30.1 C
Bhubaneswar
Wednesday, April 24, 2024
Homeଓଡିଶାସାତ ବର୍ଷ ହେଲା ବନ୍ଦୀ ଜୀବନ କାଟୁଛନ୍ତି ଦିବ୍ୟାଙ୍ଗ କୁଞ୍ଜବନ

ସାତ ବର୍ଷ ହେଲା ବନ୍ଦୀ ଜୀବନ କାଟୁଛନ୍ତି ଦିବ୍ୟାଙ୍ଗ କୁଞ୍ଜବନ

ସଇଁନ୍ତଳା : ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ସାତ ବର୍ଷ ହେଲାଣି କାଟୁଛନ୍ତି ବନ୍ଦୀ ଜୀବନ । ସରକାରଙ୍କ ବିଭିନ୍ନ ଯୋଜନା ସତ୍ତ୍ୱେ ମଧ୍ୟ ଯେମିତି ତାଙ୍କ ପାଇଁ ପାଲଟିଛି ସାତସପନ । ସେ ହେଲେ ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ପଞ୍ଚାୟତ ଅଧିନସ୍ଥ ସାଲେପାଲି ଗ୍ରାମର କୁଞ୍ଜବନ ବାଗ (୭୨) । ୭ ବର୍ଷ ତଳେ ବଲାଙ୍ଗିର ଶାନ୍ତିପଡ଼ାଠାରେ ଏକ ଘରୋଇ ବସ ତାଙ୍କ ଗୋଡ଼ ତଳେ ଚାଲିଯାଇଥିଲା । ପ୍ରଥମେ ବଲାଙ୍ଗିର ଡାକ୍ତରଖାନା, ପରେ ବୁର୍ଲା ଆଉ ଶେଷରେ ଭୁବନେଶ୍ୱରଠାରେ ତାଙ୍କର ଚିକିତ୍ସା କରାଯାଇଥିଲା । ବସ ଚକା ବାମ ଗୋଡ଼ର ମଧ୍ୟ ଭାଗରେ ଚାଲିଯାଇଥିବାରୁ ତାଙ୍କର ବାମ ଗୋଡ଼ର ଆଣ୍ଠୁ ତଳର ହାଡ଼ ସବୁ ଫାଟିଯାଇଥିଲା । ଫଳରେ ଡାକ୍ତର ଆଣ୍ଠୁଠୁ ତଳକୁ କାଟିଥିଲେ । ବସ ମାଲିକ ଯେତିକି ଖର୍ଚ୍ଚ ହେଲା ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରି ଆଶୁ ଆରୋଗ୍ୟ କାମନା ମଧ୍ୟ କରିଥିଲେ । ହେଲେ କୁଞ୍ଜବନ ଥିଲେ ଘରର ମୁରବୀ ଏବଂ ତାଙ୍କର ରୋଜଗାର ଯୋଗୁଁ ଚାଲିଥିଲା ତାଙ୍କର ଗରିବୀ ପରିବାର ।

ଏବେ ସେ ଦିବ୍ୟାଙ୍ଗ । କାମ କରିବା ତ ଦୂରର କଥା, ପରିସ୍ରା କିମ୍ବା ପାଇଖାନା ଯିବା ପାଇଁ ମଧ୍ୟ ଖୋଜୁଛନ୍ତି ସାହାରା । ଛୋଟ ଆଜବେଷ୍ଟସ୍ ଘର ତଳେ ବିତୁଛି ତାଙ୍କ ଦୁଃଖି ଜୀବନ । ସରକାରଙ୍କ ମାଳମାଳ ଯୋଜନା ଏଭଳି ଲୋକମାନଙ୍କ ପାଇଁ ବହୁ ଦୂରରେ । କୁଞ୍ଜବନ ଏବେ ବୟସର ଅପରାହ୍ନରେ । ତାଙ୍କୁ କେବଳ ସରକାରଙ୍କ ତରଫରୁ ଦିବ୍ୟାଙ୍ଗ ଭତ୍ତା ୭୦୦ ଛଡ଼ା ଆଉ କିଛି ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ନାହିଁ । ନା ଅଛି ରାସନ କାର୍ଡ ନା ମିଲିଛି ଘର ଖଣ୍ଡିଏ । ସବୁଥିରୁ ଆଉଟ୍ ଅଫ୍ ଲିଷ୍ଟରେ ଅଛନ୍ତି କୁଞ୍ଜବନ ବାଗ । ତାଙ୍କୁ ପ୍ରଶାସନ ତରଫରୁ ଦିବ୍ୟାଙ୍ଗ ସାଇକେଲ ଯୋଗାଇ ଦେବା ପାଇଁ କହିଥିଲେ । ହେଲେ ସେଇଟା ବି ଏପର୍ଯ୍ୟନ୍ତ ପାଇଲେ ନାହିଁ । ଫଳରେ ଚିନ୍ତା ଅବସ୍ଥାରେ ଜୀବନ କାଟୁଛନ୍ତି । ପରକୁ ସାହାରା ନ କରି ନିଜେ ଯିବାଆସିବା ପାଇଁ ସାଇକେଲଟିଏ ଦରକାର । ହେଲେ ସେହି ସାଇକେଲ କିଣିବା ପାଇଁ ସେ ସକ୍ଷମ ନୁହଁନ୍ତି । ଏବେ ଦୁଃଖ ଦାରିଦ୍ର‌୍ୟରେ କଟୁଛି ତାଙ୍କ ଜୀବନ । ଖାଇବାକୁ ନା ଅଛି ଦି’ମୁଠା ଦାନା, ପିନ୍ଧିବାକୁ ନା ଅଛି ଖଣ୍ଡେ କନା । ଏବେ ମଧ୍ୟ ସରକାରଙ୍କ ସମସ୍ତ ସୁବିଧା ସୁଯୋଗକୁ ସେ ଅପେକ୍ଷା କରି ରହିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking