34.1 C
Bhubaneswar
Thursday, March 28, 2024
Homeକରୋନା ଓଡିଶାକରୋନା କାଳର କରୁଣ କାହାଣୀ : କେହି ପାଖ ମାଡ଼ିଲେନି, ଉପାଧ୍ୟକ୍ଷ ଉଠାଇଲେ ଶବ

କରୋନା କାଳର କରୁଣ କାହାଣୀ : କେହି ପାଖ ମାଡ଼ିଲେନି, ଉପାଧ୍ୟକ୍ଷ ଉଠାଇଲେ ଶବ

ଗଞ୍ଜାମ: ବୁଗୁଡା ବ୍ଲକ ଅରଖପୁର ପାଞ୍ଚାୟତ ମହୁଲପଲ୍ଲୀ ଗ୍ରାମର ବାବୁରାମ ବିଷୋୟୀ(୪୫) ଆଠ ଦିନ ଧରି ଜ୍ୱରରେ ଆକ୍ରାନ୍ତ ହୋଇ ଶନିବାର ରାତିରେ ମୃତ୍ୟୁବରଣ କରିଛନ୍ତି । ବାବୁରାମ କରୋନାରେ ପ୍ରାଣ ହରାଇଥିବା ଆଶଙ୍କା କରି ଗ୍ରାମବାସୀ ଶବ ନିକଟକୁ ଆସିଲେନି । ଏପରିକି ଶବକୁ କାନ୍ଧ ଦେବା ପାଇଁ ସମ୍ପର୍କୀୟ ବି ଆସିଲେନି । ଦୀର୍ଘ ସମୟ ଧରି ଘରେ ପଡି ରହିଲା ଶବ । ଖବର ପହଞ୍ଚିଲା ନିକଟସ୍ଥ ଗ୍ରାମ ଅରଖପୁର ବାସିନ୍ଦା ତଥା ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁଙ୍କ ନିକଟରେ । ଶବ ଉଠାଇବାକୁ ଅଣ୍ଟା ଭିଡିଲେ ଉପାଧ୍ୟକ୍ଷ । ୫ ଜଣ ଯୁବ ସ୍ୱେଚ୍ଛାସେବୀ ଗୌରାଙ୍ଗ ସ୍ୱାଇଁ, ତ୍ରିଲୋଚନ ସ୍ୱାଇଁ, ଦୀପକ ଭୂୟାଁ, ସନ୍ୟାସୀ ନାୟକ ଓ କେଶବ ସ୍ୱାଇଁଙ୍କୁ ଡାକି ଶବ ଉଠାଇ ଶ୍ମଶାନକୁ ନେଇ ଦାହ କରିବାକୁ କହିଥିଲେ । ସେମାନେ ଶବ ସତ୍କାର ପାଇଁ ରାଜି ହେବା ପରେ ଉପାଧ୍ୟକ୍ଷ ସ୍ୱାଇଁ ବୁଗୁଡା ବିଡିଓ ତନ୍ମୟ ପାତ୍ରଙ୍କୁ ଖବର ଦେଇ ପିପିଇ କିଟ୍ ପଠାଇବାକୁ ଅନୁରୋଧ କଲେ । ସମସ୍ତେ ପିପିଇ କିଟ୍ ପରିଧାନ କରି ବାବୁରାମ ବିଷୋୟୀଙ୍କ ଶବକୁ ନେଇ ଗ୍ରାମ ଶ୍ମଶାନରେ ଦାହ କରିଥିଲେ । ଏହି କାର୍ଯ୍ୟରେ ମହୁଲପଲ୍ଲୀ ଗ୍ରାମର କେବଳ ଖଦାଳ ସ୍ୱାଇଁ ସହଯୋଗ କରିଥିଲେ ।
ପତ୍ନୀଙ୍କ ଶବ ଛୁଇଁଲେନି ସ୍ୱାମୀ
ବୁଗୁଡ଼ାରେ ପୁଣି ଘଟିଛି ଏକ ଅଭାବନୀୟ ଘଟଣା । ବୁଗୁଡ଼ାର ଭେଙ୍କଟ ରାଓ ଦୋରାଙ୍କ ଧର୍ମପତ୍ନୀ ଏନ. କୁନି ରାଓ (୪୫)ଙ୍କ ଶ୍ୱାସ ରୋଗ ଗୁରୁତର ହେବାରୁ ବୁଗୁଡା ମେଡ଼ିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ବେଳେ ଅମ୍ଳଜାନ ସ୍ତର ବହୁତ କମ୍ ଥିବା ଜଣାପଡିବା ପରେ ବ୍ରହ୍ମପୁର ସ୍ଥାନାନ୍ତର ପ୍ରସ୍ତୁତି ଚାଲିଥିବା ବେଳେ କୁନି ରାଓଙ୍କ ମୃତ୍ୟୁ ହୋଇଥିଲା । କୁନିଙ୍କ ମୃତ୍ୟୁ କରୋନାଜନିତ ସନ୍ଦେହ କରି ଶବ ନେବାକୁ ସ୍ୱାମୀ ଭେଙ୍କଟ ମନା କରିଥିଲେ । ଯାହା ଫଳରେ ପ୍ରଶାସନ ଶବଦାହ କରିବାକୁ ବ୍ୟବସ୍ଥା କରିବା ପରେ ପୁଣି ଭେଙ୍କଟ ନିଜର ପୁଅ ଆସିଲେ ଶବ ନିଆଯିବ ବୋଲି କହିବା ଯୋଗୁଁ ମେଡ଼ିକାଲରେ ଶବ ପ୍ରାୟ ୭ ଘଣ୍ଟା ପଡି ରହିଥିଲା । ଥଣ୍ଡା କାଶ ହୋଇଥିଲେ ମଧ୍ୟ କୁନିଙ୍କ କରୋନା ଟେଷ୍ଟ ହୋଇନଥଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking