ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଅପରାଧ ବଢ଼ିଚାଲିଛି । ଏଥିସହ ଅପରାଧୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । କେତେକ ଅପରାଧୀ ବାରମ୍ବାର ଅପରାଧ ଘଟାଇ ସହରରେ ଆତଙ୍କ ଖେଳାଉଛନ୍ତି । ଏମାନଙ୍କୁ ସାବାଡ୍ କରିବାକୁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ପୁଣି ପୁରୁଣା ଫଣ୍ଡା ଆପଣାଇଛି । ଜେଲ୍ ଓ ପୁଲିସ ମାନୁଆଲ୍କୁ ଅନୁସରଣ କରି ଆଜି ଜେଲ୍ରେ ପରେଡ୍ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶରେ କମିଶନରେଟ୍ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଆଜି ଝାରପଡ଼ା ଜେଲ୍ ଯାଇ ଅଭ୍ୟାସଗତ ଅପରାଧୀଙ୍କ ତଥ୍ୟ ସଂଗ୍ରହ କରିଛନ୍ତି । ଉକ୍ତ ତଥ୍ୟ ଆଧାରରେ ପୁଲିସ ଅପରାଧୀଙ୍କୁ ସାବାଡ୍ କରିବାକୁ ଯୋଜନା କରିଛି । ସୂଚନା ଅନୁଯାୟୀ, ପୂର୍ବରୁ ଅପରାଧୀଙ୍କୁ ସାବାଡ୍ କରିବାକୁ କମିଶନରେଟ୍ ପୁଲିସ ଏହି ଫଣ୍ଡା ଆପଣାଇଥିଲା । ହେଲେ କିଛି ସପ୍ତାହ ଚାଲିବା ପରେ ଏହା ବନ୍ଦ ହୋଇଯାଇଥିଲା ।
ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ପୁଲିସ ପୁଣି ଏହା ଆରମ୍ଭ କରିଛି । ଆଜି ସ୍ପେଶାଲସ୍କ୍ୱାଡ୍ ସଞ୍ଜିବ ଶତପଥୀ, ସହିଦନଗର ଥାନାଧିକାରୀ ହିଂମାଶୁ ଭୂଷଣ ସ୍ୱାଇଁଙ୍କ ସମେତ ଏକ ପୁଲିସ ଟିମ୍ ଝାରପଡ଼ା ଜେଲ୍ ଯାଇଥିଲେ । ସେଠାରେ ଗତ ୭ଦିନ ମଧ୍ୟରେ ଗିରଫ ହୋଇଥିବା, ଏକାଧିକ ମାମଲାରେ ସମ୍ପୃକ୍ତ ଥିବା, ଅଭ୍ୟାସଗତ ଅପରାଧୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଏଥିସହ ଜେଲ୍ କର୍ତ୍ତୃପକ୍ଷଙ୍କ ଠାରୁ ସେମାନଙ୍କ ସମ୍ପର୍କରେ ତଥ୍ୟ ହାସଲ କରିଛନ୍ତି । ସେହିପରି ଗତ ୭ଦିନ ମଧ୍ୟରେ କେଉଁ କଏଦୀମାନେ ଜାମିନ୍ରେ ବାହାରକୁ ଆସିଛନ୍ତି, ଜାମିନ୍ରେ ଯାଇ ପୁଣି ଅପରାଧୀ ଘଟାଇ ଆସିଛି, ଏହିଭଳି କଏଦୀଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ଅଣାଯାଇଛି । ବିଶେଷକରି ସମ୍ପତ୍ତିଜନିତ ଅପରାଧ ଯଥା ଚୋରି, ଲୁଟ୍, ଡକାୟତି ଭଳି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ପୁଲିସ ପଚରାଉଚରା କରିଛି । ଏଥିସହ ସେମାନଙ୍କ ପୂରା ଅପରାଧର ଇତିହାସ ପଚାରି ବୁଝିଛି । ଏହି ପରେଡ୍ ଦ୍ୱାରା ଅଭ୍ୟାସଗତ ଅପରାଧୀଙ୍କ ଉପରେ ପୁଲିସ ନଜର ରଖିବ । ଏଥିସହ ସେମାନଙ୍କୁ ସାବାଡ୍ କରିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।