29.4 C
Bhubaneswar
Thursday, April 18, 2024
Homeଓଡିଶାଭୋକ ବିକଳରେ ୧୦ ମାସର ଛୁଆକୁ ବିକିଲା ମା’.. 

ଭୋକ ବିକଳରେ ୧୦ ମାସର ଛୁଆକୁ ବିକିଲା ମା’.. 

କେନ୍ଦ୍ରାପଡ଼ା : ଜିଲ୍ଲାର ରାଜକନିକା ବ୍ଲକ ମହୁରି ଗାଁର ଜଣେ ସ୍ୱାମୀ ପରିତ୍ୟକ୍ତା ଗରିବ ମହିଳା ଭୋକ ବିକଳରେ ନିଜ ୧୦ମାସର ଛୁଆକୁୁ ମାତ୍ର କେତେଟା ଟଙ୍କାରେ ବିକ୍ରି କରିବା ପରି ଅଭାବନୀୟ ଘଟଣା ଘଟିଛି । ଏ ସମ୍ପର୍କରେ ଚାଇଲ୍ଡ ଲାଇନକୁ ଖବର ମିଳିବାପରେ ସ୍ଥାନୀୟ ସରପଞ୍ଚ, ସିଡିପିଓ ଏବଂ ଚାଇଲ୍ଡ ଲାଇନ କର୍ମଚାରୀଙ୍କ ସହାୟତାରେ ବିକ୍ରି ହୋଇଥିବା ଶିଶୁକୁ ଉଦ୍ଧାର କାରାଯାଇଥିଲା । ସିଡବ୍ଲୁସି ସଦସ୍ୟା ସ୍ମିତାଞ୍ଜଳି ମାହାପାତ୍ର ଅସୁସ୍ଥ ଶିଶୁକୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏହି ମହିଳାଙ୍କର ପୂର୍ବରୁ ଥିବା ଜଣେ ୭ ବର୍ଷର ଓ ଅନ୍ୟଜଣେ ୩ବର୍ଷର ଶିଶୁକନ୍ୟାକୁ ପଲିଶ୍ରୀ ଶିଶୁଯତ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି । ସୂଚନା ଅନୁଯାୟୀ, ରାଜକନିକା ମହୁରୀ ଗ୍ରାମର ସ୍ୱାମୀ ପରିତ୍ୟକ୍ତା ଅସହାୟ ମହିଳା ଅରୁନ୍ଧତି ରାଉଳ (୨୮)ଙ୍କର ପୂର୍ବରୁ ଦୁଇଟି ଝିଅ ସଂଗୀତା ୭ ବର୍ଷ ଓ ସସ୍ମିତା ୩ ବର୍ଷ ଥିବାବେଳେ ଗତ ୧୦ମାସ ତଳେ ସେ ଅନ୍ୟ ଏକ ଶିଶୁକନ୍ୟା ରଶ୍ମିତାକୁ ଜନ୍ମ ଦେଇଥିଲେ । ନିଜେ ଅଧିକାଂଶ ଦିନ ଭୋକ ଉପାସରେ ରହିବା ସହିତ ବଡ଼ ଓ ମଝିଆଁ ଝିଅଙ୍କ ଉପଯୁକ୍ତ ଲାଲନ ପାଳନ କରିପାରୁନଥିବା ବେଳେ ପୁଣି ଏକ କନ୍ୟା ସନ୍ତାନ ଜନ୍ମ ଦେବାରୁ ଅନ୍ୟମାନଙ୍କ ପରାମର୍ଶରେ ଏହାକୁ ମାତ୍ର କେତେ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ । ଅତି ଗରିବ ଥିବାରୁ ଏହି ୧୦ ମାସର ଛୁଆକୁ ଏକ ନିଃସନ୍ତାନ ଦମ୍ପତିଙ୍କୁ ବିକ୍ରି କରିଥିବା ସେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଚାଇଲଡ୍ ଲାଇନକୁ ଖବର ମିଳିବା ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ସଦସ୍ୟା ସ୍ମିତାଞ୍ଜଳୀ ମହାପାତ୍ର, ରାଜକନିକା ସିଡିପିିଓ କଳ୍ପନା ଧଳଙ୍କୁ ତଦନ୍ତକରି ରିପୋର୍ଟ ଦେବାକୁ କହିଥିଲେ । ଏହି ଘଟଣା ସତ୍ୟ ବୋଲି ଜଣାପଡ଼ିବା ପରେ ରାଜକନିକା ଚାଇଲ୍ଡ ଲାଇନ କୋଡିନେଟର ରାକେଶ କୁମାର ବାରିକ, ସଦସ୍ୟ ଅମ୍ରେଶ ପାଣି, ସୁପରଭାଇଜର ବାସନ୍ତି ପାଢ଼ୀ, ସରପଞ୍ଚ ମମତା ମଞ୍ଜରୀ ମଲ୍ଲିକ ଓ ସିଡିପିଓଙ୍କ ସହାୟତାରେ ଉକ୍ତ ୧୦ ମାସର ଶିଶୁକନ୍ୟା ରଶ୍ମିତା ଓ ତାର ଦୁଇଭଉଣୀ ସଂଗୀତା, ସସ୍ମିତାଙ୍କୁ ମା’ ଅରୁନ୍ଧତି ସହିତ ଜିଲ୍ଲା ଶିଶୁମଙ୍ଗଳ ସମିତିର ସଦସ୍ୟା ଶ୍ରୀମତୀ ମହାପାତ୍ରଙ୍କ ନିକଟରେ ହାଜିର କରିଥିଲେ । ତେବେ ଉଦ୍ଧାର କରାଯାଇଥିବା ୧୦ ମାସର ଶିଶୁର ଅବସ୍ଥା ଗୁରୁତର ଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଚାଇଲ୍ଡ କେୟାର ୟୁନିଟ୍‌ରେ ତାକୁ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେଠାରେ ଶିଶୁ କନ୍ୟାର ଚିକିତ୍ସା ଚାଲିଛି । ପିଲାଟି ଅପପୁଷ୍ଟିରେ ପୀଡ଼ିତ ଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଭୋକ ଉପାସରେ ସଢୁଥିବା ଅରୁନ୍ଧତୀ ନିଜ ଦୁଇ ସନ୍ତାନ ସଂଗୀତା (୭) ଓ ସସ୍ମିତା (୩)ଙ୍କୁ ଲାଳନପାଳନ ପାଇଁ ଅକ୍ଷମତା ପ୍ରକାଶକରି ସେ ନିଜ ଘରକୁ ଫେରାଇ ନେବାକୁ ନଚାହିଁବାରୁ ସେମାନଙ୍କ କୋଭିଡ୍ ପରୀକ୍ଷା କରାଯିବା ପରେ ପଲ୍ଲିଶ୍ରୀ ଶିଶୁଯତ୍ନ ଅନୁଷ୍ଠାନରେ ଥାଇଥାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking