34.1 C
Bhubaneswar
Thursday, April 25, 2024
Homeଖେଳସାଫ୍ ଅଣ୍ଡର୍‌-୨୦ ଚାମ୍ପିଅନ୍‌ଶିପ୍‌: ଆଜି ଭାରତ-ବାଂଲାଦେଶ ଫାଇନାଲ୍

ସାଫ୍ ଅଣ୍ଡର୍‌-୨୦ ଚାମ୍ପିଅନ୍‌ଶିପ୍‌: ଆଜି ଭାରତ-ବାଂଲାଦେଶ ଫାଇନାଲ୍

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଚାଲିଥିବା ସାଫ୍ ଅଣ୍ଡର୍‌-୨୦ ଚାମ୍ପିଅନ୍‌ଶିପ୍‌ର ଫାଇନାଲ୍ ମୁକାବିଲା ଶୁକ୍ରବାର ସନ୍ଧ୍ୟାରେ ଖେଳାଯିବ । ରାଉଣ୍ଡ୍ ରବିନ୍ ଲିଗ୍ ଭିତ୍ତିରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟ୍‌ର ଲିଗ୍ ପର୍ଯ୍ୟାୟ ଶେଷରେ ବାଂଲାଦେଶ ଏକ ନମ୍ବରରେ ରହିଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିଲା । ଉଭୟ ଦଳ ମଧ୍ୟରେ ଲିଗ୍ ପର୍ଯ୍ୟାୟରେ ହୋଇଥିବା ମୁକାବିଲାରେ ଭାରତ ପରାସ୍ତ ହୋଇଥିବାରୁ ଫାଇନାଲ୍‌ରେ ଦଳ ପାଖରେ ଏହାର ପ୍ରତିଶୋଧ ନେଇ ଟାଇଟଲ୍ ହାସଲ କରିବାର ଭଲ ସୁଯୋଗ ରହିଛି । ମ୍ୟାଚ୍ ସମ୍ପର୍କରେ ଭାରତୀୟ ଦଳର ମୁଖ୍ୟ କୋଚ୍ ସନ୍‌ମୁଗମ୍ ଭେଙ୍କଟେଶ ଗୁରୁବାର ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଫାଇନାଲ୍ ଖେଳିବା ନିଶ୍ଚିତ ଭାବେ ଏକ ସ୍ୱତନ୍ତ୍ର ଅନୁଭୂତି । ଖେଳାଳି ଭାବେ ୩ ଥର ସାଫ୍ ଚାମ୍ପିଅନ୍‌ଶିପ୍ ଜିତିବା ସହ ଭାରତୀୟ ଦଳର ସହଯୋଗୀ କୋଚ୍ ଭାବେ ଦୁଇଟି ଫାଇନାଲ୍‌ର ଅଭିଜ୍ଞତା ତାଙ୍କ ପାଖରେ ରହିଛି ।

ଏନେଇ ଖେଳାଳିଙ୍କ ସହ ସେ ଆଲୋଚନା କରିଛନ୍ତି ଓ ଖେଳାଳିମାନେ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଏହାକୁ ବେଶ୍ ସ୍ମରଣୀୟ କରିବା ସକାଶେ ପ୍ରତିଶ୍ରୁତିବଦ୍ଧ ବୋଲି ଭେଙ୍କଟେଶ କହିଛନ୍ତି । ବାଂଲାଦେଶ ଏକ ଟାଣୁଆ ଦଳ ହୋଇଥିବା ଆମକୁ ପ୍ରଥମ ମୁକାବିଲାରୁ ପ୍ରମାଣ ମିଳିଛି । ଉକ୍ତ ମ୍ୟାଚ୍‌ରେ ଆମ ଖେଳାଳିମାନେ ଯେଉଁ ତ୍ରୁଟି କରିଥିଲେ ତାହାକୁ ଫାଇନାଲ୍‌ରେ ସୁଧାରିନେଇ ବାଂଲାଦେଶକୁ କଡ଼ା ଟକ୍କର ଦେବେ ବୋଲି ଭେଙ୍କଟେଶ ଆଶା କରିଛନ୍ତି । ସେହିପରି ଟାଇଟଲ୍ ଲଢ଼େଇରେ ଦଳ ନିଶ୍ଚିତ ଭାବେ ପାର୍ଥିବ ଗୋଗୋଇଙ୍କ ଅନୁପସ୍ଥିତି ଅନୁଭବ କରିବ । କିନ୍ତୁ ଫୁଟବଲ୍‌ର ଏହା ଏକ ଅଂଶବିଶେଷ ହୋଇଥିବାରୁ ଉପଲବ୍ଧ ଖେଳାଳିମାନଙ୍କୁ ହିଁ ଦଳକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ପଡ଼ିବ ବୋଲି ସେ କହିଛନ୍ତି । ନିଲମ୍ବିତ ହୋଇଥିବାରୁ ଗୋଗୋଇଙ୍କ ସହ ବାଂଲାଦେଶ ଖେଳାଳି ଶାହିଦୁଲ୍ ଇସଲାମ୍ ମଧ୍ୟ ଫାଇନାଲ୍ ଖେଳିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking