27.8 C
Bhubaneswar
Wednesday, April 17, 2024
Homeଓଡିଶାନାଳ ପାଣି ନିଷ୍କାସନକୁ ନେଇ ବିବାଦ, ୧୪୪ ଧାରା ଜାରି କରି ଫେରିଗଲା ପୁଲିସ

ନାଳ ପାଣି ନିଷ୍କାସନକୁ ନେଇ ବିବାଦ, ୧୪୪ ଧାରା ଜାରି କରି ଫେରିଗଲା ପୁଲିସ

ସଇଁନ୍ତଳା : ଟିଟିଲାଗଡ଼ ଉପଖଣ୍ଡ ମୁରିବାହାଲ ପଞ୍ଚାୟତର ସିରୁଲ୍ ଗ୍ରାମରେ ଦେଖିବାକୁ ମିଳିଛି ଜାତି ଭେଦଭାବ ନେଇ ଦୁଇ ସାହି ମଧ୍ୟରେ ନାଳ ପାଣି ନିଷ୍କାସନ ପାଇଁ ବିବାଦ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଗାଁରେ ୧୪୪ ଧାରା ଜାରି କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଏଥିରେ ଶତାଧିକ ପଡ଼ାବାସୀ ବିରୋଧ କରିବାରୁ ପୁଲିସ ପଛଘୁଞ୍ଚା ଦେଇ ଫେରିଯାଇଛି ।
ଗତ ମାର୍ଚ୍ଚ ୨୬ ତାରିଖରେ ସିରୁଲ୍ ଗ୍ରାମର ହରିଜନପଡ଼ାବାସୀ ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟଳୟକୁ ଆସି ଅଭିଯୋଗ କରିଥିଲେ । ହରିଜନପଡ଼ାର ନଳକୂପ ପାଣି ନିଷ୍କାସନ ହୋଇ ସାହୁପଡ଼ା ଦେଇ ବୋହିଯାଉଥିବାରୁ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ସାହୁପଡ଼ାର ବାସିନ୍ଦା ନାଳରେ ମାଟି ପକାଇ ଦେବାରୁ ନାଳରେ ପାଣି ଜମା ହୋଇ ରହିଛି ।

ଏହାକୁ ନେଇ ହରିଜନପଡ଼ା ଓ ସାହୁପଡ଼ା ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ମାର୍ଚ୍ଚ ୩୦ରେ ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ମୁରିବାହାଲ ତହସିଲଦାର ଓ ମୁରିବାହାଲ ବ୍ଲକ ବିଡିଓଙ୍କ ସହ ସରକାରୀ ଅଧିକାରୀମାନେ ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀ ତଥା ଉଭୟ ପଡ଼ାବାସୀଙ୍କ ସହ ଆଲୋଚନା କରି ଉକ୍ତ ସ୍ଥାନରେ ନାଳ ସମ୍ପୂର୍ଣ୍ଣ ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କିଛି ଦିନ ପରେ ଯେତେବେଳେ ତହସିଲଦାର ଆସି ନାଳ ତିଆରି କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ, ସେହି ସମୟରେ ସାହୁପଡ଼ାବାସୀ କାମ ବନ୍ଦ କରିବା ପାଇଁ ଜିଦ୍ ଧରିଥିଲେ । ଫଳରେ ତହସିଲଦାର ଫେରି ଯାଇଥିଲେ । ଗତ ଏପ୍ରିଲ ୧୨ ତାରିଖରେ ହରିଜନପଡ଼ା ବାସୀ ଟିଟିଲାଗଡ ପୌରପରିଷଦ ଘେରାଉ କରି ଟିଟିଲାଗଡ଼ ଉପଜିଲ୍ଲାପାଳ ତଥା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟଙ୍କ ସହ ଆଲୋଚନା କରିଥିଲେ ।

ସେହି ସମୟରେ ଉପଜିଲ୍ଲାପାଳ ଉପଖଣ୍ଡୀୟ ଆରକ୍ଷୀ ଅଧୀକ୍ଷକ ଡିଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଗାଁରେ ୧୪୪ ଧାରା ଜାରି କରି ତୁରନ୍ତ ନାଳ ତିଆରି କାର୍ଯ୍ୟ ଆରମ୍ଭ କରାଯାଉ । ଟିଟିଲାଗଡ଼ ଡିଏସ୍‌ପି ସୁରେନ୍ଦ୍ର ନାଥ ଶତପଥୀ ପୁଲିସ ବାହିନୀ ଧରି ସିରୁଲ୍ ଗ୍ରାମରେ ପହଞ୍ଚିଥିଲେ । ସେଠାରେ ୧୪୪ ଧାରା ଜାରି କରି ସ୍ଥାନୀୟ ବିଦ୍ୟୁତ୍ ଖୁଣ୍ଟରେ ନୋଟିସ୍ ଛାପି ମୁରିବାହାଲ ତହସିଲଦାର ଓ ଜେସିବି ମେସିନ ନେଇ କାମ ଆରମ୍ଭ କରିଥିଲେ । କିନ୍ତୁ ନାଳ ତିଆରି କରିବା ପରିବର୍ତ୍ତେ ଗାତ ଖୋଳିବା ଆରମ୍ଭ ହୋଇଥିଲା । ଏହା ଦେଖି ହରିଜନପଡ଼ାବାସୀ ଉତ୍ତ୍ୟକ୍ତ ହୋଇଥିଲେ । ପୁଲିସ ଓ ପଡ଼ାବାସୀ ମୁହାଁମୁହିଁ ହୋଇଥିଲେ ।

ଅନେକ ମହିଳା, ପୁରୁଷ ମଧ୍ୟ ପୁଲିସ ବାହିନୀ ସମ୍ମୁଖକୁ ଆସି ଗାତ କାହିଁକି ଖୋଳାଯାଉଛି ବୋଲି ପ୍ରଶ୍ନ କରିଥିଲେ । ଗାତ ଖୋଳିବା ପରିବର୍ତ୍ତେ ନାଳ ତିଆରି କରିବା ପାଇଁ ଦାବି କରିଥିଲେ । ପୁଲିସ ବାହିନୀ ତଥା ଡିଏସ୍‌ପି ଶ୍ରୀ ଶତପଥୀ ପଡ଼ାବାସୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଲୋକେ ବୁଝି ନ ଥିଲେ । ଅପରପକ୍ଷେ ସାହୁପଡ଼ାବାସୀ ପ୍ରଶାସନ ଯାହା ଠିକ୍ ଭାବିବ, ତାହା ହେବ ବୋଲି ପ୍ରଶାସନକୁ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ହରିଜନପଡ଼ାବାସୀ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏଠାରେ ୧୪୪ ଧାରାର ଖୁଲମ୍‌ଖୁଲା ଉଲ୍ଲଙ୍ଘନ କରାଯାଉଥିବା କେତେକ ଅଭିଯୋଗ କରିଛନ୍ତି । ପୁଲିସ ସମସ୍ୟାର ସମାଧାନ ନକରି ଫେରି ଆସିବା ପ୍ରଶାସନର ବିଫଳତାକୁ ସୂଚାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking