34.1 C
Bhubaneswar
Friday, March 29, 2024
Homeଓଡିଶାପ୍ରେମିକାଙ୍କୁ ପତ୍ନୀର ମାନ୍ୟତା ଦେବାକୁ ଅପରେସନ କରି ଯୁବତୀ ବନିଲେ ଯୁବକ....

ପ୍ରେମିକାଙ୍କୁ ପତ୍ନୀର ମାନ୍ୟତା ଦେବାକୁ ଅପରେସନ କରି ଯୁବତୀ ବନିଲେ ଯୁବକ….

ମାଲକାନଗିରି : ମୁଁ ଭଲପାଇଛି…ମନ ଦେଇଛି… ତତେ ପାଇବାକୁ ମୁଁ କିଛି ବି କରିପାରେ । ତୋ ମିଠା ପରସ, ତୋ ହାତର ସ୍ପର୍ଶ ଆଉ ତୋ ପ୍ରେମର ଫଗୁଣକୁ ମୋ ଦେହରେ ବୋଳି ଜୀବନକୁ ରଙ୍ଗୀନ କରିବାକୁ ଦୁନିଆର ସବୁ ସୀମା ସରହଦକୁ ଡେଇଁପାରେ… କାରଣ ମୁଁ ମୋ ଠୁ ବି ଅଧିକ ତତେ ଭଲପାଏ… ତତେ ରାଣୀ କରିବାକୁ ଚାହେଁ… ପ୍ରେମ ପାଇଁ କିଏ ସାତ ଦରିଆ ତେର ନଈ ଡେଇଁ ପାରୁଛି ତ ପୁଣି କିଏ ସାରା ଜୀବନ ପ୍ରେମର ଶେଷ ସନ୍ତକ ଧରି ସ୍ମୃତିର ସାହାଜାନ ପାଲଟି ଯାଉଛି… ଆଉ ମୁଁ ତୋ ପାଇଁ ଏତିକି କରିପାରିବନି… ? ଟିକେ କଷ୍ଟ ସହି ଝିଅରୁ ପୁଅ ହୋଇ ପାରିବିନି ? ଝିଅଟିଏ କଣ ଝିଅକୁ ପ୍ରେମ କରିବା ଭୁଲ ? ନାରୀଟିଏ ତା ହୃଦୟରେ ନାରୀର ପ୍ରତିଛବି ଆଙ୍କି ତା ପ୍ରେମର ପୂଜାରୀ ସାଜିବା କଣ ଭୁଲ ? କେଉଁ ଶାସ୍ତ୍ର, କେଉଁ ସମ୍ବିଧାନରେ ଲେଖା ଅଛି ଯେ ଗୋଟେ ଝିଅ, ଆଉ ଗୋଟେ ଝିଅକୁ ଭଲପାଇ ପାରିବନି ? ତାକୁ ବାହା ହୋଇ ପାରିବନି…. ? ମୁଁ ତତେ ବାହା ହେବି ।

ତତେ ପାଇବାକୁ ମୁଁ ଝିଅରୁ ପୁଅ ବନିଯିବି… ତୋ ବର ସାଜିବି ଆଉ ତୋ ସିନ୍ଥିରେ ସିନ୍ଦୂର ଦେଇ ତତେ ସାରା ଜୀବନ ପାଇଁ ନିଜର କରିନେବି…ପ୍ରେମର ସୁମଧୁର ସଂଜ୍ଞା, ଭଲପାଇବାର ଭାରି ଭାରି ଶବ୍ଦ ଥିବା ଏ ଆତ୍ମଲିପି, ଏ ଅନ୍ତସ୍ୱର ଆଉ ଏ ଭରସା ଭରା ପ୍ରେମର ଚିଠି କୌଣସି ପ୍ରେମିକ ତା ପ୍ରେମିକାକୁ ଦେଇନି ବରଂ ଜଣେ ପ୍ରେମିକା ତା ପ୍ରେମିକାକୁ ଏମିତି କିଛି ଶବ୍ଦ, ଏମିତି କିଛି ଭାବରେ ସାରା ଜୀବନ ନିଜର କରିବ ବୋଲି ଭରସା ଦେଇଛି । ଆଜ୍ଞା ହଁ ଝିଅଟିଏ ଝିଅକୁ ପ୍ରେମ କରିଛି ତାକୁ ବାହା ବି ହୋଇଛି । ସମାଜର ସବୁ ପ୍ରତିବନ୍ଧକର ପାଚେରୀ ଡେଇଁ ନିଜକୁ ପୁଅ ସଜେଇ ତା ପ୍ରେମିକା ମଥାରେ ସିନ୍ଦୂର ଦେଇଛି । ପ୍ରେମ କାହାଣୀର ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଲି ଖବର ଆସିଛି ମାଲକାନଗିରିରୁ । ଯେଉଁଠି ଜଣେ ଯୁବତୀ ନିଜ ପ୍ରେମିକାକୁ ପାଇବାକୁ ଲିଙ୍ଗ ପରିବର୍ତ୍ତନ କରି ପୁଅ ପାଲଟିଛନ୍ତି । ପ୍ରେମ ଏମିତି ଏକ ଶବ୍ଦ, ଏମିତି ଏକ ଆବେଗ… କେତେବେଳେ, କାହା ସହ, କେଉଁଠି ବି ହୋଇଯାଏ କିଛି ବି କହିହୁଏନା । ସେଇଥିପାଇଁ ତ ତା ନାଁ ପ୍ରେମ । ଯାହାର ବଡ ଉଦାହରଣ ପାଲଟିଛନ୍ତି ମାଲକାନଗିରିର ପ୍ରେମୀଯୁଗଳ । ମାଲକାନଗିରି ଜିଲ୍ଲାରୁ ଆସିିଥିବା ପ୍ରେମ ଓ ସମର୍ପଣର ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଏଠି ଜଣେ ବିଟେକ ଛାତ୍ରୀ ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡିଯାଇଥିଲେ । ଉଭୟଙ୍କ ଭିତରେ ପ୍ରାୟ ଦୁଇରୁ ତିନି ବର୍ଷ ଧରି ପ୍ରେମ ସମ୍ପର୍କ ବି ରହିଥିଲା । ହେଲେ ସାମାଜିକ ଓ ଶାରୀରିକ ସମ୍ପର୍କ ତାଙ୍କ ପ୍ରେମରେ ପ୍ରତିବନ୍ଧକ ଭାବେ ସାମ୍ନାକୁ ଆସୁଥିଲା ।

କିନ୍ତୁ ଏଥିରେ ହାର ନମାନି ଆଧୁନିକ ଡାକ୍ତରୀ ବିଜ୍ଞାନର ସାହାରା ନେଲେ ବିଟେକ ପଢୁଥିବା ଯୁବତୀ । ଆଉ ନିଜ ପ୍ରେମିକାକୁ ପାଇବା ପାଇଁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଲିଙ୍ଗ ପରିବର୍ତ୍ତନର ଅସ୍ତ୍ରୋପଚାର କଲେ । ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ୩ ଜୁଲାଇ ୨୦୧୯ରେ ଯୁବତୀଙ୍କ ଲିଙ୍ଗ ପରିବର୍ତ୍ତନ କରାଯାଇ ତାଙ୍କୁ ଯୁବକ କରିଦିଆଗଲା । ଏହାସହ ୧୦ ଜୁଲାଇ ୨୦୧୯ରେ ଡାକ୍ତର ତାଙ୍କୁ ଯୁବକର ପରଚିୟ ବି ଦେଲେ । ଆଉ ଶେଷରେ ସବୁ ପ୍ରତିବନ୍ଧକକୁ ସାମ୍ନା କରି ଝିଅରୁ ପୁଅ ବନିଗଲେ ମାଲକାନଗିରିର ଏହି ଯୁବତୀ । ଆଉ ଗତ ମଙ୍ଗଳବାର ଦିନ ହିଁ ସେ ନିଜ ପ୍ରେମିକାଙ୍କୁ ବିବାହ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ପ୍ରେମିକା ପାଇଁ ଯୁବତୀ ଲିଙ୍ଗ ପରିବର୍ତ୍ତନ କରିବା ଠାରୁ ଆରମ୍ଭ କରି ଉଭୟଙ୍କ ବିବାହ ପର୍ଯ୍ୟନ୍ତ ସବୁଥିରେ ଥିଲା ପରିବାର ଲୋକଙ୍କର ସମର୍ଥନ । ତେବେ ଆଜି ଠାରୁ ଆରମ୍ଭ ହେଉଛି ପ୍ରେମର ସପ୍ତାହ । ଫେବୃୟାରୀ ୭ରୁ ୧୪ ଯାଏଁ ପ୍ରେମିଯୁଗଳ ପାଳିବେ ପ୍ରେମର ଏହି ମହାପର୍ବ । ନିଜ ପ୍ରେମିକାକୁ ମନର କଥା କହିବାକୁ ଆଉ ତାକୁ ସାରା ଜୀବନ ସାଥୀଟେ କରିବାକୁ ଶପଥ ନେବେ ଯୁବକ ଯୁବତୀ ।

ଆଉଠିକ ଏତିକି ବେଳେ ମାଲକାନଗିରିରୁ ଆସିଛି ପ୍ରେମ, ସମର୍ପଣର ଏକ ସୁନ୍ଦର କାହାଣୀ ଯାହା ପ୍ରେମୀଯୁଗଳଙ୍କ ପାଇଁ ପ୍ରେରଣାର ଉଜ୍ଜା ସାଜିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking