ଭୁବନେଶ୍ୱର: ଭୁବନେଶ୍ୱର ବିକାଶ ସଙ୍ଗଠନ ଓ ଆତ୍ମଶକ୍ତି ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରେ ଭୁବନେଶ୍ୱର ମହାନଗର ନିଗମର ବସ୍ତି ବାସିନ୍ଦାମାନେ ସମ୍ମୁଖୀନ ହେଉଥିବା ବିପର୍ୟ୍ୟପ୍ତ ଜଳ, ଓ ପରିମଳ ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୬୧ଟି ୱାର୍ଡରେ ଥିବା ୩୭୦ଟି ବସ୍ତିର ୮୮,୯୧୬ଟି ପରିବାରକୁ ନେଇ ଏକ ସର୍ଭେ କରାଯାଇଥିଲା । ଅଧ୍ୟୟନ ଅନୁଯାୟୀ, ସର୍ବେକ୍ଷଣ କରାଯାଇଥିବା ଅଞ୍ଚଳର ୨୨.୭% (୮୪ଟି ବସ୍ତି) ଦୂଷିତ ପାନୀୟ ଜଳର ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯାହାକି ବସ୍ତି ବାସିନ୍ଦାଙ୍କ ପାଇଁ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଆଶ୍ଚର୍ୟ୍ୟର କଥା ଏହାଯେ, ୧୨.୭% (୪୭ଟି ବସ୍ତି) କାଦୁଅ ପାଣି ପିଇବାର ସୂଚନା ଦେଇଛନ୍ତି, ଏହା ସହିତ ୧୦% (୮୪ଟି ବସ୍ତି) ପ୍ରତିଦିନ ଲୈାହ ମିଶ୍ରିତ ଦୂଷିତ ପାନୀୟ ଜଳର ସମ୍ମୁଖୀନ ହେଉଛନ୍ତି ।
ପର୍ୟ୍ୟାପ୍ତ ଡ୍ରେନେଜ୍ ସୁବିଧା ଓ ଏହାର ଭିତିଭୂମି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ସର୍ବେକ୍ଷଣ ହୋଇଥିବା ଅଂଚଳର ୧୧.୯% (୪୪ଟି ବସ୍ତି)ରେ ଡ୍ରେନେଜ୍ ସୁବିଧା ନଥିବା ଅଧ୍ୟୟନରୁ ଜଣାପଡ଼ିଛି, ଯାହାଫଳରେ ସହରବାସୀ ପାଣି ଜମିବା ଓ ପରିମଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏତଦ୍ୱ୍ୟତୀତ ୧୫.୧% (୪୪ଟି ବସ୍ତି)ରେ ଡ୍ରେନେଜ୍ ବ୍ୟବସ୍ଥା ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଚିହ୍ନଟ କରାଯାଇଛି । ଏହି ଅଧ୍ୟୟନରେ ନଳକୂପ ଓ ହ୍ୟାଣ୍ଡପମ୍ପର ସ୍ଥିତିକୁ ଅନୁଧ୍ୟାନ କରିବା ଫଳରେ ବିସ୍ଫୋରକ ତଥ୍ୟ ପ୍ରକାଶ ପାଇଛି । ସର୍ବେକ୍ଷେଣ କରାଯାଇଥିବା ୨୨୭ଟି ନଳକୂପ ଓ ହ୍ୟାଣ୍ଡପମ୍ପ ମଧ୍ୟରୁ ୭୧.୮% (୧୬୩ଟି ନଳକୂପ) ଅଚଳ ହୋଇପଡ଼ିଥିବା ଜଣାପଡ଼ିଛି ।
ଏହା ବ୍ୟତୀତ ୩୭.୯% (୮୬ଟି ନଳକୂପ)ରେ ଭିତିଭୂମିର ଅଭାବ ଥିବାବେଳେ ୪୨.୭% (୯୭ଟି ନଳକୂପ)ରେ ସୋକ୍ ପିଟର ଅଭାବ ରହିଛି । ରିପୋର୍ଟ ଅନୁଯାୟୀ ୫.୩% (୧୨ଟି ନଳକୂପ) ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ, ୭.୯% (୯୭ଟି ନଳକୂପ) ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଇଛି । ବସ୍ତିରେ ରାସ୍ତାର ଭିତିଭୂମି ସମ୍ପର୍କରେ କହିବାକୁ ଗଲେ, ୧୧.୧% (୪୧ଟି ବସ୍ତି)ରେ ଆଂଶିକ ଭାବେ କଂକ୍ରିଟ୍ ରାସ୍ତା ଥିବାବେଳେ ୫.୪% (୪୧ଟି ବସ୍ତି)ରେ କୈାଣସି କଂକ୍ରିଟ୍ ରାସ୍ତା ନାହିଁ । ଏହି ସବୁ ସମସ୍ୟାର ସମାଧାନ ପାଇଁ ସଂଗଠନର ସଦସ୍ୟମାନେ ୩ ବିଧାୟକ ସମେତ ୪୭ କର୍ପୋରେଟର, ମେୟର ଏବଂ ଡ଼େପୁଟି ମେୟର ସହିତ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀସୁଶ୍ରୀ ଉଷା ଦେବୀ, ସମେତ ମହିଳା ଓ ଶିଶୁ ବିକାଶ ଅଧିକାରୀ ଏବଂ ଓଡ଼ିଶା ପାନୀୟ ଜଳ ବିଭାଗ ପ୍ରତିନିଧୀଙ୍କ ସହ ଆଲୋଚନା କରି ଭୁବନେଶ୍ୱର ବସ୍ତି ବାସିନ୍ଦାମାନେ ସମ୍ମୁଖୀନ ହେଉଥିବା ଜଳ ଏବଂ ପରିମଳ ଭିତିକ ସମସ୍ୟାର ସମାଧାନ ନିମନ୍ତେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।