▪ ବାପା ଏକ ଅସଂପୂର୍ଣ୍ଣ ଉପନ୍ୟାସ ▪ ▪ ଡ. ଦେବାଶିଷ ପାଣିଗ୍ରାହୀ ▪

(ଆଜି ପିତୃ ଦିବସ। ଦିନକ ତଳେ ପରଲୋକ ଗମନ କରିଥିବା ଆଇପିଏସ୍ ଅଫିସର ତଥା ବିଶିଷ୍ଟ ଲେଖକ ଡ. ଦେବାଶିଷ ପାଣିଗ୍ରାହୀ, କିଛିବର୍ଷ ପୂର୍ବେ ‘ମଧୁଲିତା’ ପତ୍ରିକାରେ ତାଙ୍କ ବାପା ବୃନ୍ଦାବନ ଚନ୍ଦ୍ର ପାଣିଗ୍ରାହୀଙ୍କ ବିଷୟରେ କିଛି ସୁନ୍ଦର କଥା କହିଥିଲେ।)

 

ବାପା ଥିଲେ ମୋର ସବୁଠୁ ପ୍ରିୟ ମଣିଷ, ସବୁଠୁ ପ୍ରିୟ ବନ୍ଧୁ ଏବଂ ମୋ’ ଜୀବନର ସବୁଠୁ ବଡ  ମହାନାୟକ, ଆଦର୍ଶ ପୁରୁଷ, ରୋଲ୍ ମଡେଲ୍।

 

ମୋର ପ୍ରଥମ ଗଳ୍ପ ସଂକଳନ ‘ତଥାକଥିତ’ ପ୍ରକାଶିତ ହେଲା ବେଳକୁ ବାପା ଜୀବିତ ନ ଥିଲେ। ‘କଳି ଷଠା ଷାଠିଏ’ କଥାଟାକୁ ଯେମିତି କାୟମନୋବାକ୍ୟରେ ଗ୍ରହଣ କରି ନେଇଥିଲେ ସେ। ବାପା ଥିଲେ ବୃତ୍ତିରେ ସରକାରୀ କର୍ମଚାରୀ, ଓଡିଶା ଅର୍ଥ ସେବାର ଜଣେ ବରିଷ୍ଠ ଅଧିକାରୀ। ସେବେକାର ସରକାରୀ ନିୟମ ଅନୁଯାୟୀ ୫୮ ବର୍ଷ ବୟସରେ ଚାକିରିରୁ ରିଟାୟା‍ର୍ କରିଥିଲେ ଏବଂ ତା’ର ଠିକ୍ ଦୁଇବର୍ଷ ପରେ, ମାତ୍ର  ଷାଠିଏ ବର୍ଷ ବୟସରେ ଏ ସଂସାରରୁ, ଏ ପୃଥିବୀ ପୃଷ୍ଠରୁ ସବୁଦିନ ପାଇଁ ରିଟାୟାରମେଣ୍ଟ ନେଇଯାଇଥିଲେ।

 

ଜୀବନର ଅଙ୍କକଷାରେ ଖୁବ୍ ବେଶୀ ସଫଳ ହୋଇ ନଥିବା ବାପା ଆଶ୍ଚର୍ଯ୍ୟଜନକ ଭାବେ ଆୟୂଷର ଅଙ୍କକଷାରେ ଥିଲେ ଶତ ପ୍ରତିଶତ ନିର୍ଭୁଲ ଓ ସଠିକ୍।

 

ବାପା ପ୍ରତି ଘରର ମଝିଖୁଣ୍ଟ। ବାପା ବୃଦ୍ଧ, ବୟସ୍କ, ରୋଗାକ୍ରାନ୍ତ, ଚିଡିଚିଡା, ପକ୍ଷାଘାତ ପୀଡିତ, ଚଳତ୍ ଶକ୍ତି ରହିତ ଯାହା ବି ହୁଅନ୍ତୁ ନା କାହିଁକି, ଯେ ପର୍ଯ୍ୟନ୍ତ ଜଣକର ବାପା ବଞ୍ଚିଥାଆନ୍ତି, ସେ ପର୍ଯ୍ୟନ୍ତ ସେ ପିଲା ହୋଇ ରହିଯାଇଥାଏ। ଥରେ ବାପା ସେ ପାରିକୁ ବାଟ କାଟିଲେ ସନ୍ତାନ ରାତାରାତି ବଡ ହୋଇଯାଇଥାଏ। ସାରା ସଂସାରର ବୋଝ ତା’ କାନ୍ଧ ଉପରେ ଉଜାଡି ହୋଇପଡେ ଏବଂ ତା’ର ଏଇ ଦୋଦୁଲ୍ୟମାନ ଅବସ୍ଥାରେ ସେ ଠିକ୍ର‍ ବୁଝିପାରେ ଆମର ପ୍ରଚଳିତ ଉକ୍ତି ‘ବାପ ଥିଲା ପୁଅ ସଭାରେ ହାରେନି’, କଥାଟିରେ ରହିଛି କେତେ ପ୍ରଗାଢ ସତ୍ୟ ଓ ଯଥାର୍ଥତା।

ବାପା ଥିବା ଓ ନ ଥିବା ନେଇ ଅନୁଭବରେ ଆକାଶ ପାତାଳ ପ୍ରଭେଦ। ବାପାଙ୍କ ଅବର୍ତ୍ତମାନ ଯେଉଁ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରେ, ପିତୃହରା ସନ୍ତାନର ମନ ପ୍ରାଣରେ ଯେଉଁ ଅକୁହା ଅସହାୟତା ଭରି ଦିଏ, ସେଇ ବେଦନାଦାୟକ ଅନୁଭୂତିର ପ୍ରତିନିଧିତ୍ୱ କରେ ଆମ ସାଧାରଣ ଜନଜୀବନରେ ପ୍ରଚଳିତ ଏଇ ଉକ୍ତିଟି।

 

ମୋ’ ବାପା ସ୍ୱର୍ଗତ ବୃନ୍ଦାବନ ଚନ୍ଦ୍ର ପାଣିଗ୍ରାହୀ ଥିଲେ ଓଡିଶା ଅର୍ଥ ସେବାର ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ। ସରକାରୀ କାର୍ଯ୍ୟରେ ପାରଙ୍ଗମତା ସହ ତାଙ୍କର ଅସାଧାରଣ ସାଧୁତା ଓ ସ୍ୱଚ୍ଛତା ତଥା ନମ୍ର ଓ ବିନୟୀ ଭାବ ତାଙ୍କୁ ଆଣି ଦେଇଥିଲା ସହକର୍ମୀ, ଉପରିସ୍ଥ ଓ ଅଧସ୍ତନ, ସମସ୍ତଙ୍କର ପ୍ରଗାଢ ସମ୍ମାନ, ଅକୁଣ୍ଠ ସହଯୋଗ ଓ ସମର୍ଥନ।

 

ବାପା ଥିଲେ ବାସ୍ତବିକ୍ସ‍ ଅଜାତଶତ୍ରୁ, ନିର୍ବିବାଦୀୟ ଓ ସମସ୍ତଙ୍କର ପ୍ରିୟ, ଅବଶ୍ୟ ଅନେକ ସମସାମୟିକ ବନ୍ଧୁ, ଆମିୀୟ ପରିଜନ ବାପାଙ୍କର ସରଳ, ଉଦାର ଓ ସ୍ୱଚ୍ଛ ବ୍ୟକ୍ତିତ୍ୱକୁ ହେୟଜ୍ଞାନ କରୁଥିଲେ। ସେ ବିଷୟ ବୁଦ୍ଧି ବିହୀନ ଜଣେ ବୋକା ଓ ଅପାରଗ ଲୋକ ବୋଲି ମନ୍ତବ୍ୟମାନ କେବେ କେବେ ମୋ’ କାନରେ ପଡୁଥିଲା। ଅନ୍ୟ ଜ୍ଞାତିକୁଟୁମ୍ୱ, ବାପାଙ୍କ ସହକର୍ମୀଙ୍କ ଠାରୁ ଆମର ଜୀବନଯାପନର ଶୈଳୀ ଥିଲା ଖୁବ୍୍‍ ସାଧାରଣ ଓ ବୈଚିତ୍ର୍ୟହୀନ; ଆର୍ଥିକ ସ୍ୱଚ୍ଛଳତାର ଅଭାବ ସ୍ପଷ୍ଟ ବାରି ହୋଇ ପଡୁଥିଲା ଜୀବନଚର୍ଯ୍ୟାର ନିତିଦିନିଆ ଅନୁଭବ ଭିତରେ। ଏ ନେଇ କେହି କୌଣସି ଆକ୍ଷେପମୂଳକ ଲଘୁ ମନ୍ତବ୍ୟ ଦେଲେ, ତାହା ମୋ’ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରୁଥିଲା; ଏବେ ଏତେ ବର୍ଷ ପରେ ବି ସେସବୁ ଆକ୍ଷେପୋକ୍ତି ଗୁଡିକର ପ୍ରତିଟି ବାକ୍ୟ, ପ୍ରତିଟି ଶବ୍ଦ ମୋର ମନେ ଅଛି। ମୋ’ ଅନ୍ତରରେ ଶୈଶବ, କୈଶୋର ଓ ତାରୁଣ୍ୟରେ ଏସବୁ କଥା ଯେଉଁ କ୍ଷତ ସୃଷ୍ଟି କରିଥିଲା, ସେ ସବୁର ଏବେ ବି ଉପଶମ ହୋଇନାହିଁ।

 

ମୋ’ ବାପାଙ୍କୁ ନିପାରିଲା ବୋକା ଲୋକ, ସ୍ୱଳ୍ପ ଦରମା ପ୍ରାପ୍ତ, ଅସ୍ୱଚ୍ଛଳ, ମଧ୍ୟବିତ୍ତ ମଣିଷ ଭାବେ ଚିତ୍ରିତ କରି ଯେଉଁମାନେ ଦିନେ ତାଙ୍କ ଆକାଶଛୁଆଁ ଆଦର୍ଶ ଓ ଉଦାର ବ୍ୟକ୍ତିତ୍ୱ ପ୍ରତି ଅନାସ୍ଥା ଓ ବିରାଗ ପ୍ରକଟ କରିଥିଲେ, ସେମାନଙ୍କୁ ମୁଁ ଆଜିଯାଏ ମୋର ଅନ୍ତରରେ କ୍ଷମା ଦେଇ ପାରିନାହିଁ।

ସାଧୁ ଲୋକଟିଏ ସୀମିତ ଉପାର୍ଜନ ମଧ୍ୟରେ ସାଂସାରିକ ଦାୟିତ୍ୱ ତୁଲେଇବା ନେଇ କେତେ ଅସହାୟ, ଦୁର୍ବଳ ହୋଇପଡେ, ସେ ବିଷୟରେ ମୋ’ ବାପାଙ୍କୁ ନେଇ ମୋର ପ୍ରତ୍ୟକ୍ଷ ଅଭିଜ୍ଞତା ରହିଛି।

 

ମୋର ତିନି ବଡ ଭଉଣୀଙ୍କ ବାହାଘର ବାବଦ ଖର୍ଚ୍ଚ ଭରଣା କରିବାକୁ ଆମର ଅଧିକାଂଶ ପୈତୃକ ଚାଷଜମି ବିକ୍ରି କରାଯାଇଅଛି। ନିଜ ବାହାଘରରେ ସାଥିରେ ଆଣିଥିବା ମୋ’ ବୋଉର ସୁନା ଗହଣା ବଣିଆ ଦୋକାନରେ ବିନିମୟ କରି ଭଉଣୀ ମାନଙ୍କର ବିବାହ ଅଳଙ୍କାର ପ୍ରସ୍ତୁତ ହୋଇଛି।

ଚାକିରିର ସାୟାହ୍ନରେ ମନମୁତାବକ ଘରଟିଏ କରିପାରି ନଥିବାର ଅସାମର୍ଥ୍ୟ ଏବଂ ଘର ତିଆରି ପାଇଁ ନିଜର କଲ୍ପୋପାର୍ଜିତ ଜିପିଏଫରେୁତା ଥିବା ଅର୍ଥ ଅକୁଳାଣ ପଡିଲାରୁ ବାକି ଥିବା ଚାଷଜମି ସବୁ ବିକିବାର ଦାୟ ଏବଂ ଏ ସବୁ ସତ୍ତ୍ୱେ ଆଶାନୁରୂପ ସୁଦୃଶ୍ୟ, ଯଥେଷ୍ଟ ବର୍ଗଭୂମି ଥିବା ପସନ୍ଦଯୋଗ୍ୟ ଘରଟିଏ ତୋଳି ନ ପାରିବାର କ୍ଷୋଭ ଓ ଅସହାୟତା ନେଇ ମୋ’ ବାପାଙ୍କର ଜୀବନାନୁଭୂତି ମୁଁ ନିଜ ଆଖିରେ ଦେଖିଛି, ନିଜେ ନିଭେଇଛି। ମାତ୍ର ଏସବୁ ଅପ୍ରାପ୍ତି, ଅତୃପ୍ତି ସତ୍ତ୍ୱେ ନିଜର ସାଧୁତାରେ ଅଟଳ, ଅଚଳ ରହିବାର ଭୀଷ୍ମ ପ୍ରତିଜ୍ଞା ଶେଷ ପର୍ଯ୍ୟନ୍ତ ଶତ ପ୍ରତିଶତ ବିଶ୍ୱସ୍ତତାର ସହ ତୁଲେଇଥିଲେ ବାପା।

 

ବାପାଙ୍କର ଅଳ୍ପ କିଛି ଇଚ୍ଛା ଭିତରେ ଗୋଟିଏ ବିଶେଷ ଇଚ୍ଛା ଥିଲା ଏକ ନୂଆ କାର୍ ‍ କିଣିବା। ସମ୍ୱଳର ସୀମିତତା ହେତୁ ଚାକିରିର ଶେଷ ଆଡକୁ ବାପା ଗୋଟିଏ ପୁରୁଣାକାଳିଆ ସେକେଣ୍ଡହ୍ୟାଣ୍ଡ୍ ଫିଆଟ୍ କାର୍ କିଣି ପାରିଥିଲେ। ମାତ୍ର ସଦ୍ୟ ନିର୍ମିତ ଚକଚକ୍ କରୁଥିବା ଓ କଂପାନୀ ସୋ’ ରୁମରେ ଲୋଭନୀୟ ଭାବେ ଶୋଭା ପାଉଥିବା ଉତ୍କୃଷ୍ଟ ନୂଆ କାରଟିିଏ କିଣି ସେଥିରେ ପରିବାର ସହ ବୁଲିଯିବା ନେଇ ତାଙ୍କର ଅଭିଳାଷ ତାଙ୍କ ଜୀବଦ୍ଦଶାରେ ପୂରଣ ହୋଇପାରିଲା ନାହିଁ।

 

ତାଙ୍କ ଜୀବନରେ ଅପୂର୍ଣ୍ଣତା ଖୁବ୍ ବେଶୀ ନଥିଲା, କାରଣ ସେ ଜୀବନର ଅନେକ ଅପୂର୍ଣ୍ଣତାକୁ ମଥାପାତି ଗ୍ରହଣ କରି ନେଇଥିଲେ, ସେ ସବୁ ନିୟତିର ଅଲଙ୍ଘ୍ୟ ନିଦ୍ଦେର୍ଶ ଭାବି। ଶେଷ ପର୍ଯ୍ୟନ୍ତ କଦବା କ୍ୱଚିତ ସରକାରୀ କାମରେ ଉଡାଜାହାଜରେ ଯିବା ଆସିବା କରିବା ଛଡା ଅନ୍ୟସବୁ ସମୟରେ ଟ୍ରେନ ଯୋଗେ ଯାତ୍ରା କରିବା ହିଁ ଥିଲା ତାଙ୍କର ନିୟତି, ଏତିକି ସାନ୍ତ୍ୱନା ଥିଲା ଯେ, ଦ୍ୱିତୀୟ ଶ୍ରେଣୀ ବଗିରୁ ଶୀତତାପ ନିୟନ୍ତ୍ରିତ ବଗିରେ ଭ୍ରମଣ କରିବାର ସାଧନ ତାଙ୍କୁ ଉପଲବଧ ହୋଇଥିଲା ଜୀବନର ସାୟାହ୍ନରେ।

 

ବହୁବର୍ଷ ପର୍ଯ୍ୟନ୍ତ ବାପାଙ୍କର ବାହନ ଥିଲା ସ୍କୁଟର। ମୋ’ ପିଲାବେଳେ ବାପା ଗୋଟେ ଘିଅ ଓ ମେରୁନ୍ ରଙ୍ଗର ଲାମବ୍ରେଟା ସ୍କୁଟର ଚଢୁଥିଲେ। ସେ ସ୍କୁଟର ପଛରେ ବସି ବୁଲି ଗଲାବେଳକୁ ମୋତେ ଶୂନ୍ୟରେ ଉଡିଲା ପରି ଅନୁଭବ ହେଉଥିଲା। ଶୂନ୍ୟଚାରୀ ପକ୍ଷୀଟିଏ ପରି ନିଜକୁ ସ୍ୱାଧୀନ ଓ ମୁକ୍ତ ମନେ କରୁଥିଲି ମୁଁ, ମାତ୍ର ଏକ ଦୁଃଖଦ ଘଟଣାକ୍ରମେ ସେ ସ୍କୁଟର ବିକିବାକୁ ବାଧ୍ୟ ହୋଇଥିଲେ ବାପା।

 

ଚାକିରିରେ ନିଜର ବରିଷ୍ଠତା ନେଇ ସେ ଆଇନ୍ ଅଦାଲତର ଆଶ୍ରୟ ନେଇଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ସେ ମାମଲାର ଶୁଣାଣି ବେଳେ ବାପାଙ୍କ ପକ୍ଷର ଓକିଲ, ଯିଏ କି ବାପାଙ୍କର ବ୍ୟକ୍ତିଗତ ବନ୍ଧୁ ମଧ୍ୟ ଥିଲେ, ସେ କୌଣସି ଅଜଣା କାରଣ ପାଇଁ କୋର୍ଟରେ ଅନୁପସ୍ଥିତ ରହିଲେ। ବାପାଙ୍କ ସପକ୍ଷରେ ଥିବା ଯୁକ୍ତି ଉପସ୍ଥାପନା ହୋଇ ନପାରିବାରୁ ବରିଷ୍ଠତା ନେଇ ବାପା କରିଥିବା କେସ୍ ଏକତରଫା ଖାରଜ ହୋଇଯାଇଥିଲା।

 

ଏ ଦୁଃସମ୍ୱାଦ ବାପାଙ୍କୁ ଗଭୀର ଭାବେ ମ୍ରିୟମାଣ କରିଥିଲା। ସେତେବେଳେ ଭୁବନେଶ୍ୱରରେ ପ୍ରାଥମିକ ସ୍କୁଲରେ୍ ମୁଁ ପ୍ରାୟ ଦ୍ୱିତୀୟ ବା ତୃତୀୟ ଶ୍ରେଣୀରେ ପଢୁଥାଏ। ବାପା କେଶ୍ ହାରିଯିବା ନେଇ ସାଧାରଣ ଭାବେ ଆମେ ତାଙ୍କ ସହ ସମଦୁଃଖୀ ଥିଲୁ, ଯଦିଓ ଏହା ଫଳରେ ବାପା ତାଙ୍କର ନ୍ୟାୟୋଚିତ ପଦବୀ ପର୍ଯ୍ୟନ୍ତ ପହଞ୍ଚି ନପାରି ଚାକିରିରୁ ଅବସର ନେଲେ ଏବଂ ଏ ନେଇ ତାଙ୍କ ମନରେ ଏକ ଗଭୀର ଅପ୍ରାପ୍ତି ରହିଥିବାର ମୁଁ ଅନୁଭବ କରିପାରିଥିଲି ବଡ ହେଲା ପରେ।

 

କେଶ୍ ହାରିବାଠାରୁ ଆହୁରି ଏକ ବଡ ଦୁଃସମ୍ୱାଦ ମୋ’ ପାଇଁ ଥିଲା ବାପା ନିଜର ପ୍ରିୟ ଲାମବ୍ରେ  ଟା ସ୍କୁଟରଟିକୁ ବିକିଦେବା। ମୋକଦ୍ଦମା ବାବଦ ହୋଇଥିବା ଖର୍ଚ୍ଚ ମେଣ୍ଟାଇବା ପାଇଁ ସ୍କୁଟରଟିକୁ ବିକିବା ଛଡା ଅର୍ଥପ୍ରାପ୍ତିର ଅନ୍ୟ କୌଣସି ସାଧନ ନଥିଲା। ଯେଉଁଦିନ ସ୍କୁଟର ବିକ୍ରି ହୋଇଗଲା ଏବଂ ବାପା ଚାଲି ଚାଲି ଘରୁ ବାହାରି ଟାଉନ ବସ୍‌ରେ ଅଫିସ୍ ଗଲେ, ସେଦିନ ପ୍ରବଳ ଳୁହ ଓ କୋହରେ ମୁଁ ଭାଙ୍ଗି ପଡିଥିଲି। ସେ ସ୍କୁଟର ମୋ’ ପାଇଁ ମୋର ବାଲ୍ୟ ଜୀବନର, କୋମଳ ଶୈଶବର ନିରୀହ ଭାବନାରେ ଥିଲା ଏକ ପକ୍ଷୀରାଜ ଘୋଡା। ବାପା ନିଜର ପ୍ରିୟ ସ୍କୁଟରକୁ ବିକି ଦେଲା ଫଳରେ ମୋ’ ପିଲା ମନରେ ଥିବା ସେଇ ସ୍ୱପ୍ନ ଭାଙ୍ଗିଗଲା। ଅବଶ୍ୟ, ପରବର୍ତ୍ତୀ ସମୟରେ ବାପା ଏକ ସେକେଣ୍ଡହ୍ୟାଣ୍ଡ ବଜାଜ୍ ସ୍କୁଟର କିଣିଲେ, ଯାହା ସମୟକ୍ରମେ କଲେଜରେ ପଢିଲା ବେଳକୁ ମୁଁ ମଧ୍ୟ ଚଲଉଥିଲି।

 

ସେ ସ୍କୁଟର୍ ହେଉ ବା ମୋଟର କାର୍, ବାପାଙ୍କ ଭାଗ୍ୟରେ ସେକେଣ୍ଡ ହ୍ୟାଣ୍ଡ ଗାଡି ହିଁ ଲେଖା ଥିଲା। ନୂଆଗାଡି କିଣି ସପରିବାର ଗାଡିରେ ସବାର ହେବାର ସୀମିତ ସ୍ୱପ୍ନ ଥିଲା ବାପାଙ୍କର, ଯାହା ଅପୂରଣ ରହିଗଲା ଶେଷ ପର୍ଯ୍ୟନ୍ତ। ମୁଁ ଚାକିରି କଲାପରେ ଯେବେ ସୁଦୃଶ୍ୟ ସରକାରୀ କାରରେଲି। ଯାତ୍ରା କରେ, ଅତୀତର ଏଇ ସବୁ ସ୍ମୃତି ମୋ’ ମନରେ ସଜଳ ହୋଇଉଠେ ଏବଂ ମୋତେ ଆନମନା ଓ ବିଷର୍ଣ୍ଣ କରିଦିଏ।

 

ଘଟଣାକ୍ରମେ ବାପାଙ୍କର କିଛି ସହକର୍ମୀ ମୋ’ ବୃତ୍ତିଗତ ଜୀବନରେ ମଧ୍ୟ ମୋର ସହକର୍ମୀ ଭାବେ କାମ କରିଛନ୍ତି, ସେମାନଙ୍କଠୁ ବାପାଙ୍କର ଆକାଶଛୁଆଁ, ଉଦାର, ବିଶାଳ ବ୍ୟକ୍ତିତ୍ୱର ପ୍ରଶଂସା ଶୁଣିଲା ବେଳେ ମୋର ଛାତି କୁେଣ୍ଢେମୋଟ ହୋଇଯାଏ। ବାପାଙ୍କ ଅନେକ ସହଯୋଗୀ, ସହକର୍ମୀ ବନ୍ଧୁ ଏବେ ବି ଜୀବିତ ଓ ଚଳଚଞ୍ଚଳ। ଅଥଚ ବାପା ଯେ କାହିଁକି ଗତ ଅଠର ବର୍ଷ ଧରି ସେ ପାରିକୁ ଗଲେଣି, ତା’ର କୌଣସି ଯୁକ୍ତିଯୁକ୍ତ କାରଣ ବା ସନ୍ତୋଷଜନକ ଉତ୍ତର ମୋତେ ମିଳେ ନାହିଁ। ଭଲଲୋକଙ୍କୁ ଈଶ୍ୱର ଶୀଘ୍ର ନିଜ ପାଖକୁ ନେଇ ଯାଆନ୍ତି, ଏୟା ଭାବି ମନକୁ ସାନ୍ତ୍ୱନା ଦିଏ। ମୋ’ ବାପାଙ୍କ ବ୍ୟକ୍ତିତ୍ୱର ଛାପ ମୋର କିଛି ଗପ, ଯେମିତି ‘ନିର୍ବୋଧ’, ‘କାହିଁ ମୁକ୍ତି’, ମିନି ଗଳ୍ପ ‘ଭଲଲୋକ’ ଆଦିରେ ଦେଖିବାକୁ ମିଳେ। ମୋଟ ଉପରେ କହିବାକୁ ଗଲେ, ମୁଁ ଗୋଟାପଣେ ମୋ’ ବାପାଙ୍କର ହିଁ ପୁଅ- ‘ଆଇ ଆମ୍ପ‍ ଭେରି ମଚ୍ ମାଇଁ ଫାଦର୍ସ ସନ୍’, ତାହାହିଁ ମୋର ପ୍ରମୁଖ ଏବଂ ପ୍ରକୃଷ୍ଟ ପରିଚୟ।

 

ମୋ’ ବାପାଙ୍କର ଆଉଏକ ପରିଚୟ ଥିଲା ଅଭିନେତା ଓ ନାଟ୍ୟ ନିଦ୍ଦେର୍ଶକ ଭାବେ। ନାଟକ, ଥିଏଟରରେ ମାତିବାର ନିଶା ଉତ୍ତରାଧିକାରୀ ଭାବେ ବାପା ପାଇଥିଲେ ମୋ’ ଜେଜେବାପାଙ୍କ ଠାରୁ। ମୋ’ ବାପାଙ୍କଠାରୁ ମୁହଁରେ ରଂଗ ବୋଳି ରଂଗମଞ୍ଚରେ ଅଭିନୟ କରିବାର କଳା ମୋ’ ପାଖକୁ ବି ଆସିଥିଲା। ତେବେ, ମୋର ଏ ନିଶା କଲେଜରେ ପଢିଲା ବେଳକୁ ବାପା ନିଜେ ହିଁ ଭାଙ୍ଗି ଦେଇଥିଲେ ଏୟା କହି- ‘ରଂଗମଞ୍ଚର ମାୟାରେ ଥରେ ପଡିଲେ ସେଥିରୁ ମୁକୁଳିବା ସହଜ ନୁହେଁ। ଅଭିନୟର ନିଶା ମୁଣ୍ଡରେ ସବାର ହେଲେ ପାଠ ପଢାରେ ତୁ ମନ ଦେଇ ପାରିବୁନି। ସମାଜରେ ପ୍ରତିଷ୍ଠିତ ହେବାକୁ ହେଲେ, ଉଚ୍ଚ ପଦପଦବୀର ଅଧିକାରୀ ହେବାକୁ ହେଲେ ତୋତେ ନିଜ ଗୋଡରେ ନିଜେ ଠିଆ ହେବାକୁ ପଡିବ, ପ୍ରବଳ ପ୍ରତିଯୋଗିତା ମଧ୍ୟରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବାକୁ ପଡିବ। ସେଥିପାଇଁ ଲୋଡା ଏକକ, ଏକାଗ୍ରଚିତ୍ତ ଲକ୍ଷ୍ୟ, ଲୋଡା ପାଠ ପଢାରେ ଉତ୍କର୍ଷ, ଆବଶ୍ୟକ ଏକନିଷ୍ଠ ଉଦ୍ୟମ, ଯାହା ପଥରେ ଅନ୍ତରାୟ ସୃଷ୍ଟି କରିବ ଅଭିନୟର ନିଶା।’

 

କଲେଜରେ ଇଣ୍ଟରମିଡିଏଟ୍ ପଢୁଥିବା ସମୟରେ ରଂଗମଞ୍ଚରେ ଶେଷଥର ପାଇଁ ମୁଁ ଅଭିନୟ କରିଥିଲି ଏବଂ ବୈଚିତ୍ର୍ୟକ୍ରମେ ତାହା ଥିଲା ଏକ ପୌରାଣିକ ନାଟକ, ଯାହାର ନିଦ୍ଦେର୍ଶନା ଦେଇଥିଲେ ସ୍ୱୟଂ ବାପା ଏବଂ ସେ ନିଜେ ଏକ ପ୍ରମୁଖ ଭୂମିକାରେ ଅଭିନୟ ମଧ୍ୟ କରୁଥିଲେ। ଏବେ ପରିଣତ ବୟସରେ ମୁଁ ମୋର ପୁଅଝିଅଙ୍କୁ ଯେତେବେଳେ କହେ, ସ୍କୁଲରେ ପଢିବାବେଳେ ମୁଁ ଆନ୍ତଃବିଦ୍ୟାଳୟ ନାଟକ ପ୍ରତିଯୋଗିତାରେ ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଥିଲି, ସେମାନେ ସେ କଥା ଶୁଣି ବିଶ୍ୱାସ କରନ୍ତି ନାହିଁ, ହସିହସି ଗଡି ଯାଆନ୍ତି।

 

ସେମାନଙ୍କ ପାଇଁ ତାହା ଭାବିବା ସ୍ୱାଭାବିକ, କାରଣ ନିଜର ସାଂସାରିକ ଓ ବୃତ୍ତିଗତ ଜୀବନର ନାଟକରେ ବିଭିନ୍ନ ଚରିତ୍ରରେ ନିତି ଅଭିନୟ କରିବାର ପ୍ରକ୍ରିୟା ଏତେ ଆୟାସ ସାଧ୍ୟ ଓ କ୍ଳାନ୍ତ ଯେ, ତା’ ଭିତରେ ମୁଁ ଯେ ମୋର ମଞ୍ଚ ଅଭିନୟର ପ୍ରବୃତ୍ତି ଚାହିଁଥିଲେ ବି ବଞ୍ଚାଇ ରଖିପାରି ନଥାନ୍ତି, ସେଥିରେ କୌଣସି ସନ୍ଦେହ ନାହିଁ।

 

ବାପା ଦୁଇଟି ସୌଖୀନ ନାଟ୍ୟସଂସ୍ଥା, ଭୁବନେଶ୍ୱର ସ୍ଥିତ ‘ୟୁନାଇଟେଡ୍ ଆର୍ଟିଷ୍ଟସ’ ଏବଂ ବାଲେଶ୍ୱରସ୍ଥିତ ‘ସ୍ରଷ୍ଟା’ ସହ ସକ୍ରିୟ ଭାବେ ଜଡିତ ଥିଲେ। ନାଟକ ନିଦ୍ଦେର୍ଶନା ଛଡା ବାପା ‘ଦେବଯାନୀ’ ନାମକ ଏକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ‘କର୍ଣ୍ଣାର୍ଜୁନ’ ନାଟକରେ କର୍ଣ୍ଣ ଭୂମିକାରେ, ‘କପେ କଫି’ ନାଟକରେ ଜଣେ ପୋଲିସ ଅଫିସର ଭାବରେ ତାଙ୍କର ଅଭିନୟ ଏତେ ନିଖୁଣ ଓ ହୃଦୟସ୍ପର୍ଶୀ ଥିଲା ଯେ, ପିଲାଦିନେ ସେ ସବୁ ନାଟକର ଚରିତ୍ର ଭାବେ ବାପାଙ୍କର ଏକ ଅଲଗା ରୂପ ଆମ ମନରେ ଆଙ୍କି ହେଇ ଯାଉଥିଲା।

 

‘କର୍ଣ୍ଣାଜୁର୍ନ’ ନାଟକର ଅନ୍ତିମ ଦୃଶ୍ୟରେ ଯୁଦ୍ଧକ୍ଷେତ୍ରରେ ନିମ୍ନଗାମୀ ନିଜର ରଥ ଚକକୁ ଉର୍ଦ୍ଧ୍ୱଗାମୀ କରୁଥିବାର ପ୍ରୟାସ ସମୟରେ ଅର୍ଜୁନଙ୍କ ଶରାଘାତରେ ବୀରଗତି ପ୍ରାପ୍ତି ହେବା ପିଲା ବୟସରେ ମୋତେ ଗଭୀର ଆଶଙ୍କା ଓ ଆତଙ୍କରେ ପକାଇ ଦେଉଥିଲା, ବାପା ମିଛି ମିଛିକା ନାଟକରେ ମରିଛନ୍ତି ନା ସତରେ ମରିଯାଇଛନ୍ତି- ଏମିତି ଏକ ଦ୍ୱିବିଧା ମୋତେ ଗ୍ରାସ କଲାବେଳେ ନାଟକର ଯବନିକା ପାତର କିଛି ସମୟ ପରେ ବାପା ମୁହଁର ମେକପ ପୋଛି, ପରିଧାନ ଓ ଆଭୂଷଣ ଆଦି ବଦଳେଇ ନିଜର ଚିରାଚରିତ ବେଶରେ ନାଟ୍ୟ ମଞ୍ଚର ଅନ୍ତରାଳରୁ ବାହାରିଲା ବେଳକୁ ଯାଇ ମୁଁ ଆଶ୍ୱସ୍ତ ହୁଏ- ଇୟେ ମିଛିମିଛିକା ମରଣ, ଏଥିରେ ଡରିବାର କିଛି ନାହିଁ।

 

ଏହାର ପ୍ରାୟ ଦୁଇ ଦଶକ ପରେ ବାପାଙ୍କର ହୃଦଘାତରେ ଆକସ୍ମିକ ମୃତ୍ୟୁ ମୋତେ ମୁହ୍ୟମାନ କରି ଦେଇଥିଲା, ସେତେବେଳେ କେନ୍ଦୁଝର ଜିଲ୍ଲାରେ ଏସପି ଥିଲି ମୁଁ। ମୋତେ ଜ୍ୱର ହୋଇଥିବାରୁ ବାପାଙ୍କ ପରାମର୍ଶକ୍ରମେ ମୁଁ ଛୁଟିରେ ବାପାଙ୍କ ପାଖକୁ ଆସିଥିଲି ଭୁବନେଶ୍ୱର, ସେତେବେଳକୁ ମୋର ଝିଅର ବୟସ ଥିଲା ମାତ୍ର ଦୁଇବର୍ଷ, ସେଇ ଦୁଇବର୍ଷର ଛୁଆକୁ ନିଜ ଛାତି ଉପରେ ଶୁଆଇ ତା’ ସହ କଥାବାର୍ତ୍ତା ହୋଇ ଏବଂ ସେବେ ଖଣ୍ଡି ଖଣ୍ଡି କଥା କହି ଶିଖୁଥିବା ଏବଂ କହୁଥିବା ମୋ’ ଝିଅ ପଲ୍ଲବୀର ଦରୋଟି କଥା ଶୁଣି ଗଭୀର ପ୍ରାପ୍ତିରେ ପେଟ ପୂରି ଯାଉଥିଲା ବାପାଙ୍କର। ତା’ ପରଦିନ ରାତିରେ ପାଖ ରୁମରେ କଥ ମୁଁ ଶୋଇଥାଏ। ବୋଉ ଆସି ଶୋଇବା ଘରର ଦୁଆର ବାଡେଇ କହିଲା – ବାପାଙ୍କର କଣ ହେଇ ଯାଉଛି, ଶୀଘ୍ର ଆସେ। ତୁରନ୍ତ ବାପାଙ୍କ ପାଖରେ ପହଞ୍ଚିଲା ବେଳକୁ ବାପା ହୃଦଘାା  ତରେ ଆକ୍ରାନ୍ତ ହୋଇ ଶେଷ ନିଃଶ୍ୱାସ ନେଉଥିଲେ। ସେଇଠି ଅସହାୟ ଭାବରେ ମୁଁ ଛିଡା ରହିଥାଏ, ବୋଉର ଦୁଇ ହାତର ବନ୍ଧନୀ ଭିତରେ ବାପା ଟଳି ପଡିଲେ।

ବାପାଙ୍କ ମୃତ୍ୟୁ ଥିଲା ସଂପୂର୍ଣ୍ଣ ଆକସ୍ମିକ ଏବଂ ଅପ୍ରତ୍ୟାଶିତ। ସେତେବେଳକୁ ପ୍ରାୟ ସାତ ଆଠ ବର୍ଷ ହେବ ତାଙ୍କର ହାଇ ବ୍ଲଡ୍ି‍ ପ୍ରେସର୍ପ‍, ଡାଇବେଟିସ୍ ‍ ଆଦି ରୋଗ ଏବଂ ପରବର୍ତ୍ତୀ ସମୟରେ ସେ ନେଇ ହାର୍ଟ ଓ କିଡନୀର ହର ସମସ୍ୟା ଜଣାଥିଲା; ନିୟମିତ ଚିକିତ୍ସା ଓ ଡାକ୍ତରୀ କଟକଣାକୁ ମାନି ଖାଦ୍ୟପେୟ, ଠିକ୍େ‍ ସମୟରେ ଔଷଧ ଖିଆ ଆଦି ସବୁ ଶୃଙ୍ଖଳାକୁ ବାପା ଅକ୍ଷରେ ଅକ୍ଷରେ ମାନୁଥିଲେ, ମାତ୍ର ଯେତେବେଳେ ମରଣ ଆସେ, ସେବେ ଏସବୁ ପାଲଟି ଯାଏ ନିରର୍ଥକ। ପ୍ରଥମଥର ପାଇଁ ବାପାଙ୍କର ହୃଦଘା,  ତ ହେଲା ଏବଂ ସେଇ ପ୍ରଥମ ହାର୍ଟ ଆଟାକରେଲଟି ଟଳି ପଡିଲେ ବାପା ସବୁଦିନ ପାଇଁ, ଡାକ୍ତର ପାଖକୁ ନେବାକୁ ବା ଚିକିତ୍ସା କରିବାକୁ ତର ନ ଥିଲା, ଖାଲି ଗୋଟିଏ ସାନ୍ତ୍ୱନା ଥିଲା, ଶଯ୍ୟାଶାୟୀ ହୋଇ ବା କଷ୍ଟ ପାଇ ଜୀଇଁ ରହିବା ଅପେକ୍ଷା ସହସା ମୃତ୍ୟୁ ଥିଲା ଅଧିକ ଶାନ୍ତିପୂର୍ଣ୍ଣ ଓ କମ୍ ‍ ଯନ୍ତ୍ରଣାଦାୟକ।

 

ମୋର ତିନି ବଡ ଭଉଣୀଙ୍କର ବାହାଘର ବେଶ୍ ‍ କେଇବର୍ଷ ହେଲା ହୋଇ ସାରିଥିଲା ଏବଂ ନାତିନାତୁଣୀ ଦେଖି ସାରିଥିଲେ ବାପା। ମୁଁ ଚାକିରି ବାକିରି କରି ବାହାସାହା ହୋଇ ପିଲାର ବାପା ହୋଇ ସାରିଥିଲି। ବାପା ବରାବର କହୁଥିଲେ- ମୋର କିଛି ଦାୟିତ୍ୱ ଅପୂର୍ଣ୍ଣ ନାହିଁ, ଯାହା କରିବାର କଥା, ତାହା ମୁଁ କରିସାରିଛି। ବାପାଙ୍କ ଦେହ ଖରାପ ହେଲାଣି ମୁଁ ଚାକିରି କଲାବେଳକୁ।

 

ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ମୁଁ ଉଭୟ ଭାରତୀୟ ବିଦେଶ ସେବା ଓ ଭାରତୀୟ ପୁଲିସ୍ା‍ ସେବା ପାଇଁ ମନୋନୀତ ହୋଇଥାଏ। ଭାରତୀୟ ପୁଲିସ୍ର‍ ସେବାରେ ଯୋଗଦେଲେ ନିଜ ରାଜ୍ୟ ଓଡିଶା ହୋମ୍ କ୍ୟାଡର୍ ‍ ଭାବେ ମିଳିବାର ପ୍ରାୟ ଶତ ପ୍ରତିଶତ ଆଶା ଓ ନିର୍ଦ୍ଦିଷ୍ଟତା ଥାଏ। କ’ଣ କରିବି ସେ ନେଇ ବାପାଙ୍କୁ ପଚାରିଲାରୁ ବାପା ତାଙ୍କର କିଛି ନିର୍ଦ୍ଦିଷ୍ଟ ମତାମତ ଦେଇ ନଥିଲେ, କିନ୍ତୁ ତାଙ୍କ କଥାରୁ ମୁଁ ଜାଣିଥିଲି, ଶରୀରର ଅସୁସ୍ଥତାକୁ ନେଇ ସେ ଦୁର୍ବଳ, ଅସହାୟ ଅନୁଭବ କରୁଛନ୍ତି ଏବଂ ପୁଅ ଭାବେ ମୁଁ ତାଙ୍କ ପାଖରେ ରହେ, ଏୟା ହିଁ ତାଙ୍କର ପ୍ରକୃତ ଇଚ୍ଛା। ସେଇ ଦୃଷ୍ଟିରୁ ମୁଁ ଭାରତୀୟ ବିଦେଶ ସେବା ବଦଳରେ ଭାରତୀୟ ପୁଲିସ ସେବାରେ ଯୋଗ ଦେବାକୁ ନିର୍ଣ୍ଣୟ କଲି ଏବଂ ସେଇ ନିର୍ଣ୍ଣୟ ସହ ମୋର ଓ ମୋ’ ପରିବାରର ଭବିଷ୍ୟତ ସବୁଦିନ ପାଇଁ ଏକ ନିର୍ଣ୍ଣାୟକ ମୋଡ ନେଇ ଯାଇଥିଲା।

 

ମୁଁ ଥିଲି ବାପା ମାଆଙ୍କର ଗୋଟିଏ ପୁଅ। ମୋ’ ବାପା ବି ଥିଲେ ଜେଜେବାପା ଜେଜେମା’ଙ୍କର ଗୋଟିଏ ପୁଅ। ବାପା ଗଲାବେଳକୁ ମୋ’ ବୁଢୀମା’ ଜୀବିତ ଥିଲା। ତାର ବିଷୟ ବୁଦ୍ଧି ପ୍ରଖର ଥିଲା ଏବଂ ସେ ହିଁ ଗାଁର ଘର, ଜମିବାଡି ଏସବୁ କଥା ବୁଝୁଥିଲା, ମୋର ଜେଜେବାପା ଜଣେ ପ୍ରତିଷ୍ଠିତ ଆଇନଜୀବି ଥିଲେ। ଜେଜେବାପାଙ୍କ ମୃତ୍ୟୁ ପରେ ଜେଜେମା ବାପାଙ୍କୁ, ଆମ ସମସ୍ତଙ୍କୁ ଘଣ୍ଟ ଘୋଡେଇ ରଖିଥିଲା, କିନ୍ତୁ ମୋ’ ବାପା ଚାଲିଗଲା ପରେ ମୁଁ ବାସ୍ତବିକ୍ଜ‍ ଅନାଥ ହୋଇଗଲି ଏବଂ ଅଭିଭାବକର ହାତର ଛାଇ ମୋ’ ମଥା ଉପରୁ ସବୁଦିନ ପାଇଁ ହଟିଗଲା। ସେଇ ତିରିଶ ବର୍ଷ ବୟସରେ ପିତୃହରା ହେବାର ଅନୁଭବ ମୋ’ କାନ୍ଧରେ ସାରା ସଂସାରର ବୋଝ ଲଦି ଦେଲା, ଯାହା ବୃତ୍ତିଗତ ଗୁରୁ ଦାୟିତ୍ୱ ସହ ବୋହି ବୋହି କ୍ରମାଗତ ଭାବେ ମୋର ମେରୁଦଣ୍ଡ ବକ୍ର ହୋଇ ଚାଲିଲା।

ମୋ’ ଜୀବନର ସବୁ ପ୍ରାପ୍ତି, ସବୁ ଅପ୍ରାପ୍ତି, ସବୁ ସୁଖ, ସବୁ ଦୁଃଖ, ସବୁ ବିପଦ ଆପଦ, ଝଡଝଞ୍ଜାରେ ମୁଁ ବାପାଙ୍କର ଅନୁପସ୍ଥିତି, ମୋ’ ମଥା ଉପରେ ତାଙ୍କର ଅଭୟ ହାତର ଅବର୍ତ୍ତମାନ ଅନୁଭବ କରିଛି। ଅନେକ ସମୟରେ ଲାଗେ, ଯେଉଁ ବୟସରେ ବାପା ଅୟସ ଆରାମ କରି ପାରିଥାନ୍ତେ ସାଂସାରିକ ଦାୟିତ୍ୱରୁ ମୁକ୍ତ ହୋଇ, ସେଇ ବୟସରେ ହିଁ ବାପା ସଂସାର ଛାଡି ଚାଲିଗଲେ। ଜୀବନଟା ସାରା ସଂସାର, ବୃତ୍ତିର ଦାୟ, ସାଧୁତା, ନିଷ୍ଠା, ଦକ୍ଷତାର ବୋଝ, ଅତ୍ୟଧିକ ସ୍ପର୍ଶକାତର ଓ ସ୍ୱାଭିମାନୀ ସ୍ୱଭାବ ଯୋଗୁଁ ବାପା ଅଳ୍ପାୟୁ ହେଲେ, ଜୀବନସାରା  କଷ୍ଟ ସହିବା ହିଁ ଥିଲା ତାଙ୍କର ନିୟତି। ଅନେକ ସମୟରେ ମନେହୁଏ ଯେମିତି ବାପାଙ୍କର ଆଉ ଅଧିକ ଦିନ ବଞ୍ଚିବାର ଇଚ୍ଛା ହିଁ ନଥିଲା।

ମୋର ସାଂସାରିକ ଓ ବୃତ୍ତିଗତ ଜୀବନରେ ଯେବେ ମୁଁ କୌଣସି ମୂଲ୍ୟବୋଧଜନିତ, ଆଦର୍ଶଗତ ଦ୍ୱିବିଧାରେ ପଡିଛି; ସେବେ ବାପା ଆସି ମୋ’ ସାଥିରେ ଦୋଛକିରେ ଛିଡା ହୋଇଛନ୍ତି, କେଉଁ ରାସ୍ତାରେ ଯିବି ବାଟ ଦେଖାଇଛନ୍ତି। ପ୍ରତିଟି ପରିସ୍ଥିତିରେ ମୁଁ ଭାବିଛି, ବାପା ଏଇ ସମାନ ପରିସ୍ଥିତିରେ ଥିଲେ କଣ କରିଥାନ୍ତେ ଏବଂ ଯେବେ ମୋତେ ଉତ୍ତର ମିଳେ ଯେ, ମୁଁ ଯାହା କରିଛି, ବାପା ବି ସେୟା କରିଥାନ୍ତେ, ସେବେ ଅଦୃଶ୍ୟ ଈଶ୍ୱର ଓ ମୋ’ ନିଜର ବିବେକ ପାଖରେ ମୁଁ କେବେ ଧର୍ମ ସଙ୍କଟରେ ପଡିନାହିଁ।

 

ପିଲାବେଳୁ ବାପାଙ୍କ ସହ ମୋର ସଂପର୍କ ଥିଲା ଖୁବ୍ ବନ୍ଧୁତ୍ୱପୂର୍ଣ୍ଣ, ଇନଫର୍ମାଲ। ମୋ’ ପିଲାଦିନ ସାରା ମୁଁ ମୋ’ ବାପାଙ୍କ ଛାତିରେ ହାତ ପକେଇ ତାଙ୍କ ଗୋଡ ଉପରେ ଗୋଡ ଲଦି ଶୋଇଛି। ମୋର ସେ ଶୋଇବାର ମୁଦ୍ରାରେ ଟିକିଏ ବ୍ୟତିକ୍ରମ ହେଲେ ମୋ’ ଆଖିରେ ନିଦ ଆସେନି।

 

ବାପା ପିଲାଦିନୁ ମୋ’ ମନରେ ଜିଜ୍ଞାସୁ ସ୍ୱଭାବ ଓ ଉତ୍କର୍ଷ ଲାଭ କରିବାର ଇଚ୍ଛା ଜାଗ୍ରତ କରିଥିଲେ। ମୁଁ ତାଙ୍କୁ ସଦାବେଳେ ଅବାନ୍ତର ପ୍ରଶ୍ନମାନ, ଯେମିତି ଟ୍ରେନ୍ଓ‍ ରାତିରେ କେଉଁଠି ଶୁଏ, ଶୀତ ହେଲେ କୁକୁର କେମିତି କମ୍ୱଳ ଘୋଡି ହୁଏ ଇତ୍ୟାଦି ଉଦ୍ଭଟ, କାଳ୍ପନିକ ଓ ହାସ୍ୟାସ୍ପଦ ପ୍ରଶ୍ନ ପଚାରିଲେ ବି ବାପା ଧୈର୍ଯ୍ୟର ସହ ସେ ସବୁ ପ୍ରଶ୍ନର ଉତ୍ତର ଦିଅନ୍ତି, କିନ୍ତୁ କେବେ ସେଥିପାଇଁ ମୋ’ ଉପରେ ବିରକ୍ତ ହୋଇ ନାହାନ୍ତି। ସେମିତି ସର୍ବଭାରତୀୟ ସେବାରେ ଯୋଗଦାନ ପାଇଁ ମୋର ପ୍ରେରଣାର ମୂଳ ଉତ୍ସ ଥିଲେ ବାପା।

 

ସେ କାଳରେ ବାପା ଆଗ୍ରା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ୍ କରିଥିଲେ। ମଧୁସୂଦନ ଆଇନ୍ ମହାବିଦ୍ୟାଳୟ, କଟକରୁ ଏଲଏଲବି ଡିଗ୍ରୀ ମଧ୍ୟ ହାସଲ କରିଥିଲେ। ଲଣ୍ଡନରେ ବାର୍-ଆଟ୍-ଲ ପଢି ବଡ ବାରିଷ୍ଟର ହେବାର ସ୍ୱପ୍ନ ଥିଲା ତାଙ୍କର। ତେବେ ସମ୍ୱଳର ଅଭାବ ଏବଂ ମାତ୍ର ବାଇଶ ବର୍ଷ ବୟରେ ବିବାହର ଉତ୍ତର ଦାୟିତ୍ୱ ତାଙ୍କୁ ନିଜର ସେ ସ୍ୱପ୍ନ ସହ ସାଲିସ୍ କରିବାକୁ ବାଧ୍ୟ କରିଥିଲା।

 

ବାପା ଥିଲେ ସ୍ୱଭାବତଃ ଗମ୍ଭୀର, ଅଳ୍ପଭାଷୀ, ନୀତିବାନ୍୍‍, କର୍ତ୍ତବ୍ୟନିଷ୍ଠ, ସତ୍ୟଶୀଳ, ସାଧୁ ଓ ସଚ୍ଚୋଟ, କିନ୍ତୁ ଅତ୍ୟଧିକ କର୍ତ୍ତବ୍ୟନିଷ୍ଠା ଏବଂ ମୂଲ୍ୟବୋଧ ଓ ଆଦର୍ଶ ପ୍ରତି ଅତିରିକ୍ତ ଅନୁରକ୍ତି ତାଙ୍କ ପାଇଁ ଆଣି ଦେଇଥିଲା ପ୍ରଚୁର ଚିନ୍ତା ଓ ମନସ୍ତାପ, ଅଶେଷ ଅବଶୋଷ ଓ ହାହାକାର। ଆଥିର୍କ ସ୍ୱଚ୍ଛଳତାର ଅଭାବ ଜୀବନସାରା ତାଙ୍କୁ ପଛକୁ ଟାଣି ଧରୁଥିଲା। ଏକକାଳୀନ ମଧ୍ୟବିତ୍ତ ଓ ମଧ୍ୟବୟସ୍କ ହେବାର କଷ୍ଟକର ଅନୁଭୂତି ସହ ଅତି ଆଦର୍ଶବାଦ ମିଶି ତାଙ୍କୁ ରୋଗଗ୍ରସ୍ତ କରି ଦେଇଥିଲା।

 

ତାଙ୍କ ଜୀବନର ଶେଷ ଦଶକ, ଯାହା ସେ ଅପେକ୍ଷାକୃତ ଅଧିକ ସ୍ୱଚ୍ଛଳତା ଓ ଆରାମ ସହ ବିତେଇ ପାରିଥାନ୍ତେ, ସେଥିରେ ବାଧକ ହୋଇଥିଲା ନାନାଦି ବ୍ୟାଧି। ଶରୀର ରୋଗଗ୍ରସ୍ତ ହେବାରୁ ତାଙ୍କର ମନୋବଳ ମଧ୍ୟ ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ ପାଇଥିଲା; ଏକ ତୀବ୍ର ଅସହାୟତା, ଚିତ୍ତ ଦୌର୍ବଲ୍ୟ ଏବଂ ତଜ୍ଜନିତ ବିଷାଦଭାବ ତାଙ୍କୁ କବଳିତ କରିଥିଲା। ସବୁବେଳେ ବାପା ଜୀବନରେ ମଧ୍ୟମ ମାର୍ଗର ଅନୁସରଣ କରିବା ପାଇଁ ଉପଦେଶ ଦେଉଥିଲେ, କିନ୍ତୁ ନିଜ ଜୀବନରେ ଯଦି ସେ ମଧ୍ୟମ ମାର୍ଗୀ ହୋଇଥାନ୍ତେ, ତେବେ ହୁଏତ ଆଜି ବି ସେ ତାଙ୍କର ଅନ୍ୟ ବନ୍ଧୁ, ସହଯୋଗୀଙ୍କ ପରି ଜୀବିତ ଥାଆନ୍ତେ ଏବଂ ତାଙ୍କର ନିର୍ଭରଯୋଗ୍ୟ ଅଭୟ ଆଶୀର୍ବାଦର ଛାୟା ମୋ’ ମୁଣ୍ଡ ଉପରେ ଉପଲବଧଗୀଙ ହୋଇଥାଆନ୍ତା।

 

ତେବେ ମରଣ ହିଁ ଜୀବନର ଚରମ ସତ୍ୟ, ‘ଜାତସ୍ୟ ହି ଧ୍ରୁବଂ ମୃତ୍ୟୁ’। ପରିପୂର୍ଣ୍ଣ ଜୀବନଟିଏ ହୁଏତ ବାପା ଜୀଇଁ ପାରିଥାନ୍ତେ, ଯଦି ସେ ନିରୋଗ, ସ୍ୱଚ୍ଛଳ, ବିଷୟ ବୁଦ୍ଧି ସଂପନ୍ନ ସଂସାରୀ ଲୋକଟିଏ ହୋଇଥାଆନ୍ତେ। ଅବଶ୍ୟ ବାପା ଯିବାର ଅଠର ବର୍ଷ ପରେ ଏମିତି ଏକ ସମ୍ଭାବନାର କଥା ଭାବିବା ହିଁ ଅପ୍ରାସଙ୍ଗିକ ଓ ଅବାସ୍ତବ। ମୋ’ ବାପା ଉତ୍ତୀର୍ଣ୍ଣ ବୟସରେ ଅଭିନୟ ଓ ନାଟକ ନିଦ୍ଦେର୍ଶନା ଛାଡି ସାହିତ୍ୟ, ଗଳ୍ପରଚନାରେ ମନୋନିବେଶ କରିଥିଲେ। ‘ଚନ୍ଦ୍ରକାନ୍ତା’ ନାମକ ଏକ ଗଳ୍ପ ସଂକଳନ ମଧ୍ୟ ରହିଛି ବାପାଙ୍କର ପ୍ରକାଶିତ କୃତି ଭାବେ।

 

ତାଙ୍କର ଭାରି ଇଚ୍ଛା ଥିଲା ଶ୍ରୀକ୍ଷେତ୍ର ପୁରୀର ବଡଦାଣ୍ଡ, ମହୋଦଧି, କଳା ଠାକୁରଙ୍କୁ ନେଇ ଏକ ଉପନ୍ୟାସ ଲେଖିବା ପାଇଁ, ଯାହାର ନାମ ହେବ ‘ଶରଧାବାଲି’। ଯେ ପର୍ଯ୍ୟନ୍ତ ବାପାଙ୍କର ସେଇ ଅସଂପୂର୍ଣ୍ଣ ଇଚ୍ଛା ମୁଁ ପୂରଣ ନ କରିପାରିଛି, ସେ ପର୍ଯ୍ୟନ୍ତ ଉଭୟ ସନ୍ତାନ ଓ ଲେଖକ ଭାବରେ ମୋ’ ମନରେ ଏକ ଗଭୀର କ୍ଷୋଭ ଓ ଅପ୍ରାପ୍ତି ରହିବ।

 

ତେବେ ‘ଶରଧାବାଲି’ ଉପନ୍ୟାସ ଲେଖିବା ବା ନ ଲେଖିବା ମୋ’ ହାତର କଥା ନୁହେଁ। ବାପାଙ୍କ ଆଶୀର୍ବାଦ ସହ ମନୁଆ ଠାକୁର ଜଗତର ନାଥ ଜଗନ୍ନାଥଙ୍କ କରୁଣା ଲାଭ ହେଲେ ହିଁ ଏ ଅକିଞ୍ଚନ ସେ ଉପନ୍ୟାସ ଲେଖିପାରିବ। ଈଶ୍ୱରଙ୍କ ପାଖରେ ଥିବା ମୋର କିଛି ବ୍ୟକ୍ତିଗତ ଅଳି, ଅନ୍ତରଙ୍ଗ ପ୍ରାର୍ଥନା ଭିତରେ ଗୋଟିଏ ଅଳି, ଗୋଟିଏ ପ୍ରାର୍ଥନା ହେଲା, ବାପାଙ୍କର କଳ୍ପିତ ସେଇ ଉପନ୍ୟାସକୁ ଜୀବନ୍ୟାସ ଦେବାର ସାମର୍ଥ୍ୟ ମୋତେ ଉପଲବଧ ହେଉ।

 

ଯେ ପର୍ଯ୍ୟନ୍ତ ଈଶ୍ୱର ସେ ସୃଷ୍ଟି ପ୍ରକ୍ରିୟାରେ ମୋର ସହାୟ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ‘ଶରଧାବାଲି’ ଉପନ୍ୟାସ ଲେଖିବା ନେଇ ମୋ’ ଉପରେ ଥିବା ପିତୃଋଣ ଅପୂର୍ଣ୍ଣ, ଅତୃପ୍ତ, ଅପରିଶୋଧିତ ରହିବ।        (ଅସରନ୍ତି ଅମରେଶ)

LEAVE A REPLY

Please enter your comment!
Please enter your name here