33.1 C
Bhubaneswar
Thursday, April 25, 2024
HomeUncategorizedମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିଆତ୍ମକ ପଟ୍ଟି

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିଆତ୍ମକ ପଟ୍ଟି

ଶ୍ରୀ ନାରାୟଣ 
ଅନବସର ସମୟରେ ,ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପ୍ରତିନିଧି ସ୍ବରୂପ ଶ୍ରୀନାରାୟଣ ପଟ୍ଟିଦିଅଁ ରୂପେ ପୂଜା ପାଆନ୍ତି । ତାଙ୍କର ଶରୀର କୃଷ୍ଣବର୍ଣ୍ଣ । ସେ ଚୁତୁର୍ଭୁଜ ତଥା ପଦ୍ମାସନସ୍ଥ , ବହୁତଳଯୁକ୍ତ ଏକ କୁଞ୍ଜରେ ବିରାଜମାନ । ଶ୍ବେତ କପୋତଦ୍ବୟ ଏହି କୁଞ୍ଜ ର ଉପରିଭାଗରେ ବିଦ୍ୟମାନ ଥିବାବେଳେ  ତଳଭାଗରେ ମକରଦ୍ବୟ ଶୋଭା ପାଉଛନ୍ତି ।
ଏହି କୁଞ୍ଜର ଚୁଡ଼ା ପଦ୍ମପୁଷ୍ପାକୃତି ହୋଇଥିବାବେଳେ ବେଦିଗୁଡ଼ିକ ପ୍ରସ୍ଫୁଟିତ ପଦ୍ମପୁଷ୍ପ ଭଳି ହୋଇଅଛି । ସ୍କନ୍ଧପ୍ରଦେଶର ବିକଶିତ ଚତୁର୍ଭୁଜ ବଳିଆର ତଥା ସଦୃଢ଼ ପରିଦୃଶ୍ୟ ହୁଏ ଏବଂ ତାହା ଉତ୍ତମରୂପେ ଚିତ୍ରିତ ହୋଇଅଛି । କୁଶଳଭାବେ ଚିତ୍ରିତ ନୟନ ,ଭ୍ରୁଲତା ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଦୃଷ୍ଟି ପ୍ରଦାନ କରେ । ନାସିକା ,ପାଟି ତଥା ଥୋଡ଼ ଅତ୍ୟନ୍ତ ସ୍ପଷ୍ଟ ପରିଦୃଷ୍ଟ ହେଉଥିବା ବେଳେ । ଶୁକ୍ଳ ବର୍ଣ୍ଣର ଦାଢ଼ି ତଥା ନିଶ ବହ୍ନିର ଶିଖା ତୁଲ୍ୟ ଉତ୍ତୁଙ୍ଗ ପ୍ରତୀୟମାନ ହୁଏ । ଭାଲପଟରେ ଥିବା ଚିତା ମଧ୍ୟରେ ରକ୍ତବର୍ଣ୍ଣର ଏକ ବିନ୍ଦୁ ପରିଦୃଷ୍ଟ ହେଉଥିବା ବେଳେ ଏହି ଚିତା ନାସିକାର ମୂଳ ପର୍ଯ୍ୟନ୍ତ ଲମ୍ବିଅଛି । ତାଙ୍କ କର୍ଣ୍ଣଦ୍ବୟ ମକରକୁଣ୍ଡଳ ଏବଂ କାନଗୁଣା ଦ୍ବାରା ଶୋଭିତ । ଉନ୍ନତବପୁ ତଥା ବିବିଧ ଅଳଙ୍କାର ତଥା ମାଣିକ୍ୟ ମଣ୍ଡିତ ନାରାୟଣଙ୍କ ସ୍କନ୍ଧଠାରୁ କଟିଦେଶପର୍ଯ୍ୟନ୍ତ ଯଜ୍ଞୋପବୀତ ଲମ୍ବିଅଛି ଯାହାକି ତାଙ୍କର କଟିରେ ଲାଗି ହୋଇଥିବା ଅଣ୍ଟାପଟ୍ଟିରେ ମିଳିତ ହୋଇଅଛି ।
 ଦିବ୍ୟ ପୀତବସନ ତ୍ରିକଚ୍ଛ ଶୈଳୀରେ ପରିଧାନପୂର୍ବକ ତାଙ୍କର ପଦଦ୍ବୟ ତଥା ହସ୍ତଚତୁଷ୍ଟୟରେ ସୁବର୍ଣ୍ଣ ବଳାମାନ ଶୋଭା ପାଉଥିବାବେଳେ ବପୁପ୍ରଦେଶ ତଥା ବାହୁଗୁଡ଼ିକରେ ଚିତା ଅଙ୍କିତ ହୋଇଅଛି । ବପୁଦେଶରେ ଶ୍ରୀବତ୍ସଙ୍କର ରକ୍ତାଭ ପଦଚିହ୍ନ ଶୋଭାୟମାନ ହେଉଛି । ଗଳାରେ କମଳ ପୁଷ୍ପର ବନମାଳ , ସବୁଜ ବର୍ଣ୍ଣର କେଶୋରାଜି ଉଡ୍ଡୀୟମାନ ଅବସ୍ଥାରେ ତଥା ମସ୍ତକୋପରିସ୍ଥ ବର୍ଣ୍ଣାଢ୍ୟ କିରୀଟି ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ପ୍ରତୀତ ହୁଏ ।ନାରାୟଣଙ୍କ ଉଭୟ ପାର୍ଶ୍ବରେ ସପ୍ତଋଷି ପ୍ରଣତ ମୁଦ୍ରାରେ ଦଣ୍ଡାୟମାନ ।

ଶ୍ରୀ ଅନନ୍ତ ବାସୁଦେବ

ଅଣସର ସମୟରେ ,ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ରେ ଅନନ୍ତ ବାସୁଦେବ ରୂପୀ ପଟ୍ଟିଦିଅଁ ଉପାସିତ ହୁଅନ୍ତି । ତାଙ୍କ ଶରୀରର ବର୍ଣ୍ଣ ଶ୍ବେତ , ଚତୁର୍ଭୁଜ । ପଦ୍ମାସନରେ ଆସୀନ । ତାଙ୍କର ଏହି ଦୀପ୍ତିମାନ ସ୍ବରୂପରେ ତାରୁଣ୍ୟର ଛଟା ସ୍ପଷ୍ଟ ବାରି ହୋଇପଡ଼େ । ନୟନଦ୍ବୟ , ଭ୍ରୁଲତା ,ଦାଢ଼ି ,ନାସିକା ଏବଂ ଭାଲପଟରେ ଥିବା ତିଳକ  ତଥା କେଶୋରାଜି ଏବଂ ନିଶ ଦିବ୍ୟ ମୁଖକମଳକୁ ଏକ ଅପୂର୍ବ ଆଭା ପ୍ରଦାନ କରେ । ଶ୍ରୀଅଙ୍ଗରେ ଲମ୍ବିଥିବା ସୁବର୍ଣ୍ଣବର୍ଣ୍ଣର ବନମାଳା ଚମ୍ପକପୁଷ୍ପକୁ ସୁଚାଇ ଥାଏ । ଶ୍ରୀଅନନ୍ତ ଉର୍ଦ୍ଧ୍ବହସ୍ତଦ୍ବୟରେ ଶଙ୍ଖ ଏବଂ ଚକ୍ର ଧାରଣ କରିଥିବା ବେଳେ , ନିମ୍ନ ହସ୍ତଦ୍ବୟରେ ମୁସଳ ଏବଂ ହଳ ଧାରଣ କରିଛନ୍ତି । ମସ୍ତକୋପରିସ୍ଥ କିରୀଟିରେ ଶ୍ବେତବର୍ଣ୍ଣର ସପ୍ତଫେଣି ନାଗ ଆବୃତ କରିରହିଅଛି । ଶ୍ରୀଅନନ୍ତଙ୍କ ଉଭୟପାର୍ଶ୍ବରେ ଶଙ୍କର ଡମ୍ବରୁ ଏବଂ ତ୍ରିଶୁଳ ଧାରଣ କରିଥିବା ବେଳେ ପ୍ରଣତ ମୁଦ୍ରା ଦଣ୍ଡାୟମାନ ଅଛନ୍ତି ।ତାଙ୍କର ମସ୍ତକ ଉପରେ ସର୍ପ ବିଦ୍ୟମାନ ଥିବାବେଳେ ଅପରପାର୍ଶ୍ବରେ ନାରଦମୁନି ସ୍କନ୍ଧରେ ବୀଣା ଧାରଣପୂର୍ବକ ପ୍ରଣତ ମୁଦ୍ରାରେ ଦଣ୍ଡାୟମାନ ଅଛନ୍ତି ।

ମା ସୁଭଦ୍ରାଙ୍କ ପ୍ରତିଆତ୍ମକ ଭାବେ ପଟ୍ଟି ରେ ପୂଜିତ ହେଉଥିବା ମା ଭୁବନେଶ୍ବରୀ

ଅନବସର କାଳରେ ,ମା ସୁଭଦ୍ରାଙ୍କ ବାଡ଼ରେ ପଟ୍ଟିଦିଅଁ ସ୍ବରୂପ ଦେବୀ ଭୁବନେଶ୍ବରୀ ପୂଜା ପାଆନ୍ତି । ପୀତବର୍ଣ୍ଣା ,ଚତୁର୍ଭୁଜା ପଦ୍ମାସନସ୍ଥା ଦେବୀ ଭୁବନେଶ୍ବରୀ ବହୁତଳଯୁକ୍ତ ଏକ କୁଞ୍ଜରେ ପଦ୍ମପୀଠ ଉପରେ ବିରାଜମାନା ଅଟନ୍ତି । କୁଞ୍ଜର ପୀଢ଼ ଉପରେ ପଦ୍ମକଳସ ଚିହ୍ନିତ ହୋଇଥିବା ବେଳେ କୁଞ୍ଜର ଉପରିସ୍ଥ ଭାଗ ରେ ଶୁକଦ୍ବୟ ଏବଂ କପୋତ ମାନ ତଥା ନିମ୍ନଭାଗରେ ମକରମସ୍ତକ ପରିଦୃଷ୍ଟ ହୁଏ । ଦେବୀଙ୍କ ଚିତ୍ରକୁ ହରିତାଳ ଦ୍ବାରା ରଙ୍ଗ କରାଯାଇଥାଏ । ଦେବୀ ଶୁକ୍ଳବସ୍ତ୍ରପରିହିତା । ନୋଥ ,ତରାଟ ଝୁମା , ହଂସଗୁଣା , ଖଡ଼ୁ ,ବାଜୁବନ୍ଧ ଏବଂ କରାଙ୍ଗୁଳିମାନଙ୍କରେ ମୁଦ୍ରିକାଦି ଅଳଙ୍କାର ଆଦି ଦେବୀ ମଣ୍ଡନ କରିଥାନ୍ତି । ହସ୍ତଗୁଡ଼ିକର ପାପୁଲି ଅଳତା ଦ୍ବାରା ରକ୍ତାଭ ହୋଇଥିବା ବେଳେ କୃଷ୍ଣ କେଶୋରାଜି ଦେବୀଙ୍କ କିରୀଟି ର ଉଭୟ ପାର୍ଶ୍ବ ଦେଇ ଉଡ଼ୁଥିବା ଅବସ୍ଥାରେ ଦୃଶ୍ୟମାନ ହୁଏ । ଉର୍ଦ୍ଧ୍ବସ୍ଥ ହସ୍ତଦ୍ବୟରେ ଦେବୀ ପଦ୍ମପୁଷ୍ପ ଧାରଣ କରିଥିବା ବେଳେ , ନିମ୍ନଦ୍ବୟହସ୍ତରେ ଅଭୟ ଏବଂ ବରଦ ମୁଦ୍ରା ପ୍ରଦର୍ଶନ କରିଥାନ୍ତି । ଦେବୀଙ୍କ ଉଭୟ ପାର୍ଶ୍ବରେ ସଖୀଦ୍ବୟ ଜୟା ଏବଂ ବିଜୟା ଚାମର ଏବଂ ଆଲଟ ଦ୍ବାରା ସେବା କରୁଥିବାର ଦୃଶ୍ୟମାନ ହୋଇଥାଏ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking