ନ୍ୟାୟ ଦାବିରେ ସମାଜସେବୀଙ୍କ ଆମରଣ ଅନଶନ

ନୟାଗଡ: ବହୁଚର୍ଚ୍ଚିତ ନୟାଗଡ ସଦର ଥାନା ଅନ୍ତର୍ଗତ ଲକ୍ଷ୍‌ମୀପ୍ରସାଦ ପଂଚାୟତ ଯଦୁପୁର ଗ୍ରାମର ୫ ବର୍ଷ ନାବାଳିକାକୁ ଅପହରଣ ଓ ହତ୍ୟା ଘଟଣାକୁ ବିତିଗଲାଣି ୩ ମାସରୁ ଉର୍ଦ୍ଧ ସମୟ । ହେଲେ ଏଯାବତ ସଦର ଥାନା ପୋଲିସ ହାତ ଖାଲି । ଅପରାଧୀଙ୍କୁ ଧରିବାରେ ପୋଲିସ ସଂପୂର୍ଣ୍ଣ ବିଫଳ ହୋଇଥିବା ବେଳେ ପରିବାର ଲୋକଙ୍କ ଉପରେ ହେଉଛି ଅକଥନୀୟ ଆକ୍ରମଣ । ମୃତ ନାବାଳିକାର ବାପା ଏ ସଂପର୍କରେ ବାରମ୍ବାର ନୟାଗଡ ସଦର ଥାନାରେ ଅଭିଯୋଗ କରି ଆସୁତିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି । ତେବେ ବର୍ତ୍ତମାନ ମୃତ ନାବାଳିକାକୁ ନ୍ୟାୟ ପ୍ରଦାନ ଦାବିରେ ଦୁଇ ସମାଜସେବୀ ଶାନ୍ତନୁ ବିଷୋଇ ଓ ଭୁବନ ଚାନ୍ଦ ହାତୀ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଆମରଣ ଅନଶନର ଦୁଇ ଦିନ ପରେ ମଧ୍ୟ ସେମାନଙ୍କ ସହ ଆଲୋଚନା କରିବା ଦୂରର କଥା, ଜିଲ୍ଲାପାଳ ଦେଖା ମଧ୍ୟ କରିନାହାନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଧରିବା ବଦଳରେ ଅନଶନକାରୀଙ୍କୁ ଚିକିତ୍ସା ବାହାନାରେ ଅନଶନସ୍ଥଳରୁ ଉଠାଇ ଡାକ୍ତରଖାନାରେ ରଖିଥିବା ବେଳେ ଅନଶନରେ ବସିଥିବା ସ୍ଥାନରେ ଲାଗିଥିବା ଉକ୍ତ ନାବାଳିକାର ପୋଷ୍ଟରକୁ ନୟାଗଡ ଟାଉନ ଥାନା ପୋଲିସ ଚିରି ଦେଇଛି । ତେବେ ଉଭୟ ଡାକ୍ତରଖାନାରେ ମଧ୍ୟ ସେମାନଙ୍କ ଅନଶନ ଜାରି ରଖିଛନ୍ତି । ସେମାନଙ୍କୁ ଯେଉଁଠାରେ ରଖିଲେ ମଧ୍ୟ ସେମାନେ ଅନଶନ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here