#** *✍ ଦାୟାଦ 🙏* **##🔹 ★★★★ *ଅରବିନ୍ଦଦାସ*

– ଆପଣ ମୃତ ବ୍ୟକ୍ତିଙ୍କ ଦାୟାଦ ହିସାବରେ ଏଇଠି ଦସ୍ତଖତ କରନ୍ତୁ।”

– କିଛି ସମୟ ପୂର୍ବରୁ ହସ୍ପିଟାଲ ରେଜିଷ୍ଟରରେ ଦସ୍ତଖତ କଲାବେଳେ ମନୋଜ’ର ମୁଣ୍ଡ କାମ କରୁନଥିଲା।

– ହସ୍ପିଟାଲ ର ପାହାଚ ଉପରେ ଗୋଟେ ପଥର ମୂର୍ତ୍ତି ଭଳି ବସିଥିଲା ମନୋଜ।

– କିଛି ସମୟ ପୂର୍ବରୁ ହେଲ୍ପ ଡେସ୍କ କାଉଣ୍ଟରରେ ବସିଥିବା ଲୋକଟି ତାକୁ ମର୍ମାନ୍ତିକ, ଦୁଃଖଦ ଖବର ଟି ଶୁଣାଇ କହିଥିଲା,

– ଆପଣଙ୍କ ବାପା ଆଜି ଭୋର ପାଞ୍ଚଟା ରେ ଚାଲିଗଲେ।”

– ପ୍ରଥମେ ଖବର ଟିକୁ ବିଶ୍ବାସ କରିପାରିଲାନି ମନୋଜ। ବ୍ୟସ୍ତ ହୋଇ ସେ କହିଲା,

– ସାର ଭଲକରି ଚେକ କରନ୍ତୁ, ମୋ ବାପା ଗତିକୃଷ୍ଣ ନାୟକ, ଆଇ ସି ୟୁରେ ଥିଲେ। ଗତ କାଲି ରାତିରେ ମୁଁ ଘରକୁ ଯିବା ପୂର୍ବରୁ ସେ ଏକଦମ ଭଲ ଅଛନ୍ତି ବୋଲି ତ ମୋତେ କୁହାଯାଇଥିଲା।”

– ଲୋକଟି ଟିକେ ବିରକ୍ତ ହୋଇ ଉତ୍ତର ଦେଲା,

– ଦେଖନ୍ତୁ, ଏଇଟା କୋଭିଡ ହସ୍ପିଟାଲ ଓ ଏଠାରେ ଆଡ଼ମିଟ ହୋଇଥିବା ରୋଗୀ କେତେବେଳେ ସିରିଅସ ହୋଇ ମରିବେ ତାହା କେହି ଜାଣି ନାହାନ୍ତି। ସକାଳବେଳା ଡ୍ୟୁଟିରେ ଥିବା ଡାକ୍ତର ଆସିଲେ ଡେଥ ସାର୍ଟିଫିକେଟ ଦେଲାପରେ, ଆଡ଼ମିନିଷ୍ଟ୍ରେସନ ବିଭାଗରୁ ସେଇଟା ତମେ କଲେକ୍ଟ କରି ଶ୍ମଶାନ ଯିବ।”

– ମନୋଜ କାନ୍ଦ କାନ୍ଦ ହୋଇ କହିଲା,

– ଆପଣ ଦୟାକରି ଆଉଥରେ ଚେକ କରନ୍ତୁ। ହୁଏତ କିଛି ଭୁଲଭାଲ ହୋଇଥିବ। ଅନ୍ୟକେହି ଗତିକୃଷ୍ଣ ନାଁ ଵାଲା ଲୋକ ଆଡ଼ମିଟ ହୋଇଥିବେ।”

– ସେମିତି ଭୁଲ ହେବନି। ଆଇ ସି ୟୁ ରେ ମୃତ ପେସେଣ୍ଟଙ୍କ ବେଡ଼ ଓ ନାଁ, ଠିକଣା, କଣ୍ଟାକ୍ଟ ନମ୍ବର ସବୁ ଠିକ କରି ଯାଞ୍ଚ ହୋଇ ବଡ଼ି, ସେମାନଙ୍କ ଦାୟଦଙ୍କୁ ହସ୍ତାନ୍ତର କରାଯାଏ।ଆପଣଙ୍କ ବାପା ଆଉ ନାହାନ୍ତି।ଆମ ରେକର୍ଡ ତାହା ହିଁ କହୁଛି।”

– ନିଜ କୋହ ସମ୍ଭାଳି ମନୋଜ ପୁଣି ପଚାଟିଲା,

– ବଡ଼ି ମୁଁ ଆମ ଗାଁକୁ ନେଇ ପାରିବି? ଦାହ ସଂସ୍କାର ପାଇଁ?”

– ନା, ଏଠୁ କାଗଜପତ୍ର ଧରି ଆପଣ ସିଧା ଶ୍ମଶାନ ଯିବେ ଓ କୋଭିଡ ପ୍ରୋଟୋକଲ ଅନୁଯାୟୀ ଏଠୁ ଆମ୍ବୁଲାନ୍ସ ରେ ବଡ଼ି ଶ୍ମଶାନ ଗଲାପରେ ଦାୟାଦ ହିସାବରେ ସେଠି ଶେଷକ୍ରିୟା କରିବେ। ପ୍ଲିଜ ଏଠୁ ଯାଆନ୍ତୁ, ସୋସିଆଲ ଡିଷ୍ଟାନ୍ସ ରଖନ୍ତୁ; ଦେଖନ୍ତୁ ଆପଣଙ୍କ ପଛରେ କେତେ ବଡ଼ ଲାଇନ ଲାଗିଗଲାଣି। କାଲି ପନ୍ଦର ଜଣ ଲୋକ ମରିଛନ୍ତି।”

– ମନୋଜ ଆଖିରୁ ଲୁହ ଶୁଖିଯାଇଥିଲା। ସେ ଜାଣିପାରୁନଥିଲା ଗାଁକୁ ଫେରି ବୋଉକୁ ଓ ପରିବାରର ଅନ୍ୟମାନଙ୍କୁ କଣ ଉତ୍ତର ଦେବ। ଅନେକ ସମୟ ବିତିଯାଇଥିଲା। ବାପାଙ୍କ ବଡ଼ି ତାକୁ ମିଳିନଥିଲା। ହସ୍ପିଟାଲର ଅନ୍ୟଜଣେ କର୍ମଚାରୀ ଙ୍କୁ କାକୁତି ମିନତି ହୋଇ କହିଲା,

– ମୋ ବାପାଙ୍କ ମୁହଁଟା ଶେଷଥର ଟିକେ ଦେଖିପାରିବି?”

– କ୍ରୁର ସ୍ୱରରେ ଉତ୍ତର ଆସିଲା,

-ନା, କୋଭିଡ ପ୍ରୋଟୋକଲ ରେ ସେ ବ୍ୟବସ୍ଥା ନାହିଁ। ପ୍ୟାକ ହୋଇଥିବା ବଡ଼ି ରେ ଟ୍ୟାଗରେ ଲେଖାହୋଇଥିବା ନାଁ ଅନୁସାରେ ଆପଣଙ୍କୁ କାଚ ବାହାରୁ ଦେଖାହୋଇ ଆମ୍ବୁଲାନ୍ସ ରେ ପଠାହେବ। ଦୂରରୁ ଦେଖିବେ।ଆଉ ହଁ, ପି ପି ଇ କିଟ ଗୋଟେ ସାଙ୍ଗରେ ନେଇ ଶ୍ମଶାନ ଯିବେ, ଶେଷକ୍ରିୟା ପାଇଁ।”

– ଆଉ କେତେ ସମୟ ଲାଗିବ?ଛ ଘଣ୍ଟା ହେଲାଣି ମୁଁ ଅପେକ୍ଷା କରିଛି।”

– ଖାଲି ତମେ ନୁହେଁ, ଅନ୍ୟମାନେ ବି ଅପେକ୍ଷା କରିଛନ୍ତି। ଆମ୍ବୁଲାନ୍ସ ସବୁ ରୋଗୀଙ୍କୁ ଆଣିବା ପାଇଁ ଯାଇଛନ୍ତି, ଲୋକଙ୍କ ଜୀବନ ବଞ୍ଚାଇବା ଆମ ପ୍ରାଥମିକତା।ନହେଲେ ରୋଗୀଙ୍କ ସମ୍ପର୍କୀୟ ମାନେ ହଙ୍ଗାମା କରୁଛନ୍ତି। ଡେଡ଼ ବଡ଼ି ତ କେତେବେଳେ ବି ଶ୍ମଶାନ ଯାଇପାରିବ। ଏବେତ ଅନେକ ମୃତବ୍ୟକ୍ତିଙ୍କ ଦାୟାଦ ବି ବଡ଼ି ନେବାକୁ ଆସୁନାହାନ୍ତି।ଆଜିକାଲି ରୋଗୀଙ୍କ ସମ୍ପର୍କୀୟ ଓ ଦାୟଦଙ୍କୁ ସମ୍ଭାଳିବା ସତରେ ବଡ଼ କଷ୍ଟ।”

– ପାଣି ବୋତଲ ରୁ ଢ଼ୋକେ ପାଣି ପିଇ ପାହାଚ ଉପରେ ପୁଣି ବସିଲା ମନୋଜ। ଆମ୍ବୁଲାନ୍ସରେ ଶବ ଲଦା ହେଉଥିବା ଦେଖି ସେ ଦୌଡ଼ିଗଲା ଓ ପଚାରିଲା,

– ଏ ବଡ଼ି ଭିତରେ ମୋ ବାପା ଗତି କୃଷ୍ଣ ବାବୁଙ୍କ ଲାସ ଅଛି କି?”

– ଆମ୍ବୁଲାନ୍ସ ଡ୍ରାଇଭର କହିଲା,

– ତମ ନାଁ ଡ଼କାହେଲେ ଆସିବ।ଏକାଥରକେ ଚାରୋଟି ରୁ ପାଞ୍ଚଟି ଲାସ ନେଇ ଗାଡି ଶ୍ମଶାନ ଯିବ। ସେଠି ବଡ଼ି ହ୍ୟାଣ୍ଡଓଭର ହେବ।”

– ଚମକି ପଡିଲା ମନୋଜ।ଏକାଥରକେ ଚାରି, ପାଞ୍ଚ ଲାସ !!! ମୃତ ବ୍ୟକ୍ତିଙ୍କୁ ଏମିତି ଅସମ୍ମାନ ! କିଏ ଶୁଣୁଛି ଏ ସବୁ।ସେ ବା ତା ବାପା ତ ଭିଆଇପି ନୁହଁନ୍ତି। କେଉଁ ମନ୍ତ୍ରୀ, ଅଫିସରଙ୍କ ବଡ଼ି କଣ ଏମିତି ଆଳୁ ପିଆଜ ବସ୍ତା ଭଳି ବୁହାହୁଏ !! ତେବେ ଯାହାହେଉ ଗାଡ଼ିରେ ଲାସକୁ ଶ୍ମଶାନ ଯାଏଁ ନେଉଛନ୍ତି, ସେତକ ଦୟା।

ମନୋଜ ନାଁ ଡ଼କାହେଲା।

– କଳା ପଲିଥିନ ରେ ଗୁଡା କିଛି ବଡ଼ି ଆମ୍ବୁଲାନ୍ସରେ ଲଦା ହେଲା ପୂର୍ବରୁ ତାକୁ କୁହାଗଲା,

– ସେଇଟା ତମ ବାପାଙ୍କ ବଡ଼ି।ଟ୍ୟାଗ, ଟୋକନ ଲାଗିଛି। ତମ ପାଖରେ ଥିବା କାଗଜ ଶ୍ମଶାନ ରେ ସବମିଟ କରିବ।”

ଗୋଟେ ଅଟୋରେ ମନୋଜ ଆମ୍ବୁଲାନ୍ସ ପଛେ ପଛେ ଗଲା।ଅଟୋ ଡ୍ରାଇଭର କହୁଥିଲା,

– ଆପଣଙ୍କ ବାପା ଭାଗ୍ୟବାନ ଯେ ମୁଖାଗ୍ନି ଦେବାପାଇଁ ଆପଣ ଯାଉଛନ୍ତି। ନହେଲେ ମୁଁ ଦେଖିଛି ଅନେକ ଲାସ ପାଇଁ ପରିବାରର କେହି ଯାଉନାହାନ୍ତି। ଭୟ ଅଥବା ଟଙ୍କା ଖର୍ଚ୍ଚ କିମ୍ବା କାହିଁକି ଆଉ ଝାମେଲାରେ ପଶିବା କଥା ବୋଧେ ନିର୍ଲଜ ଦାୟାଦ ମାନେ ଚିନ୍ତା କରୁଥିବେ। ମୋ ବାପା ମଲା ପୂର୍ବରୁ ମୋତେ କହିଥିଲେ, ମୋତେ ବାସି ମଡା କରିବୁନିରେ। ବାପାଙ୍କ ଶେଷ କ୍ରିୟା କରିବା ଯେ ଆମର କର୍ତ୍ତବ୍ୟ ତାହା ଆମେ ଭୁଲିଯାଉଛୁ।”

– ନିଜ ଲୁହ ପୋଛି ଅଟୋ ବାଲାକୁ ଅନାଉଥିଲା ମନୋଜ।

ଶ୍ମଶାନରେ ସେ ଆଗୁଆ ପହଞ୍ଚି ଆମ୍ବୁଲାନ୍ସ କୁ ଅପେକ୍ଷା କରିଥିଲା। ଏତେ ଭିଡ଼ ଏଠି !!ଏତେ ଆମ୍ବୁଲାନ୍ସ !! ଏତେ ଲୋକ ମରିଛନ୍ତି ଗତକାଲି? ଖବରକାଗଜ ରେ ତ ଏତେ ଲୋକ ମରୁଛନ୍ତି ବୋଲି ବାହାରୁନି। ଅଟକୁ ଥିବା ବିଭିନ୍ନ ଆମ୍ବୁଲାନ୍ସ ନିକଟକୁ ଦୌଡୁଥିଲା ମନୋଜ, ଅନ୍ୟ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ମାନଙ୍କ ସହିତ।ଶେଷରେ ବାପାଙ୍କ ବଡ଼ି ଥିବା ଆମ୍ବୁଲାନ୍ସ ପହଞ୍ଚି ଥିଲା।

ଶ୍ମଶାନରେ ଅପେକ୍ଷା କରିଥିଲା ମନୋଜ ନିଜ ପାଳିକୁ।ଭୋକରେ ପେଟ କଁ କଁ ହେଉଥିଲା। ରାତି ହୋଇଯାଇଥିଲା, ଜଳୁଥିବା ଚିତା ମାନଙ୍କ ନିଆଁରେ ଚାରିଆଡ଼ ଖୁବ ଆଲୋକିତ ହୋଇଯାଇଥିଲା। ତାର ମନେପଡୁଥିଲା ଟିଭିରେ କିଏ କହୁଥିଲା, ଏବେ ସରକାର ଚାରିଆଡେ ଆଲୋକର ବ୍ୟବସ୍ଥା କରିଛନ୍ତି। ସତରେ ଏହାଠୁ ଭଲ ଆଲୋକ ବ୍ୟବସ୍ଥା ଆଉ କଣ ହୋଇପାରେ ! ମନୋଜର ପାଳି ସବା ଶେଷରେ ପଡିଥିଲା। ରାତି ଅନେକ ହୋଇଯାଇଥିଲା। ଧୀର ପାଦରେ ଯାଇ ମନୋଜ ଠିଆ ହେଲା ଜୁଇ ପାଖରେ। ଚିତାରେ ଅଗ୍ନି ସଂଯୋଗ କଲା ପୂର୍ବରୁ ସେ ସେଠାରେ ଥିବା କର୍ମଚାରୀ ଓ ବ୍ରାହ୍ମଣ ଙ୍କୁ ଅନୁରୋଧ କଲା, ଶେଷଥର ପାଇଁ ବାପାଙ୍କ ମୁହଁ ଟିକେ ଦେଖିବା ପାଇଁ। ସେମାନେ ମନା କରୁଥିଲେ, ତେବେ ଶେଷ ଲାସ ହୋଇଥିବାରୁ ଓ ଆଉ କୌଣସି ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ସେଠାରେ ଉପସ୍ଥିତ ନଥିବାରୁ ପଲିଥିନ ଭିତରୁ ମୁହଁ ଟା ଦେଖାଇଲେ।

ଲାସ କୁ ଦେଖି ଚମକି ପଡିଲା ମନୋଜ। ସେ ଚିତ୍କାର କଲା,

– ଇୟେ ମୋ ବାପାଙ୍କ ଲାସ ନୁହେଁ। “ବାରମ୍ବାର ସେ କଥାକୁ ଦୋହରାଉ ଥିଲା। ଶ୍ମଶାନ ରେ ଥିବା କାଉଣ୍ଟରକୁ ଦୌଡ଼ିଯାଇ ସେଠାର ଖାତା ଚେକ କଲା।

– ଦେଖନ୍ତୁ, ଏଠି ଆମେ କେବଳ ଆସିଥିବା ଲାସର ଡିଟେଲ ଲେଖୁ। ମୃତ ବ୍ୟକ୍ତି ବିଷୟରେ ଖୋଳ ତାଡ଼ କରୁନା।”

ହସ୍ପିଟାଲ କୁ ବି ଫୋନ କଲା ମନୋଜ। ସେପଟୁ ଉତ୍ତର ଆସିଲା,

– ଶ୍ମଶାନରେ ହୁଏତ ବଡ଼ି ଏପଟ ସେପଟ ହୋଇଯାଇଥିବ କିମ୍ବା ଟ୍ୟାଗ ଲଗାଇଲା ବେଳେ ଭୁଲ ହୋଇଥିବ। କିନ୍ତୁ ଆପଣଙ୍କ ବାପାଙ୍କ ଲାସ ଆଜି ଶ୍ମଶାନ ଯାଇଛି।”

– ପଥର ହୋଇଯାଇଥିଲା ମନୋଜ। ବାପାଙ୍କ ବଡ଼ି କୁଆଡେ ଗଲା? ଚିତା ଉପରେ ଥିବା ଏ ଲୋକର ଦାୟାଦ କିଏ !ସେ ବହୁତ କ୍ଲାନ୍ତ ହୋଇଯାଇଥିଲା। ଦେହ ହାତ ଅବଶ ହୋଇଯାଉଥିଲା।ପୁଣିଥରେ ହସ୍ପିଟାଲ ଯାଇ ସେଠି ଝଗଡା କରିବାକୁ ତାର ସାହାସ, ବଳ ନଥିଲା।

– ପଛରେ ଠିଆ ହୋଇଥିବା ଶ୍ମଶାନ କର୍ମଚାରୀ ଜଣଙ୍କ କହୁଥିଲା,

– ଦେଖନ୍ତୁ, ହୁଏତ ଆପଣଙ୍କ ବାପାଙ୍କ ବଡ଼ି କୁ ଆଉ କିଏ ମୁଖାଗ୍ନି ଦେଇଥିବ ଅଥବା ଲାୱାରିସ ଲାସ ହିସାବରେ ଆମେ ଅଥବା କୌଣସି ସ୍ବେଛାସେବୀ ଲୋକ ମୁଖାଗ୍ନି ଦେଇଥିବେ। ଆଜିକାଲି ଏମିତି ବହୁତ ହେଉଛି। ଏ ଲୋକ ର କେହି ନାହାନ୍ତି ବୋଧେ। ଆପଣ ଚାହିଁଲେ…

– କିନ୍ତୁ ମୋ ବାପା….

– ହେଇ ସେଠିକୁ ଦେଖନ୍ତୁ। ଲାସ କଥା କଣ କହୁଛନ୍ତି,

– ଛ ମାସ ଉପରେ ହୋଇଗଲାଣି ଅନେକ ଅସ୍ଥି କଳସ ସେମିତି ଗଦା ହୋଇଛି। ଘର ଲୋକ କେହି ଆସି ନେଇ ପାଣିରେ ବିସର୍ଜନ କରୁନାହାନ୍ତି।ମଣିଷପଣିଆ ବି ମରିଗଲାଣି।ମୃତବ୍ୟକ୍ତିଙ୍କ ଶେଷ କ୍ରିୟା କରିବା ଏକ ପୁଣ୍ୟକାମ।”

– ମନୋଜ କିଛି ଚିନ୍ତା କଲା। ପୁଣି ଥରେ ଅନାଇଲା ସେ ଲାସ ର ମୁହଁକୁ। ୟାଙ୍କର ଦାୟାଦ!!!ମାନବିକତା ଯେ ଆଜି ବି ବଞ୍ଚିଛି, ତା କଣ ମିଛ ହୋଇଯିବ?

– ଦୀର୍ଘନିଶ୍ବାସ ଛାଡି ସେ ଚିତାରେ ଅଗ୍ନି ସଂଯୋଗ କରି ପ୍ରଣାମ କଲାବେଳେ କାନ୍ଦି ପକାଇଲା। ବାପାଙ୍କ ମୁହଁଟା ତା ଆଖି ସାମ୍ନାରେ ଭାସି ଉଠୁଥିଲା। 💐

LEAVE A REPLY

Please enter your comment!
Please enter your name here