32.1 C
Bhubaneswar
Thursday, March 28, 2024
Homeଓଡିଶାଜାତୀୟ ସ୍ତରରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୦ ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଜାତୀୟ ସ୍ତରରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୦ ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର : ଡିଜିଟାଲ୍ ପ୍ରକ୍ରିୟାରେ କିଭଳି ଭାବରେ ଅପରାଧର ମୁକାବିଲା କରାଯାଇପାରିବ ସେହି ସମାଧାନର ସୂତ୍ର ବାହାର କରି ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍‌ଆଇଏଚ୍‌)- ୨୦୨୦ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଛାତ୍ରଛାତ୍ରୀ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ର ୬ ଜଣିଆ ଛାତ୍ରଛାତ୍ରୀ ଦଳ ଏହି ପ୍ରତିଯୋଗିତାରେ ଜିତାପଟ ହାସଲ କରିଛନ୍ତି ।
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏବଂ ବିଶ୍ୱର ବୃହତ୍ ମୁକ୍ତ ଅଭିନବ ଚିନ୍ତାର ମଡେଲ୍ ଭାବେ ପରିଗଣିତ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୦ ଚଳିତବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅନ୍‌ଲାଇନ୍ ପ୍ରକ୍ରିୟାରେ ଆୟୋଜନ କରାଯାଇଥିଲା ।
“ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ” (ବିପିଆର୍‌ଡି) ଦ୍ୱାରା ସମସ୍ୟାର ବିଷୟବସ୍ତୁ ପ୍ରଦାନ କରାଯାଇଥିବା ବେଳେ ସାମାଜିକ ସ୍ତରରେ ପୋଲିସ୍ ବ୍ୟବସ୍ଥା ଅର୍ଥାତ୍ ଡିଜିଟାଲ୍ ପୋଲିସିଂ ସମସ୍ୟାଗୁଡ଼ିକୁ କିଭଳି ସମାଧାନ କରାଯାଇପାରିବ ଏବଂ ପୋଲିସ୍ – ନାଗରିକ ସମ୍ପର୍କକୁ କିଭଳି ଉନ୍ନତ କରାଯାଇପାରିବ ତାହା ହିଁ ଏହି ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ସୋଆ ପକ୍ଷରୁ ଗତ ଫେବୃଆରୀ ମାସରେ ଦୀର୍ଘ ୨୪ ଘଂଟିଆ ଆଭ୍ୟନ୍ତରୀଣ ହାକାଥନ୍‌, ହାକରୱାର୍ ୨.୦ ଆୟୋଜନ କରାଯାଇଥିବା ବେଳେ ଏହି ଟିମ୍ ଏକ୍ସ ଲିଜିୟନ୍ କୋଡର୍ସ ଏଥିରେ ଭାଗ ନେଇ ସଫଳ ହୋଇଥିଲେ । ସଫଳ ହେବା ସହ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସ୍ମାର୍ଟ ଇଣ୍ଡିଆ ହାକାଥନ- ୨୦୨୦ ପାଇଁ ମନୋନୀତ ହୋଇଥିଲେ । ଅଗଷ୍ଟ ୧ ରୁ ୩ ମଧ୍ୟରେ ଆୟୋଜିତ ୩ ଦିନିଆ ଗ୍ରାଣ୍ଡ ଫିନାଲେରେ ଭାଗ ନେଇ ଦଳ ମଧ୍ୟ ସଫଳତା ହାସଲ କରିଥିଲା ।
କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍‌ଇ) ଏବଂ କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି (ସିଏସ୍‌ଆଇଟି) ବିଭାଗର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏହି ୬ ଜଣିଆ ଟିମ୍ ପ୍ରତିଯୋଗିତାରେ ଜିତାପଟ ହାସଲ କରିବା ସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଲାଭ କରିଛନ୍ତି । ଏହି ବିଜୟୀ ଟିମ୍‌ରେ ଅଙ୍କିତା ଶତପଥୀ, ଅଭିନବ ରାୟ, ସୌରଭ ବେରା, ଏଲୋରା ମେହେନା, ପ୍ରିତମ୍ କର ଏବଂ ଜି. ମାଧବାନନ୍ଦ ପାତ୍ର ସାମିଲ ଥିଲେ ।
ଏହି ପ୍ରୋଜେକ୍ଟକୁ ମିଳିତ ଭାବେ ଦୁଇଜଣ ଫ୍ୟାକଲ୍ଟି ମେମ୍ବର୍ ଡଃ ସତ୍ୟବ୍ରତ ମାଇତି ଏବଂ ଡଃ ଭାରତ ଜ୍ୟୋତି ରଞ୍ଜନ ସାହୁ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ସାହିତ କରିବା ସହ ସେମାନେ କିଭଳି ସଫଳତା ହାସଲ କରିବେ ସେ ନେଇ ପ୍ରୋତ୍ସାହିତ କରିଥିଲେ । ସୋଆ ପକ୍ଷରୁ ଆୟୋଜିତ ହାକର୍‌ୱାର୍ ୨.୦କୁ ପ୍ରଫେସର ଦେବାହୁତି ମିଶ୍ର ଏବଂ ସିଏସ୍‌ଇ ବିଭାଗର ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking