27.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶଗଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ ୭୫ ବିମାନ

ଗଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ ୭୫ ବିମାନ

ନୂଆଦିଲ୍ଲୀ:  ଚଳିତ ଥର ଗଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ପରେଡ୍ ଦେଖିବାକୁ ମିଳିବ । ଚଳିତ ଥର ଗଣତନ୍ତ୍ର ଦିବସ ପରେଡ୍ ଇତିହାସରେ ପ୍ରଥମ ଥର ପାଇଁ ବାୟୁସେନା, ସ୍ଥଳସେନା ଓ ନୌସେନାର ୭୫ଟି ବିମାନର ଫ୍ଲାଇପାଷ୍ଟ ଦେଖିବାକୁ ମିଳିବ । ବୁଧବାର ଗଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଥମ ଥର ପାଇଁ ୭୫ ବିମାନର ଫ୍ଲାଇ ପାଷ୍ଟ ସାଂସ୍କୃତିକ ପ୍ରଦର୍ଶନ, ୭୫ ମିଟର ଦୀର୍ଘର ୧୦ଟି ସ୍କ୍ରଲ୍‌ର ପ୍ରଦର୍ଶନ ଏବଂ ୧୦ଟି ବଡ଼ ଏଲ୍‌ଇଡି ସ୍କ୍ରିନ୍ ଲଗାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ସାରା ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ଏହାର ଅଂଶସ୍ୱରୂପ ଗ୍ରାଣ୍ଡ ଫିନାଲେ ଓ ସର୍ବାଧିକ ପ୍ରତୀକ୍ଷିତ ଫ୍ଲାଇ ପାଷ୍ଟରେ ପ୍ରଥମ ଥର ପାଇଁ ତିନି ସେନାର ୭୫ ବିମାନ ଭାଗନେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି । ସେହିପରି ଫ୍ଲାଇ ପାଷ୍ଟ ଅବସରରେ ପ୍ରଥମଥର ପାଇଁ କକ୍‌ପିଟ୍‌ର ପ୍ରଦର୍ଶନ ପାଇଁ ଦୂରଦର୍ଶନ ସହିତ ସମନ୍ୱୟ ରକ୍ଷା କରାଯାଇଛି ବୋଲି ଏଥିରେ କୁହାଯାଇଛି ।

ବିଜ୍ଞପ୍ତି ଅନୁସାରେ ଫ୍ଲାଇ ପାଷ୍ଟ୍‌ରେ ରାଫେଲ୍‌, ସୁଖୋଇ, ଜାଗୁଆର୍‌, ଏମ୍‌ଆଇ-୧୭, ସାରଙ୍ଗ, ଅପାଚି, ଡକୋଟା ପରି ପୁରୁଣା ବିମାନ ସହିତ ବର୍ତ୍ତମାନର ଆଧୁନିକ ବିମାନ ରାହତ, ମେଘନା, ଏକଲବ୍ୟ, ତ୍ରିଶୁଲ, ତ୍ରିରଙ୍ଗା, ବିଜୟ ଏବଂ ଅମୃତ ବିଭିନ୍ନ ସଂଯୋଜନା (ଫର୍ମେଶନ) ପ୍ରଦର୍ଶନ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ପ୍ରଥମ ଥର ପରେଡ୍ ଅବସରରେ ରାଜପଥରେ ୭୫ ମିଟର ଲମ୍ବା ଏବଂ ୧୫ ମିଟର ଉଚ୍ଚର ୧୦ଟି ସ୍କ୍ରଲ୍ ପ୍ରଦର୍ଶିତ କରାଯିବ । ଏହି ସ୍କ୍ରଲ୍ ପ୍ରତିରକ୍ଷା ଓ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ସଂଯୁକ୍ତ ଭାବେ ଆୟୋଜିତ କଳାକୁମ୍ଭ କାର୍ଯ୍ୟକ୍ରମ ଅବସରେ ପ୍ରସ୍ତୁତ କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଏହି ସ୍କ୍ରଲ୍‌ଗୁଡ଼ିକକୁ ଦେଶର ୬୦୦ରୁ ଅଧିକ କଳାକାରଙ୍କ ଦ୍ୱାରା ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱର ଓ ଚଣ୍ଡିଗଡ଼ରେ ଚିତ୍ରିତ କରାଯାଇଛି ।

ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଥିବା କଳାକାରଙ୍କ ଚୟନ ଦେଶବ୍ୟାପୀ ପ୍ରତିଯୋଗିତା ମାଧ୍ୟମରେ କରାଯାଇଛି ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ପ୍ରତିଯୋଗିତାର ଆରମ୍ଭ ବନ୍ଦେ ମାତରମ୍ ୩୨୩ ଗ୍ରୁପ୍‌ରେ ପ୍ରାୟ ୩୮୭୦ କଳାକାରଙ୍କ ଅଂଶଗ୍ରହଣ ସହ ଜିଲ୍ଲାସ୍ତରରେ ହୋଇଥିଲା । ଏହାପରେ ନଭେମ୍ବର ଓ ଡିସେମ୍ବର ଦୁଇମାସ ଧରି ହୋଇଥିବା ରାଜ୍ୟ ଓ ଜୋନାଲ୍ ସ୍ତରର କାର୍ଯ୍ୟକ୍ରମରୁ କଳାକାରମାନଙ୍କୁ ଚୟନ କରାଯାଇଥିଲା । ପରେଡ୍‌କୁ ସ୍ପଷ୍ଟ ଭାବେ ଦେଖିପାରିବା ପାଇଁ ରାଜପଥର ଉଭୟ ପାଶ୍ୱର୍ରେ ୫ଟି ଲେଖାଏଁ ମୋଟ ୧୦ଟି ଏଲ୍‌ଇଡି ସ୍କ୍ରିନ୍ ସ୍ଥାପନ କରାଯିବ । ଏଥିରେ ପରେଡ୍ ପୂର୍ବରୁ ପୂର୍ବ ଗଣତନ୍ତ୍ର ଦିବସ ପରେଡ୍‌ର ଫୁଟେଜ୍‌, ସଶସ୍ତ୍ର ବଳ ଉପରେ ଲଘୁ ଫିଲ୍ମ ଓ ଗଣତନ୍ତ୍ର ଦିବସ ପରେଡ୍‌-୨୦୨୨ ସମ୍ବନ୍ଧିତ ପୂର୍ବ ଘଟଣାବଳୀର କାହାଣୀକୁ ନେଇ ପ୍ରସ୍ତୁତ ଫିଲ୍ମର ପ୍ରଦର୍ଶନ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking