32.1 C
Bhubaneswar
Thursday, March 28, 2024
HomeUncategorizedକରୋନା ମୁକାବିଲାରେ ଆଗଧାଡିରେ ସୋଆ

କରୋନା ମୁକାବିଲାରେ ଆଗଧାଡିରେ ସୋଆ

ଭୁବନେଶ୍ୱର  : ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆଜି ଆତଙ୍କିତ । ଅଦୃଶ୍ୟ ଶତ୍ରୁର
ଭୟରେ ଭୟଭୀତ ସାରା ବିଶ୍ୱବାସୀ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଆମେରିକା, ଇଟାଲୀ ଓ ବ୍ରାଜିଲ୍ ଭଳି ବଡ଼ ବଡ଼ ଦେଶ ସମେତ ଭାରତ ଏପରିକି ସାରା ବିଶ୍ୱ ଏବେ କୋଭିଡ୧୯ ମହାମାରୀ ସହ ଯୁଦ୍ଧ ଜାରି ରଖିଛି । ଏହି ଯୁଦ୍ଧରେ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥ ରକ୍ଷା ଲାଗି ଓଡ଼ିଶା ସରକାର ଉଦ୍ୟମ ଚଳାଇଥିବା ବେଳେ ଏହି ମହତ କାର୍ଯ୍ୟରେ ସରକାରଙ୍କ ସହ ହାତ ମିଳାଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ।
ଜନସାଧାରଣଙ୍କ ସ୍ୱାସ୍ଥ୍ୟରକ୍ଷା ସୋଆର ମୂଳମନ୍ତ୍ର ହୋଇଥିବା ବେଳେ ଏହି ମହାମାରୀର ମୁକାବିଲା ପାଇଁ
ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୋଭିଡ-୧୯ ହସ୍ପିଟାଲ୍ ଗୁଡିକ ମଧ୍ୟରୁ ୪ଟି କୋଭିଡ ହସ୍ପିଟାଲ୍ ଏବଂ
ଦୁଇଟି କୋଭିଡ କେୟାର ସେଂଟରର ଦାୟିତ୍ୱ ନେଇଛି ସୋଆ । ଉଦ୍ଦେଶ୍ୟ ରହିଛି ସଂକ୍ରମିତ ବ୍ୟକ୍ତି କିପରି
ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରନ୍ତୁ ।
ଗତ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ବେଳକୁ କରୋନା ମହାମାରୀର ପ୍ରଭାବ ଓଡ଼ିଶାରେ ଦେଖାଦେଇଥିବା ବେଳେ
ମାତ୍ର ଦୁଇ ତିନି ଜଣ ସଂକ୍ରମିତ ହୋଇଥିଲେ । ତେବେ ସେହି ମୁହୁର୍ତ ଠାରୁ ହିଁ ଯୁଦ୍ଧକାଳୀନ ଭିତିରେ
ଓଡ଼ିଶାବାସୀଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବା ଏବଂ ସେମାନଙ୍କର ଚିକିତ୍ସା କରାଇବା ନେଇ ଅଂଟା
ଭିଡିଥିଲେ ରାଜ୍ୟ ସରକାର ଓ କୋଭିଡ ହସ୍ପିଟାଲ୍ ଆରମ୍ଭ କରିବା ନିମନ୍ତେ ସହଯୋଗର ହାତ ବଢ଼ାଇଥିଲା
ସୋଆ ।
ଜୀବନ ଜୀବିକାର ଦୋ ଛକିରେ ଥିବା ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ତାଙ୍କୁ ସୁସ୍ଥ କରିବା ଲକ୍ଷ୍ୟରେ
ସୋଆ ପକ୍ଷରୁ ୨୦୦୦ରୁ ଊର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଂଟର
ପରିଚାଳନା କରାଯାଉଛି ।
ଏପ୍ରିଲ ୬ ତାରିଖରେ ଭୁବନେଶ୍ୱର ସ୍ଥିତ ସୋଆ କ୍ୟାମ୍ପସ୍ ୨ରେ ମହାନଦୀ କୋଲ ଫିଲ୍ଡସ୍‌ର ସହଭାଗିତାରେ
ସେଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆରମ୍ଭ ହୋଇଥିଲା
୫୨୫ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ । ପରବର୍ତୀ ପର୍ଯ୍ୟାୟରେ ଏହାର ସଂଖ୍ୟା ଆଉ ୧୦୦କୁ ବୃଦ୍ଧି
ହୋଇ ୬୨୫ରେ ପହଂଚିଛି । ଏଥିରେ ୫୦୦ ଶଯ୍ୟା ରହିଥିବା ବେଳେ ୧୨୫ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା
କରାଯାଇଛି । ଏହି ହସ୍ପିଟାଲ ଓଡ଼ିଶାର ବୃହତମ ଏବଂ ଭାରତର ଅନ୍ୟତମ ବୃହତମ କୋଭିଡ ଆଇସିୟୁ ଭାବେ
ପରିଗଣିତ ହେଉଛି ।
ସେହିପରି ସୋଆ ପକ୍ଷରୁ ଏପ୍ରିଲ୍ ୧୨ ତାରିଖରେ କେନ୍ଦ୍ରାପଡ଼ାରେ ମଧ୍ୟ ରାଜ୍ୟ ସରକାରଙ୍କ ସହଭାଗିତାରେ
୧୭୦ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଏହି ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା
ନିମନ୍ତେ୧୬୦ଟି ଶଯ୍ୟା ରହିଥିବା ବେଳେ ୧୦ଟି ଆଇସିୟୁ ଶଯ୍ୟା ରହିଛି ।
ଏପ୍ରିଲ୍ ୨୦ ତାରିଖରେ ତାଳଚେର ଠାରେ ଏମ୍‌ସିଏଲ୍‌ର ସହଭାଗିତାରେ ୧୫୦ଶଯ୍ୟା ବିଶିଷ୍ଟ ସମ୍ କୋଭିଡ
ହସ୍ପିଟାଲ୍ ଆରମ୍ଭ ହୋଇଥିଲା । ଏଠାରେ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ୧୪୪ଟି ଶଯ୍ୟା ରହିଥିବା ବେଳେ ୬ଟି
ଆଇସିୟୁ ଶଯ୍ୟା ରହିଛି ।
ସେହିପରି ଗତ ଜୁଲାଇ ୨୩ ତାରିଖରେ ନୟାଗଡ ଜିଲ୍ଲାର ଚାନ୍ଦପୁର ଠାରେ ୩୬୬ ଶଯ୍ୟା ବିଶିଷ୍ଟ ସମ୍‌
କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଏଥିରେ ୩୫୦ଟି ଶଯ୍ୟା ରହିଥିବା ବେଳେ ୧୬ଟି ଆଇସିୟୁ ଶଯ୍ୟା
ରହିଛି ।
ଲକ୍ଷଣବିହୀନ କିମ୍ବା କମ୍ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ଜାମୁଝରି ଏବଂ
ଜଟଣୀର ଖୁଦୁପୁର ଠାରେ ସୋଆ ପକ୍ଷରୁ ୫୦୦ ଓ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର୍ ମଧ୍ୟ
ଆରମ୍ଭ କରାଯାଇଛି ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀମାନେ ଏହି
ହସ୍ପିଟାଲ୍‌ଗୁଡ଼ିକରେ ଦିନରାତି ନିଷ୍ଠାର ସହ କରୋନା ସଂକ୍ରମିତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ।
ସୋଆ ପକ୍ଷରୁ ୧୫୭ ଆଇସିୟୁ ଶଯ୍ୟା ସମେତ ୨୧୧୧ ଶଯ୍ୟାର ବ୍ୟବସ୍ଥା କରାଯାଇ ହସ୍ପିଟାଲ୍ ଏବଂ
କୋଭିଡ କେୟାର ସେଂଟରଗୁଡ଼ିକରେ ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ
ବଢ଼ି ଚାଲିଥିବା ବେଳେ ୮୦ ରୁ ୯୦ ପ୍ରତିଶତ ଶଯ୍ୟା ପୂରଣ ହୋଇ ଚିକିତ୍ସା ଜାରୀ ରହିଛି । ଏହା ଏକ ଯୋଦ୍ଧା
ଏବଂ ଦିନ ରାତି ଏହି ମହାମାରୀ ସହ ଯୁଦ୍ଧ କରୁଥିବା ଯୋଦ୍ଧାମାନଙ୍କ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ।
ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଏହି କରୋନା
ଯୋଦ୍ଧାମାନଙ୍କ ଯୋଗୁଁ କରୋନା ସଂକ୍ରମଣ ସହିତ ଅନେକ ଦୁଃସାଧ୍ୟ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ବିଶେଷ
ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ସଂକ୍ରମଣ ବୟସ୍କ ବ୍ୟକ୍ତି ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ
ମାରାତ୍ମକ ଅଟେ । କିନ୍ତୁ ସମ୍ କୋଭିଡ ହସ୍ପିଟାଲ୍‌ଗୁଡ଼ିକରେ ୮୦ ରୁ ୮୫ ବର୍ଷର ବୃଦ୍ଧ ବୃଦ୍ଧା ଏବଂ ୧୦ ବର୍ଷରୁ
କମ୍ ବୟସର ଶିଶୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିପାରିଛନ୍ତି ।
କରୋନା ଭାଇରସ୍ ସଂକ୍ରମଣ ସହ ମୁକାବିଲା କରିବା ଏତେ ସହଜସାଧ୍ୟ ନୁହେଁ । ଏହି ସଂକ୍ରମଣକୁ ରୋକିବା
ପାଇଁ ଜ୍ଞାନ, କୌଶଳ ଏବଂ ବୁଝାମଣାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇଏମ୍‌ଏସ୍ ଆଣ୍ଡ ସମ୍‌
ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି ।
ଏହି ମହାମାରୀରୁ ଜନସମାଜକୁ ରକ୍ଷା କରିବା ନିମନ୍ତେ କୋଭିଡ-୧୯ ଭାକ୍ସିନ୍‌ର ପରୀକ୍ଷଣରେ ମଧ୍ୟ ନିଜକୁ
ନିୟୋଜିତ କରିଛି ସୋଆ । କୋଭିଡ-୧୯ ଭାକ୍ସିନ୍‌ର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ସମ୍‌
ହସ୍ପିଟାଲ୍‌ରେ ଆରମ୍ଭ କରାଯାଇଛି । ଆଇସିଏମ୍‌ଆର୍ ଏବଂ ଭାରତ ବାୟୋଟେକ୍‌ର ମିଳିତ ସହଯୋଗରେ ଏହି
ଭାକ୍ସିନ୍‌ର ପ୍ରସ୍ତୁତି ଚାଲିଥିବା ବେଳେ ସମ୍ ହସ୍ପିଟାଲ୍‌ରେ ଏହାର ପରୀକ୍ଷଣ ଆରମ୍ଭ କରାଯାଇଛି । ଅନେକ
ସ୍ୱେଚ୍ଛାସେବୀଙ୍କ ଶରୀରରେ ଏହି ଟୀକା ପରୀକ୍ଷଣ ଜାରୀ ରହିଛି ।
ସେହିପରି ସମ୍ କୋଭିଡ୍ ହସ୍ପିଟାଲ୍‌ରେ ପ୍ଲାଜମା ଥେରାପି ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯିବା ସହ କୋଭିଡ-୧୯
ମହାମାରୀର ସଂକ୍ରମଣର ଢ଼ାଂଚାକୁ ଅଧିକ ଗଭୀରଭାବେ ବୁଝିବା ନିମନ୍ତେ ସମ୍ ହସ୍ପିଟାଲ୍‌ରେ ଜେନୋମିକ୍‌
ଗବେଷଣା ମଧ୍ୟ ଆରମ୍ଭ କରାଯାଇଛି ।
କୋଭିଡ ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ଭର୍ତି ହେଉଥିବା ସଂକ୍ରମିତଙ୍କର ଚିକିତ୍ସା
ସୁଚାରୁରୂପେ କରାଯାଉଛି । ସେମାନଙ୍କର ଖାଇବା, ପିଇବା ଏବଂ ରହିବାର ସୁବ୍ୟବସ୍ଥା କରାଯିବା ସହ ସଠିକ୍‌
ପରିଚାଳନା ମଧ୍ୟ କରାଯାଉଛି ।
ଏସବୁ ସତ୍ୱେ କେତେକ ଗଣମାଧ୍ୟମ କରୋନା ଚିକିତ୍ସାକୁ ନେଇ ସମ୍ ବିରୁଦ୍ଧରେ ଅପପ୍ରଚାର ଚଳାଇବା
ଦୁଃଖଦାୟକ । ସଂପୃକ୍ତ ଗଣମାଧ୍ୟମଗୁଡ଼ିକ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ଅନୁରୋଧ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking