟା ଦୁର୍ନିତୀରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଯେଉଁ ନବୀନ ପଟ୍ଟନାୟକ କାଢ଼ିବାକୁ ତିଳେ ମାତ୍ର କୁଣ୍ଠା କରୁ ନଥିଲେ ଏବେ ସେ ସ୍ଥିତି ନାହିଁ । ମନ୍ତ୍ରୀମାନଙ୍କ ବିରୋଧରେ ଗଦାଗଦା ଅଭିଯୋଗ ଆସିଲେ ବି ସେମାନଙ୍କୁ ଘଣ୍ଟ ଘୋଡ଼େଇ ରଖାଯାଉଛି। ହତ୍ୟା, ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭିଯୋଗ ମନ୍ତ୍ରୀଙ୍କ ନା’ରେ ଆସୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ଆଉ ଏକ ବଡ଼ କଥା ସେ ଉଲ୍ଲେଖ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ଓ ତାଙ୍କ ଛତ୍ରଛାୟା ତଳେ ରହୁଥିବା ନେତା ବହୁ ଦୁର୍ନିତୀଗ୍ରସ୍ତ ହେଉପଡ଼ୁଛନ୍ତି । ଏହାର ପ୍ରମାଣ ଦେବାକୁ ଯାଇ ସେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି, ନୀବନଙ୍କ ସମସ୍ତ କାର୍ଯ୍ୟଧାରା ଓ ଯୋଜନା ଲୋକଙ୍କ କଲ୍ୟାଣ ଓ ରାଜ୍ୟର ବିକାଶ ଅପେକ୍ଷା ନିର୍ବାଚନ ସର୍ବସ୍ୱ ହୋଇଯାଇଛି । କ୍ଷମତାକୁ କିପରି ଫେରିବେ ସେଥିପାଇଁ ସବୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ବାରମ୍ବାର କ୍ଷମତାକୁ ଫେରୁ ଥିବାରୁ ‘ଅହଂକାର’ ବଢ଼ିଯାଇଛି । ସୌମ୍ୟଙ୍କ ଏହି ଆକ୍ଷେପ ଦର୍ଶାଉଛି ସରକାର ସପୂର୍ଣ୍ଣ ଅହଂକାରୀ ହୋଇପଡ଼ିଛନ୍ତି । ସେ ଦର୍ଶାଇଛନ୍ତି ବିଜେଡି ବାରମ୍ବାର ଯେଉଁ ଜିତୁଛି ତାହା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ନୁହେଁ ବରଂ ‘ରାଜନୈତିକ ବିକଳ୍ପ’ର ଅଭାବ । ଏକଥାରେ ସେ ଦର୍ଶାଇଛନ୍ତି ଯେତେବେଳେ ରାଜନୈତିକ ବକଳ୍ପ ଆସିଯିବ ସବୁ ହାତଛଡ଼ା ହୋଇଯିବ । ବିଜେଡି ଯେଉଁ ନିର୍ବାଚନ ସର୍ବସ୍ୱ ରାଜନୀତି ଚଳାଇଛି ସେଥିରେ ସ୍ୱଚ୍ଛତା କଥା କହିବା ‘ଲଙ୍କାରେ ହରିଶବ୍ଦ’ ପରି ବୋଲି ସୌମ୍ୟ ରଞ୍ଜନ ଦର୍ଶାଇଛନ୍ତି । ଏହାର ଉଦାହରଣ ଦେଇ ସେ ଜଣାଇବାକୁ ଚାହିଁଛନ୍ତି ଯେ, ରାଜ୍ୟରେ ସ୍ୱଚ୍ଛତା ଓ ଦୁର୍ନୀତି ମୁକ୍ତ ଶାସନ ଚାଲିଛି ବୋଲି କହିବା ଭୂଲ୍ ହେବ ।

ସୌମ୍ୟରଞ୍ଜନ ତାଙ୍କ ଲେଖାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଦର୍ଶାଇଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ‘ ଆଜି ନିର୍ବାଚିତ ବିଧାୟକମାନଙ୍କ ଭିତରୁ କେତେଜଣ ଛାତିରେ ହାତ ଦେଇ କହିପାରିବେ ଯେ ସେମାନେ ଆୟବର୍ହିଭୁତ ସମ୍ପତିର ଅଧିକାରୀ ନୁହଁନ୍ତି!’ ଏକଥା ବି ସେ ଦର୍ଶାଇଛନ୍ତି, ଶାସନାରେ ଭୟ ରହିଛି ଶ୍ରଦ୍ଧା ନାହିଁ । ସମସ୍ତେ ଧରି ନେଇଛନ୍ତି ଯେ କିପରି ନିର୍ବାଚନ ଜିତିବେ । ଏଣୁ ସ୍ୱଚ୍ଛତା କମିବା ଓ ଦୁର୍ନୀତି ବଢ଼ିବା ଛଡ଼ା ଅନ୍ୟବାଟ ନାହିଁ ବୋଲି ସେ ତାଙ୍କ ଲେଖାରେ ଦର୍ଶାଇଛନ୍ତି ।

ଅନ୍ୟ ଏକ ତାତ୍ପର୍ଯ୍ୟପୂର୍ଣ୍ଣ କଥା ସେ ଉଲ୍ଲେଖ କରିଛନ୍ତି , ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସବୁ ଲୋକାଭିମୁଖି ଯୋଜନା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି । ଯେଉଁ ସ୍ମାର୍ଟ ସ୍କୁଲ, ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ, ମୋ ସରକାର ଯୋଜନାମାନ କରାଯାଇଛି ତାହାର ସଫଳତା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି । କାରଣ ଆବଶ୍ୟକ ଭିତ୍ତିଭୂମି ଏଥିପାଇଁ ନକରି ଖାଲି ଯୋଜନା କରାଯାଇଛି । ଶିକ୍ଷା ପାଇଁ ଆବଶ୍ରକ ଶିକ୍ଷକ ନାହାଁନ୍ତି । ସ୍ୱାସ୍ଥ୍ୟର ଭିତ୍ତିଭୂମି ସମୃଦ୍ଧ ନୁହେଁ । ଆଉ ପୋଲିସର ଯାହା ବ୍ୟବହାର ସେଥିରେ ମୋ ସରକାର କହିବା ଯଥାର୍ଥତା ନାହିଁ ।
ସୌମ୍ୟରଞ୍ଜନ ଦର୍ଶାଇଛନ୍ତି ନବୀନ ପଟ୍ଟନାୟକଙ୍କୁ ପ୍ରଥମେ ଓଡ଼ିଶାବାସୀ ଯେଉଁଭଳି ଭାବରେ ଦେଖୁଥିଲେ ତାହାକ୍ରମେ ଭାଙ୍ଗିବା ଆରମ୍ଭ କଲାଣି । ତୁରନ୍ତ ଏ ଦିଗରେ ପଦକ୍ଷେପ ନନେଲେ ପରବର୍ତ୍ତି ସମୟରେ ଅନୁଶୋଚନା କରିବା ଛଡ଼ା ଆଉ କିଛି ବାଟ ମିଳିବନି ।

ସୌମ୍ୟଙ୍କ ବିଭିନ୍ନ ସମୟରେ ଏଭଳି ବାରମ୍ବାର ଲେଖା ସରକାରଙ୍କୁ ଓ ବ୍ୟବସ୍ଥାକୁ ଟାର୍ଗେଟ କରି ଲେଖିବା ସମ୍ପର୍କରେ ବିଜେଡି ନେତାମାନେ ଭିନ୍ନ ମତ ରଖୁଛନ୍ତି । ସେମାନଙ୍କ ମତରେ ସୌମ୍ୟ ବାବୁ ସରକାର ଓ ବ୍ୟବସ୍ଥାରେ ସାମିଲ୍ ହେବାକୁ ଅତିବ୍ୟସ୍ଥ ଓ ବ୍ୟଗ୍ର ହୋଇ ପଡ଼ିଥିବାରୁ ଏଭଳି ଲେଖା ଲେଖୁଛନ୍ତି । ନବୀନ ପଟ୍ଟନାୟକ ସରକାର ରାଜ୍ୟରେ ୨୦୦୦ ମସିହାରୁ ଶାସନ କଲେଣି । ହଠାତ୍ କ’ଣ ସୌମ୍ୟ ବାବୁ ଏବେ ସବୁ ଅନୁଭବ କରୁଛନ୍ତି କି ? ଯେତେବେଳେ ଦଳରେ ଯୋଗ ଦେଲେ, ରାଜ୍ୟସଭା ସାଂସଦ ହେଲେ ଓ ପରେ ବିଧାୟକ ହେଲେ ସେ ସମୟରେ କ’ଣ ସରକାରରେ ସବୁ ଠିକ୍ ଚାଲିଥିଲା? ଏବେ ହଠାତ୍ ସବୁ କେଇ ଦିନରେ ସବୁ କିଛି ବିଗିଡ଼ି ଗଲା? ଏ ପ୍ରଶ୍ନ ମଧ୍ୟ ବିଜେଡି ନେତା ଉଠାଉଛନ୍ତି । ହେଲେ ଯାହା ବି ହେଉ ସୌମ୍ୟଙ୍କ ଏହି ଲେଖା ବିରୋଧୀ ରାଜନୀତିକୁ ବେଶ୍ ଖୋରାକ୍ ଯୋଗାଇଛି ବୋଲି ଆଲୋଚନା ହେଉଛି ।

ସରକାର ଓ ଦଳକୁ ଚେତାଇଲେ ସୌମ୍ୟ  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking