31.1 C
Bhubaneswar
Tuesday, April 23, 2024
Homeଓଡିଶାଏସସିବି ରୋଗୀ ମୃତ୍ୟୁକୁ ନେଇ ସନ୍ଦେହରେ ପରିବାର, ଶେଷ ଦର୍ଶନରୁ ବଞ୍ଚିତ ହୋଇ କାନ୍ଦି କାନ୍ଦି...

ଏସସିବି ରୋଗୀ ମୃତ୍ୟୁକୁ ନେଇ ସନ୍ଦେହରେ ପରିବାର, ଶେଷ ଦର୍ଶନରୁ ବଞ୍ଚିତ ହୋଇ କାନ୍ଦି କାନ୍ଦି ବେହାଲ

କଟକ : ରାଜ୍ୟର ସର୍ବପୁରାତନ ମେଡିକାଲ ଭାବେ ପରିଚିତ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ । ଏହି ପୁରାତନ ମେଡିକାଲକୁ ବିଶ୍ୱ ସ୍ତରୀୟ ଅନୁଷ୍ଠାନରେ ପରିଣତ କରି ରୋଗୀଙ୍କୁ ଏମସ ପ୍ଲସର ଉନ୍ନତ ସେବା ଯୋଗାଇ ଦେବା ଲାଗି ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ବିଭିନ୍ନ ଯୋଜନା ଜାରି ରହିଥିଲେ ମଧ୍ୟ ରୋଗୀଙ୍କୁ ଚିକିତ୍ସା ଠିକ ଭାବରେ ମିଳୁନଥିବା ବେଳେ ରୋଗୀଙ୍କ ସଠିକ ତଥ୍ୟ ପ୍ରଦାନ କରାଯାଉନଥିବା ଅଭିଯୋଗ ହେଉଛି । ବିଶେଷ କରି କରୋନା ରୋଗୀଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି । ରୋଗୀଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଉନଥିବା ଅଭିଯୋଗ ହେଉଛି । ଫଳରେ ମୃତକଙ୍କ ଶବ ଦିନ ପରେ ଦିନ ପଡି ଦୁର୍ଗନ୍ଦ ହେଉଛି । ଯଦି ମୃତକଙ୍କ ସମ୍ପର୍କୀୟ ପହଞ୍ଚିବାରେ ବିଳମ୍ବ ହେଉଛି ତେବେ ଶବକୁ ଶଶ୍ମାନକୁ ପଠାଦିଆଯାଉଛି । ମୃତକଙ୍କ ପରିବାରକୁ ଶେଷ ଦର୍ଶନରୁ ମଧ୍ୟ ବଞ୍ଚିତ କରାଯାଉଛି ।

ଏଭଳି ହେବା ଦ୍ୱାରା ରୋଗୀ ସମ୍ପର୍କୀୟ ମେଡିକାଲରୁ ଶଶ୍ମାନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଶବକୁ ଚିହ୍ନଟ ନକରି ପାରି ନିରାଶରେ ଫେରୁଛନ୍ତି । ମେଡିକାଲ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଏପରି ହେଉଥିବା ଅଭିଯୋଗ ହେଉଛି । କେବଳ ଜଣେ ରୋଗୀଙ୍କ କ୍ଷେତ୍ରରେ ଏପରି ହେଉନାହିଁ ଶହ ଶହ ରୋଗୀଙ୍କ ସମ୍ପର୍କୀୟମାନେ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଭିଯୋଗ ହେବା ପରେ ମଧ୍ୟ କୌଣିସ ସୁଫଳ ମିଳିପାରୁନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏସସିବି କରୋନା ୱାର୍ଡରେ ଚିିକତ୍ସିତ ରୋଗୀଙ୍କ ନିକଟରେ । ଜଗତସିଂହପୁର ଅରଖପାରିର ଝୁମ୍ପା ମହାରଣା(୮୫) ବର୍ଷୀୟ ବୃଦ୍ଧାଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେବାରୁ ଜଗତସିଂହପୁର ମେଡିକାଲରେ ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ ବାହାରିବାରୁ ଡାକ୍ତର ତାଙ୍କୁ ଏସସିବି ମେଡିକାଲକୁ ଯିବା ଲାଗି ପରାମର୍ଶ ଦେଇଥିଲେ । ଗତ ୨୧ ତାରିଖରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକ ଝୁମ୍ପାଙ୍କୁ ଏସସିବି କୋଭିଡ ୱାର୍ଡରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ ।

ଗତ ଦୁଇ ଦିନ ହେବ ଆଟେଣ୍ଡାଣ୍ଟ ସେଠାରେ ବାହାରେ ରହି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝୁଥିଲେ । ସେ ସୁସ୍ଥ ଥିବା ଜଣାପଡିଥିଲା । କୋଭିଡ ୱାର୍ଡରେ ରୋଗୀ ଆଟେଣ୍ଡାଣ୍ଟଙ୍କୁ ଭିତରକୁ ଛାଡିବାକୁ ଦିଆଯାଉନାହିଁ । ତେବେ ମେଡିକାଲରେ ରହିବା ଲାଗି ସୁବିଧା ନଥିବାରୁ ପରିବାର ଲୋକ ଘରକୁ ପଲେଇ ଯାଇଥିଲେ । ଶନିବାର ମେଡିକାଲରେ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବାରୁ ତାଙ୍କୁ କୌଣିସ ଉତ୍ତର ମିଳିନଥିଲା କିମ୍ବା ରୋଗୀଙ୍କୁ ଦେଖା କରିବାକୁ ମଧ୍ୟ ଛାଡି ନଥିଲେ । କୋଭିଡ ଫାଟକ ସମ୍ମୁଖରେ ଯେତେ କାକୁତି ମିନତି ହେଲେ ମଧ୍ୟ ସୁରକ୍ଷା କର୍ମୀ ଆଟେଣ୍ଡାଙ୍କୁ ଭିତରକୁ ଛାଡି ନଥିଲେ । ଅନେକ ସମୟ ଠିଆ ହେବା ପରେ ସେଠାରୁ ଖବର ମିଳିଲା ଯେ, ରୋଗୀଙ୍କୁ ଡାଇରିଆ ୱାର୍ଡରେ ଭର୍ତ୍ତି କରାଯାଇଛି । ସେଠାରେ ପହଞ୍ଚିବା ପରେ ସେଠାରେ ଥିବା କର୍ମଚାରୀ କହିଥିଲେ ରୋଗୀର ଗତ ୩ ତାରିଖରେ ମୃତ୍ୟୁ ଘଟିଛି । ମୃତ୍ୟୁର ସ୍ପଷ୍ଟୀକରଣ ଲାଗି ଏସସିବି ଫାଣ୍ଡିରେ ଯାଇ ପରିବାର ଲୋକ ପହଞ୍ଚିଲା ବେଳକୁ ସେଠାରେ ଏକ ଭିନ୍ନ କଥା ଶୁଣିବାକୁ ମିଳିଥିଲା । ରୋଗୀର ମୃତ୍ୟୁ ଗତ ୨୭ ତାରିଖରେ ହୋଇଛି ବୋଲି ଫାଣ୍ଡି କର୍ମଚାରୀ କହିଥିଲେ ।

ରୋଗୀ ମୃତ୍ୟୁର ଦୁଇଟି ତଥ୍ୟ ସାମ୍ନାକୁ ଆସିବା ପରେ ପରିବାର ଲୋକ ଚିନ୍ତାରେ ପଡିଯାଇଥିଲେ । କେଉଁଟା ଠିକ କେଉଁଟା ଭୁଲ ତାହା ନଜାଣି ପାରି ସେମାନେ ହରଡ ଘଣାରେ ପଡ଼ିଥିଲେ । ରୋଗୀ ଶବ କେଉଁଠାରେ ଚିହ୍ନଟ ହେବ କେଉଁ ତାରିଖରେ ତାଙ୍କର ମୃତ୍ୟୁ ଘଟିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶବ ଦାହ କରାଯାଇଛି କି ନାହିଁ ତାହା ଏବେ ସନ୍ଦେହ ଘେରରେ ରହିଛି । ଅନ୍ୟପକ୍ଷରେ କୋଭିଡ଼ ରୋଗୀଙ୍କ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଖବର ଦିଆଯାଇଥାଏ । ରୋଗୀର ଶେଷ ଦର୍ଶନ କରିବା ସହିତ ମୃତକଙ୍କୁ ଚିହ୍ନଟ କରିବା ପାଇଁ ସଂପର୍କୀୟ ଆସିଥାନ୍ତି । କିନ୍ତୁ ଏ କ୍ଷେତ୍ରରେ ଏସସିବି ପକ୍ଷରୁ ମୃ୍‌ତକଙ୍କ ପରିବାର ଲୋକଙ୍କୁ କୌଣସି ଫୋନ ଯାଇନଥିଲା ବୋଲି ଅଭିଯୋଗ ହୋଇଛି । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବା ରୋଗୀ ସଂପର୍କୀୟମାନେ ଅଭିଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking