ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଅଞ୍ଚଳର ଜଣେ ନାବାଳକକ ସହ ଅପ୍ରାକୃତି ଯୌନ ସମ୍ପର୍କ ରଖି ଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ଉମାନଗର ୫ମ ଗଳିର ଅଭିଯୁକ୍ତ ନିତ୍ୟାନନ୍ଦ ପାତ୍ର(୫୫) ବୋଲି ପୁଲିସ କହିଛି । ଶନିବାର ପୁଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଉଭୟ ପିଡ଼ିତ ଓ ଅଭିଯୁକ୍ତଙ୍କ ପୁଲିସ ଡ଼ାକ୍ତର ମାଇନା କରିଥିବା ବେଳେ ପିଡ଼ିତ ନାବାଳକଙ୍କ କୋର୍ଟରେ ବୟାନ ରେକର୍ଡ଼ କରାଯାଇଥିବା ପୁଲିସ କହିଛି । ଅନ୍ୟପକ୍ଷରେ ନାବାଳକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହିନଥିବାରୁ ତାଙ୍କ ଚିକିତ୍ସା ଚାଲିଥିବା ମା’ କହିଛନ୍ତି । ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ନିତ୍ୟାନନ୍ଦ ପାତ୍ରଙ୍କ ସହ ୧୬ ବର୍ଷୀୟ ପୀଡ଼ିତ ନାବାଳକକ ପରିବାରିକ ସମ୍ପର୍କ ରହିଛି ।
କିଛି ବର୍ଷ ହେବ ଉଭୟ ଲାଞ୍ଜିପଲ୍ଲୀ ଉମା ନଗରରେ ରହୁଥିବା ବେଳେ ଗତ ୨ ମାସ ହେବ ପୀଡ଼ିତ ନାବାଳକକ ପରିବାର ଚାଣକ୍ୟ ନଗରରେ ରହୁଛନ୍ତି । ସମ୍ପର୍କୀୟ ନିତ୍ୟାନନ୍ଦଙ୍କ ଘରକୁ ବିଭିନ୍ନ ସମୟରେ ନାବାଳକ ପରିବାର ଲୋକ ଓ ନାବାଳକ ଜଣ ଯିବା ଆସବା କରିଥାନ୍ତି । ଏହାର ସୁଯୋଗ ନେଇ ଅଭିଯୁକ୍ତ ନିତ୍ୟାନନ୍ଦ ନାବାଳକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହ ଅପ୍ରାକୃତି ଯୌନ ସମ୍ପର୍କ ରଖିଥିଲେ । ଅନେକ ସମୟରେ ନିତ୍ୟାନନ୍ଦ ନାବାଳକଙ୍କ ଅନିଚ୍ଛାସତ୍ତ୍ୱେ ବଳପୂର୍ବକ ତାଙ୍କ ସହ ସମ୍ପର୍କ ରଖି ଆସୁଥିଲେ । ଏଭଳି ଗତ ୬ ମାସ ହେବ ଅଭିଯୁକ୍ତ ଜଣଙ୍କ ନାବାଳକଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଘଟଣାକୁ ନେଇ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ସହ ଅଶ୍ଳୀଳ ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ କରି ଦେବି ବୋଲି ନିତ୍ୟାନନ୍ଦ ନାବାଳକଙ୍କୁ ଧମକ ଦେଇଥିଲେ । ଯାହାଫଳରେ ପୀଡ଼ିତ ନାବାଳକ ଜଣକ ଭୟଭୀତ ହୋଇ ଚୁପ୍ ରହୁଥିଲେ । ବର୍ତ୍ତମାନ କିଛି ଦିନ ହେବ ନାବାଳକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ରହିବାରୁ ତାଙ୍କ ପରିବାର ଲୋକ ଚିକିତ୍ସା ନିମନ୍ତେ ଡ଼ାକ୍ତରଙ୍କ ନିକଟକୁ ନେଇଇଥିଲା । ଏହା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସି ନଥିଲା । ଯାହାଫଳରେ ନାବାଳକଙ୍କ ଘଟଣା ସମ୍ପର୍କରେ ନିଜ ମା’ଙ୍କୁ ଜଣାଇଥିଲେ ।
ଏନେଇ ପରିବାର ଲୋକେ ଅଭିଯୁକ୍ତ ତଥା ସମ୍ପର୍କୀୟ ନିତ୍ୟାନନ୍ଦଙ୍କୁ ପଚାରିଥିଲେ । ଉକ୍ତ ଘଟଣା ନେଇ ପୁଲିସ କିମ୍ବା ଅନ୍ୟ କାହାରକୁ କହିଲେ ଜୀବନରୁ ମାରି ଦେବି ବୋଲି ଅଭିଯୁକ୍ତ ଜଣଙ୍କ ନାବାଳକଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲେ । ଗତ କାଲି ଘଟଣାକୁ ନେଇ ନାବଳକଙ୍କ ମା’ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଅରମ୍ଭ କରିଥିଲା । ଏହି ଘଟଣାରେ ଆଜି ପୁଲିସ ଅଭିଯୁକ୍ତ ନିତ୍ୟାନନ୍ଦଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।