ସାଇକେଲଟିଏ ପାଇଁ ଭାରି ମନ କରିଥିଲା ରେଣୁ।
ସାଇକେଲ ଚଲାଇ ବୁଲିବାକୁ ତାର ଅନେକ ଦିନରୁ ଇଛା; ପଛ କ୍ୟାରିଅରରେ ସାଙ୍ଗଙ୍କୁ ବସାଇ ଘିର ଘିର ଚକ୍କର ମାରନ୍ତା ସେ।ଯେମିତି ବଡ଼ ଭାଇ ତା ନିଜ ସାଙ୍ଗ ମାନଙ୍କୁ ବସାଇ ବୁଲେ।
– ବାପା,ମୋ ପାଇଁ ଗୋଟେ ସାଇକେଲ କିଣିଦିଅ।”
– ତୁ ସାଇକେଲ ଚଲାଇବୁ !କାହିଁକି ?”
– ଭାଇ ଚଲୋଉଛି।ମୁଁ ବି ଚଲେଇବି।”
ଟିକେ ଆଖି ବଡ଼ ବଡ଼ କରି ବାପା ତାକୁ ଅନାଇ ,ଆକଟ କଲା ସ୍ୱରରେ କହିଲେ,
– ଝିଅ ପିଲାମାନେ କଣ ସାଇକେଲ ଚଢ଼ନ୍ତି ?ତୋ ବୋଉ,ମାଉସୀ,ପିଉସୀ କାହାକୁ ଦେଖିଛୁ ସାଇକେଲ ଚଲାଇବାର ?”
ଚଟ କିନା ରେଣୁ କହିଲା,
– ଆର ଗାଁ ର ମଇନା ଖୁଡ଼ୀ ସାଇକେଲ ଚଲେଇ ଆସନ୍ତି।ଲେଡିଜ ସାଇକେଲ ।ଚାକିରୀ ବି କରିଛନ୍ତି ସେ ବ୍ଲକ ଅଫିସରେ।”
ଠାଏ କିନା ଗୋଟେ ଚଟକଣା ରେଣୁ ଗାଲରେ ପକାଇ ବାପା ଗର୍ଜି ଉଠି କହିଲେ,
– ତା ସ୍ୱାମୀ ମରିଯାଇଛି ବୋଲି ସେ ଚାକିରୀ ପାଇଛି ଦୟାରେ ଓ ସେ ସ୍ତ୍ରୀ ଲୋକଟାର ଚରିତ୍ର ବି ଭଲ ନୁହେଁ।ତୁ ତା ଭଳି ହେବୁ ?”
ତା ପରେ ବୋଉ ଆଡ଼କୁ ଅନାଇ କହିଲେ,
– ସମ୍ଭାଳ ତମ ଝିଅ କୁ, ସାଇକେଲ ଚଢି ସେ ମଇନା ଭଳି ବୁଲିଵ ବୋଲି କହୁଛି।ତାକୁ ବୁଝାଇ ଦିଅ।ନହେଲେ ସେଇ ନଷ୍ଟ ଚରିତ୍ର ମାଇକିନା ଭଳି ହେଲେ ସମସ୍ତେ ଛି ଛାକର କରିବେ।ବର ଘର ମିଳିବେନି।”
ବୋଉ ଦୌଡ଼ି ଆସି ରେଣୁକୁ କୁଣ୍ଢାଇ ନେଇ ଯାଉ ଯାଉ କହିଲା,
– ପିଲା ଲୋକ, କଣ ଜାଣିଛି ସେ ?ବୁଝେଇକି କହିଦେଲେ ହେବନି ?”
କାନ୍ଦି କାନ୍ଦି ଅଭିମାନରେ ସେଦିନ ରେଣୁ ଓପାସରେ ଶୋଇପଡ଼ିଥିଲା। ବୋଉ ତାକୁ ବୁଝାଇଲା।କହିଲା,
– ନିଜକୁ କଷ୍ଟ ଦେଇ କି ଲାଭ ପାଇବୁ ?”
– ବୋଉ,ଝିଅ ପିଲା ସାଇକେଲ ଚଲାଇବା କଣ ଖରାପ ?ସହରରେ କାଳେ ଝିଅମାନେ ସ୍କୁଟର ଚଳାଇ ବୁଲନ୍ତି।”
– ଜାଣିନି ରେ ମା।ତେବେ ଅନେକ ଜିନିଷ କେବଳ ଝିଅଙ୍କୁ ବାରଣ ଥାଏ।ଏବେ ଲେଡିଜ ସାଇକେଲ ବାହାରିଲାଣି।ଆମେ ଛୋଟ ଥିଲାବେଳେ ଏ ପୁଅ ପିଲାଙ୍କ ଭଳି ଗୋଡ଼ ବୁଲାଇ ସାଇକେଲ ଉପରକୁ ଉଠିବା ଆମ ପାଇଁ କଷ୍ଟ।ମୁଁ ବି ଥରେ ସାଇକେଲ ଚଢ଼ିବା ପାଇଁ ଚେଷ୍ଟା କରି ରାସ୍ତାରେ ପଡି ଖଣ୍ଡିଆ ଖାବରା ହୋଇ ଯାଇଥିଲି ବୋଲି ମାଡ଼ ଖାଇଥିଲି।ହୁଏତ ମା,ବାପା ଡରନ୍ତି କାଳେ ଝିଅ ମୁହଁ ଦେହରେ ଦାଗ ରହିଯିବ।”
-ଖରାପ ଚରିତ୍ର ଝିଅମାନେ ସାଇକେଲ ଚଲାନ୍ତି ?ମଇନା ଖୁଡ଼ୀ କଣ ଖରାପ ?”
ବୋଉ ଆଖିଦେଖାଇ ଚୁପ ରହିବାକୁ କହିଥିଲା।ତଥାପି ରେଣୁ ମନେ ମନେ ସ୍ଥିର କରିନେଇଥିଲା ଯେ ସେ ସାଇକେଲ ଶିଖିବ।
ସେଦିନ ଗାଁ ତୋଟାରେ ମଇନା ଖୁଡ଼ୀ ଦେଖା ହୋଇଥିଲେ।ତାଙ୍କୁ ନିଜ ମନ କଥା କହିଥିଲା ରେଣୁ।
– ଏଇଥି ପାଇଁ ଚିନ୍ତା କାହିଁକି ?ମୁଁ ତୋତେ ଶିଖାଇ ଦେବି।ସାହାସ କରି ଥରେ ଚଳାଇଦେଲେ ହେଲା।ଲେଡ଼ିଜ ସାଇକେଲ ତ ଭାରି ସୁବିଧା।”
ସେଦିନ ମଇନା ଖୁଡ଼ୀ ପଛପଟୁ ସାଇକେଲ କ୍ୟାରିଆର ଧରିଥିଲେ ଓ ରେଣୁ ସାଇକେଲ ଚଳାଇଥିଲା।ବହୁତ ମନ ଖୁସି ହୋଇଥିଲା ତାର।
– ଲେଡିଜ ସାଇକେଲ ଚଲେଇବା ଭାରି ସହଜ।ତୁ ବାପାଙ୍କୁ କହୁନୁ କିଣି ଦେବେ।”
– ବାପା ପରା ମନା କରୁଛନ୍ତି।”
ହସିଦେଇ ମଇନା ଖୁଡ଼ୀ କହିଥିଲେ,
-ହଉ,ମୁଁ ତୋ ବାପାଙ୍କୁ ବୁଝାଇଦେବି।ଆଉ ଦିନେ ତୋତେ ସେଇ ବଡ଼ ପଡିଆ କୁ ନେଇ ଯିବି,ଭଲକି ଶିଖିଯିବୁ ତୁ।”
ସେଦିନ ରେଣୁ ଆଶ୍ଚର୍ଯ୍ୟ ହୋଇଥିଲା ଯେ,ଯେଉଁ ସ୍ତ୍ରୀ ଲୋକକୁ ବାପା ଏତେ ଘୃଣା କରନ୍ତି,ସେ ପୁଣି ବାପାଙ୍କୁ ବୁଝାଇଵ ?ତା ପାଇଁ ସାଇକେଲ କିଣିବାକୁ ?ବାପା ଯେଉଁ ଲୋକ,ହୁଏତ ମଇନା ଖୁଡ଼ୀ ଙ୍କୁ ବାଡାବାଡ଼ି କରିଦେବେ।
ଦିନେ ମୁହଁ ସଞ୍ଜ ବେଳେ ରେଣୁ ପାଚିଲା ଆମ୍ବ ଗୋଟାଇବାକୁ ପଳେଇଥିଲା ତୋଟା ଭିତରକୁ।ଗୋଟେ ଜାଗାରେ ଖସ ଖାସ ,ଚାପା ହସ ଶୁଣି ଧୀର ପାଦରେ ଯାଇ ଗଛ ଆଢୁ ଆଳରେ ଯାହା ଦେଖିଲା, ତା ମୁଣ୍ଡ ଘୁରାଇ ଦେଲା।
ବାପା ଓ ବ୍ଲକ ଅଫିସର ଆଉ ଦୁଇଜଣ ଲୋକ, ମଇନା ଖୁଡ଼ୀଙ୍କ ସହ ଏକଦମ ଅସଂଯତ ଅବସ୍ଥାରେ।
– ସୁପାରିଶ କରି ଚାକିରୀ ଦେଲ ବୋଲି କଣ ସାରା ଜୀବନ ମୋତେ ଏମିତି ଲୁଟିବ ?ସାହାସ ଅଛି ଯଦି ହାତ ଧରି ଘରକୁ ନେଉନ ?”ମଇନା ଖୁଡ଼ୀ କହୁଥିଲେ।
ରେଣୁ କୁ କାଶ ଉଠାଇଲା।ବାପାଙ୍କ ଆଖି ସହ ତା ଆଖି ମିଶିଯାଇଥିଲା।
ଦୌଡ଼ିକି ପଳାଇ ଆସିଲା ବେଳେ ଦୁଇଥର ଝୁଣ୍ଟି କି ପଡ଼ିଲା।
ଘରେ ପହଞ୍ଚି ବୋଉକୁ ସବୁ କହି ପକାଇଲା।
ହେଲେ କାହିଁକି କେଜାଣି ବୋଉ ତା ଉପରେ ରାଗିଯାଇ ତା ଚୁଟିକୁ ଝିଙ୍କି ଦୁଇ ବିଧା ପକାଇ କହିଲା ,
– ସାଇକେଲ ଚଢ଼ିବାକୁ ମନା କଲେ ବୋଲି ତୁ ତୋ ବାପା ନାଁ ରେ ଏମିତି ମିଛ କହିବୁ ?”
ଆବାକାବା ହୋଇ ଅନାଇଥିଲା ରେଣୁ।ସ୍ୱାମୀ ଉପରେ ଅତୁଟ ବିଶ୍ବାସ ଅଥବା ବୋଉ ନିଜ ଅସହାୟତା ଘୋଡାଇବାକୁ ଏମିତି କରୁଛି ?”
ସେଦିନ ଡେରିରେ ବାପା ଘରକୁ ଫେରିଲେ।
ପିଣ୍ଡାରେ ବସିଥିଲା ବୋଉ,ବାପାଙ୍କ ରାସ୍ତାକୁ ଅନାଇ।ରେଣୁ ଶୋଇବାର ଅଭିନୟ କରି ସପ ଉପରେ ପଡ଼ିଥିଲା।
ଖଡ ଖାଡ଼ ଶବ୍ଦ ଶୁଣି ରେଣୁ କବାଟ ଫାଙ୍କରେ ଦେଖିଲା ଗୋଟେ ନୂଆ ଲେଡିଜ ସାଇକେଲ ନେଇ ଆସିଛନ୍ତି ବାପା ।
ଗୋଟେ ଗୋଲାପୀ ରଙ୍ଗର ସାଇକେଲ।
ରେଣୁ ଆଶ୍ଚର୍ଯ୍ୟ ହୋଇ ଭାବିଲା ,ତା ପାଇଁ ସାଇକେଲ କାହିଁକି ଆଣିଛନ୍ତି ବାପା !
ସାଇକେଲ ଟା ବାରଣ୍ଡା କାନ୍ଥ କୁ ଡେରିଦେଇ ବାପା ଦୁଆର ମୁହଁରେ ଠିଆ ହେଲେ।
ବୋଉ ବାପାଙ୍କ ସାମ୍ନାକୁ ଆସି ପଚାରିଲା,
-ତମେ ଆଜି ଆମ୍ବତୋଟାରେ କଣ କରୁଥିଲ?
ବାପା ମୁଣ୍ଡ ପୋତି ତଳକୁ ଅନାଇଥିଲେ।
-ଲାଜ ମାଡ଼ୁନି,ପିଲା ଛୁଆ,ସ୍ତ୍ରୀ ଥାଉ ଥାଉ ଆଉ ଗୋଟେ ସ୍ତ୍ରୀ ଲୋକ ପଛରେ ,ଛିଃ …..କାଲି ସକାଳେ ମୁଁ ପିଲାଙ୍କୁ ନେଇ ଆମ ଘରକୁ ପଳାଇବି।ଥାଅ ତମେ ଏଠି ସେ ମାଇକିନାକୁ ଧରି।..ବୋଉ ସକେଇ ହୋଇ ଘର ଭିତରକୁ ପଶିଗଲା ବେଳେ ରେଣୁକୁ ଝୁଣ୍ଟି ପକାଇଲା।
ଅନ୍ଧାର ଭିତରେ ରେଣୁ ଦେଖୁଥିଲା ବୋଉକୁ।ରେଣୁକୁ କୁଣ୍ଢେଇ ବୋଉ କାନ୍ଦୁଥିଲା।ଛୋଟ ପିଲା ହୋଇଥିଲେ ବି ରେଣୁ ଅନୁଭବ କରି ପାରୁଥିଲା ବୋଉର ଅସହାୟତାକୁ।
ବାପା ଘର ଭିତରକୁ ଆସିଲେ।ରେଣୁ ଜୁଳୁ ଜୁଳୁ କରି ଅନେଇଥିଲା ବାପାଙ୍କୁ।କିଛି ସମୟ ଆଗରୁ ଘୃଣା କରୁଥିବା ବାପାଙ୍କ ମୁହଁଟା ଶୁଖିଲା ଦିଶୁଥିଲା।ବାପା ମୁହଁ ବୁଲାଇ ଚାଲିଗଲେ ଅନ୍ୟ ଘରକୁ ଓ କବାଟ କିଳିଦେଇ ଓପାସରେ ଶୋଇଗଲେ।
ଅନ୍ୟଦିନ ଭଳି ବୋଉ ,ବାଧ୍ଯ କରି ବାପାଙ୍କୁ ଖୁଆଇ ନଥିଲା।
ପରଦିନ ସେଇ ସାଇକେଲଟାକୁ ଧରି ରେଣୁ ଖୁସିରେ ଚାଲିଯାଇଥିଲା ଶିଖିବା ପାଇଁ ପଡିଆ କୁ।ବାଟରେ ଦେଖାହୋଇଥିଲା ମଇନା ଖୁଡ଼ୀ।
-ଏଥର ଖୁସି ତ ? ମୁଁ ତୋ ବାପାଙ୍କୁ କାଲି କହିଲି ତୋ ପାଇଁ ସାଇକେଲ କଥା।ତୁ କାଲିର ସେଇ ଆମ୍ବତୋଟା ତୋ ବୋଉ ଆଗରେ କହିନୁ ତ ?”
ଚୁପଚାପ ଅନେଇ ଥିଲା ରେଣୁ।ଘୃଣାରେ ଥରୁ ଥିଲା ତା ଦେହ।ଏ ସାଇକେଲ ବାପା ଖୁସିରେ ନୁହଁ,ବରଂ ଲାଞ୍ଚ ଭାବେ ଆଣିଛନ୍ତି! ମଇନା ଖୁଡ଼ୀ ଙ୍କ ସୁପାରିସରେ ?ତା ମୁହଁ ବନ୍ଦ କରିବାକୁ ?
ଘରକୁ ଫେରି ପଛପଟ ଖଳା ବାରିରେ ଥିବା ପାଳଗଦାରେ ସାଇକେଲଟାକୁ ପକେଇ ନିଆଁ ଲଗେଇ ଦେଇଥିଲା ରେଣୁ।
ବାପାଙ୍କ ଠାରୁ ମାଡ଼ ଖାଇ ସେଦିନ ଟିକେ ବି ଅନୁଶୋଚନା କରିନଥିଲା ରେଣୁ।ପ୍ରତିବାଦର ସ୍ୱର ତା ହୃଦୟ ଭିତରେ ଭରି ଯାଇଥିଲା।
ସାଇକେଲ ଚଢା ସେଇଠି ସରିଥିଲା।
କେତେ ବର୍ଷର ପୁରୁଣା କଥା ସବୁ ଆଜି ପୁଣି ମନେ ପଡୁଥିଲା ରେଣୁ’ର।
ବାହାଘର,ନିଜ ଘର ସଂସାର ଜଞ୍ଜାଳ ଭିତରେ ଯଦିଓ ସେ ବୁଡି ରହିଥିଲା,ତଥାପି ଯେବେ ବି ସେ ଲେଡିଜ ସାଇକେଲ ଟି ଦେଖେ ତା ମନ କଣ ହୋଇଯାଏ।
ଟିଭିରେ ଦେଖିଥିଲା ଲକ୍ ଡାଉନ୍ ସମୟରେ ଗୋଟେ ଝିଅ, ତା ଅସୁସ୍ଥ ବାପାକୁ,ବାପା ଚାକିରି କରିଥିବା ସ୍ଥାନରୁ, ସାଇକେଲରେ ବସାଇ ଦୀର୍ଘ ବାରଶହ କିଲୋମିଟର ଅତିକ୍ରମ କରି ନିଜ ଗାଁରେ ପହଞ୍ଚିଥିଲା।
ଆଜି ଝିଅ ଗୀତାକୁ ସ୍କୁଲରୁ, ସରକାର’ଙ୍କ ତରଫରୁ ଗୋଟେ ଲେଡିଜ ସାଇକେଲ ମିଳିଛି। ଗୀତା ଭାରି ଖୁସି।କେତେଦିନ ହେଲାଣି ସେ ଜିଦି କରୁଥିଲା ସାଇକେଲ ପାଇଁ।
ସ୍ୱାମୀ ରାଜେନ୍ଦ୍ର କହିଲା,
– ଏଇ ସାଇକେଲଟା ପପୁ ଚଲାଇବ।ତା ସ୍କୁଲ ନେଇକି ଯିବ ସେ।ଗୀତା ସ୍କୁଲ ତ ପାଖ।ଚାଲିକି ଯାଇପାରିବ ସେ।”
ପ୍ରତିରୋଧ କରି ଗୀତା କହୁଥିଲା,
– ଆମ ସ୍କୁଲ ସାର୍ ପଚାରିବେ,ସାଇକେଲ କୁଆଡେ ଗଲା ?
– କହିଦେବୁ ,ସାଇକେଲ ଚୋରୀ ହୋଇଗଲା।ନହେଲେ ତୁ ମୋ ପୁରୁଣା ସାଇକେଲଟା ନେଇଯିବୁ।”କହିଲା ପପୁ।
ପପୁ ବଡ଼ ପୁଅ।ସାନ ଭଣୀର ନୂଆ ସାଇକେଲ ଦେଖି ସେ କହୁଛି ସେଇଟା ନେବ ବୋଲି।ଭାଇମାନେ ସବୁବେଳେ ଏମିତି।ସାନ ଭଉଣୀର ଜିନିଷ ଜବରଦସ୍ତି ଛଡାଇବେ।
ରେଣୁ ସାମ୍ନାକୁ ଆସିଲା।ଗୀତା ଅସହାୟ ଚାହାଣୀରେ ଅନେଇଥିଲା ତାକୁ।
– ଏଇଟା ଲେଡିଜ ସାଇକେଲ।ପପୁ ନୁହେଁ,ଗୀତା ହିଁ ଚଲାଇବ।”
ଫିକ କିନା ହସିଦେଲା ଗୀତା ଓ ମା କୁ କୁଣ୍ଢାଇ ପକାଇଲା।
ସେଦିନ ସନ୍ଧ୍ୟାରେ ଗୀତା କହିଲା,
– ବୋଉ,ଆ ମୋ ସାଇକେଲ ପଛପଟେ ବସ।ମୁଁ ତୋତେ ଘେରାଏ ବୁଲାଇ ଆଣିବି।”
ରେଣୁ ହସି ମୁଣ୍ଡ ହଲାଇଲା। ଆଜି ଏତେ ବର୍ଷ ପରେ ଲେଡିଜ ସାଇକେଲ।ତା ପୁଣି ନିଜ ଝିଅ ସାଙ୍ଗରେ।ରାସ୍ତାରେ ଗଡୁଥିଲା ସାଇକେଲ।
ଝିଅ କହୁଥିଲା,
– ଆରେ ବାଃ,ତମେ ସାଇକେଲ ଚଳାଇବା ଶିଖିଛ ବୋଲି କେବେ କାହାକୁ କହିନ ତ ମା ?”
ପଛପଟ କ୍ୟାରିଆରରେ ଝିଅ ଗୀତାକୁ ବସାଇ ପେଡାଲ ମାରୁଥିଲା ରେଣୁ।
(©ଅରବିନ୍ଦଦାସ