ରାଏଲା ଶିବିରରେ ଯୋଗଦେବେ ୫ ଶହ ଛାତ୍ରଛାତ୍ରୀ

ସମ୍ବଲପୁର : ରୋଟାରୀ କ୍ଲବ, ସମ୍ବଲପୁର ଗ୍ରେଟର ପକ୍ଷରୁ ଆଗାମୀ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ମହାନଗର ଅନ୍ତର୍ଗତ ଶାସନର ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ରୋଟାରୀ ଯୁବ ନେତୃତ୍ୱ ପୁରସ୍କାର (ରାଏଲା)-୨୦୧୯ ଆୟୋଜିତ ହେବ । ଏଥିରେ ଓଡ଼ିଶା, ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ସହିର ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, ଆର୍ଜେଣ୍ଟିନା ଭଳି ଦେଶର ୧୪ରୁ୧୮ ବର୍ଷ ବୟସ ବର୍ଗର ୫ ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେବେ ବୋଲି କ୍ଲବ୍‌ର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏହାର ଉଦଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ସାଂସଦ ଡ. ଅଚ୍ୟୁତ ସାମନ୍ତ, ଆଜତକ ତେଜ ଚ୍ୟାନେଲର ନିର୍ବାହୀ ନିର୍ଦ୍ଦେଶକ ସଞ୍ଜୟ ସିହ୍ନା ଯୋଗ ଦେବେ । ସେହି ଦିନ ଶିବିର ଆରମ୍ଭ ହେବ । ଏହାର ବିଭିନ୍ନ ଅଧିବେଶନରେ ଛାତ୍ରଛାତ୍ରୀ ମାନଙ୍କ ସାମାଜିକ ଦାୟିତ୍ୱ, ନେତୃତ୍ୱ କ୍ଷମତା ବୃଦ୍ଧି, ଦଳଗତ ଉଦ୍ୟମ, ସମାଜସେବା ପ୍ରତି ଆକର୍ଷଣ କରିବା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଲୁକ୍କାୟିତ ମେଧା ଓ ସାଂସ୍କୃତିକ ପ୍ରତିଭା ଅନ୍ୱେଷଣ ଓ ବିକାଶ ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ଅଟେ । ଏହା ବ୍ୟତିତ ସମ୍ବଲପୁରୀ ସଂସ୍କୃତି, ହସ୍ତତନ୍ତ ବାବଦରେ ଶିବିରାର୍ଥୀ ମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ଫେଶନ ଶୋ’ ଆୟୋଜିତ ହେବ । ଦ୍ୱତୀୟ ଦିବସରେ ଆଗନ୍ତୁକ ଛାତ୍ରଛାତ୍ରୀମାନେ ଡେବ୍ରୀଗଡ଼ ଅଭୟାରଣ୍ୟ, ହୀରାକୁଦ, ପ୍ଲାନେଟୋରିୟମ, କେବୁଲ କାର ଇତ୍ୟାଦି ଦର୍ଶନୀୟ ସ୍ଥଳ ବୁଲି ଦେଖିବେ । ସମ୍ବଲପୁରର କଳା ଓ ସଂସ୍କୃତି ବାବଦରେ ଓ ସୌନ୍ଦର୍ଯ୍ୟର ପ୍ରସାର ପାଇଁ ଏହି ଶିବିର ସହାୟକ ହେବ । ଏଥିରେ ପ୍ରଖ୍ୟାତ ବିଶେଷଜ୍ଞମାନଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ମାନସିକ ଓ ବୌଦ୍ଧିକ ବିକାଶ ଉପରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ । ରୋଟାରୀ ଆନ୍ତର୍ଜାତୀୟ ସଂଗଠନ ପକ୍ଷରୁ ଗତ ୫୦ ବର୍ଷଧରି ବଶ୍ୱର ବିଭିନ୍ନ ଦେଶରେ ଏହିଭଳି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ପଶ୍ଚିମ ଓଡ଼ିଶାରେ ଏହା ପ୍ରଥମ କରି ଆୟୋଜିତ ହେବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । ସମ୍ବଲପୁର ରାଏଲା ପାଇଁ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକଳ୍ପର ଆବାହକ ରାଜ କିଶୋର ଦାସ, ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, କ୍ଲବର ସଭାପତି ପରଭେଜ ଅଲି ଖାନ, ସମ୍ପାଦକ ଆନନ୍ଦ କୁମାର ମିଶ୍ର, ପରାମର୍ଶଦାତା ହରଜିତ ସିଂହ ହୁରା ପ୍ରମୁଖ ବିଭିନ୍ନ ବିଷୟରେ ସୂଚନା ଦେଇଥିଲେ ।