28.1 C
Bhubaneswar
Thursday, March 28, 2024
Homeଓଡିଶାରାଉରକେଲାରେ ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ

ରାଉରକେଲାରେ ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ

ରାଉରକେଲା: ଦକ୍ଷିଣ ରାଉରକେଲା ସ୍ଥିତ ବାଲିଯୋଡ଼ି ଠାରେ ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ, ଶ୍ରଦ୍ଧାଜଂଳି ସଭା ତଥା କରୋନା ନିରାକରଣ ପାଇଁ ଏକ ସଚେତନତା କର୍ମଶାଳା କୋଭିଡ଼ କଟକଣାରେ ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବାଲିଯୋଡ଼ି ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲାଠିକଟା ବିଡ଼ିଓ ପ୍ରଶାନ୍ତ କୁମାର ତରେଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗୋପବନ୍ଧୁଙ୍କର ସେବା, ତ୍ୟାଗ, ସମାଜସେବା, ସ୍ୱାଧୀନତା ସଂଗ୍ରାମୀ, ବଢି ମରୁଡ଼ି ସମୟରେ ଗରିବକୁ ସହାୟକ ସର୍ବୋପରି ନବ ଓଡ଼ିଶା ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ବିସୃତ ଆଲୋଚନା କରିଥିଲେ ଏବଂ ମହାମାରୀ କରୋନା ନିରାକରଣ ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ସଚେତନ କରାଇଥିଲେ ।
ବାଲିଯୋଡ଼ି ଗ୍ରାମ୍ୟ କମିଟିର ସଭାପତି ତଥା ଡାକ୍ତର ଫକୀର ଚରଣ ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ପଣ୍ଡିତ ଗୋପବନ୍ଧୁଙ୍କ ପରି ଜଣେ ଅସାମାନ୍ୟ ପ୍ରତିଭାଧାରୀ ରୁଷିପ୍ରତିମ ଯୁଗପୁରୁଷଙ୍କୁ ଏ ଜାତି, ଏ ଦେଶ ସବୁଦିନ ପାଇଁ ମନେରଖିବ । ସେହି ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଆଜିର ଯୁବ ଛାତ୍ର ସମାଜ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ ଓ କୋଭିଡ଼-୧୯ ମୁକାବିଲା ପାଇଁ ସବୁସ୍ତରରୁ ଉଦ୍ୟମ ହେବା ପାଇଁ ସେ କହିଥିଲେ । ଦତ ପ୍ରାନ୍ତ ଠେଙ୍ଗଡ଼ି ଜାତୀୟ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷାଧିକାରୀ ଡଃ ଧର୍ମେନ୍ଦ୍ର ମିଶ୍ର କହିଲେ ସେବାର ପ୍ରତୀକ ଓଡ଼ିଶାର ଅନ୍ୟତମ ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, କବି, ଜନନାୟକ, ଚିରବନ୍ଦ୍ୟ ପଣ୍ଡିତ ଗୋପବନ୍ଧୁ ଦାଶ । ସେ ଉତ୍କଳର ମଣି ନଥିଲେ, ସେଥିଲେ ବିଶ୍ୱର ମଉଡ଼ମଣି । ତାଙ୍କ ଜୀବଦଶା ସମୟରେ ନିଜ ପୁତ୍ରକୁ ମୃତ୍ୟୁମୁଖରେ ପକାଇ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗୀକୃତ ଭାବେ ଯେଉଁ କାର୍ଯ୍ୟ କରି ଯାଇଛନ୍ତି ତାହା ଇତିହାସରେ ଚିରସ୍ମରଣୀୟ ହୋଇ ରହିବ,ସେ ପୁନଶ୍ଚ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଭିଡ଼ ଗାଇଡ଼ ଲାଇନ ଆଇନ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସଚେତନ ନାଗରିକ ମଂଚର ସାଧାରଣ ସମ୍ପାଦକ ପି. ପି. ରାୟ ପଣ୍ଡିତ ଗୋପବନ୍ଧୁ ଦାସ ‘ସମାଜ’ ଓଡ଼ିଆ ଖବରକାଗଜ ପ୍ରତିଷ୍ଠା କରି ରାଜ୍ୟରେ ହଜାର ହଜାର ସାମ୍ବାଦିକ ସୃଷ୍ଟି କରିଛନ୍ତି । । ସେ କୋଟି ଓଡ଼ିଆର ପ୍ରାଣବିନ୍ଦୁ ଥିଲେ । ମଧୁବାବୁଙ୍କ ସହିତ ମିଶି ଉତ୍କଳ ସମ୍ମିଳନୀ ଗଠନ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଓଡ଼ିଆ ଭାଷା, ଜାତି, ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନ ବଂଚାଇବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ବିଶିଷ୍ଟ ନୃତ୍ୟଶିଳ୍ପୀ ତଥା ସମାଜସେବିକା ପଦ୍ମିନୀ ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁଙ୍କ ସ୍କୃତିଚାରଣ କରି ଗଭୀର ଶ୍ରଦ୍ଧାଂଜଳି ଦେଇଥିଲେ ଓ କରୋନା ଭୂତାଣୁ ନିରାକରଣ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇଥିଲେ । ‘ସମାଜ’ର ରାଉରକେଲା ସଂସ୍କରଣ ମୁଖ୍ୟ ମନୋରଂଜନ ଦାଶ, ସାମ୍ବାଦିକ କୁଂଜବିହାରୀ ରାଉତ, ସାମ୍ବାଦିକ ମନୋଜ ସାମଲ ଗୋପବନ୍ଧୁଙ୍କ ସ୍ମୃତିଚାରଣ କରି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ରାଉରକେଲା ପୂଜ୍ୟପୂଜା ପରିଷଦର ସାଧାରଣ ସମ୍ପାଦକ ସନାତନ ସାହୁ, ନମିତା ଜେନା, ଧନେଶ୍ୱର ସାହୁ, ଦମୟନ୍ତୀ ମିଶ୍ର, ଦେବେନ୍ଦ୍ର ସାହୁ, ନିର୍ମଳା ବାରିକ, ବାସୁଦେବ ସାହୁ, ଲକ୍ଷ୍ମୀ ହାଁସଦା, ପ୍ରଫୁଲ୍ଲ ସାହୁ, ବାସୁଦେବ ସାମଲ, ପ୍ରଭାସିନୀ ରାଉତ, ଚାନ୍ଦମଣି ମାଝୀ, ଚିତରଂଜନ ନନ୍ଦ, ଅନ୍ତର୍ଯ୍ୟାମୀ ବେଉରିଆ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସମାଜ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବରିଷ୍ଠ ଶିକ୍ଷାଧିକାରୀ ଡଃ ଧର୍ମେନ୍ଦ୍ର ମିଶ୍ର, ବିଡ଼ିଓ ଲାଠିକଟା ପ୍ରଶାନ୍ତ କୁମାର ତରାଇ, ସମାଜ ସେବିକା ପଦ୍ମିନୀ ପାଣିଗ୍ରାହୀ ଓ ରାଉରକେଲା ମହାନଗର ନିଗମରେ କାର୍ଯ୍ୟ କରୁଥିବା ୧୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସହ ସମ୍ପାଦିକା ସଚଳା ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଡାକ୍ତର ବିଷ୍ଣୁପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତି, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ପ୍ରେରଣ କରିଥିବା ବାର୍ତା ସଭାରେ ପାଠ କରା ଯାଇଥିଲା ।

ଅନ୍‌ଲାଇନ ଶିକ୍ଷାର ଜରୁରୀ ଆୟୁଧ ସ୍ମାର୍ଟ ମୋବାଇଲ

ରାଉରକେଲା: କରୋନା ମହାମାରୀ ମନୁଷ୍ୟ ଜୀବନର ଗତିପଥକୁ ଅସ୍ୱାଭାବିକ ଭାବେ ବଦଳାଇ ଦେଇଛି । ଏହି ଅଦୃଶ୍ୟ ଘାତକ ଶତୃକୁ ମୁକାବିଲା କରିବା ପାଇଁ ଦୀର୍ଘ ୮ ମାସ ହେବ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ନିମନ୍ତେ ଭିନ୍ନ ଉପାୟ ଅବଲମ୍ବନ କରାଯାଉଛି, ଯାହାକି କିଛି ମାତ୍ରାରେ ଫଳପ୍ରଦ ହେଉଥିଲେହେଁ, ବହୁ ମାତ୍ରାରେ ଫଳପ୍ରଦ ହେଉନାହିଁ । ଘରେ ବସି ମୋବାଇଲ ଫୋନ ମାଧ୍ୟମରେ ଶିକ୍ଷକ/ ଅଧ୍ୟାପକ ମାନେ ଶିକ୍ଷାଦାନ କରୁଥିବା ବେଳେ ଛାତ୍ରଛାତ୍ରୀ ମାନେ ଅନୂରୂପ ଭାବେ ମୋବାଇଲ ଫୋନ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ସହରାଂଚଳରେ ଅନଲାଇନ ଶିକ୍ଷାର ବ୍ୟାପକ ପ୍ରଚାରପ୍ରସାର ହେଉଥିବା ବେଳେ, ଗ୍ରାମାଚଂଳ ଓ ଅପହଂଚ ଇଲାକାରେ ଅନଲାଇନ ଶିକ୍ଷା ଆହରଣ ଏତେଟା ଫଳପ୍ରଦ ହୋଇ ପାରୁନାହିଁ । ଅନଲାଇନ ଶିକ୍ଷା ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ସାଜିଛି ଏନଡ୍ରୋଏଡ଼ ସ୍ମାର୍ଟ ମୋବାଇଲ ଓ ଇଂଟରନେଟ୍ ସୁବିଧା । କରୋନା ମହାମାରୀ ସମୟରେ ରୋଜଗାର ସୀମିତ ହୋଇ ଯାଇଛି! ପିଲାମାନଙ୍କ ଶିକ୍ଷା ପାଇଁ ଅଭିଭାବକ ଓ ପିତାମାତା ମାନେ ଯେ କୌଣସି ମତେ ଦାମୀ ମୋବାଇଲ ସେଟ କ୍ରୟ କରି ପାରୁଥିବା ବେଳେ, ମଧ୍ୟବିତ, ନିମ୍ନ ମଧ୍ୟବିତ ଓ ଗରିବ ଅଭିଭାବକ ମାନେ ଯେକୌଣସି ମତେ ଏପରିକି କରଜ କରି ଦାମୀ ମୋବାଇଲ କ୍ରୟ କରୁଛନ୍ତି ।
ସବୁଠାରୁ ବିଡମ୍ବନାର ବିଷୟ ଏହିକିଯେ, ଗ୍ରାମାଚଂଳର ଅଭିଭାବକ ମାନେ ଗାଈ, ଛେଳି ବନ୍ଧା କରି ଅବା ବିକ୍ରି କରି ପିଲାଙ୍କ ପାଠପଢା ଲାଗି ମୋବାଇଲ କ୍ରୟ କରୁଛନ୍ତି । କରୋନା କାଳରେ ଅଭିଭାବକ ମାନଙ୍କ ଉପରେ ଏହା ଅତିରିକ୍ତ ଆର୍ଥିକ ବୋଝକୁ ପରୋକ୍ଷ ଭାବେ ଲଦି ଦେଉଛି, ଯାହାକି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଅନଲାଇନ ଶିକ୍ଷା ସମ୍ବନ୍ଧରେ ସଠିକ ଭାବେ ସଚେତନ ନଥିବା ଗ୍ରାମାଚଂଳର କିଛି ଅଭିଭାବକ ବହୁ ନାମିଦାମୀ କମ୍ପାନୀର ମୋବାଇଲ କ୍ରୟ କରି ହରଡ଼ଘଣାରେ ପଡ଼ୁଛନ୍ତି! ଏପରି ମଧ୍ୟ ଦେଖିବାକୁ ମିଳୁଛି ଯେ, ଅଭିଭାବକ ମାନେ ସେମାନଙ୍କ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୋବାଇଲ କ୍ରୟ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମହିଳା(ଏଚଏସଜି) ମାନଙ୍କ ଠାରୁ ଉଚ୍ଚ ସୁଧହାରରେ କରଜ ଆଣୁଥିବା ଜଣାପଡ଼ିଛି । ଏହା ସହିତ ମୋବାଇଲରେ ଏକାଧିକ ନେଟୱାର୍କର ଡାଟା କ୍ରୟ ପାଇଁ ମଧ୍ୟ ବହୁ ଅର୍ଥ ବ୍ୟୟ କରିବାକୁ ଅଭିଭାବକ ମାନେ ବାଧ୍ୟ ହେଉଛନ୍ତି, କାରଣ ଗୋଟିଏ ନେଟୱାର୍କ ସବୁବେଳେ ଉପଲବ୍ଧ ହେଉନଥିବାରୁ ପାଠ ପଢାରେ ବ୍ୟାଘତ ନହେବା ଲାଗି ଏକାଧିକ ନେଟୱାର୍କକୁ ପ୍ରସ୍ତୁତ କରିବା ଦରକାର ପଡୁଛି ।
ଅପରପକ୍ଷରେ ପୂର୍ବରୁ ପୁସ୍ତକ କ୍ରମେ ଦୃଷ୍ଟି ହଟାଇ ମୋବାଇଲକୁ ସାଥିକରି ପାଠ ପଢିଥିବା ଛାତ୍ରଛାତ୍ରୀ ମାନେ ଏବେ ସୁଯୋଗ ପାଇ ଦିନରାତି ମୋବାଇଲ ସହ ସମୟ କାଟୁଥିବା ଜଣାପଡ଼ିଛି । ଦିନରେ ମାତ୍ର କେଇଘଂଟା ଅନଲାଇନ ପାଠପଢାକୁ ଛାଡ଼ିଦେଲେ ବାକି ସମୟ ଛାତ୍ରଛାତ୍ରୀ ମାନେ ଖାଲିରେ ଅତିବାହିତ କରୁଛନ୍ତି । ଅଭିଭାବକ ତୁଳନାରେ ପିଲାମାନେ ମୋବାଇଲ ପରିଚାଳନାରେ ଅଧିକ ଦକ୍ଷ ହୋଇଥିବାରୁ ପିଲାମାନେ ଅନଲାଇନ କ୍ରୟ ଓ ଅର୍ଥପୈଠ ପାଇଁ ପିଲାମାନଙ୍କ ସହାୟତା ଲୋଡୁଛନ୍ତି । ଯାହାଦ୍ୱାରା ମୋବାଇଲ ମାଧ୍ୟମରେ ଆର୍ଥିକ ପରିଚାଳନାର ଲାଭ ଉଠାଇ ପିଲାମାନେ ଅର୍ଥର ଅପଚୟ କରୁଛନ୍ତି ବା ଅକାରଣରେ ଅର୍ଥ ବରବାଦ ମଧ୍ୟ କେତେକ ସ୍ଥଳେ କରୁଛନ୍ତି । ଏହାଦ୍ୱାରା ଛାତ୍ରାତ୍ରୀଙ୍କ ପାଇଁ ସାଇବର ସୁରକ୍ଷା ନିମନ୍ତେ ପ୍ରଶ୍ନ ଆସିଛି । କରୋନା ଆତଙ୍କ ହୁଏତ ଅପସରି ଯାଇପାରେ, ମାତ୍ର ମୋବାଇଲ ମାନିଆରୁ ବର୍ତିବା ଛାତ୍ରଛାତ୍ରୀଙ୍କ ପକ୍ଷେ ଅସମ୍ଭବ ମନେ ହେଉଛି ।

ଦେଶୀ ମଦ ମାଫିଆଙ୍କ ଟାର୍ଗେଟରେ ବେକାର ଯୁବକ

ରାଉରକେଲା : କରୋନା ମହାମାରୀରୁ ଏଯାଏ ନିସ୍ତାର ମିଳି ପାରିନି । କେଉଁ ଅଂଚଳ କଟେଂନମେଂଟ ହେଉଛି ତ ପୁଣି କେଉଁଠି ସଟଡାଉନ, ଲକ୍ ଡାଉନ ଭଳି ସ୍ଥିତି ଦେଖିବାକୁ ମିଳିଛି । ସରକାରଙ୍କୁ ବିପୁଳ ରାଜସ୍ୱ ଯୋଗାଉଥିବା ବିଦେଶୀ ମଦ ଦୋକାନ କିଛି ଦିନ ପୂର୍ବରୁ  ଖୋଲି ସାରିଛି । ଅପରପକ୍ଷରେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର କିଛି ବସ୍ତି ଅଂଚଳରେ ଚୋରାରେ ଦେଶୀ ମଦ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏହି ଦେଶୀ ମହୁଲି ମଦ ଓ ପାଉଚ ଚାଲାଣରେ ସ୍ଥାନୀୟ ବେକାର ଯୁବକ ମାନଙ୍କୁ ନିୟୋଜିତ କରାଯାଉଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି । ଏହି ଯୁବକ ମାନଙ୍କ ବୟସ ସାଧାରଣତଃ ୨୦ରୁ ୨୫ ବର୍ଷ ମଧ୍ୟରେ ରହିଥିବା ବେଳେ, ଅର୍ଥ କମାଇବା ଆଶାରେ ଦେଶୀ ମଦ ଚାଲାଣ କରୁଛନ୍ତି ଏପରି ଯୁବକ ମାନେ । ଲକ୍ ଡାଉନ ପରେ କାମଧନ୍ଦା ବନ୍ଦ ହୋଇଯିବା କାରଣରୁ ଯୁବକ ମାନେ ଅର୍ଥ କମାଇବା ନିଶାରେ ଏପରି ରାସ୍ତାକୁ ଆପାଣାଇ ନେଇଛନ୍ତି !
ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ଥିବା କିଛି ବସ୍ତି ଅଂଚଳକୁ ଉଦ୍‌ଭ୍ରାନ୍ତ ଯୁବକ ମାନେ ସ୍କୁଲ ବ୍ୟାଗରେ ପାଉଚ ମଦ ଓ ସ୍କୁଟିରେ ଦେଶୀ ମଦ ଚାଲାଣ କରୁଥିବା ଜଣାପଡ଼ିଛି । ଭୋର ଏବଂ ବିଳମ୍ବିତ ରାତ୍ରୀରେ ଦେଶୀ ମଦ ଚାଲାଣ ପୁଲିସ ଅଗୋଚରରେ ଖୁବ ସତର୍କତା କରାଯାଉଥିବା ବେଳେ, ଏହାର ଟେର୍ ଅବକାରୀ ବିଭାଗ କିଭଳି ପାଇ ପାରୁ ନାହିଁ ଏହା ସାଧାରଣରେ ବିସ୍ମୟ ସୃଷ୍ଟି କରୁଛି । ସମୟ ସମୟରେ ନାବାଳକ ମାନେ ମଧ୍ୟ ଦେଶୀ ମଦ ଚାଲାଣରେ ନିୟୋଜିତ ହେଉଛନ୍ତି, ଯାହାକି ସେମାନଙ୍କ ସୁନେଲି ଭବିଷ୍ୟତକୁ ଅମା ଅନ୍ଧକାର ମଧ୍ୟକୁ ଠେଲି ଦେଉଛି । ଅବକାରୀ ଚଢଉ ଭୟରେ ଦେଶୀ ମଦ ମାଫିଆ ମାନେ ଘରେ ମଦ ଗଚ୍ଛିତ ନରଖି ଘର ଠାରୁ କିଛି ଦୂରରେ ଥିବା ବଣବୁଦା ମଧ୍ୟରେ ଦେଶୀ ମଦଭରା ବୋତଲ ଲୁଚାଇ ରଖି ଗ୍ରାହକ ଅନ୍ୱେଷଣରେ ରହୁଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ପ୍ରକାଶ ଥାଉକି, ଦକ୍ଷିଣ ରାଉରକେଲା ଅଂଚଳରେ ପୂର୍ବରୁ  ଅଂଚଳର କିଛି ସଙ୍ଗଠନ ପକ୍ଷରୁ ଦେଶୀ ମଦ ବିକ୍ରି ବନ୍ଦ କରିବା ଲାଗି ଦାବି, ଆନ୍ଦୋଳନ ହୋଇ ଆସୁଥିଲେ ମଧ୍ୟ ସ୍ଥିତି ଯଥା ପୂର୍ବଂ ତଥା ପର ରହିଛି । ଅବକାରୀ ବିଭାଗର ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking