27.1 C
Bhubaneswar
Friday, March 29, 2024
Homeଓଡିଶାଚଂଚକବର୍ଗର ଚକ୍ରବ୍ୟୁହ: ମାୟାଧର ନାୟକ

ଚଂଚକବର୍ଗର ଚକ୍ରବ୍ୟୁହ: ମାୟାଧର ନାୟକ

ମୂଲ୍ୟ ଓ ମୂଲ୍ୟବୋଧ ମଧ୍ୟରେ ଦ୍ୱନ୍ଦ୍ୱସଂଘାତ ସମାଜଜୀବନରେ ସଂପ୍ରତି ସୃଷ୍ଟି କରିଛି ଏକ ଶୋଚନୀୟ ଛନ୍ଦପତନ । ଅତୀତର ନୈତିକ ମୂଲ୍ୟବୋଧକୁ ପ୍ରତିମୁହୂର୍ତରେ ଆଘାତ ହାଣୁଛି ବର୍ତମାନର ରାଜନୈତିକ ଓ ଅର୍ଥନୈତିକ ଆଭିମୁଖ୍ୟ । ଯୋଜନାଗୁଡିକ ମଣିଷ ପାଇଁ ପ୍ରସ୍ତୁତ ନହୋଇ ଉଦ୍ଦିଷ୍ଟ ହେଉଛି ଅର୍ଥକୁବେରବର୍ଗ ନିମନ୍ତେ ଏବଂ ସମ୍ବଳସବୁ ସମାଜ ପାଇଁ ବିନିର୍ଯୁକ୍ତ ନହୋଇ ବିନିର୍ବ୍ୟୟିତ ହେଉଛି ରାଜନୈତିକ ଦଳୀୟତାର ହାତପାଣ୍ଠିବର୍ଦ୍ଧକ ସମୃଦ୍ଧି ସକାଶେ । ଏହି ଦୃଷ୍ଟିରୁ ଗଣତନ୍ତ୍ରର ମୂଳସତା ବ୍ୟକ୍ତିର ଅଧିକାର ଅସୁରକ୍ଷିତ । ମାନବିକ ଅଧିକାର ମଧ୍ୟ ଉଲ୍ଲଘିଂତ । ନାଗରିକ କହିଲେ ଆମେ କେବଳ ଦେଖୁଛୁ ଗୁଡିଏ ନିରୁପାୟ ଭୋଟର୍‌ଙ୍କୁ – ଯେଉଁମାନେ ସାଂପ୍ରତିକ ସାମାଜିକ ପ୍ରହସନର ଜଣେଜଣେ ନୀରବ ଦର୍ଶକ ।

ସମାଜ ଜୀବନର ଅବକ୍ଷୟକୁ ଆମେସବୁ ଅଙ୍ଗେ ନିଭାଉଛୁ ବିଭିନ୍ନ ସ୍ତରରେ । ଆଜି ଯୁଆଡେ ଚାହିଁଲେ ଉପଦ୍ରବ, ଉତ୍ପୀଡନ, ଅସନ୍ତୋଷ, ଅନଟନ ଓ ଆତଙ୍କବାଦର ବୁଢିଆଣୀ ଜାଲ । ପ୍ରକୃତି ପ୍ରତି ଅବିଚାରିତ ମୃତ୍ୟୁଦଣ୍ଡ ଘୋଷଣା କରି ଶିଳ୍ପସମୃଦ୍ଧି ନାମରେ ସାରା ସମାଜକୁ  ମୁହାଁଇନିଆଯାଉଛି ଏକ ନାରକୀୟ ଭବିଷ୍ୟତଆଡେ । ଜଳ-ଜମି-ଜଙ୍ଗଲର ଜହ୍ଲାଦବର୍ଗ ଜୁଲମ ଚଳାଉଛନ୍ତି ରାଷ୍ଟ୍ରବ୍ୟବସ୍ଥାକୁ କାଏମ୍ କରିରଖିଥିବା ଶାସକ, ପ୍ରଶାସକଙ୍କ ଦ୍ୱାରା ପରିଚାଳିତ ଓ ପରିପାଳିତ ସୂତ୍ରଧରମାନଙ୍କ ସହାୟତାରେ । ଦେଶର ନିରନ୍ନ ନିରୀହ ଜନସାଧାରଣ ଆଜି ସ୍ୱାଧୀନତାର ଶାସ୍ତି ଦେଖୁଛନ୍ତି ମହାଦୁର୍ନୀତିର ମଂଚଭୂମିରେ । ଚୋର, ତସ୍କର, ତଂଚକ, ଶଠ, ହରିଲୁଟ୍‌କାରୀ, ହତ୍ୟାକାରୀ, କଳା କାରବାରୀମାନେ ଶାସନ ଓ ପ୍ରଶାସନକୁ କ୍ରମେ ଯେପରି କରାୟତ କରିଚାଲିଛନ୍ତି, ସେଥିରେ ଭାରତବର୍ଷରେ ଗଣତନ୍ତ୍ରର ମୂଳ ଉତ୍ପାଟିତ ହେବାର ବେଳ ଯେ ଘନାଇଆସିସାରିଲାଣି – ଏଥିରେ କଣ ଆଉ ତିଳେମାତ୍ର ସଂଶୟ ରହିଛି ? ଅଧିକାଂଶ ରାଜନେତା ନିଜନିଜ ନୈତିକ ଦାୟିତ୍ୱକୁ ଭୁଲି ଆତ୍ମସମର୍ପଣ କରିସାରିଛନ୍ତି ଚଂଚକବର୍ଗର ଚକ୍ରବ୍ୟୁହ ମଧ୍ୟରେ । ଅଧିକାଂଶ ଅର୍ଥନୈତିକ ପରାମର୍ଶଦାତା ଯୋଜନା ଓ ସମନ୍ୱୟ ନୀତିଗୁଡିକୁ ନିର୍ଦ୍ଧାରଣ କରୁଛନ୍ତି ଗ୍ରାମରାଜ୍ୟ କି ରାମରାଜ୍ୟର ମେହନତୀ ମଣିଷମାନଙ୍କ ପାଇଁ ନୁହେଁ – ନଗରନିବାସୀ ସୌଖିନ୍ ପରାଙ୍ଗପୁଷ୍ଟ ସୌଦାଗର ଶ୍ରେଣୀ ପାଇଁ । ସୌଦାଗରୀ ସଭ୍ୟତା ସଂପ୍ରତି ନିଶ୍ଚିହ୍ନ କରିବାକୁ ଯାଉଛି ଆମର ମୌଳିକ ସଂସ୍କୃତିର ମୂଲ୍ୟବୋଧକୁ । ରାଜନୀତି ଯେପରି ଜନସାଧାରଣଙ୍କୁ କରିସାରିଛି କଂଜ୍ୟୁମର୍ ବା ଗ୍ରାହକ । ସାଂପ୍ରତିକ ଭାରତବର୍ଷର ଏ ଦୁଇ ଚରିତ୍ରର ସ୍ଫଳନକୁ ଲକ୍ଷ୍ୟ କଲେ ଆମେ ଅବଗତ ହୋଇପାରିବା ଅବକ୍ଷୟର ଅସଲ କାରଣ । ମତଦାତାମାନେ ନକଲି ନେତୃତ୍ୱ ଦ୍ୱାରା ପ୍ରବଂଚିତ ହୋଇସାରିଥିବାବେଳେ ଗ୍ରାହକମାନେ ଭେଜାଲ୍ ବଜାର ଦ୍ୱାରା ଭୟଙ୍କର ଭାବରେ ମୂଲୁଣ୍ଠିତ !

କିଣାବିକାର ବଜାରରେ ଭୋଟ୍ ଓ ନୋଟ୍‌ର ଅଙ୍ଗାଙ୍ଗୀ ଭାବରେ ଜଡିତ  ହେବାର ଇତିହାସ ସ୍ୱାଧୀନତା ପରବର୍ତୀ କାଳର ଏକ ବିକୃତ ବିଡମ୍ବନା । ରାଜନୀତି ଆଜି ଦଳମାନଙ୍କର ଦୋକାନଦାରିରେ ପରିଣତ ହୋଇସାରିଥିବାବେଳେ ଅର୍ଥନୀତି ଏବେ ପାଲଟିଛି ପାଳଭୂତ – ଶୋଷଣସର୍ବସ୍ୱ ବଣିକବର୍ଗର ନିଆଁଗିଳା ପାଉଁଶକ୍ଷେତରେ ! ନବ୍ୟ ପୁଞ୍ଜିବାଦ ଏବେ ଶ୍ରମିକମାନଙ୍କୁ ବିପ୍ଲବୀତତ୍ୱଠାରୁ ଦୂରେଇରଖିବାର ଅଭିସନ୍ଧିରେ ଯୋଗାଇ ଦେଉଛି ଗୋଟିକ ପରେ ଗୋଟିଏ ସୁବିଧା ସୁଯୋଗ – ବଳି ପକାଇବା ପୂର୍ବରୁ ବୋଦା ବେକକୁ ଯେପରି ବଡବଡ ଫୁଲମାଳରେ ସଜାଇ ଦିଆଯାଏ! ଶିଳ୍ପ ବିସ୍ତାର ଦ୍ୱାହିରେ ସାମାଜିକ ସୁବର୍ଣ୍ଣଯୁଗର ସ୍ଲୋଗାନ୍ ଶୁଣାଇ ମୁନାଫାଖୋର ମହାଜନବର୍ଗର ମତଲବୀ ମାତବରମାନେ ଗାଆଁରୁ ଗଡଜାତଯାଏଁ ବିଛାଇଚାଲିଛନ୍ତି ମାୟାଜାଲ । ପ୍ରକୃତିରେ ବିକୃତି, ପରିବେଶରେ ପ୍ରଦୂଷଣ, ମଣିଷର ମାଟିପାଣିପବନରେ ବିଷପ୍ରକ୍ରିୟା । କୃଷକର ଜୀବନକ୍ଷେତ୍ର ଆଜି ଶ୍ମଶାନକ୍ଷେତ୍ର । ଗାଆଁସବୁ ଭବିଷ୍ୟତର ଗର୍ଭପାତରେ ଜର୍ଜରିତ । ମଫସଲ ମୂଳପୋଛ । ମଣିଷପଣ ମୁମୁର୍ଷୂ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking