28.1 C
Bhubaneswar
Saturday, November 23, 2024
Homeଏକ୍ସକ୍ଲୁସିଭ୍#ବାତ୍ୟା_ଓ_ଭୁତ - #ଅରବିନ୍ଦଦାସ

#ବାତ୍ୟା_ଓ_ଭୁତ – #ଅରବିନ୍ଦଦାସ

 

ବାତ୍ୟା ଆଶ୍ରୟସ୍ଥଳୀରେ ପହଁଚି ଥିବା ପ୍ରଭାବିତ ଇଲାକାର  ସମସ୍ତ ଲୋକଙ୍କୁ ଦେଖି ବିରକ୍ତ ହୋଇଯାଇଥିଲେ ସେଠାରେ ସ୍ଥାୟୀ ଭାବେ ବାସ କରୁଥିବା ଭୁତ ଭତୁଣୀ ମାନେ।

– ଗତ କାଲିଠୁ ତାଲା ଖୋଲା ହୋଇ ସଫାସଫି ଆରମ୍ଭ ହେଲାବେଳେ ମୁଁ ଜାଣିଲି ବାତ୍ୟା ଆସୁଛି ନିଶ୍ଚୟ।ନହେଲେ ଭୁତ କୋଠି ଖୋଲିଥାନ୍ତା କାହିଁକି ?ଏଇ ଦୁଇ ତିନି ଦିନ ପାଟିଗୋଳ ହୋହାଲ୍ଲାରେ   ଭୁତ ସବୁ ବୋର ହେବ।”ହାଇ ମାରି କହିଲା ବୁଢ଼ା ଭୁତ।

– ଓଃ,ନୋ,ମୋ ସ୍ପାଇଡରମ୍ୟାନ ଡ୍ରେସଟା ଗଲା।ଘରଭିତରେ ଓହଳିଥିବା ବୁଢ଼ୀଆଣୀ ଜାଲକୁ ପିନ୍ଧି ଆମେ କେତେ ମସ୍ତି କରୁଥିଲୁ ; ଭାବିଥିଲି ଉଇକେଣ୍ଡ ରେ ସେଇ ଜାଲ ଡ୍ରେସ ପିନ୍ଧି “ଅଭେଞ୍ଜର ଏଣ୍ଡ ଗେମ”ସିନେମା ଆଇନକ୍ସ ଯିବି ବୋଲି।”ଭୁତୁଣୀଙ୍କ ଭିତରେ ଫୁଲେଇ କ୍ୟାଟ୍ରିନା କହିଲା।

– ଛାଡ଼ ସେକଥା,ଆଜି ବାତ୍ୟା ୟାସ ଆସୁଛି ବୋଲି ଲୋକ ସବୁ ଆମ ଜାଗା କ୍ୟାପଚର କରିଛନ୍ତି।ଶୋଇବାକୁ ଅସୁବିଧା।”

ବାତ୍ୟା ପାଇଁ ଆଖ ପାଖରେ ଭୁତ ଭୂତୁଣୀଙ୍କୁ ବି ସେଇ ବାତ୍ୟା ଆଶ୍ରୟସ୍ଥଳୀରେ ରହିବା ପାଇଁ ସେଠାରେ ରହୁଥିବା ଭୁତ ଭୂତୁଣୀମାନେ ନିମନ୍ତ୍ରଣ ଦେଇଥିଲେ  ।କିଛି ତଳ ମହଲାରେ ଥିଲେ ଓ ଅନ୍ୟମାନେ ଉପର ମହଲାରେ).

ସରକାରଙ୍କ ତରଫରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିଲା।ଖାଇବାକୁ ଆରମ୍ଭ କରିଥିଲେ ଲୋକେ।

– ତମେମାନେ ଆମକୁ ନିଜ ଘରକୁ ଡାକିବ, କିନ୍ତୁ ସବୁବେଳେ ସେଇ ଆହାର କେନ୍ଦ୍ର ଖାଇବା।ତମ ମାନଙ୍କ ଷ୍ଟାଣ୍ଡର୍ଡ଼ ନାହିଁ।ବର୍ଷା ପାଗରେ ଟିକେ ରମ,ହ୍ବିସ୍କି ନହେଲେ କଣ ମଜା ? “ଭୁତ ନାଇଟ କ୍ଲବ ର ବାଉଁସର ଟିକନ କହିଲା।

ବୁଢ଼ୀ ଭତୁଣୀ ମାହୀ(୧୯୯୯ ମହାବାତ୍ୟାରେ ସେ ମରିଥିଲା ବୋଲି ନିଜ ନାଁ ମାହୀ ବୋଲି ରଖିଛି) ଟିକେ ବିରକ୍ତ ହୋଇ କହିଲା,

-“ସବୁ ବାତ୍ୟାରେ, ଖାଇବା ମେନୁ ସେଇ ସମାନ ! ଖେଚିଡ଼ି ନହେଲେ ଭାତ ଡାଲମା।ସକାଳୁ ପାଉଁରୁଟି ନହେଲେ କଞ୍ଚା ଚୁଡା ଗୁଡ଼।ଏ ପାଗରେ ଚା,ପକୁଡ଼ି ହେବା ନିହାତି ଦରକାର।କିଏ ସେ ବୋରିଙ୍ଗ ଖାଇବା ଖାଇବ ?ମୁଁ ଭାବୁଛି ସେଇ ଗୋଲାପୀ ଶାଢ଼ୀ ପିନ୍ଧିଥିବା ଦିଦି ର ଟିଫିନ ଚାଖିବି।କାକରା ପିଠା ଆଣିଛି ।”

– ତା ପାଖରେ ବସିଥିବା ହେଡ଼ ମାଷ୍ଟ୍ର କୁ ଦେବ ସେ।ମାସେ ଛୁଟି ପାଇଁ ସାଂକ୍ସନ ପାଇଁ ବୁଢ଼ାକୁ ତେଲଉ ଥିଲା।”ଅନ୍ୟ ଗୋଟେ ଭୁତ କହିଲା।

– ଏବେ ଏବେ ଇଲେକ୍ସନ ସରିଛି।ଭାତ ମାଂସ ଭୋଜି ପରା ଏତେ ଖାଇଛୁ ,ପୁଣି ଲୋଭ ?” ଚିରୁଗୁଣୀ ପଦ୍ମା ପଚାରିଲା।

– ଆଲୋ ଯାହା ଦେହରେ ପଶିଲି,ତା ପେଟକୁ ଗଲା,ଆମକୁ ଖାଲି ବାସନା।ଏଇ ଦେଖୁନୁ, ରିଲିଫ ଏତେ ଆସିବ, ଖାଇବ କିଏ ,ଅଥଚ ସବୁଥର ଯାଞ୍ଚ କମିଶନ ରିପୋର୍ଟ କହିବ “ଭୁତ ଖାଇଗଲା।”ଶଃ, ଆମେ କଣ ଏତେ ଶସ୍ତା ?

ବାହାରେ ବର୍ଷା ଆରମ୍ଭ ହୋଇଯାଇଥିଲା।   ତଳ ବଖରା ର ତାଜା ଉପରେ କିଛି ଭୁତ ଅଳସ ଭାଙ୍ଗୁଥିଲେ।ସେଠାରୁ ବାହାରି  ଚେମିଣି ଭୁତୁଣୀ  ଓ ଲାଙ୍ଗୁଡ଼ିଆ ଭୁତ କହିଲେ

– କିଏ ଆମ ସାଙ୍ଗରେ ରେନ୍ ଡ୍ୟାନ୍ସ କରିବ ?ଟିପି ଟିପି ବରଷା ପାନି ଗୀତ ବଜେଇବା।ଫାଇଲିନ ଆସୁନୁ ; ବାତ୍ୟା ଭଉଣୀକୁ ଡରୁଛି କି ?”

ଅଚଳ ଫ୍ୟାନ ଉପରେ ବସିଥିବା ଭୂତୁଣୀ  ଫାଇଲିନ(ବାତ୍ୟା ଫାଇଲିନ ସମୟରେ ମରିଥିଲା ବୋଲି ନିଜ ନାଁ ଫାଇଲିନ ରଖିଛି) ଚିଡିଯାଇ କହିଲା,”ମୁଁ କାହିଁକି ଡରିବି ?କାଲି ରାତିସାରା ଆମ ହ୍ବାଟ୍ସଅପ ଗ୍ରୁପର କିଟି ପାର୍ଟି ତାଜ ସୁଇମିଙ୍ଗ ପୁଲରେ ଥିଲା।ବହୁତ ମଜା ହେଲା।ମୋତେ ଟିକେ ଇନଫେକ୍ସନ ହୋଇଛି।ତମେମାନେ ଯାଅ।”

ପଛ ପଟେ ବସିଥିବା ବୁଢ଼ା ଭୁତ କହିଲା,

-“ବାତ୍ୟାରେ ମରିଥିବା ସବୁ ଭୁତ ଭୂତୁଣୀ କଣ ନିଜ ନାଁ ବାତ୍ୟା ନାଁ ରଖିଛନ୍ତି ବୋଧେ ?”

– କିହୋ ମଉସା,ବୟସ ସହ ମୁଣ୍ଡ ବି କାମ କରୁନି କି ? ଭୁତମାନେ କେମିତି ବାତ୍ୟା ନାଁରେ ନିଜକୁ ନାମିତ କରାଇବେ ?”

– କାହିଁକି ?

– ସବୁ ବାତ୍ୟା ପରା ମହିଳାଙ୍କ ନାଁରେ।କ୍ୟାଟ୍ରିନା, ହେଲେନ,ଫାଇଲିନ,ଫନି।ଏଇ ୟାସ ବି ସେମିତି,ଅସଲରେ ୟାସ ର ଅର୍ଥ ହେଉଛି ଜଶ୍ମିନ ଫୁଲ।ଆଜି ଛକରେ ଦୁଇଜଣ ଟୋକା ଜୋକ୍ସ କରୁଥିଲେ ଯେ ଟିଭିବାଲା ଏଇ ବାତ୍ୟାକୁ ସମୁଦ୍ର କୂଳରେ ଖୋଜୁଛନ୍ତି ଓ ସବୁଦିନ ଆସୁଥିବା ଅଳ୍ପ ଢେଉ କୁ ବି ଦେଖି କହୁଛନ୍ତି  ବଡ଼ ବଡ଼ ଜୁଆର ମାଡି ଆସୁଛି ବୋଲି।ଯେମିତି ୟାସ ଚୋପ୍ରା ସିନେମାରେ ହିରୋ ହିରୋଇନଙ୍କୁ ଖୋଜେ।”

– ପାଟି ଚୁପ୍ କର।ସେଇଠି ବସିଛି ସେଇ ଟୋକା ଭୁତ।ଗତ ବାତ୍ୟାରେ ନିଉଜ କଭର କଲାବେଳେ ତା ଉପରେ ଗଛ ପଡିଯିବା ଯୋଗୁଁ ମରିଥିଲା।ତାର ଭାରି ରାଗ ଚ୍ୟାନେଲ ବାଲା ଓ ସରକାରଙ୍କ ଉପରେ।ସାମ୍ବାଦିକ,ରିପୋଟରମାନଙ୍କ ପରିବାର ର ଜଣଙ୍କୁ ଚାକିରୀ ବା ଅଧିକ କ୍ଷତିପୁରଣ ମିଳନ୍ତାନି ?ସେଇ ପା ଆମ ମିଟିଙ୍ଗ ରେ ଆଙ୍କରିଙ୍ଗ କରେ।”

ଏଇ ସମୟରେ ବାତ୍ୟା ଆଶ୍ରୟସ୍ଥଳୀ କୁ ଚାଲି ଚାଲି ଆସୁଥିବା ଜଣେ ମହିଳାଙ୍କ ସହ ଥିବା ତାଙ୍କ ଆଠ ନ ବର୍ଷର ପୁଅକୁ, ସେଠାରେ ଥିବା ଦୁଇଜଣ ସରକାରୀ କର୍ମଚାରୀ ଦୌଡିଯାଇ କାଖେଇ ଆଣିବାକୁ ଛଡା ମଡା ହେବାରୁ,ସେ ମହିଳା କହିଲା,

-ଅଧ ମାଇଲିଏ ବାଟ ସିଏ ଚାଲିକି ଆସିଲା,ଆଉ ଏଇ ଦୁଇ ପାଦ ଚାଲିକି ଯାଇପାରିବନି ?”

ସେ ପିଲାକୁ କାଖେଇ ନେଇ ଯାଇଥିବା ଲୋକ ହସିଦେଇ ଉତ୍ତର ଦେଲେ,

-ଆମେ ପରା ଲୋକଙ୍କୁ ସାହାଯ୍ୟ କରିବାକୁ ଅଛୁ।”

ଏକଥା ଦେଖି ବ୍ରହ୍ମରାକ୍ଷସ ଧୀର ସ୍ୱରରେ ଚିରୁଗୁଣୀକୁ କହିଲା,

-ମୁଁ ଆକ୍ସିଡେଣ୍ଟ ରେ ଦୁଇ ଘଣ୍ଟା ରାସ୍ତାରେ ପଡି ପଡି ମରିଗଲି,କେହି ମୋତେ ହସ୍ପିଟାଲ ନେବାକୁ ସାହାଯ୍ୟ କରିନଥିଲେ।ଆଉ ଏଇନା ଟିଭିରେ ଲାଇଭ ଟେଲି କାଷ୍ଟ ହେଉଛି ବୋଲି ଏସବୁ ଡ୍ରାମା ଚାଲିଛି।”

କିଛି ଯୁବ ଭୁତଭୂତୁଣୀ ରେନ୍ ଡ୍ୟାନ୍ସ ପାଇଁ ଚାଲିଗଲେ।

ନିକଟରେ ପ୍ରେତଲୋକ କୁ ଆସିଥିବା ଟୋକା ଭୁତ କହିଲା ବାତ୍ୟାରେ ପୁଣି କେତେ ମରିବେ ,ଭୁତ ହେବେ।”

ଠୋ ଠୋ ହସି ଭୂତ ନାଇଟ କ୍ଲବ ର କ୍ୟାବ୍ରେ ଡ୍ୟାନସର ହେଲେନ କହିଲା,

-“ସରକାର ବାତ୍ୟା ପାଇଁ ଆଗୁଆ ପଦକ୍ଷେପ ନେଇ ଲୋକଙ୍କୁ ବଞ୍ଚାଉଛନ୍ତି।ଜିରୋ କାଜୁଆଲିଟି କରି ପ୍ରାଇଜ ପାଉଛନ୍ତି।”

-କିନ୍ତୁ ଗତ ବାତ୍ୟାରେ ତ ପାହାଡ଼ ଅତଡ଼ା ଖସି ଯେଉଁମାନେ ମରିଥିଲେ, ହେଇଟି ଦେଖେ ସମସ୍ତେ ସେଇ ତାଜା ପାଖରେ ଚୁପ୍ କିନା ବସିଛନ୍ତି।ବାତ୍ୟା କଥା ଭାବି ସେମାନେ

ଡରୁଥିବେ।

– ଚୋପ୍,ଯୋ ଡ଼ରଗୟା ୱ ମରଗୟା।ଭୁତ ହେଲା ପରେ କି ଡର ?”

ଭୂତୁଣୀ ହୁଡହୁଡ ପାଖକୁ ଆସିଲା ଓ ଧୀରେ କିନା କହିଲା,

-“ସମସ୍ତେ କଣ ବାତ୍ୟାକୁ ଡରନ୍ତି ?ମୋ ବର ମିଲିଟାରୀରେ କାମ କରୁଥିଲା ।ସେଇ ବାତ୍ୟାରେ ବହୁତ ଲୋକଙ୍କୁ ଉଦ୍ଧାର କରିଛି।ଘରକୁ ଆସି ଜାଣିଲା ମୁଁ ମରି ଯାଇଛି।”

– ପୁଣି ବାହା ହୋଇଗଲା ?”

– ନା, ମୋ ମୃତ୍ୟୁ ରେ ବାୟା ହୋଇଗଲା।ସମସ୍ତେ ତାକୁ ପାଗଳ କହୁଛନ୍ତି।ମୁଁ ଅନେଇଛି ସେ କେଉଁଦିନ ମୋ ପାଖକୁ ଆସିବ।”

ଚିରଚିର ହୋଇ ହସି ପ୍ରେତିନୀ ସିଲ୍କି କହିଲା,

-“ଏବେ ଆଉ ସିରିଅସ କଥା ନାହିଁ।ବାତ୍ୟା ପବନ ବଢିଲାଣି।ଲୋକଗୁଡାକଙ୍କର କେତେ ଚିନ୍ତା।ଆମେ କିନ୍ତୁ ବିନ୍ଦାସ୍।ଭୁତ ହେବା ଢେର ଭଲ।ଏବେ ଚାଲ ପ୍ରାଇମ ଭିଡିଓ ରେ ଆଜି ପାଇଁ ଖାସ୍ ସିନେମା ଦେଖିବା।”

– କେଉଁ ସିନେମା ?

-ୟାସ ସ୍ପେଶାଲ।ୟାସ ଚୋପ୍ରା ଓ ୟାସ ଜୋହରଙ୍କ ସିନେମା।”

ସବୁ ଭୁତ ଭୂତୁଣୀ ଜୋରରେ ହସୁଥିଲେ।

– ଆସ୍ତେ କିନା ହସ, ଲୋକ ଗୁଡାକ ଡରିବେ।

ଏଇ ସମୟରେ ହଠାତ ପ୍ରାୟ ପାଞ୍ଚଶ ନୂଆ ଭୂତ ଆଶ୍ରୟସ୍ଥଳୀକୁ ପଶିଆସି କହିଲେ,

-ଆମେ କେଉଁଠି ରାତି କଟାଇବୁ ?”

ସେମାନଙ୍କୁ ଦେଖି ପୁରୁଣା ଭୂତ ଗ୍ୟାଙ୍ଗର ସର୍ଦ୍ଦାର ଚିତ୍କାର କରି କହିଲା,

-ତମେ ସବୁ କରୋନାରେ ଏବେ ମରିଛ।ତମେମାନେ ଯାଅ,ବିଭିନ୍ନ ସ୍କୁଲ,ବ୍ଲକ ଅଫିସରେ ଏଇ ବାତ୍ୟା ପାଇଁ କୋଭିଡ ରୋଗୀ ରହିବା ପାଇଁ ଯେଉଁଠି ରହିବା ବ୍ୟବସ୍ଥା ହୋଇଛି,ସେଇଠି ରହିବ।ତମର ପନ୍ଦର ଦିନିଆ କ୍ବାରେନଟାଇନ ସମୟ ସରିନି।”

ଭୁସ ଭାସ ଶବ୍ଦ କରି ଚାଲିଗଲେ ସେ ଭୂତମାନେ।

ତଳେ ଶୋଇଥିବା ଲୋକଗୁଡାକ କିଛି ଶବ୍ଦ ଶୁଣି କୁହାକୁହି ହେଉଥିଲେ,

-“ୟାସ ଲ୍ୟାଣ୍ଡଫଲ କଲା ବୋଧେ ”

#👻ଭୁତଙ୍କୁ ନେଇ ଜୋକ୍ସ !👻

କଦାପି ନୁହେଁ।🙏

😊(ଅରବିନ୍ଦ ଦାସ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking