ନୂଆଦିଲ୍ଲୀ: ଅଦାଲତଙ୍କ ଅନୁମତି ପାଇବାପରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ଅସୁସ୍ଥ ପତ୍ନୀଙ୍କୁ ଭେଟିଛନ୍ତି । ପତ୍ନୀଙ୍କୁ ଭେଟିବା ପାଇଁ ଅଦାଲତ ସିସୋଦିଆଙ୍କୁ କେବଳ ୬ ଘଣ୍ଟା (ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ) ସମୟ ମଞ୍ଜୁର କରିଥିଲେ । ତଦନୁଯାୟୀ ସିସୋଦିଆ ପୁଲିସ ଭ୍ୟାନ୍ରେ ଏସ୍କର୍ଟଙ୍କ ସହ ସକାଳ ୧୦ଟାରେ ମଥୁରା ରୋଡ୍ସ୍ଥିତ ବାସଭବନରେ ପହଞ୍ଚିଥିଲେ ।
ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡିବାରୁ ସିସୋଦିଆ ପହଞ୍ଚିବା ପୂର୍ବରୁ ତାଙ୍କ ପତ୍ନୀଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ତେବେ କିଛି ସମୟ ଅପେକ୍ଷା କରିବାପରେ ପତ୍ନୀ ଡାକ୍ତରଖାନାରୁ ଫେରିଥିବାବେଳେ ସିସୋଦିଆ ତାଙ୍କୁ ଭେଟିବାର ସୁଯୋଗ ପାଇଥିଲେ । ସୂଚନାଯୋଗ୍ୟ ଅବକାରୀ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇ ଦ୍ୱାରା ଗିରଫ ହେବାପରେ ସିସୋଦିଆ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲ୍ରେ ଅବସ୍ଥାନ କରୁଛନ୍ତି । ତାଙ୍କର ଜାମିନ ଆବେଦନକୁ ସୁପ୍ରିମକୋର୍ଟ ପୂର୍ବରୁ ଖାରଜ କରିଦେଇଛନ୍ତି ।