37.1 C
Bhubaneswar
Thursday, March 28, 2024
Homeଓଡିଶାବାରହା ଆତଙ୍କ : ସ୍କୁଲକୁ ପିଲା ଛାଡିବାକୁ ଡରୁଛନ୍ତି ଅଭିଭାବକ

ବାରହା ଆତଙ୍କ : ସ୍କୁଲକୁ ପିଲା ଛାଡିବାକୁ ଡରୁଛନ୍ତି ଅଭିଭାବକ

କେନ୍ଦ୍ରାପଡା : ଜିଲ୍ଲାର ଭିତରକନିକା ଅଭୟାରଣ୍ୟ ଓ ସଂରକ୍ଷିତ ଜଙ୍ଗଲରେ ଗତ କିଛିବର୍ଷ ମଧ୍ୟରେ ବନ୍ୟଜନ୍ତୁମାନଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧିଘଟିଛି । ଜଙ୍ଗଲୀ ଜୀବ ବିଶେଷକରି ବଣୁଆ ବାରହାମାନଙ୍କ ସଂଖ୍ୟା ବୃଦ୍ଧି ଘଟିବାରୁ ଜଙ୍ଗଲ ସୀମା ନିକଟରେ ବସବାସ କରୁଥିବା ମହାକାଳପଡା ଓ ରାଜନଗର ବ୍ଲକର ହଜାର ହଜାର ଲୋକଙ୍କ ଧନ ଜୀବନ ବିପନ୍ନ ହେଉଥିବା ଅଭିଯୋଗ ହେଉଛି । ବର୍ଷର ବିଭିନ୍ନ ସମୟରେ ଜଙ୍ଗଲୀ ବାରହାମାନେ ଚାଷୀମାନଙ୍କ ଧାନ ଓ ରବିଫସଲ ଉଜାଡୁଥିବା ସହ ଅବାଧରେ ଜନବସତି ମଧ୍ୟକୁ ପଶି ଆସୁଥିବାରୁ ଲୋକମାନଙ୍କ ଜୀବନ ବିପନ୍ନ ହେଉଛି ।
ଗତ ୫ବର୍ଷ ମଧ୍ୟରେ ବାରହା ଆକ୍ରମଣରେ ୪ଜଣ ଲୋକଙ୍କ ଜୀବନ ଯାଇଥିବାବେଳେ ଦୁଇଟି ବ୍ଲକର ଅନୁନ୍ୟ ୪୦ରୁ ଅଧିକ ଲୋକ ବାରହା ଆକରଣର ଶିକାର ହୋଇ ଗୁରୁତର ହୋଇଥିିବା ସୂଚନା ମିଳିଛି । ତେବେ ରାଜନଗର ଓ ମହାକାଳପଡାର ବିଭିନ୍ନ ଅଞ୍ଚଳର ଜଙ୍ଗଲ ସୀମାରେ ବନବିଭାଗ ଦ୍ୱାରା ଦିଆଯାଇଥିବା ବାଡ ନିମ୍ନମାନର ହୋଇଥିବାରୁ ମାତ୍ର କିଛିବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ଏଗୁଡିକ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ବନ୍ୟଜନ୍ତୁ ଅବାଧରେ ଗ୍ରାମ ମଧ୍ୟକୁ ପଶି ଲୋକଙ୍କୁ ଭୟଭୀତ କରୁଥିବା ସୂଚନା ମିଳିଛି । ଏପରିକି ଜମ୍ବୁର ପୂର୍ବପଡା ସ୍କୁଲ ଓ କଣ୍ଡରା ପାଟିଆ ପ୍ରାଥମିକ ବିଦ୍ୟାଳୟ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବାରୁ ଏଠାରେ ବାଡ ନଷ୍ଟ ହୋଇଥିବାରୁ ଏହି ଅଞ୍ଚରେ ଦିନରେ ବାରହାଙ୍କର ଆବିର୍ଭାବ ହେଉଥିିବା ଲୋକମାନେ ପ୍ରକାଶ କରିଛନ୍ତି ।
ଏହି କାରଣରୁ ସ୍କୁଲକୁ ପିଲା ଛାଡିବାକୁ ସେମାନେ ଭୟ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗତ କିଛିବର୍ଷ ମଧ୍ୟରେ ଭିତରକନିକା ସଂରକ୍ଷିତ ଜଙ୍ଗଲରେ ଅବାଧ ଜଙ୍ଗଲୀ ଜନ୍ତୁମାନଙ୍କ ଶିକାର ହ୍ରାସ ପାଇଛି । ୨୦୧୯ ର ବନ୍ୟଜନ୍ତୁ ଗଣନା ଅନୁସାରେ ଭିତରକନିକା ସଂରକ୍ଷିତ ଜଙ୍ଗଲରେ କେବଳ ବାରହାମାନଙ୍କର ସଂଖ୍ୟା ୧ହଜାର ୯ଶହ ୨୬ ଥିବା ଘୋଷଣା କରାଯାଇଛି । ତେବେ ପ୍ରକୃତରେ ଏହାଠାରୁ ଜଙ୍ଗଲୀ ବାରହାମାନଙ୍କର ସଂଖ୍ୟା ଅଧିକ ବୋଲି ସ୍ଥାନୀୟ ବ୍ୟକ୍ତିମାନଙ୍କ ପକ୍ଷରୁ କୁହାଯାଉଛି । ଏହି ବାରହାମାନେ ରାଜନଗର ବ୍ଲକର ଗୁପ୍ତି, ଓକିଲପାଳ, ଡେରା, ଚଞ୍ଚରି, ପ୍ରାଭାତୀ, ପଟ୍ଟାପାରିଆ, କୃଷ୍ଣନଗର, ତନ୍ତିଆପାଳ, ତାଳଚୂଆ, ପ୍ରହରାଜପୁର, ରଙ୍ଗଣୀ, ରାଜେଶ୍ୱରୀନଗର , ରାଜେନ୍ଦ୍ରନାରାୟଣପୁର, ଶୈଳେନ୍ଦ୍ରନଗର, ଶୈଳେନ୍ଦ୍ରନାରାୟଣପୁର, ଟିକାୟତନଗର ପ୍ରଭୃତି ଅଞ୍ଚଳ ଗୁଡିକରେ ବ୍ୟାପକ ଭାବରେ ଧାନ ଓ ରବିଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ଏପରିକି ଚାଷୀମାନେ ରାତି ଉଜାଗର ହୋଇ ଧାନ ଜମି ଜଗିରହୁଥିବା ବେଳେ ବାରହାମାନେ ଅବାଧରେ ଜଙ୍ଗଲରୁ ଜମି ମଧ୍ୟକୁ ପ୍ରବେଶ କରି ଫସଲ ନଷ୍ଟ କରିବା ସହିତ ପୁଣି ଜଙ୍ଗଲକୁ ଫେରିଯାଉଛନ୍ତି ।
ସେହିପରି ମହକାଳପଡା ବ୍ଲକର ଗଗୁଆ, ସୁନିତି, ଜମ୍ବୁ , ବତୀଘର ଓ ଲଞ୍ଜୁଡା ପଞ୍ଚାୟତର ଅଧିକାଂଶ ଜଙ୍ଗଲ ନିକଟବର୍ତ୍ତୀଗ୍ରାମ ଗୁଡିକରେ ବାରହା ମାନେ ପ୍ରବେଶକରି ଫସଲ ନଷ୍ଟ କରୁଥିବାରୁ ଚାଷୀମାନଙ୍କର ଚିନ୍ତାର କାରଣ ହେଉଛି । ତେବେ ଜଂଗଲ ଉନ୍ନୟନ ବିଭାଗ ମାତ୍ର ୫ଶହ ଟଙ୍କାରୁ ୨ହଜାର ପର୍ଯ୍ୟନ୍ତ ନାମକୁ ମାତ୍ର କ୍ଷତିପୂରଣ ପ୍ରଦାନ କରୁଥିବାରୁ ଚାଷୀମାନଙ୍କ ମଧ୍ୟରେ ଏହାକୁନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ବାରହାମାନେ ଜନବସତି ମଧ୍ୟରେ ପ୍ରବେଶ କରି ଲୋକଙ୍କୁ ଆକ୍ରମଣ କରୁଥିବାରୁ ବହୁ ବ୍ୟକ୍ତି ଗୁରୁତର ହେଉଥିବା ସୂଚନା ମିଳିଛି । ୨୦୧୯, ଡିସେମ୍ବର, ୫ରେ ତନ୍ତିଆପାଳ ମେରାଇନ ଥାନା ଅଧିନ ନରସିଂହପୁରରେ ବାରହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସେହିପରି୨୦୧୫, ଫେବୃୟାରୀ୧୯ରେ ରାଜନଗର ସହରପୁର ଗ୍ରାମରେ ଜଣେ ଓ ୨୦୧୬, ଅକ୍ଟୋବର,୬ରେ ବତୀଘର ପଞ୍ଚାୟତ କଜଳପାତିଆରେ ଜଣେ ବ୍ୟକ୍ତିଙ୍କ ଜଙ୍ଗଲୀ ବାରହା କାମୁଡାରେ ମୃତ୍ୟୁ ହୋଇଛି ।
୨୦୧୫ରେ ମହାକାଳପଡା ରଟପଙ୍ଗ ଗ୍ରାମର କିରିଟ ମଣ୍ଡଳ ନାମକ ବ୍ୟକ୍ତିର ବାରହା କାମୁଡାରେ ମୃତ୍ୟୁ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ଅନୁସାରେ ୨୦୧୬ରେ ୧୧ଜଣ , ୨୦୧୭ରେ ୧୫ଜଣ , ୨୦୧୮ରେ ୭ଜଣ ଓ ୨୦୧୯ରେ ୭ଜଣ ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ତେବେ ବଂଗଭାଷୀ ଅଞ୍ଚଳରେ ଅନୁପ୍ରବେଶକାରୀମାନଙ୍କ ଆଧାର ଓ ଅନ୍ୟାନ୍ୟ ପ୍ରମାଣ ପତ୍ର ନଥିବାରୁ ଏମାନେ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେଉଥିବା ସୂଚନା ମିଳିଛି । ଜଙ୍ଗଲୀ ଜନ୍ତୁମାନଙ୍କୁ ରୋକିବା ଲାଗି ବନବିଭାଗ ପକ୍ଷରୁ ଗତ ୧୦/୧୨ ବର୍ଷ ମଧ୍ୟରେ ବିଭିନ୍ନ ଦଫାରେ ଜଙ୍ଗଲ ସୀମାରେ ବାଡ ଦିଆଯାଇଛି । ତେବେ ଏହି ନିମ୍ନମାନର ବାଡ ଓ ଖୁଣ୍ଟ ଗୁଡିକ ନଷ୍ଟ ହୋଇଥିବା ବେଳେ ଏଗୁଡିକୁ ମରାମତି କରାଯାଉନଥିବା ଜଣାପଡିଛି । ଏ ଦିଗରେ ବନ ବିଭାଗ ଦୃଷ୍ଟିଦେବାକୁ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking