ଡବ୍ଲିନ: ଏଠାରେ ଅନୁଷ୍ଠିତ ରୋମାଞ୍ଚକର ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଆୟର୍ଲାଣ୍ଡକୁ ୪ ରନ୍ରେ ହରାଇ ଟିମ୍ ଇଣ୍ଡିଆ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ କ୍ଲିନ୍ସ୍ୱିପ୍ କରିଛି । ଦୀପକ ହୁଡ୍ଡାଙ୍କ ଦମ୍ଦାର ଶତକ (୧୦୪ ରନ୍) ଏବଂ ସଞ୍ଜୁ ସାମ୍ସନ୍ଙ୍କୁ ତୋଫାନୀ ୭୭ ରନ୍ ବଳରେ ଭାରତ ୭ ୱିକେଟ୍ ବିନିମୟରେ ୨୨୫ ରନ୍ କରିଥିଲା । ଜବାବରେ ଆୟର୍ଲାଣ୍ଡ ୫ ୱିକେଟ୍ ହରାଇ ୨୨୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ମ୍ୟାଚ୍ର ଅନ୍ତିମ ଓଭର୍ରେ ଆୟର୍ଲାଣ୍ଡକୁ ୧୭ ରନ୍ର ଆବଶ୍ୟକତା ଥିବା ବେଳେ ଉମ୍ରାନ୍ ମଲିକ କେବଳ ୧୨ ରନ୍ ଦେଇଥିଲେ । ଆୟର୍ଲାଣ୍ଡ ମ୍ୟାଚ୍ ହାରିଯାଇଥିଲେ ମଧ୍ୟ ଟିମ୍ର ବ୍ୟାଟ୍ସମ୍ୟାନ୍ ଭଲ ସଂଘର୍ଷ କରିଥିଲେ । ଏତେ ବଡ଼ ଟାର୍ଗେଟ୍ର ପିଛା କରୁଥିବା ଆଇରିଶ୍ ଟିମ୍ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ବିଜୟ ଆଶା ବଳବତ୍ତର ରଖିଥିଲା ।
କ୍ୟାପ୍ଟେନ୍ ଆଣ୍ଡି ବଲବିର୍ନି ୬୦, ପଲ୍ ଷ୍ଟର୍ଲିଂ ୪୦, ହ୍ୟାରୀ ଟେକ୍ଟର୍ ୩୯ ଏବଂ ଜର୍ଜ ଡକ୍ରେଲ୍ ୨୪ ରନ୍ର ଇନିଂସ୍ ଖେଳିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ହର୍ଷଲ୍ ପଟେଲ୍, ରବି ବିଷ୍ନୋଇ ଏବଂ ଉମ୍ରାମ୍ ମଲିକ୍ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଦୀପକ ହୁଡ୍ଡୁଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଏବଂ ସିରିଜ୍ ମନୋନୀତ କରାଯାଇଥିଲା । ଏହା ଟିମ୍ ଇଣ୍ଡିଆର ଚଳିତ ବର୍ଷ ଟି-୨୦ ଫର୍ମାଟ୍ରେ ତୃତୀୟ ସିରିଜ୍ ବିଜୟ । ଏହା ପୂର୍ବରୁ ଭାରତ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡଜ୍କୁ ହରାଇଥିବା ବେଳେ ସାଉଥ୍ ଆଫ୍ରିକା ବିପକ୍ଷ ସିରିଜ୍ ୨-୨ରେ ସମାନ ରହିଥିଲା ।
ଏହି ମ୍ୟାଚ୍ରେ ଦୀପକ ହୁଡ୍ଡା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଶତକ ହାସଲ କରିବାରେ ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଏହା ପୂର୍ବରୁ ରୋହିତ ଶର୍ମା (୪ ଶତକ), କେଏଲ୍ ରାହୁଲ (୨ ଶତକ ଏବଂ ସୁରେଶ ରାଇନା (ଗୋଟିଏ ଶତକ) ଏହି ଉପଲବ୍ଧି ହାସଲ କରିଛନ୍ତି । ସେହିପରି ପ୍ରାୟ ଚାରିବର୍ଷ ପରେ ଟି-୨୦ରେ ଏହା କୌଣସି ଭାରତୀୟଙ୍କ ପକ୍ଷରୁ ପ୍ରଥମ ଶତକ ଥିଲା । ଏହା ପୂର୍ବରୁ ୨୦୧୮ ନଭେମ୍ବରରେ ରୋହିତ ଶର୍ମା ଅନ୍ତିମ ଶତକ ହାସଲ କରିଥିଲେ ।
ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ପକ୍ଷରୁ ଦୀପକ ହୁଡ୍ଡା ଓ ସଞ୍ଜୁ ସାମ୍ସନ୍ ଦ୍ୱିତୀୟ ୱିକେଟ୍ ପାଇଁ ୧୭୬ ରନ୍ର ପାର୍ଟନର୍ଶିପ୍ କରିଥିଲେ । ଯାହା ଟି-୨୦ ମ୍ୟାଚ୍ରେ ଭାରତର ଯେକୌଣସି ୱିକେଟ୍ ପାଇଁ ସବୁଡୁ ବଡ଼ ପାର୍ଟନର୍ଶିପ୍ର ରେକର୍ଡ । ପୂର୍ବ ରେକର୍ଡ କେଏଲ୍ ରାହୁଲ ଓ ରୋହିତ ଶର୍ମାଙ୍କ ନାମରେ ଥିଲା ।
ଉଭୟ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଇନ୍ଦୋରରେ ୧୬୫ ରନ୍ର ପାର୍ଟନର୍ଶିପ୍ କରିଥିଲେ । ସେହିପରି ହୁଡ୍ଡା ଏବଂ ସାମ୍ସନ୍ଙ୍କ ପାର୍ଟନର୍ଶିପ୍ ଟି-୨୦ ମ୍ୟାଚ୍ର ଦ୍ୱିତୀୟ ୱିକେଟ୍ ପାଇଁ ସବୁଠୁ ବଡ଼ ପାର୍ଟନର୍ଶିପ୍ର ବିଶ୍ୱ ରେକର୍ଡ ମଧ୍ୟ ହୋଇଛି । ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ତିନିଟି ପରିବର୍ତ୍ତନ କରାଯାଇଥିଲା । ଆହତ ଋତୁରାଜ ଗାଏକ୍ୱାଡ୍ଙ୍କ ସ୍ଥାନରେ ସଞ୍ଜୁ ସାମ୍ସନ୍, ଅଭେସ୍ ଖାନ୍ଙ୍କ ସ୍ଥାନରେ ହର୍ଷଲ୍ ପଟେଲ୍ ଏବଂ ୟୁଜବେନ୍ଦ୍ର ଚହଲଙ୍କ ବଦଳରେ ରବି ବିଷ୍ନୋଇଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା ।