26.7 C
Bhubaneswar
Friday, April 19, 2024
Homeଅପରାଧପେଟ୍ରୋଲ୍ ପମ୍ପ୍‌ରୁ ଲୁଟ୍ ଯୋଜନା ପଣ୍ଡ,  ୬ ଗିରଫ  

ପେଟ୍ରୋଲ୍ ପମ୍ପ୍‌ରୁ ଲୁଟ୍ ଯୋଜନା ପଣ୍ଡ,  ୬ ଗିରଫ  

କଟକ : ମଙ୍ଗଳାବାଗ ଥାନା ପୁଲିସ ଯଥା ସମୟରେ ଚଢ଼ଉ କରି ଏକ ଡକାୟତି ଯୋଜନା ପଣ୍ଡ କରିବାରେ ସଫଳ ହୋଇଛି । ସ୍ଥାନୀୟ ପେଟ୍ରୋଲ ପମ୍ପ୍‌ରୁ ଲୁଟ୍ ପାଇଁ ଯୋଜନା କରୁଥିବାବେଳେ ମଙ୍ଗଳାବାଗ ଥାନା ପୁଲିସ ଚଢଉ କରି ଏକ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ମୋଟରସାଇକେଲ ଓ ମୋବାଇଲ ଫୋନ୍ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଇଚ୍ଛାପୁର କଇଁଆଗୋଳର ବିଶ୍ୱଜିତ ଦାସ ଓରଫ ବିଟୁ(୩୨), କଟକ ସଦର ଥାନା ଅନ୍ତର୍ଗତ ୪୨ ମୌଜା ଦଧିବାମନପୁର ସଞ୍ଜୟ ସାମଲ(୩୦), ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଅନ୍ତର୍ଗତ ଦୋହରାପାଟଣାର ବୁଟୁ ନାଏକ(୩୫), କଟକ ଜଗତପୁର ଥାନା ଅନ୍ତର୍ଗତ ମଙ୍ଗଳାସାହିର ପ୍ରଶାନ୍ତ ବାରିକ ଓରଫ ଟିକିନା(୪୧), ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ରେଢୁଆର ରାଜେଶ ଖଟୁଆ ଓରଫ ରାଜା(୩୫) ଓ କଟକ ନିଆଳୀ ଥାନା ଅନ୍ତର୍ଗତ କସର୍ଦା ପଦାତିରାର ଶୁଭଦର୍ଶନ ଦାଶ ଓରଫ କଇନ(୨୪) ।

ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ମଙ୍ଗଳାବାଗ ଥାନା ଅନ୍ତର୍ଗତ ମହାନଦୀ କୂଳ ହାଡ଼ିଆପଠାରେ କେତେକ ଅସାମାଜିକ ଯୁବକ ମାରଣାସ୍ତ୍ର ସହ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିଲେ । ଏ ସମ୍ପର୍କରେ ଖବର ପାଇ ଥାନାଧିକାରୀ ଅମିତାଭ ମହାପାତ୍ରଙ୍କ ନେତୃତ୍ୱରେ ଚଢଉ କରାଯାଇ ୬ ଜଣଙ୍କୁ କାବୁ କରାଯିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୫ଟି ବନ୍ଧୁକ, ୩୦ ଗୁଳି, ଗୋଟିଏ ହୁଣ୍ଡା ଆକ୍ଟିଭା(ଓଡି ୨୧ ଜି ୯୬୮୮), ଗୋଟିଏ ୟାମାହା ଆର୍‌-୧୫ (ଓଡ଼ି ୦୫ ଏଏଚ ୭୯୯୫) ଓ ୬ ମୋବାଇଲ ଫୋନ୍ ଜବତ କରାଯାଇଥିଲା । ତେବେ ପଚରାଉଚରା ସମୟରେ ହାଓଡ଼ା ମୋଟର ଛକ ପେଟ୍ରୋଲ ପମ୍ପ୍‌ରୁ ଡକାୟତି କରିବାକୁ ଯୋଜନା କରୁଥିବା ସେମାନେ ପୁଲିସ ନିକଟରେ ସ୍ୱୀକାର କରିଛନ୍ତି ।

ଅଭିଯୁକ୍ତମାନେ କଟକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ ଆଦି ଜିଲ୍ଲା ସମେତ କଟକ, ଭୁବନେଶ୍ୱର, ବ୍ରହ୍ମପୁର ସହରର ବହୁ ଡକାୟତି, ଲୁଟ୍‌, ରାହାଜାନୀ ମାମଲାରେ ସଂପୃକ୍ତ ରହି ଫେରାର୍ ରହିଛନ୍ତି । ବିଟୁ ବିରୋଧରେ ବିଭିନ୍ନ ଥାନାରେ ୧୩ଟି ମାମଲା ରହିଥିବାବେଳେ ରାଜା ବିରୋଧରେ ୬, କଇନ ଓ ଟିକିନା ବିରୋଧରେ ୪ ଲେଖାଏଁ ମାମଲା ରହିଥିବା ଜଣାପଡ଼ିଛି । ତେବେ ଅଭିଯୁକ୍ତମାନେ କେଉଁ କେଉଁ ମାମଲାରେ ସଂପୃକ୍ତ ରହିଛନ୍ତି, କେଉଁ ମାମଲାରେ ୱାଣ୍ଟେଡ୍ ରହିଛନ୍ତି ଓ ସେମାନଙ୍କର ଅପରାଧୀକ କାର୍ଯ୍ୟକଳାପର ଖୁଲାସା କରିବାକୁ ସ୍ପେଶାଲ ସ୍କ୍ୱାଡ୍ ଏସିପି ଓ ମଙ୍ଗଳାବାଗ ଥାନାଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking