କଟକ: ମର୍କତନଗର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ପୋଲିସ ଏ ନେଇ ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅତିରିକ୍ତ ଡିସିପି ଅନୀଲ ମିଶ୍ରଙ୍କ କହିବାନୁସାରେ, ଯୁବକ ଜଣକ ହେଉଛନ୍ତି ଯାଜପୁର ଟାଉନ ସପନପୁର ଗ୍ରାମର ଅବିନାଶ ମିଶ୍ର । ସେ ଅନେକ ବର୍ଷ ଧରି କଟକ ଜିଲ୍ଲାର ସିଡିଏରେ ରହୁଥିଲେ । କଟକରେ ରହୁଥିବା ଏକ ଯୁବତୀଙ୍କ ସହ ତାଙ୍କର ବିବାହ ପ୍ରସ୍ତାବ ପଡିଥିଲା । ନିଜକୁ ବୈଜ୍ଞାନିକ ପରିଚୟ ଦେବା ପରେ ଝିଅ ଘର ଲୋକେ ଅବିନାଶକୁ ଜ୍ବାଇଁ କରିବା ପାଇଁ ଝିଅ ଘରେ ରାଜି ହୋଇଥିଲେ ।
ତେବେ ଝିଅ ଘର ଲୋକ ସବୁ ସତ କଥା ଜାଣିବା ପରେ ଏହି ବାହାଘର କରିବା ପାଇଁ ଅରାଜି ହୋଇଥିଲେ । ତେବେ ଘଟଣାର କିଛି ଦିନ ପରେ ଗତବର୍ଷ ମାର୍ଚ୍ଚ ୧୦ ତାରିଖରେ ଉକ୍ତ ଯୁବତୀଙ୍କୁ ଅଭିଯୁକ୍ତ ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ କଟକର ଏକ ହୋଟେଲରେ ରଖି ଦୁଷ୍କର୍ମ କରିବା ସହ ତାଙ୍କର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲା ଅବିନାଶ । ତେବେ ସୌଭାଗ୍ୟବଶତଃ ଅଭିଯୁକ୍ତ ଅବିନାଶଙ୍କ କବଳରୁ ଯୁବତୀ ଜଣକ ଖସି ପଳାଇ ଆସିବା ପରେ ମର୍କତନଗର ଥାନାରେ ଏତଲା ଦେଇଥିଲେ । ତେବେ ମାମଲା ଆଧାରରେ ଅବିନାଶକୁ ପୋଲିସ ଖୋଜିବା ଆରମ୍ଭ କରିଥିଲା । ଆଉ ପରିଶେଷରେ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାରେ ଆହୁରି ତଦନ୍ତ ବାକି ରହିଥିଲା ବେଳେ ଯେଉଁ ମୋବାଇଲରେ ଭିଡିଓ ଉତ୍ତୋଳନ କରଯାଇଛି ତାହାକୁ ମଧ୍ୟ ଟ୍ରାକ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।