ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ଇ-ହେପାଜତ ପଦକ୍ଷେପକୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ଼ ପ୍ରଶଂସା କରିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରା ଭର୍ଚୁଆଲ୍ କୋର୍ଟ ଏବଂ ଇ-ସେବା କେନ୍ଦ୍ର ଉଦଘାଟନ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ୍ ଚନ୍ଦ୍ରଚୁଡ଼ କହିଛନ୍ତି, ଏହି ବ୍ୟବସ୍ଥାରେ ପ୍ରତ୍ୟେକ ବିଚାରାଧୀନ କଏଦୀ ଏବଂ ଜେଲ ଦଣ୍ଡ ଭୋଗୁଥିବା ଦୋଷୀଙ୍କୁ ଇ-ହେପାଜତ ପ୍ରମାଣପତ୍ର ପ୍ରଦାନ କରାଯିବ। ସେହି ସାର୍ଟିଫିକେଟ୍ ଆମକୁ ନିର୍ଦ୍ଦିଷ୍ଟ ବିଚାରାଧୀନ କିମ୍ବା ଦୋଷୀ ସମ୍ବନ୍ଧରେ ସମସ୍ତ ଆବଶ୍ୟକୀୟ ତଥ୍ୟ ଦେବ।
ଏହି ଇ-ହେପାଜତ ବ୍ୟବସ୍ଥାରେ ରିମାଣ୍ଡ ଠାରୁ ଆରମ୍ଭ କରି ପ୍ରତ୍ୟେକ ମାମଲାର ପରବର୍ତ୍ତୀ ଅଗ୍ରଗତି ପର୍ଯ୍ୟନ୍ତ ସୂଚନା ଦିଆଯିବ ଯାହା ଜାମିନ ନିର୍ଦ୍ଦେଶ ଦିଆଯିବା କାର୍ଯ୍ୟକାରୀ କରାଯିବା କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ। ଜଷ୍ଟିସ ଚନ୍ଦ୍ରଚୁଡ଼ ଭର୍ଚୁଆଲ୍ କୋର୍ଟର ଗୁରୁତ୍ୱ ବିଷୟରେ ମଧ୍ୟ କହିଛନ୍ତି। ସମଗ୍ର ଦେଶରେ ୯୯.୪୩ ଲକ୍ଷ ମାମଲା ଫଇସଲା ହୋଇଛି। ୧୮.୩୫ ଲକ୍ଷ ମାମଲାରେ ଜରିମାନା ଆଦାୟ କରାଯାଇଛି। ସଂଗୃହିତ ମୋଟ ଜରିମାନା ୧୧୯ କୋଟିରୁ ଅଧିକ ହେବ ବୋଲି ସେ କହିଛନ୍ତି। ପ୍ରାୟ ୯୮ ହଜାର ଉଲ୍ଲଂଘନକାରୀ ଏହି ମାମଲାରେ କେଶ ଲଢ଼ିବାକୁ ଇଛା ପ୍ରକାଶ କରିଥିବା ସେ କହିଛନ୍ତି।