ବେଙ୍ଗାଲୁରୁ : ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମ୍ରେ ଖେଳାଯାଉଥିବା ସାଫ୍ ଚାମ୍ପିଅନ୍ଶିପ୍ର ବୁଧବାର ଅନୁଷ୍ଠିତ ଗ୍ରୁପ୍-ଏ’ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ପାକିସ୍ତାନ ୧-୦ ଗୋଲ୍ରେ ନେପାଳଠାରୁ ପରାଜିତ ହୋଇଛି । ନେପାଳ ପକ୍ଷରୁ ଏକମାତ୍ର ଗୋଲ୍ଟି ଆଶିଷ ଚୌଧୁରୀ ମ୍ୟାଚ୍ର ୮୦ତମ ମିନିଟ୍ରେ ସ୍କୋର୍ କରିଥିଲେ । ନେପାଳ ଓ ପାକିସ୍ତାନ ନିଜ ନିଜର ପ୍ରାରମ୍ଭିକ ଗ୍ରୁପ୍ ମ୍ୟାଚ୍ ହାରି ପ୍ରଥମରୁ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲେ । ମ୍ୟାଚ୍ର ପ୍ରଥମ ହାଫ୍ରେ ଦୁଇ ଟିମ୍ ଲୟ ହାସଲ କରିବାରେ ବିଫଳ ହୋଇଥିଲେ । ଦ୍ୱିତୀୟ ହାଫ୍ରେ ନେପାଳ ଓ ପାକିସ୍ତାନ ଟିମ୍ ଆକ୍ରମଣାତ୍ମକ ଫୁଟ୍ବଲ୍ ଖେଳିଥିଲେ ।
ୟୁସୁଫ୍ ଏଜାଜ୍ ଭଟ୍ଙ୍କୁ ଚକ୍ମା ଦେଇ ଆଶିଷ ଗୋଲ୍ କରିବା ଫଳରେ ନେପାଳକୁ ଏହାର ଲାଭ ମିଳିଥିଲା । ଏହା ପୂର୍ବରୁ ପାକିସ୍ତାନକୁ ଭାରତୀୟ ଟିମ୍ଠାରୁ ଶୋଚନୀୟ ପରାଜିତ ହେବାକୁ ପଡ଼ିଥିଲା । ଭାରତ ନିଜର ପ୍ରଥମ ମ୍ୟାଚ୍ରେ ହିଁ ପାକିସ୍ତାନକୁ ୪-୦ରେ ପରାଜିତ କରିଥିଲା । ଏହି ମ୍ୟାଚ୍ରେ ସୁନୀଲ୍ ଛେତ୍ରୀ ହ୍ୟାଟ୍ରିକ୍ ଅର୍ଜନ କରିଥିବା ବେଳେ ଅନ୍ତିମ ଗୋଲ୍ଟି ଉଦାନ୍ତା ସିଂହ ସ୍କୋର୍ କରି ଭାରତକୁ ୪-୦ରେ ବିଜୟୀ କରାଇଥିଲେ । ଅନ୍ୟପକ୍ଷରେ ସେମିଫାଇନାଲ୍ ପୂର୍ବରୁ ଭାରତୀୟ ଟିମ୍କୁ ବଡ଼ ଧକ୍କା ଲାଗିଛି । ମଙ୍ଗଳବାରର କୁଏତ୍ ବିପକ୍ଷ ମ୍ୟାଚ୍ରେ ଅଧିକାରୀଙ୍କ ସହିତ ଯୁକ୍ତିତର୍କ କରିବା ସହିତ ପ୍ରତିପକ୍ଷ ଖେଳାଳିଙ୍କ ଠାରୁ ବଲ୍ ଛଡ଼ାଇବା କାରଣରୁ ଭାରତୀୟ ମୁଖ୍ୟ କୋଚ୍ ଇଗୋର୍ ଷ୍ଟିମାକ୍ଙ୍କୁ ରେଡ୍ କାର୍ଡ ମିଳିଛି । ଫଳରେ ତାଙ୍କୁ ଜୁଲାଇ ୧ରେ ଖେଳାଯିବାକୁ ଥିବା ଲେବାନନ୍ ବିପକ୍ଷ ସେମିଫାଇନାଲ୍ ମ୍ୟାଚ୍ରୁ ବାସନ୍ଦ କରାଯାଇଛି ।