ଦାରିଙ୍ଗବାଡ଼ିରେ ଥମୁନୀ ଶୀତ : ବଢ଼ୁଛି ଯନ୍ତ୍ରଣା

ଦାରିଙ୍ଗବାଡ଼ି : ଲଗାତାର ୪ର୍ଥ ଦିନରେ ପୁଣି ହାଡ଼ଭଙ୍ଗା ଶୀତରେ ଥରିଲା ଦାରିଙ୍ଗବାଡ଼ି ଅଂଚଳ । ଦାରିଙ୍ଗବାଡ଼ି ବ୍ଲକରେ ଶୀତ ଥମୁନଥିବା ବେଳେ ଶୀତ ଯୋଗୁଁ ଲୋକେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି । ଅନ୍ୟ ପକ୍ଷରେ ବିଭିନ୍ନ ଆଭ୍ୟନ୍ତରୀଣ ଇଲାକାରେ ତୁଷାରପାତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ପାଣିପାଗ ବିଭାଗ ଏନେଇ କୌଣସି ସୂଚନା ନଥିବା ପ୍ରକାଶ କରିଛନ୍ତି । ଗତ ବୁଧବାର ଠାରୁ ଲଗାତାର ୪ଦିନ ଧରି ଦାରିଙ୍ଗବାଡ଼ି ଅଂଚଳର ତାପମାତ୍ରା ହ୍ରାସ ପାଇଥିବା ବେଳେ ଲଗାତାର ୫ ଦିନ ଧରି ଦାରିଙ୍ଗବାଡ଼ି ଅଂଚଳରେ ପ୍ରବଳ ଶୀତ ଲାଗିରହିଛି । ଶୁକ୍ରବାର ଦାରିଙ୍ଗବାଡ଼ିର ତାପମାତ୍ରା ୭ ଡିଗ୍ରୀ ରହିଥିବା ବେଳେ ଶନିବାର ୦.୫ଡିଗ୍ରୀ ହ୍ରାସ ପାଇଛି । ଦାରିଙ୍ଗବାଡ଼ିର ତାପମାତ୍ରା ଶନିବାର ସକାଳ ସାଢ଼େ ୮ଟା ସୁଦ୍ଧା ୬.୫ଡିଗ୍ରୀ ରହିଥିବାବେଳେ ବ୍ଲକ କାର୍ଯ୍ୟାଳୟ ତରଫରୁ ସୂଚନାମିଳଛି । ଆଜି ଦିନସାରା ଅଂଚଳରେ କୋହଲା ପାଗ ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୁତ ହୋଇଥିଲା ସକାଳ ୧୦ଟା ପର୍ଯ୍ୟନ୍ତ ପ୍ରବଳ ଶୀତ ହେଉଥିବା ଯୋଗୁଁ ଲୋକେ ଘରୁ ବାହାରକୁ ବାହାରି ପାରୁନଥିଲେ । ଆଭ୍ୟନ୍ତରୀଣ ଇଲାକାରେ ଲୋକଙ୍କ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଦାରିଙ୍ଗବାଡ଼ି ଠାରୁ ଆଭ୍ୟନ୍ତରୀଣ ଇଲାକାରେ ତାପମାତ୍ରା ୨ଡିଗ୍ରୀ କମ୍ ରହୁଥିବା ଜଣାପଡ଼ିଥିବା ବେଳେ ବିଭିନ୍ନ ଦୁର୍ଗମ ଅଂଚଳ ଗଦାପୁର ପଂଚାୟତର ଗାନ୍ଦାରଗୁଡ଼ି,ଗଡ଼ାପାକାଲି ଏବଂ ସିକରମାହା ଆଦି ଗ୍ରାମରେ କିଛି ମାତ୍ରାରେ ତୁଷାରପାତ ହୋଇଥିବା ନେଇ ଗଦାପୁର ଅଂଚଳର ଗ୍ରାମବାସୀ କହିଛନ୍ତି ।