28.1 C
Bhubaneswar
Thursday, March 28, 2024
Homeଓଡିଶାଶୁଭ୍ରାଙ୍କ ୭୫ ରନ୍ ବେକାର, ହିମାଚଳଠାରୁ ହାରିଲା ଓଡ଼ିଶା

ଶୁଭ୍ରାଙ୍କ ୭୫ ରନ୍ ବେକାର, ହିମାଚଳଠାରୁ ହାରିଲା ଓଡ଼ିଶା

କଟକ: ଜୟପୁରର ଆର୍‌ସିଏ ଏକାଡେମୀ ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ଅଣ୍ଡର-୧୯ ମହିଳା ଦିନିକିଆ ଟ୍ରଫିର ଏକ ମ୍ୟାଚ୍‌ରେ ହିମାଚଳ ପ୍ରଦେଶଠାରୁ ଓଡ଼ିଶା ୧ ରନ୍‌ରେ ପରାଜିତ ହୋଇଛି । ଟସ୍ ଜିତି ବ୍ୟାଟିଂ ନେଇଥିବା ହିମାଚଳ ନିର୍ଦ୍ଧାରିତ ଓଭର୍‌ରେ ୮ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା । ଜବାବରେ ଓଡ଼ିଶା କ୍ୟାପ୍‌ଟେନ୍ ଶୁଭ୍ରା ନିର୍ଝରିଣୀ ସ୍ୱାଇଁଙ୍କ ଅପରାଜିତ ୭୫ ରନ୍ ସତ୍ତ୍ୱେ ୪୫.୪ ଓଭର୍‌ରେ ୧୫୨ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହିମାଚଳ ପ୍ରଦେଶ ପକ୍ଷରୁ ଅଂଶିକା ଠାକୁର ସର୍ବାଧିକ ୪୦ ରନ୍ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଦେବାଂଶୀ ବର୍ମା ୨୪, ହର୍ଷିତା ରାଜପୁତ ୨୩, ଓପ୍ନର୍ ଇମାନି ନେଗି ୧୭ ଓ ନାନ୍ସି ଶର୍ମା ୧୩ ରନ୍ କରିଥିଲେ । ଓଡ଼ିଶା ପକ୍ଷରୁ ଅଙ୍କିତା ଗିରି ସର୍ବାଧିକ ୩ଟି, ଏସ୍‌ବି ଲରେନ୍ସ ୨ଟି ଓ ତନ୍ମୟୀ ବେହେରା ଗୋଟିଏ ୱିକେଟ୍ ନେଇଥିବା ବେଳେ ଅତିରିକ୍ତ ୨୮ ରନ୍ ଦେଇଥିଲେ । ଜବାବରେ ଓଡ଼ିଶାର ଆରମ୍ଭ ଭଲ ନଥିଲା ।

ଓଡ଼ିଶା ବ୍ୟାଟର୍‌ମାନେ ହିମାଚଳ ବୋଲର୍ ଆକ୍ରମଣର ସମ୍ମୁଖୀନ ହୋଇ ନପାରି ନିୟମିତ ବ୍ୟବଧାନରେ ପ୍ୟାଭିଲିୟନ୍ ଫେରିଥିଲେ । ଗୋଟିଏ ପଟେ ୱିକେଟ୍ ପତନ ଘଟୁଥିବା ବେଳେ ଅନ୍ୟପଟେ କ୍ୟାପ୍‌ଟେନ୍ ଶୁଭ୍ରା ନିର୍ଝରିଣୀ ସ୍ୱାଇଁ ଦୃଢ଼ତାର ସହ ବ୍ୟାଟିଂ ଜାରି ରଖି ୭୫ ରନ୍ କରିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ମାତ୍ର ଅନ୍ୟ ବ୍ୟାଟର୍‌ଙ୍କ ସହଯୋଗ ନମିଳିବାରୁ ଟିମ୍ ୪୫.୪ ଓଭର୍‌ରେ ୧୫୨ ରନ୍‌ରେ ଅଲ୍‌ଆଉଟ୍ ହେବା ସହ ୧ ରନ୍‌ରେ ପରାଜିତ ହୋଇଥିଲା । ଶୁଭ୍ରାଙ୍କ ଏହି ଅର୍ଦ୍ଧଶତକୀୟ ଇନିଂସ୍‌ରେ ୧୦୪ ବଲ୍‌ରେ ୧୧ ଚୌକା ସାମିଲ ଥିଲା । ଅନ୍ୟମାନଙ୍କ ମଧ୍ୟରେ ତନ୍ମୟୀ ବେହେରା (୧୪) ଓ ରୋଶନୀ ବଗର୍ତି (୧୦) କେବଳ ଦୁଇଅଙ୍କରେ ପହଞ୍ଚିବାକୁ ସମର୍ଥ ହୋଇଥିଲେ । ହିମାଚଳ ପକ୍ଷରୁ ସାକ୍ଷୀ ଠାକୁର ୪ଟି ୱିକେଟ୍ ନେଇ ଓଡ଼ିଶାର ସର୍ବାଧିକ କ୍ଷତି ପହଞ୍ଚାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାନ୍ସି ଶର୍ମା ୨ଟି ଏବଂ ଶ୍ୱେତା ଜାମୱାଲ୍ ଓ ହିମାଂଶୀ ମେହେଟା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking