ବୁଗୁଡ଼ା : ସ୍ମାର୍ଟ ସ୍କୁଲ ହେଲେ ଛାତ୍ର ଛାତ୍ରୀ ସ୍ମାର୍ଟ ହେବେ । ଆଧୁନିକ ପରିବେଶରେ ପାଠ ପଢ଼ି ସହରୀ ପିଲାଙ୍କ ସମକକ୍ଷ ହେବେ ଗାଁ ଗହଳି ପିଲା । ଏଣୁ ବିଭିନ୍ନ ସ୍କୁଲକୁ ସ୍ମାର୍ଟ ସ୍କୁଲ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କେଉଁଠି ଶିକ୍ଷକ ଅଭାବ ତ କେଉଁଠି କାମ ସରୁ ନଥିବାରୁ ପିଲାମାନେ ବାରଣ୍ଡାରେ ବସିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଘୋଡ଼ାପଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ । ପୂର୍ବରୁ ୩ଟି ଶ୍ରେଣୀଗୃହରେ ପ୍ରାଥମିକ ବିଦ୍ୟାଳୟଥିବା ବେଳେ ୨୦୦୮ ମସିହାରୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କରାଯାଇ ଆଠଟି ଶ୍ରେଣୀ ଗୃହ ନିର୍ମାଣ ହୋଇଥିଲା ।
ତେବେ ତଳେ ୪ଟି ଶ୍ରେଣୀ ସମ୍ପୂର୍ଣ୍ଣ କରାଯାଇଥିବା ବେଳେ ଉପର ୪ଟିରୁ ୩ଟି ସମ୍ପୂର୍ଣ୍ଣ ହୋଇ ଗୋଟିଏ କକ୍ଷ ଅଧାରେ ପନ୍ତରିଆ ଛାଡ଼ି ଦିଆଯାଇଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୫୮ ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି । ଗତବର୍ଷ ଏହି ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ କରିବା ପାଇଁ ଅନୁଦାନ ଆସିଲା । ଫଳରେ ଗତ ଡିସେମ୍ବର ମାସରୁ ୮ଟି ଶ୍ରେଣୀ ଗୃହକୁ ପୁନରୁଦ୍ଧାର କରି ଚକାଚକ୍ କରିବା ପାଇଁ କାମ ଚାଲିଛି । ହେଲେ ଏ ପର୍ଯ୍ୟନ୍ତ କାମ ସରୁ ନଥିବାରୁ ପିଲା ପାଠ ପଢିବାକୁ ଏବେ ଜାଗା ନାହିଁ । ବର୍ତ୍ତମାନ ନବମ ଓ ଦଶମ ପିଲା ଆସୁ ନଥିବା ବେଳେ ପ୍ରାଥମିକ ବିଦ୍ୟାଳୟର ପୁରୁଣା କୋଠାରେ ଥିବା ଶ୍ରେଣୀ ଗୃହ ମଧ୍ୟରୁ ଗୋଟିଏ କକ୍ଷରେ ପଞ୍ଚମ ଓ ଷଷ୍ଠ ଶ୍ରେଣୀ ଏବଂ ଅନ୍ୟଟିରେ ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ବସୁଛନ୍ତି ।
ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବସିବାକୁ କକ୍ଷ ନଥିବାରୁ ପ୍ରାୟ ୬୦ ପିଲା ଅସହ୍ୟ ଗରମରେ ବାରଣ୍ଡାରେ ବସିବାକୁ ବାଧ୍ୟ ହେଉଛନ୍ତି । ପୃର୍ବରୁ ବିଦ୍ୟାଳୟ ହତା ଭିତରେ ଥିବା ଚଳନ୍ତି ନଳକୂପଟିକୁ ମଧ୍ୟ ଠିକାଦାର ମାଟି ପକାଇ ପୋତି ଦେଇଥିବାରୁ ଶୋଷ ହେଲେ ପିଲାମାନେ ପମ୍ପ ହାଉସ୍ ନିକଟକୁ ଯାଇ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ବିଦ୍ୟାଳୟର ପାଚେରୀ ନଥିବାରୁ ବହୁ ସମୟରେ ଗାଈ, ମଇଁଷି ଓ କୁକୁରମାନେ ବିଦ୍ୟାଳୟ ହତା ଭିତରେ ପଶୁଛନ୍ତି ।
ସ୍କୁଲ ନିକଟରେ ୩ଟି ପୋଖରୀ ଥିବାରୁ କେତେବେଳେ କୋଉ ପିଲା ପୋଖରୀକୁ ଯାଇ ଖସି ପଡିବ ସେନେଇ ଅଭିଭାବକ ଆଶଙ୍କାରେ ରହୁଛନ୍ତି । ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ଆବଶ୍ୟକ ଷ୍ଟାଫ ନାହାଁନ୍ତି । ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ୬ ଜଣ ଶିକ୍ଷକ ଅଛନ୍ତି । ନବମ ଓ ଦଶମ ଶ୍ରେଣୀ ପାଇଁ ୫ ଜଣ ଶିକ୍ଷକ ଥିଲେ ହେଁ ବିଜ୍ଞାନ, ବିଜ୍ଞାନ ସହାୟକ ଓ ହିନ୍ଦୀ ଶିକ୍ଷକ ନାହାନ୍ତି । ହାଇସ୍କୁଲ ପାଇଁ ଦରକାର ଥିବା ପିଅନ, କିରାଣୀ, ରାତ୍ର ଜଗୁଆଳି ପଦ ଖାଲି ପଡିଛି । ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।