32.1 C
Bhubaneswar
Thursday, March 28, 2024
Homeଏକ୍ସକ୍ଲୁସିଭ୍କୋଭିଡ଼ଭୂତ : ଅରବିନ୍ଦଦାସ

କୋଭିଡ଼ଭୂତ : ଅରବିନ୍ଦଦାସ

ଯମପୁରରେ ପୁଣି ବିଦ୍ରୋହ,ଗଣ୍ଡଗୋଳ!!!
ଚିତ୍ରଗୁପ୍ତଙ୍କ ରିପୋର୍ଟ ଶୁଣି ହତବାକ ହୋଇଗଲେ ଯମରାଜ।
-ପ୍ରଭୁ,ଯମପୁରରେ ରହୁଥିବା ପୁରୁଣା ଅଧିବାସୀ ଅର୍ଥାତ ପୁରୁଣା ଭୁତ,ପ୍ରେତ,ଭୁତୁଣୀ,ପ୍ରେତିନୀ ମାନେ ଗତକାଲି ଏକ ଦାବିପତ୍ର ଦେଇଛନ୍ତି।”
– କି ଦାବି ?”
– କୋଭିଡ଼ ଭୁତ,ଭୁତୁଣୀଙ୍କ ସହ ସେମାନେ ରହିବେନି।”
ଆଶ୍ଚର୍ଯ୍ୟ ହୋଇ ଯମ ପଚାରିଲେ,
-ଇୟେ କୋଭିଡ଼ ଭୁତ ପୁଣି କିଏ ?”
-କରୋନା ଯୋଗୁଁ ମୃତ୍ୟୁବରଣ କରି ଯମପୁରକୁ ଆସିଥିବା ଭୂତ ହେଉଛନ୍ତି କୋଭିଡ଼ ଭୁତ।ସେମାନଙ୍କ ଦେହରେ ସଂକ୍ରମଣ ଅଛି ଓ ତାଙ୍କ ସହ ମିଶିଲେ ଅନ୍ୟ ଭୁତ,ପ୍ରେତଙ୍କୁ ସଂକ୍ରମଣ ହେବ ବୋଲି ସେମାନେ ଭୟ କରୁଛନ୍ତି।ସେମାନଙ୍କ କିଛି ପ୍ରତିନିଧି ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି।”
   ସମ୍ମତ୍ତି ଦେଲେ ଯମରାଜ।ଭିତରକୁ ଆସିଲେ କିଛି ପୁରୁଣା ଭୁତ,ପ୍ରେତ।
– ପ୍ରଭୁ,ଏଇ କୋଭିଡ଼ ଭୁତଙ୍କୁ ଆପଣ ଅଲଗା ରଖନ୍ତୁ ଓ ।ଆମ ଇଲାକାକୁ ଆସି ଆମ ପାର୍ଟନର ଙ୍କୁ ଇଙ୍ଗିତ କରୁଛନ୍ତି ଓ ଆମକୁ ଛୁଇଁ ସଂକ୍ରମିତ କରିବାକୁ ଗୋଡାଉଛନ୍ତି।
ସେମାନଙ୍କ  ପାଇଁ କ୍ଵାରେନଟାଇନ ବ୍ୟବସ୍ଥା କରନ୍ତୁ ଓ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଲା ପରେ ଆମ ଇଲାକାରେ ରହିବା ପାଇଁ ଆମେ ଛାଡ଼ିବୁ।ନହେଲେ ଆମକୁ କରୋନା ହେବାର ଭୟ ଅଛି।”
ଭୁତଙ୍କ ପାଇଁ ପୁଣି କେଉଁ ଟେଷ୍ଟ ?ଚିନ୍ତାରେ ପଡିଲେ ଯମ।ଏଠି ତ କେବଳ,ଯମଦଣ୍ଡ।
ହସିଦେଇ ଯମ କହିଲେ,
– ହଇରେ ମୂର୍ଖ ଗଣ, ତମେମାନେ ତ ମରିକି ଭୁତ ହୋଇଛ,ଆଉ କରୋନା ହେଲେ କଣ ମଣିଷ ହୋଇଯିବ ?ଏଠି ସମସ୍ତେ ସମାନ।”
   ଆସିଥିବା ଭୁତ ପ୍ରତିନିଧିମାନେ ନିଜ ଭିତରେ ଫୁସୁରୁଫାସର ହୋଇ ଆଲୋଚନା କରି କହିଲେ,
– ଦେଖନ୍ତୁ ଯମରାଜ,ଏଠିକାର ଅଧିପତି ବୋଲି  ଆମେ ଆପଣଙ୍କୁ ସମ୍ମାନ ଦେଉଛୁ ବୋଲି ଆପଣ ଯାହା ଇଛା ସବୁ ଜିନିଷ ଆମ ଉପରେ ଲଦି ଦେଇ ପାରିବେନି।କାରଣ ଆମେ ଯମଲୋକର ପର୍ମାନେଣ୍ଟ ନାଗରିକ,ସ୍ଥାୟୀଭୁତ।ଆମକୁ ଉଚ୍ଛେଦ କରି ପାରିବେ ନାହିଁ କି ଆମ ଦାବିକୁ ଅଣଦେଖା କରିପାରିବେ ନାହିଁ।ଆମ ରହିବା,ଖାଇବା,ସ୍ବାସ୍ଥ୍ୟସେବା ଦାୟିତ୍ୱ ଆପଣଙ୍କର।ନକଲେ ….
ଉତ୍ତକ୍ଷିପ୍ତ ହୋଇ ଯମ ଚିତ୍କାର କଲେ,
-ନହେଲେ,ନକଲେ କଣ କରିବ ?”
– ଆପଣଙ୍କ  ବଦଳରେ ଆପଣଙ୍କ ପୁଅ,ସ୍ତ୍ରୀ ଅଥବା ଚିତ୍ରଗୁପ୍ତଙ୍କୁ , ନୂଆ ଯମ ଭାବେ ନିର୍ବାଚିତ କରାଇବୁ।କିମ୍ବା ଆମ ଭିତରୁ କିଏ…”
-ମୂର୍ଖ କେଉଁଠିକାର,
ଏବେ ତ ନିର୍ବାଚନ ସରିଛି।ଆଗାମୀ ପାଞ୍ଚବର୍ଷ ପାଇଁ ମୁଁ ହିଁ ତମ ଯମ।”
ପ୍ରତିନିଧିମାନେ ଚିତ୍ରଗୁପ୍ତଙ୍କୁ କିଛି କହିଲେ।
   ଚିତ୍ରଗୁପ୍ତ ପାଖକୁ ଆସି ଯମଙ୍କ କାନରେ ଧୀର ସ୍ୱରରେ କହିଲେ,
– ପ୍ରଭୁ ,ସେମାନେ ରେଫ୍ରେଣ୍ଡମ ଆଣିବାକୁ ଚାହୁଁଛନ୍ତି,ସାନି ନିର୍ବାଚନ।”
ଚମକି ପଡିଲେ ଯମ।ସାନି ନିର୍ବାଚନ !ବ୍ୟସ୍ତହୋଇ ଚିତ୍ରଗୁପ୍ତଙ୍କୁ ଅନାଇଲେ ଯମ।ଗଳା ଖଙ୍କାରି ଚିତ୍ରଗୁପ୍ତ କହିଲେ,
– ଏବେ କରୋନା ସମୟ,ଖର୍ଚ୍ଚ କାଟ ର ସମୟ।ନିର୍ବାଚନରେ ବହୁତ ଖର୍ଚ୍ଚ ହେବ।ତେଣୁ ପ୍ରଭୁ ତମମାନଙ୍କ କଥା ବିଚାର କରିବେ।”
– ଆଗେ ଆପଣ ସେ କୋଭିଡ଼ ଭୁତଙ୍କ ବ୍ୟବସ୍ଥା କରନ୍ତୁ।”
ଚାଲିଗଲେ ପୁରୁଣା ଭୁତଙ୍କ ପ୍ରତିନିଧିମାନେ।
   ଯମ ଚିନ୍ତାରେ ପଡିଲେ।କିଛି ସମୟ ପରେ ଚିତ୍ରଗୁପ୍ତ କହିଲେ,
– ପ୍ରଭୁ,କୋଭିଡ଼ ଭୁତଙ୍କ ପ୍ରତିନିଧିମାନେ ଆସିଛନ୍ତି ଆପଣଙ୍କୁ ଭେଟିବା ପାଇଁ।ଟିକେ ଦୁରେଇ ରହି,ମୁହଁରେ ମାସ୍କ,ଦେହରେ ପି.ପି.ଇ କିଟ ପିନ୍ଧି ଆପଣ କଥାବାର୍ତ୍ତା କରିବେ।”
– କିହୋ,ଏମାନେ ତ ଭୁତ,ବାୟବୀୟ।ପବନ ଭଳି।ମଣିଷ ଶରୀର ତ ନାହିଁ ,ତେଣୁ ଭୁତାଣୁ ଏଠି ବ୍ୟାପିବ କେମିତି ?”
– ପ୍ରଭୁ,ଏବେ ଏ କରୋନା ବାୟବୀୟ,ଅର୍ଥାତ ପବନ ରେ ହିଁ ସଂକ୍ରମଣ ବ୍ୟାପୁଛି ବୋଲି ପୃଥିବୀରେ ରିପୋର୍ଟ ଆସିଛି।”
ତରବର ହୋଇ ଯମରାଜ ସବୁ ପିନ୍ଧି ବସିଲେ ।ଭିତରକୁ ଆସିଲେ କୋଭିଡ଼ ଭୁତଙ୍କ ପ୍ରତିନିଧି।ଜଣେ ସୁନ୍ଦରୀ ଭୁତୁଣୀ,
-ପ୍ରଭୁ ,ଆପଣ ଆମକୁ ଦୟା କରନ୍ତୁ।ଆମକୁ ନ୍ୟାୟ ଦିଅନ୍ତୁ।”
– ତମ ସହିତ କଣ ଅନ୍ୟାୟ ହୋଇଛି ?ଏଠି ସମସ୍ତଙ୍କ ସହ ନ୍ୟାୟ ହିଁ ହୁଏ।”
 ଅନ୍ୟ ଜଣେ କୋଭିଡ଼ ଭୁତ ସାମ୍ନାକୁ ଆସି କହିଲା,
– ଆମକୁ ସେଇ ପୁରୁଣା ଭୁତ ମାନେ ଏକ ଘରକିଆ କରୁଛନ୍ତି।ପୂର୍ବରୁ ସେମାନଙ୍କ ଇଲାକାରେ ଥିବା ଆମ ମୃତପ୍ରେମିକା,ପ୍ରେମିକ,ସ୍ତ୍ରୀ,ସ୍ୱାମୀ ଙ୍କ ସହ
 ମିଶିବାକୁ ଦିଆଯାଉନି।ଦୁଃଖର କଥା ହେଉଛି,ଆମେ କରୋନାରେ ମରିଛୁ ଜାଣି,ଆମ ପ୍ରେମିକ,ପ୍ରେମିକା,ସ୍ୱାମୀ,
ସ୍ତ୍ରୀ ଅନ୍ୟ କୋଭିଡ଼ ସଂକ୍ରମିତି ହୋଇ ନଥିବା
ଅନ୍ୟ ପାର୍ଟନର ଙ୍କ ସହ ରହିବାକୁ ପସନ୍ଦ କରୁଛନ୍ତି।ଏହା ଅନ୍ୟାୟ।ସେମାନେ ସ୍ଥାୟୀଭୁତ।ଆମେ ନୂଆ ଆସିଛୁ,ଭୁତ ନାଗରିକତା ପାଇଁ ଆପ୍ଲାଇ କରିଛୁ।।’
ହସିଦେଇ ଯମ କହିଲେ,
– ଏହା ତମ ବ୍ୟକ୍ତିଗତ ମାମଲା।ଯମ ପୁରରେ କିଛି ଅନ୍ୟାୟ ହୋଇଛି କି ?”
ଅନ୍ୟ ଦୁଇଜଣ କୋଭିଡ଼ ଭୁତ ସାମ୍ନାକୁ ଆସି କହିଲେ,
– ଘୋର ଅନ୍ୟାୟ ହୋଇଛି ପ୍ରଭୁ।ଆମକୁ ଏଠାର ଜଣେ ବାବା କୋଭିଡ଼ ପ୍ରତିଷେଧକ ବୋଲି “କରୋସିଲ-ପିଲ୍”ବୋଲି ଆପଣଙ୍କ ମଇଁଷି ର ଗୋବର ଓ ମୁତ ପିଆଉଛନ୍ତି।ସେ କାଳେ ଆପଣଙ୍କର ପାଖଲୋକ।ଆପଣଙ୍କ ଯମଦୂତ ମାନେ ଆମର ସ୍ବାପ,ବ୍ଲଡ଼ ଟେଷ୍ଟ କରିବାକୁ ନେଇ ଶୁଳିରେ ବସାଉଛନ୍ତି ଓ କହୁଛନ୍ତି ପନ୍ଦର ଦିନ ପରେ ରିପୋର୍ଟ ଆସିବ।ଚିନ୍ତା କରନ୍ତୁ,ସେଠି ପୃଥିବୀରେ କେତେ ହିନସ୍ତା ହୋଇ ମଲୁ, ମଇଳା ଗାଡ଼ିରେ ଆମକୁ ନେଇ କୁକୁର ବିଲେଇ ଭଳି ଗାତ କରି ପୋତିଲେ ନହେଲେ ଅଧାଜଳା କରି ଛାଡ଼ିଲେ।ନିଜ ଲୋକ କେହି ପାଖକୁ ଆସିଲେନି କି ଆମେ କାହାକୁ ଦେଖିପାରିଲୁନି।ମଲା ପୂର୍ବରୁ ବି ଯମଦୂତଙ୍କ ହାତରେ ଓ ମଲା ପରେ ବି ଯମଦୂତ।”
ଟିକେ ଚିନ୍ତା କରି ଯମ କହିଲେ,
– ଏଠି କେବଳ ମୋ ନିୟମ ଚାଲେ।ଭୁତଙ୍କ ଡିମାଣ୍ଡ ନୁହେଁ।ଚୁପଚାପ ଏଇଠି ରୁହ।”
  କୋଭିଡ଼ ଭୁତମାନଙ୍କ ଦୁଇ ପ୍ରତିନିଧି ଚିତ୍ରଗୁପ୍ତଙ୍କୁ କହିଲେ,
– ଆମେ ଆପଣଙ୍କୁ କିଛି ଦେଖାଇବାକୁ ଚାହୁଁଛୁ।ଆମକୁ ବା ଆମ ଜିନିଷ ତ ଛୁଇଁବେନି ଆପଣ।ତେଣୁ ହ୍ବାଟ୍ସପ୍ ରେ ପଠାଉଛୁ,ଦେଖନ୍ତୁ।”
ହ୍ବାଟସ ଅପ ରେ ଭିଡିଓ କ୍ଲିପ ଟି ଦେଖି ଚିତ୍ରଗୁପ୍ତ ଯମଙ୍କ ପାଖକୁ ଆସି ଧୀର ସ୍ୱରରେ କହିଲେ,
– ପ୍ରଭୁ ,ସେମାନଙ୍କ ପାଖରେ ଆପଣଙ୍କ ଭିଡିଓ କ୍ଲିପ ଅଛି।ତାକୁ ଭାଇରାଲ କରିବାକୁ କହୁଛନ୍ତି।”
-କେଉଁ ଭିଡିଓ ?”
-ଲକଡାଉନ ସମୟରେ ମର୍ତ୍ତ୍ୟରୁ ଏଇ କୋଭିଡ଼ ଭୂତଙ୍କୁ  ଆଣିବା କାମ ତଦାରଖ କରିବାକୁ ଯାଇ,ଲୋଭ ସମ୍ଭାଳି ନପାରି ସେଠାରେ ଚୋରାରେ ଖୋଲାଥିବା ଡ୍ୟାନ୍ସ ବାରରେ ଆପଣ ମଦିରାପାନ କରିଥିଲେ ବୋଧେ;, କିଛି ବାରବାଳାଙ୍କ ସହ ଆପଣଙ୍କ କିଛି ନିହାତି ଗୋପନୀୟ ,ଅନ୍ତରଙ୍ଗ ମୁହୂର୍ତ୍ତ ସୁଟିଙ୍ଗ ହୋଇଛି।ଏକଦମ ହଟ ସିନ।ଏହା ଯଦି ଆପଣଙ୍କ ସ୍ତ୍ରୀଙ୍କ ହାତରେ, ଆଖିରେ  ପଡ଼ିଲା,ତେବେ ଚଉଦ ବର୍ଷ ପାଇଁ ପୃଥିବୀକୁ କ୍ବାରେନଟାଇନରେ ଯାଇ ପାରନ୍ତି ଆପଣ,କିମ୍ବା କୋଭିଡ଼ ଭୁତଙ୍କ ସହ ରହିବାକୁ ପଡିପାରେ ଆପଣଙ୍କୁ।”
ଚମକିପଡିଲେ ଯମ।ତାଙ୍କୁ ବ୍ଲାକମେଲ! ମଣିଷ ପ୍ରକୃତି ଛାଡ଼ିପାରିବେନି ଏଇ ଭୁତ ଗୁଡାକ ।
ଛେପ ଢ଼ୋକି କହିଲେ,
-କାହାର ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ ଠିକ ନୁହେଁ।ସେ ଅରିଜିନାଲ ଭିଡିଓ କ୍ଲିପ ମୋତେ ଦିଅ ଓ ଅନ୍ୟ କପି ସବୁ ଡିଲିଟ କର।”
– ଆଗେ ଆମ ବ୍ୟବସ୍ଥା କରନ୍ତୁ।ତା ପରେ ଭିଡିଓ ଦେବୁ।’
ଚାଲିଗଲେ କୋଭିଡ଼ ଭୁତଙ୍କ ପ୍ରତିନିଧି।
– ଏ କୋଭିଡ଼ ଭୁତ ଗୁଡାକ ସତରେ ଡେଞ୍ଜର।ଏବେ କଣ କରିବା ?ମହାସମସ୍ୟା ଏବେ।”ଚିତ୍ରଗୁପ୍ତଙ୍କୁ ପଚାରିଲେ ଯମ।
ମୃଦୁ ହସି ଚିତ୍ରଗୁପ୍ତ କହିଲେ,
– ଆପଣ ବି ରାଜନୀତି ଶିଖନ୍ତୁ ପ୍ରଭୁ।ଜାତି,ଧର୍ମ ନାଁରେ ପୃଥିବୀରେ ଯେଭଳି ଲୋକଙ୍କୁ ଅଲଗା କରି ରାଜନୀତି କରି ଲୋକେ ରାଜଗାଦିରେ ବସୁଛନ୍ତି,ଆପଣ ବି ସେମିତି କରନ୍ତୁ।କୋଭିଡ଼ ଓ ଅଣ କୋଭିଡ଼ ଦୁଇ ଗୋଷ୍ଟିରେ ଆମେ ବାଣ୍ଟି ଦେବା ଏଇଭୂତଙ୍କୁ।ଗୋଟେ ଇଲାକାକୁ କୋଭିଡ଼ ପୁର ଭାବେ ନାମିତ କରି ସେଇଠି ରଖିବା କୋଭିଡ଼ ଭୂତଙ୍କୁ।ସେମାନେ ଲଢନ୍ତୁ ନିଜ ନିଜ ଭିତରେ।ଆପଣଙ୍କ ଗାଦି ସୁରକ୍ଷିତ।”
– କେତେଦିନ ଅଲଗା ରହିବେ ଏମାନେ ?”
-ଯେତେଦିନ ଯାଏଁ ଟୀକା ବା ଔଷଧ ନବାହାରିଛି ।ଆପଣ ବ୍ୟସ୍ତ ହୁଅନ୍ତୁନି,କରୋନା ସରିଲେ ପୁଣି କେଉଁ ନୂଆ ଭୁତାଣୁ ଆସିବ।ତେବେ ଆହୁରି ବଡ଼ ଭୁତାଣୁ ହେଉଛି ଅସହିଷ୍ଣୁତା,ଜାତିଆଣ ଭାବ,ରଙ୍ଗ ଭେଦ,ଧର୍ମ ନାଁ ରେ ଦଙ୍ଗା ,ହିଂସା ଓ ଏସବୁ ପଛରେ ଥିବା ସବୁଠୁ  ବଡ଼ ଭୁତାଣୁ ରାଜନୀତି।”
ହସୁଥିଲେ ଯମ।
-ଏ କୋଭିଡ଼ ଭୁତ ଆମ ଆଖି ଖୋଲିଦେଲେ।ତେବେ ଚିତ୍ରଗୁପ୍ତ ସତରେ କଣ କେବେ ମୋତେ ହଟାଇ ତମକୁ ଯମ ଗାଦିରେ ବସାଇପାରିବେ ଏଇ ଭୁତମାନେ ?
ନିଜ ହସକୁ ଚାପି ଚିତ୍ରଗୁପ୍ତ କହିଲେ,
– କୋଭିଡ଼ ରୋଗୀ ହେଉ କି କୋଭିଡ଼ ଭୂତ,ସେମାନଙ୍କ ସେବା,ଯତ୍ନ,ଥଇଥାନ ବ୍ୟବସ୍ଥା ରାଜାଙ୍କ ଦାୟିତ୍ୱ।ନିଜ ପ୍ରଜା ଓ ସହଯୋଗୀଙ୍କ କଥା ବିଚାର ନକଲେ,ରାଜନୀତିରେ କଣ ଅସମ୍ଭବ ପ୍ରଭୁ ?”
   ଚମକି ପଡିଲେ ଯମ।ଚିତ୍ରଗୁପ୍ତ ହାତରେ ତାଙ୍କ ଭିଡିଓ କ୍ଲିପ।ତାଙ୍କୁ ଲାଗିଲା ଚିତ୍ରଗୁପ୍ତଙ୍କ ବଦଳରେ ଯେମିତି ତାଙ୍କ ସାମ୍ନାରେ ବସିଛି ଗୋଟେ କୋଭିଡ଼ ଭୂତ।
(©ଅରବିନ୍ଦଦାସ)
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking