26.1 C
Bhubaneswar
Friday, March 29, 2024
Homeଓଡିଶାଫଳ ପଚାଇବା ପାଇଁ ବ୍ୟବହାର ହେଉଛି ବିଷାକ୍ତ ରାସାୟନିକ, ପ୍ରଶାସନ ଦୃଷ୍ଟିପଡୁ ?

ଫଳ ପଚାଇବା ପାଇଁ ବ୍ୟବହାର ହେଉଛି ବିଷାକ୍ତ ରାସାୟନିକ, ପ୍ରଶାସନ ଦୃଷ୍ଟିପଡୁ ?

ରାଉରକେଲା (ସୁବୋଧ ନାୟକ) : ଚାରିଆଡ଼େ ଏବେ ଡହଡ଼ହ ଖରା ।  ଖରାଦିନେ ବଢିବାରେ ଲାଗିଛି ଫଳର ଚାହିଦା । ସେହିପରି ଖରାଦିନେ ଲସି, ପଇଡ଼, ଆଖୁରସର ଚାହିଦା ମଧ୍ୟ ବଢିଛି ।ରାଉରକେଲା ସମେତ ଦକ୍ଷିଣ ରାଉରକେଲାର କିଛି ଫଳ ଦୋକାନରେ ଫଳକୁ ପାଚିଲା କରିବା ପାଇଁ ରାସାୟନିକ ବ୍ୟବହାର କରୁଥିବା ଜଣାପଡ଼ିଛି । ଏହି ସବୁ ରାସାୟନିକ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ଅଟେ ବୋଲି ସାରନଗରୀ ଅଂଚଳର କିଛି ଡାକ୍ତର ମତ ଦିଅନ୍ତି ।  ବଜାରରେ ଯେଉଁ ଫଳ ବିକ୍ରି ହେଉଛି ତାହା କେତେ ନିରାପଦ ସେ ସଂପର୍କରେ  ଖାଉଟିଙ୍କୁ ସଠିକ ସୂଚନା ଦେବାକୁ କିଛି ବ୍ୟବସ୍ଥା ନାହିଁ । କ୍ଷୀର, ଛେନା ପାଖରୁ ଆରମ୍ଭ କରି ମାଛ ଶୁଖୁଆ ପର୍ଯ୍ୟନ୍ତ ସବୁଥିରେ ମାରାତ୍ମକ ରାସାୟନିକ ଦ୍ରବ୍ୟ ମିଶା ଯାଉଥିବାବେଳେ ଆମ୍ବ, କଦଳୀ ଆଦି ଫଳ ପଚାଇ ତୁରନ୍ତ ଗ୍ରାହକଙ୍କ ଚାହିଦା ମେଂଟାଇବା ପାଇଁ ଏବେ ବହୁ ଦୋକାନୀ ଉଦ୍ଭିଦ ବୃଦ୍ଧି ନିୟନ୍ତ୍ରକ ‘ଇଥେଫନ ୩୩%’ କୁ ବହୁଳ ମାତ୍ରାରେ ବ୍ୟବହାର କରୁଥିବା ଜଣାଯାଇଛି । ପୂର୍ବରୁ ଫଳ ପଚାଇବା ପାଇଁ କ୍ୟାଲସିୟମ କାର୍ବଇଡକୁ ଦୋକାନୀମାନେ ବ୍ୟବହାର କରୁଥିଲେ ।

ଶୀଘ୍ର ଓ କମ୍ ପଇସାରେ ଏହି କାର୍ଯ୍ୟ ହାସଲ ପାଇଁ ଏହି ରାସାୟନିକ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଆମ୍ବ, ସପୁରୀ, କଫି, ଟମାଟୋ ଓ ରବର ଗଛର ବୃଦ୍ଧି ପାଇଁ ବିଭିନ୍ନ କଂପାନୀ  ନିଜ ବ୍ରାଣ୍ଡ ନାମରେ ‘ଇଥେଫନ ୩୩%’ ରାସାୟନିକ ଦ୍ରବ୍ୟକୁ ବଜାରକୁ ଛାଡିଥାନ୍ତି । ସାଧାରଣତଃ ଏହା ସାର ଦୋକାନଗୁଡିକରେ ଉପଲବବ୍ଧ ହୋଇଥାଏ । ଗଛରେ ବ୍ୟବହାର କରିବା ବେଳେ ଚାଷୀଙ୍କୁ ବହୁ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ମଣିଷ ସିଧାସଳଖ ଖାଉଥିବା ଫଳରେ ଏହାକୁ ବ୍ୟବହାର କରିବା ଦ୍ୱାରା ଶରୀର ଉପରେ ଏହାର ମାରାତ୍ମକ ପ୍ରଭାବ ପଡିବା ନିଶ୍ଚିତ । ବୃକ୍ଷ ବୃଦ୍ଧି ପାଇଁ ଏହାକୁ ବ୍ୟବହାର କରିବା ବେଳେ ମଣିଷ ବା ପଶୁ ଖାଦ୍ୟ ପାଖରୁ ଏହାକୁ ଦୂରେଇ ରଖିବା, ପାଟି ବା ଦେହ ସଂସ୍ପର୍ଶରେ ନଆଣିବା, ନାକରେ ନଶୁଙ୍ଘିବା, ଗଛରେ ସ୍ପ୍ରେ କରିବା ପରେ ଲୁଗା ଓ ଦେହକୁ ଭଲ ଭାବେ ଧୋଇବା ଏବଂ ସ୍ପ୍ରେ କରୁଥିବା ବେଳେ ଧୂମପାନ ବା କୌଣସି ଖାଦ୍ୟ ପଦାର୍ଥ ନଖାଇବା ପରି ବହୁ ସତର୍କତା ଗ୍ରହଣ କରିବା ପାଇଁ ଏହି ରାସାୟନିକ ଡବା ଉପରେ ନିର୍ଦେଶ ରହିଛି ।

ଏହି ରାସାୟନିକ ଦ୍ରବ୍ୟକୁ ଗଛରେ ଚାଷୀମାନେ ବ୍ୟବହାର କରୁଛନ୍ତି କି ନାହିଁ ତାହା ଜଣାପଡି ନଥିଲେ ବି ଫଳ ପଚାଇବା ପାଇଁ ଏହାକୁ ଦୋକାନୀମାନେ ଗତ ତିନି ଚାରି ବର୍ଷ ହେଲା ବ୍ୟବହାର  କରିଆସୁଛନ୍ତି । ବିଶେଷ କରି ଶୀତ ଦିନରେ ଫଳ ପଚାଇବା ପାଇଁ ଏହା ଖୁବ୍ ଭଲ କାର୍ଯ୍ୟ କରିଥାଏ ବୋଲି ସ୍ଥାନୀୟ ଜଣେ ଫଳ ଦୋକାନୀ ନିଜ ନାମ ଗୋପନ ରଖିବା ସର୍ତରେ ପ୍ରକାଶ କରିଛନ୍ତି । କେତେକ ଦୋକାନୀ ମଧ୍ୟ ଲୁଚାଇ ଏହାକୁ  ବ୍ୟବହାର କରୁଥିବା ବେଳେ ସଂପ୍ରତି ଏହାକୁ ଖୁଲମଖୋଲା ବ୍ୟବହାର କରାଗଲାଣି । ଏପଟେ ଗ୍ରାହକମାନେ ମଧ୍ୟ ସଚେତନ ନୁହନ୍ତି । ଅପରପକ୍ଷରେ ଚିରାଚରିତ ଭାବେ ଫଳ ପଚାଇବା ପାଇଁ ବ୍ୟବହୃତ ହେଉଥିବା କ୍ୟାଲସିୟମ କାର୍ବାଇଡ୍ ମଧ୍ୟ ଶରୀର ପାଇଁ କ୍ଷତିକାରକ ବୋଲି କୁହାଯାଉଛି । ଏଥିରେ ଆର୍ସେନିକ ଓ ଫସଫରସ ରହୁଥିବାରୁ ପାଣିରେ ଏହା ମିଶିଲେ ଏସିଟିଲିନ ଗ୍ୟାସ ଉତ୍ପନ୍ନ କରିଥାଏ ଯାହାକି ଶରୀରର ବିଭିନ୍ନ ଅଂଶର କ୍ଷତି କରିବା ସହ ମୁଣ୍ଡବିନ୍ଧା, ସ୍ମରଣ ଶକ୍ତି ହ୍ରାସ, ସ୍ନାୟୁଗତ ରୋଗ ଆଦି ସୃଷ୍ଟି କରିଥାଏ । ଜନସାଧାରଣଙ୍କ ଜୀବନକୁ ନେଇ କିଛି ବ୍ୟକ୍ତି ଖେଳୁଥିବା ବେଳେ ଏଥିପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି  ସାଧାରଣରେମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking