43.9 C
Bhubaneswar
Friday, April 19, 2024
Homeଓଡିଶାକମିଲା ଫି’,ସ୍କୁଲ ନଖୋଲିବା ଯାଏ ନେଇପାରିବେନି ଫି’

କମିଲା ଫି’,ସ୍କୁଲ ନଖୋଲିବା ଯାଏ ନେଇପାରିବେନି ଫି’

ଭୁବନେଶ୍ୱର,(ଓଏନଏ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଘରୋଇ ସ୍କୁଲ ଫି’ ଛାଡ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ୭.୫୦ ପ୍ରତିଶତରୁ ୨୬ ପ୍ରତିଶତ ଯାଏ ଟ୍ୟୁସନ ଫି’ ଛାଡ ହେବ । ହଷ୍ଟେଲ ଫି’ ୩୦ ପ୍ରତିଶତ ଛାଡ ହେବ । ବସ୍ ଓ ଖାଇବା ବାବଦ ଦେୟରେ ମଧ୍ୟ ରିହାତି ଦେବାକୁ କୁହାଯାଇଛି । ବାର୍ଷିକ ଫି ହିସାବରେ ଏହି ଛାଡ ପ୍ରତିଶତ ଲାଗୁ କରିବାକୁ କୁହାଯାଇଛି । ୨୦୨୦-୨୧ ଶିକ୍ଷା ବର୍ଷରେ କୌଣସି ଫି ବୃଦ୍ଧି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ ଫି ଥିଲେ କୌଣସି ଛାଡ ହେବନାହିଁ
ସେହିପରି ୬୦୦୧ରୁ ୧୨୦୦୦ ଯାଏ ଟ୍ୟୁସନ ଫି ବାବଦରେ ୭.୫୦ ପ୍ରତିଶତ ଛାଡ ହେବ
୧୨ ହଜାର ଏକ ଟଙ୍କାରୁ ୨୪ହଜାର ଟଙ୍କା ଯାଏ ବାର୍ଷିକ ଟ୍ୟୁସନ ଫି ଉପରେ ୧୨ ପ୍ରତିଶତ ଛାଡ
୨୪ ହଜାର ଏକ ଟଙ୍କାରୁ ୪୮ ହଜାର ଟଙ୍କା ଯାଏ ୧୫ ପ୍ରତିଶତ ଛାଡ
୪୮ ହଜାର ଏକ ଟଙ୍କାରୁ ୭୨ ହଜାର ଟଙ୍କା ଯାଏ ୨୦ ପ୍ରତିଶତ ଛାଡ
୭୨ ହଜାର ଏକ ଟଙ୍କାରୁ ଏକ ଲକ୍ଷ ଟଙ୍କା ଯାଏ ବାର୍ଷିକ ଦେୟ ଉପରେ ୨୫ ପ୍ରତିଶତ ଛାଡ
୧ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ବାର୍ଷିକ ଦେୟ ଉପରେ ୨୬ ପ୍ରତିଶତ ଛାଡ
ହଷ୍ଟେଲ ଫି ଉପରେ ୩୦ ପ୍ରତିଶତ ଛାଡ

କରୋନା କାଳରେ ସ୍କୁଲ ବନ୍ଦ ହେବା ଯୋଗୁ ସେହି ସମୟର ଫିକୁ ଛାଡ କରିବା ପାଇଁ କିମ୍ବା ରିହାତି କରିବା ଲାଗି ଅଭିଭାବକଙ୍କ ପକ୍ଷରୁ ଦାବି ହୋଇଥିଲା । ଏନେଇ ମାମଲା ହାଇକୋର୍ଟକୁ ଯାଇଥିଲା । ହାଇକୋର୍ଟ ଏହା ଉପରେ ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ନେବା ଦାୟିତ୍ୱ ଛାଡିଥିଲେ । ସବୁ ଦିଗକୁ ବିଚାର କରି ସରକାର ପଦକ୍ଷେପ ନେବାକୁ କହିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ସରକାର ଆଲୋଚନା କରିଥିଲେ । ଘରୋଇ ସ୍କୁଲ ଓ ଅଭିଭାବକ ସଂଘ ସହ ଆଲୋଚନା ମଧ୍ୟ କରାଯାଇଥିଲା । ଏନେଇ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ତାକୁ ଭିତ୍ତି କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଚଳିତ ଶିକ୍ଷା ବର୍ଷ ପାଇଁ କୌଣସି ଘରୋଇ ସ୍କୁଲ ଓ ଅନୁଦାପ୍ରାପ୍ତ ସ୍କୁଲ ଫି ବୃଦ୍ଧି କରିପାରିବେ ନାହିଁ ବୋଲି କୁହାଯାଇଛି । କରୋନା ସମୟରେ ଯେହେତୁ ସ୍କୁଲ ଗୁଡିକ ବନ୍ଦ ରହିଥିଲା ସେଥିପାଇଁ ଟ୍ୟୁସନ ଫି ଓ ଅନ୍ୟାନ୍ୟା ଆନୁସଙ୍ଗିକ ଫି ହ୍ରାସ କରାଯିବ ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ କର୍ତ୍ତୃପକ୍ଷ ପିଲାଙ୍କ ଠାରୁ ବାର୍ଷିକ ଫି, ରିଆଡମିଶନ ଫି, ଉନ୍ନୟନମୂଳକ ଫି ଭଳି ଅନ୍ୟ କୌଣସି ଫି ନେଇପାରିବେ ନାହିଁ । କରୋନା କାଳରେ ଏହି ଫିକୁ ମଧ୍ୟ ଛାଡ କରାଯାଇଛି । ଖାଦ୍ୟ ଓ ଯାତାୟାତ ବାବଦକୁ ଯେତିକି ପ୍ରାପ୍ୟ ତାହା ଅଭିଭାବକଙ୍କୁ ଦେବାକୁ ପଡିବ । ଏଥିରେ କୌଣସି କୋହଳ କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking