34.1 C
Bhubaneswar
Friday, March 29, 2024
Homeଓଡିଶାମନୋଜ ଦାସ ଓ ମନୋଜ ରଂଜନ ନାୟକଙ୍କୁ ମିଳିବ ରୁଚି ସମ୍ମାନ

ମନୋଜ ଦାସ ଓ ମନୋଜ ରଂଜନ ନାୟକଙ୍କୁ ମିଳିବ ରୁଚି ସମ୍ମାନ

କଟକ :ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଦେଶ ଜ୍ୟୋତି’ ସମ୍ମାନରେ ବିଖ୍ୟାତ କଥାଶିଳ୍ପୀ ତଥା ଆଧ୍ୟାତ୍ମିକ ଚିନ୍ତକ ମନୋଜ ଦାସଙ୍କୁ  ସମ୍ମାନିତ କରାଯିବ । ସେହିଭଳି ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ଶିକ୍ଷା ଓ ଅନୁସନ୍ଧାନ’ (ସୋଆ) ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର୍‌ ମନୋଜ ରଂଜନ ନାୟକଙ୍କୁ ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ‘ରୁଚି ଦେଶ ଗୌରବ’ ସମ୍ମାନରେ ସମ୍ମାନିତ କରାଯିବ । ଅଗ୍ରଣୀ ଶିଳ୍ପୋଦ୍ୟୋଗ “ରୁଚି ଫୁଡ୍‌ଲାଇନ’ ଦ୍ୱାରା ସଂସ୍ଥାପିତ ‘ରୁଚି ପ୍ରତିଭା ଫାଉଣ୍ଡେସନ୍‌’ ପକ୍ଷରୁ ଆସନ୍ତା ୨୦ ତାରିଖରେ ଦେଶର ଏହି ଦୁଇ ବିଶିଷ୍ଟ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବ ବୋଲି ଆଜି ଘୋଷଣା କରାଯାଇଛି ।
ସେହିପରି କରୋନା ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସମୟରେ ବହୁ ବିପନ୍ନ, ଅସହାୟ ପ୍ରବାସୀ ଓଡ଼ିଆଙ୍କୁ ସେବା ଓ ସହାୟତାର ହାତ ବଢ଼ାଇଥିବା ଚଳଚ୍ଚିତ୍ର ତାରକା ସବ୍ୟସାଚୀ ମିଶ୍ରଙ୍କୁ ‘ରୁଚି ଦେଶ ସେବା’ ସମ୍ମାନ, ଓଡ଼ିଶାର ଚଳିତ ବର୍ଷର ଆଇଏଏସ୍‌ ଟପର୍‌ ସଂଜିତା ମହାପାତ୍ରଙ୍କୁ ‘ରୁଚି ବିଦ୍ୟାସାଗର’ ସମ୍ମାନ ଏବଂ ଅର୍ଜୁନ ପୁରସ୍କାର ପ୍ରାପ୍ତ ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତଙ୍କୁ ‘ରୁଚି ବାରବାଟୀ କ୍ରୀଡ଼ା’ ସମ୍ମାନ ପ୍ରଦାନ କରାଯିବ । ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ତଥା ଓଡ଼ିଶାର ବିଶିଷ୍ଟ ଉଦ୍ୟୋଗୀ ଡକ୍ଟର ଶରତ କୁମାର ସାହୁ ଆଜି ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏଥିସହ ଚଳିତ ବର୍ଷର ଯୁକ୍ତ ୨ ବିଜ୍ଞାନ ଟପର୍‌ ସୁଦୀପ ସୁଦର୍ଶନ ରଣା, ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ଲାଭ କରିଥିବା ରେମୁଣା ହାଇସ୍କୁଲର ଛାତ୍ର ଜିତେନ ମହାଳିକଙ୍କୁ ‘ରୁଚି ପ୍ରତିଭା’ ସମ୍ମାନ ମଧ୍ୟ ପ୍ରଦାନ କରାଯିବ ବୋଲି ଡ. ସାହୁ କହିଛନ୍ତି । ପୂଜ୍ୟପୂଜା ଓ ପ୍ରତିଭା ପୂଜା ଜରିଆରେ ରୁଚି ଉଦ୍ୟୋଗ ରାଜ୍ୟର ପ୍ରତିଭାମାନଙ୍କୁ ସମ୍ମାନିତ କରି ନିଜେ ଗୌରବାନ୍ୱିତ ହେଉଛି ଏବଂ ଏହି ଧାରା ଆଗକୁ ମଧ୍ୟ ବଜାୟ ରହିବ ବୋଲି ସେ କହିଥିଲେ । ଚଳିତବର୍ଷ ଆୟୋଜିତ କାର୍ଯ୍ୟକ୍ରମ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଆସନ୍ତା ୨୦ ତାରିଖ ଅପରାହ୍ନ ୪ଟାରେ ହେବ ଏବଂ ଫେସବୁକ୍‌ରେ ଏହାର ସିଧା ପ୍ରସାରଣ କରାଯିବ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା କେନ୍ଦ୍ର ଆଇଟିଆର୍‌ର ନିର୍ଦ୍ଦେଶକ ଡ. ବିନୟ କୁମାର ଦାସ, ପୂର୍ବତନ ଆୟକର ମହାନିର୍ଦ୍ଦେଶକ ବିଧୁଭୂଷଣ ମହାନ୍ତି, “ରୁଚି’ର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ରଶ୍ମୀ ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦେବେ ବୋଲି ଫାଉଣ୍ଡେସନ୍‌ର ଯୁଗ୍ମ ସଂପାଦକ ଶୁଭେନ୍ଦୁ କୁମାର ଭୂୟାଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ‘ହ୍ୱାଇଟ୍‌ କାନ୍‌ଭାସ୍‌’ ମ୍ୟାନେଜ୍‌ମେଣ୍ଟ ଗ୍ରୁପ୍‌ର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା ଶେଷରେ ଧନ୍ୟବାଦ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking