40.1 C
Bhubaneswar
Thursday, April 25, 2024
Homeଓଡିଶାଦୁଇ ଅନାଥ ଝିଅଙ୍କ କରୁଣ କାହାଣୀ: ଭାଙ୍ଗିଗଲାଣି ଘର, ଖାଇବାକୁ ନାହିଁ ଦାନା

ଦୁଇ ଅନାଥ ଝିଅଙ୍କ କରୁଣ କାହାଣୀ: ଭାଙ୍ଗିଗଲାଣି ଘର, ଖାଇବାକୁ ନାହିଁ ଦାନା

ବାଲେଶ୍ୱର : କାହା ଭାଗ୍ୟରେ ବାପା ଓ ମା’ଙ୍କର ହାତ ନିଜ ସନ୍ତାନ ଉପରେ ରହୁଛି ତ ଆଉ କାହାର ଏତକ ବି ରହୁନାହିଁ । ଫଳରେ ପିଲାମାନେ ଅନାଥ ହୋଇ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । ଏପରିକି ଦିଓଳି ଦୁଇ ମୁଠା ଖାଇବା ପାଇଁ ମଧ୍ୟ ଅନ୍ୟମାନଙ୍କ ଉପରେ ନିର୍ଭର ହେବାକୁ ପଡୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତର ମାକୁନ୍ଦା ଗାଁ’ରେ । ବାପା ମା’ ଛେଉଣ୍ଡ ହୋଇ ଏବେ ଦୁଇ ଝିଅ ଅନାଥ ହୋଇଯାଇଥିବା ବେଳେ ତାଙ୍କ ବୁଢ଼ୀମା’ ହେଉଛନ୍ତି ସେମାନଙ୍କ ପାଇଁ ସାହାରା ।
ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତର ମାକୁନ୍ଦା ଗାଁ’ରେ ରହିଛି ବାଡ଼ା ଆଦିବାସୀ ସାହି । ଏଠାରେ ରହୁଛନ୍ତି ଦୁଇ ଅନାଥ ଝିଅ । ଏବେ ତାଙ୍କ ଦୁଃଖ କହିଲେ ନ ସରେ । ବାପା ମା’ଙ୍କୁ ହରାଇ ସେମାନେ ଏକ ପ୍ରକାର ଭାଙ୍ଗି ପଡ଼ିଥିବା ବେଳେ ସେମାନଙ୍କ ପାଠପଢ଼ା ସହ ଦୁଇ ମୁଠା ଖାଇବା ଏବେ ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଗାଁ’ରେ ରହିଛି ଭଙ୍ଗା ଘରଟିଏ । ଖରା ବର୍ଷା ଓ ଶୀତରେ ଏହି ଘରେ ସେମାନେ ପଡ଼ିରହିଛନ୍ତି । ଘରେ ବିଜୁଳି ନଥିବାବେଳେ ଡିବିରି ଆଲୁଅ ସେମାନଙ୍କ ଭରସା ପାଲଟିଛି । ତେବେ ଉକ୍ତ ଦୁଇ ପିଲାଙ୍କର ମା’ ଦୀର୍ଘ ୫ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି । ବାକି ଥିଲେ ବାପା ବାଡୁ ମାଝୀ । ବାଡୁ ବହୁ କଷ୍ଟରେ ପରଘରେ କାମ କରି ନିଜର ପରିବାର ଚଳାଉଥିବା ବେଳେ ଦୁଇ ଝିଅଙ୍କୁ ପାଠ ମଧ୍ୟ ପଢ଼ାଉଥିଲେ । ହେଲେ ଗତ ୨୫ତାରିଖରେ ୫୩ବର୍ଷର ବାଡୁ ମାଝୀ କିଡ୍‌ନୀ ରୋଗରେ ପ୍ରାଣ ହରାଇବା ପରେ ତାଙ୍କର ପରିବାର ଉପରେ ଦୁଃଖର ପାହାଡ଼ ଲଦି ହୋଇପଡ଼ିଛି । ବାଡ଼ୁଙ୍କ ମୃତ୍ୟୁ ପରେ ଦୁଇ ଛୋଟ ଝିଅ ଏବଂ ୭୦ବର୍ଷୀୟ ବୁଢ଼ୀ ଜେଜେ ମା’ ଏବେ ବଞ୍ଚିବାର ରାହା ଖୋଜୁଛନ୍ତି । ବାଡୁଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ବେସାହାରା ଝିଅଙ୍କ ଆଖିରୁ ଏବେ ଲୁହ ଶୁଖୁନି । ବାଡୁଙ୍କ ବଡ଼ଝିଅ ମାତୁନ ମାଝୀ(୧୨) ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସାନଝିଅ ସାର ମାଝୀ(୧୦) ପାଖ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି । କରୋନା ମହାମାରୀ ସମୟରେ ବିଦ୍ୟାଳୟ ବନ୍ଦ ରହିଥିବାରୁ ସେମାନେ ଘରେ ରହୁଛନ୍ତି । ଏଭଳି ପରିସ୍ଥିତିରେ ଘରଚଳିବା କାଠିକର ପାଠ ହୋପଡ଼ିଥିବା ବେଳେ ଆଗକୁ କେମିତି ପାଠ ପଢ଼ିବେ ସେହି ଚିନ୍ତାରେ ଏବେ ଦୁଇ ଭଉଣୀ ଭାଙ୍ଗି ପଡ଼ିଛନ୍ତି । ସେହିପରି ଅର୍ଥ ଅଭାବରୁ ସେମାନେ ତାଙ୍କ ଘର ମରାମତି କରିପାରୁ ନଥିବାରୁ ସେମାନଙ୍କର ମାଟି ଘରଟି ଭାଙ୍ଗିରୁଜି ଗଲାଣି । ଏପରିକି କିଏ କେମିତି ତାଙ୍କୁ ଖାଇବାକୁ ଦେଲେ ସେମାନେ ଖାଉଛନ୍ତି ନହେଲେ ଉପାସ ମଧ୍ୟ ରହୁଛନ୍ତି । ଏପରି ସ୍ଥିତିରେ ତାଙ୍କ ବୁଢ଼ୀମା’ ସାହାରା ହୋଇଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ସରକାରୀ କି ବେସରକାରୀ ସ୍ତରରେ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking