28.1 C
Bhubaneswar
Wednesday, April 24, 2024
Homeଓଡିଶାଅବହେଳା କରନ୍ତୁ ନାହିଁ, ପୁଣି ଫେରିପାରେ କରୋନା ଭାଇରସ୍‌: ପ୍ରଫେସର ମହାପାତ୍ର

ଅବହେଳା କରନ୍ତୁ ନାହିଁ, ପୁଣି ଫେରିପାରେ କରୋନା ଭାଇରସ୍‌: ପ୍ରଫେସର ମହାପାତ୍ର

ଭୁବନେଶ୍ୱର : କୋଭିଡ-୧୯ର ଭୟ କିଛି ଟା ହ୍ରାସ ପାଉଥିବା ଜଣାପଡୁଥିଲେ ମଧ୍ୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବା
ପାଇଁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍ ବୋଲି ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର
ମତ ଦେଇଛନ୍ତି ।
ଓଡ଼ିଶାରେ କରୋନା ସଂକ୍ରମିତ ଚିହ୍ନଟଙ୍କ ସଂଖ୍ୟା କମିଥିଲେ ମଧ୍ୟ ଆମେ ଯେ ବର୍ତମାନ ବିପଦମୁକ୍ତ ତାହା କହିପାରିବା ନାହିଁ ବୋଲି
କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ମହାପାତ୍ର ।
କରୋନା ଭାଇରସ୍‌ର ବ୍ରିଟେନ୍ ଷ୍ଟ୍ରେନ୍ ନିକଟରେ ଭାରତରେ ଦେଖାଦେଇଛି ଓ ପୂର୍ବ ଭାଇରସ୍ ଠାରୁ ଏହା ୫୦ % ଅଧିକ ସଂକ୍ରମଣ
କରିପାରେ । ବର୍ତମାନ ଏହି ଷ୍ଟ୍ରେନ୍ ଭାରତରେ ଚିହ୍ନଟ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍‌ର ଷ୍ଟ୍ରେନ୍ ମଧ୍ୟ ଆମ ଦେଶରେ
ଚିହ୍ନଟ ହୋଇସାରିଲାଣି । ତେଣୁ ଏହି ରୋଗକୁ ନେଇ ଯେ ଆଉ ଭୟ ନାହିଁ ତାହା ଭାବିବା ଭୁଲ୍ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।
ପ୍ରଫେସର ମହାପାତ୍ର କହିଛନ୍ତି ଯେ ଯେତେବେଳେ ଏହି କରୋନା ମହାମାରୀ ତା’ର କାୟା ବିସ୍ତାର କରିଥିଲା ସେତେବେଳେ ଚାଲିଥିବା
ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟରେ ଲୋକମାନେ ଖୁବ୍ ଭୟଭୀତ ଥିଲେ । ଏବେ କିନ୍ତୁ ସେମାନେ ବେଶ ଆରାମ ଅନୁଭବ କରୁଛନ୍ତି ।
ଅଧିକାଂଶ ସ୍ଥାନରେ ପୁରୁଷ ଓ ସ୍ତ୍ରୀ ଲୋକମାନେ ମାସ୍କ ନ ପିନ୍ଧି ବୁଲୁଥିବାର ଦେଖିବାକୁ ମିଳୁଥିବା ବେଳେ ସାମାଜିକ ଦୂରତା ପାଳନ କରିବା
ବନ୍ଦ ହୋଇଯାଇଥିବା ଭଳି ଅନୁଭବ ହେଉଛି । କେତେକ ଲୋକ ମୁହଁ ତଳକୁ କିମ୍ବା ବେକରେ ମାସ୍କ ଲଗାଇବା ଦେଖିବାକୁ ମିଳୁଛି । ଏଭଳି
ମାସ୍କ ପିନ୍ଧିବାର କୌଣସି ମୂଲ୍ୟ ନାହିଁ ବୋଲି ସେ କହିଛନ୍ତି ।
ଭାକ୍ସିନ୍ ଆସିଯିବା ଦ୍ୱାରା ଏହା ଭାଇରସ୍‌କୁ ନିଶ୍ଚିତ ଭାବରେ ପ୍ରତିରୋଧ କରିବାରେ ସକ୍ଷମ ହୋଇପାରେ । ତେବେ କୋଭାକ୍ସିନ୍ ଏବଂ
କୋଭିସିଲ୍ଡ ଭଳି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ଭାଇରସ୍ ହଜି ଯାଇନାହିଁ ଓ ଲୋକମାନେ ନିଜକୁ ସୁରକ୍ଷିତ ବୋଲି
ଭାବିବା ଉଚିତ୍ ନୁହେଁ । କାରଣ ସମସ୍ତ ଲୋକଙ୍କୁ ଟିକାର ଡୋଜ୍ ଦେବା ପାଇଁ ଅନେକ ସମୟ ଲାଗିବ ।
କରୋନା ଭାଇରସ୍ ପୁଣି ଥରେ ଫେରିବାର ଅନେକ ଆଶଙ୍କା ରହିଥିବା ବେଳେ ଆମକୁ ଅଧିକ ମାତ୍ରାରେ ସାବ୍‌ଧାନ ରହିବା ସହ ଏହି
ପରିସ୍ଥିତି ସଂପୂର୍ଣ୍ଣ ଭାବେ ବଦଳି ଯିବା ପର୍ଯ୍ୟନ୍ତ କୋଭିଡ-୧୯ର ନିୟମାବଳୀକୁ ଦୃଢ଼ ଭାବେ ପାଳନ କରିବାକୁ ହେବ ବୋଲି ପ୍ରପେସର
ମହାପାତ୍ର କହିଛନ୍ତି ।
କୋଭାକ୍ସିନ୍‌ର ଟିକା ଗ୍ରହଣ କରିସାରିଥିବା ପ୍ରଫେସର ମହାପାତ୍ର କହିଛନ୍ତି ସମସ୍ତଙ୍କ କ୍ଷେତ୍ରରେ ଟିକାଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ।
ଟିକାକରଣ ଆରମ୍ଭର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୧୬ ତାରିଖ ଦିନ ପ୍ରଫେସର ମହାପାତ୍ର କୋଭାକ୍ସିନ୍ ଟିକାର ପ୍ରଥମ ଡୋଜ୍ ଗ୍ରହଣ
କରିଥିବା ବେଳେ ୩ ଦିନ ତଳେ ଦ୍ୱିତୀୟ ଡୋଜ୍ ଗ୍ରହଣ କରିଛନ୍ତି । ଟିକା ଗ୍ରହଣ ପରେ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି ଏବଂ ଏହାର କୌଣସି
ପାଶ୍ୱର୍ପ୍ରତିକ୍ରିୟା ନାହିଁ ବୋଲି ସେ କହିଛନ୍ତି ।
ଯଦିଓ ଓଡ଼ିଶାରେ ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୦୦ ତଳକୁ ଖସିଆସିଛି ତେବେ କୌଣସି ଦିନ ମଧ୍ୟ
ଏହି ସଂକ୍ରମଣ ଫେରିବାର ଆଶଙ୍କା ରହିଛି । ତେଣୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବା ବନ୍ଦ କରନ୍ତୁ ବୋଲି ସେ ଉପଦେଶ ଦେଇଛନ୍ତି ।
ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା କୋଭିଡ-୧୯ ଯୁଦ୍ଧ ସହିତ ଲଢ଼ିବା ନିମନ୍ତେ ୩ଟି ମନ୍ତ୍ର
ଓ ଏହାକୁ ଲୋକମାନେ ପାରୁ ପର୍ଯ୍ୟନ୍ତ ପାଳନ କରନ୍ତୁ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।
ମୁଁ ଲୋକଙ୍କୁ ଭୟଭୀତ ହେବାକୁ କହୁନାହିଁ, କିନ୍ତୁ ସେମାନେ ସାବଧାନ ହେବାର ଆବଶ୍ୟକତା ରହିଛି । ଆମେ ଆମ ନିଜକୁ, ନିଜ
ପରିବାରକୁ ଏବଂ ସମାଜକୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking