27.1 C
Bhubaneswar
Friday, March 29, 2024
HomeUncategorizedପ୍ରଶାସନର ସାବତ ପୁଅ ଦକ୍ଷିଣ ରାଉରକେଲା

ପ୍ରଶାସନର ସାବତ ପୁଅ ଦକ୍ଷିଣ ରାଉରକେଲା

 
ରାଉରକେଲା,(ସୁବୋଧ ନାୟକ): ରାଉରକେଲା ଇସ୍ପାତ କାରଖାନାର ଏକ ମୁଖ୍ୟ ବିଭାଗ ଥିଲା ସାର କାରଖାନା । ଅତୀତରେ ଏହି କାରଖାନା ଲାଭାଂଶରେ ଶିଖରକୁ ଚୁମିଥିଲା । ଏହି କାରଖାନା ଆଧାରରେ ଗଢି ଉଠିଥିଲା ସାରନଗରୀ । ବର୍ତମାନ ସମୟ ବଦଳିବା ସଙ୍ଗେ ସଙ୍ଗେ ବଦଳି ଯାଇଛି ପରିସ୍ଥିତି । ବନ୍ଦ ହୋଇ ଯାଇଛି ସାର କାରଖାନା । କର୍ପୁର ଉଡିଯାଇ କେବଳ କନା ପଡି ରହିଛି! ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ଏଠାରେ କାର୍ଯ୍ୟକାରୀ ହେଉଥିବା ଦେଖିବାକୁ ମିଳୁନାହିଁ ବୋଲି ଅଂଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି । ସତେ ଯେପରି ପ୍ରଶାସନ ପାଇଁ ସାରନଗରୀ ପାଲଟିଯାଇଛି ସାବତ ପୁଅ! ଏଠାରେ ଅନେକ ଗୁଡିଏ ସମସ୍ୟା ମୁଣ୍ଡ ଟେକି ରହିଥିବା ବେଳେ ଏହାର ସମାଧାନ ହେବା ନେଇ ସଂଶୟ ସୃଷ୍ଟି ହୋଇଛି । ଅତୀତର ପୃଷ୍ଠା ଲେଉଟାଇଲେ, ଅବା ବର୍ତମାନର ସ୍ଥିତିକୁ ଅନୁଧ୍ୟାନ କଲେ, ବିଭିନ୍ନ ନିର୍ବାଚନରେ ସାରନଗରୀ ବାସିନ୍ଦା ତଥା ଏଠାକାର ନେତୃତ୍ୱ ବିଭିନ୍ନ ରାଜନୈତିକ ଦଳ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି । ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ଦଳ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ରାଜତ୍ୱ କରି ଆସିଛନ୍ତି । ସର୍ବସମକ୍ଷରେ ସ୍ୱୀକାର କରିଛନ୍ତି ସାରନଗରୀକୁ ଏବଂ ମାନ୍ୟତା ମଧ୍ୟ ଦେଇଛନ୍ତି ସମଗ୍ର ନିର୍ବାଚନମଣ୍ଡଳୀର ରାଜଧାନୀ ଭାବେ । ଚଳିତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ, କଂଗ୍ରେସ, ଜେଏମଏମ, ଭାଜପା ତଥା ଅନ୍ୟ ଦଳର ପ୍ରାର୍ଥୀ ମାନେ ଏହି ଅଂଚଳର ବିକାଶ ପାଇଁ ବହୁ ପ୍ରତିଶୃତି ଦେଇଥିଲେ ସୁଦ୍ଧା ଏହା ପରବର୍ତୀ ଅବସ୍ଥାରେ କି ରୂପ ନେବ ତାହା ଏବେ ପ୍ରଶ୍ନବାଚୀ(?) ।
ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଆଦିକୁ ବିଚାରକୁ ନେଲେ ସବୁ ଦିଗରେ ଅବହେଳିତ ହୋଇ ପଡିଛି ରଘୁାନଥପାଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାରନଗରୀ । ରାଉରକେଲା ସ୍ମାର୍ଟ ସିଟି ହେଲା ପରେ ମଧ୍ୟ ଦକ୍ଷିଣ ରାଉରକେଲାର କିଛି ଅଂଚଳ ମହାନଗର ନିଗମରେ ସାମିଲ ହୋଇଥିଲେ ସୁଦ୍ଧା, ଏବେବି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ଭୋଟ ବ୍ୟାଙ୍କ କୁହାଯାଉଥିବା ସାରନଗରୀର ବହୁ କଲୋନୀ ଓ ବସ୍ତି ଅଂଚଳ ମହାନଗର ନିଗମରେ ସାମିଲ ହୋଇ ପାରିନାହିଁ । ଫଳ ସ୍ୱରୂପ, ଏହି ସବୁ ଅଂଚଳରେ ବାସ କରୁଥିବା ବସ୍ତି ବାସିନ୍ଦା ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ସାରନଗରୀର ମୁଖ୍ୟ ରାସ୍ତାକୁ ମରାମତି କରାଯାଇ ଚକାଚକ୍ କରାଯାଉଥିଲେ ସୁଦ୍ଧା, ବସ୍ତି ଓ ବିଭିନ୍ନ କଲୋନୀ ରାସ୍ତା ବିପର୍ଯ୍ୟସ୍ତ ଭାବରେ ପଡି ରହିଥିବା ଦୃଷ୍ଟିଗୋଚର ହେଉଛି । ସେହିପରି ବସ୍ତି ଅଂଚଳରେ ପରିମଳ ବ୍ୟବସ୍ଥା ପ୍ରତି ପ୍ରଶାସନ ସତେ ଯେପରି ଆଖି ବୁଜି ଦେଇଛି ବୋଲି ବିଭିନ୍ନ ବସ୍ତିର ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ସେହିପରି ଶିକ୍ଷା କ୍ଷେତ୍ରରେ ସାରନଗରୀରେ ଏତେଟା ଉନ୍ନତମାନର ବିକାଶ ପରିଲିକ୍ଷିତ ହୋଇପାରିନାହିଁ । ଏଠାରେ ଥିବା ଏକ ଇସ୍ପାତ ବିଦ୍ୟାଳୟ ବହୁ ବର୍ଷହେଲା ବନ୍ଦ ଅବସ୍ଥାରେ ଥିବା ବେଳେ, ଏହା ଏବେ ଅସାମାଜିକ ବ୍ୟକ୍ତିଙ୍କ ଆସର ସ୍ଥଳୀ ପାଲଟିଛି । ଏହି ଅଂଚଳରେ ଆଜି ପର୍ଯ୍ୟନ୍ତ ଏକ ସରକାରୀ ପାଠାଗାରର ପ୍ରତିଷ୍ଠା କରାଯାଇ ପାରିନାହିଁ, ଯାହାକି ବିସ୍ମୟର ବିଷୟ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସାରନଗରୀରେ ଅବସ୍ଥା ପ୍ରାୟ ଅନୂରୂପ । ଏହି ଅଂଚଳରେ ଏକ ସେଲ ହସ୍ପିଟାଲ ରହିଥିବା ବେଳେ, ସରକ।।ରୀ ସ୍ୱାସ୍ଥ୍ୟକେନ୍ଦ୍ର ଅବା ହସ୍ପିଟାଲ ଅଂଚଳବାସୀଙ୍କ ପାଇଁ ସାତସପନ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରକାଶ ଥାଉକି, ଦକ୍ଷିଣ ରାଉରକେଲା ତଥା ସାରନଗରୀ ଭଳି ଜନବହୁଳ ଅଂଚଳରେ ଏଯାଏ ସରକାରଙ୍କ ପକ୍ଷରୁ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ପିଏଚସି) ସ୍ଥାପନ ହୋଇ ପାରିନାହିଁ । ଯଦିଓ ଏହାପାଇଁ ଅନୁଦାନ ମଂଜୁର ହୋଇଛି, ମାତ୍ର ଜାଗା ଚିହ୍ନଟ ପ୍ରକ୍ରୀୟାରେ ତ୍ୱରିତ୍ୱ ପଦକ୍ଷେପ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇ ପାରିନଥିବାରୁ ଏଯାଏ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ରୋଗୀ ମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଏଠାରୁ ପ୍ରାୟ ୧୫ କିମି ଦୂର ରାଉରକେଲା ସରକାରୀ ହସ୍ପିଟାଲକୁ ଅଯଥାରେ ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡୁଛି । ସମୟ ସମୟରେ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିର ଜୀବନ ପ୍ରତି ବିପଦର ଆଶଙ୍କା ଦେଖାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଆହାର ଯୋଜନାରୁ ବଂଚିତ ହୋଇଛନ୍ତି ଏଠାକାର ବାସିନ୍ଦା । ଏହି ଅଂଚଳରେ ବହୁ ଗରିବ ତଥା ଖଟିଖିଆ ଶ୍ରମିକ ଶ୍ରେଣୀୟ ବ୍ୟକ୍ତି ବସବାସ କରୁଥିଲେ ମଧ୍ୟ ସେମାନଙ୍କୁ ଆହାର ଯୋଜନାର ସୁଫଳ ମିଳି ପାରୁନାହିଁ । ସାରନଗରୀରେ ଦିନତମାମ ଲାଗି ରହୁଛି ଟ୍ରାଫିକ ଅବ୍ୟବସ୍ଥା । ବିଭିନ୍ନ ଛକ ବଜାର ଯେପରି ଗଂଜୁ ମାର୍କେଟ, ରଙ୍ଗିଲା ଛକ ଆଦିରେ ଟ୍ରାଫିକ ପୁଲିସ ମୁତୟନ କରାଯାଉନାହିଁ । ଫଳରେ ସମୟ ସମୟରେ ଛୋଟ ବଡ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ହାନି ହେବା ସାର ହେଉଛି । ସାରନଗରୀ ଅଂଚଳରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ବିଭିନ୍ନ କ୍ୱାର୍ଟରରେ କ୍ରମାଗତ ବ୍ୟବଧାନରେ ଚୋରି ଘଟଣା ଅଂଚଳବାସୀଙ୍କ ମଧ୍ୟରେ ଭୟ ସଂଚାର କରିଛି । ପୁଲିସ ପାଟ୍ରୋଲିଂ ବିଭିନ୍ନ ଅଂଚଳରେ ହେଉଥିଲେ ସୁଦ୍ଧା ଆବଶ୍ୟକ ସଂଖ୍ୟକ ପୁଲିସ କର୍ମଚାରୀ ଅଭାବରୁ ଅପରାଧ ଉପରେ ନିୟନ୍ତ୍ରଣ ରଖାଯାଇ ପାରୁନାହିଁ । ଦକ୍ଷିଣ ରାଉରକେଲା ସାରନଗରୀରେ ଅସଜଡା ଭାବେ ଥିବା ବିଭିନ୍ନ ବ୍ୟବସ୍ଥାକୁ ପ୍ରଶାସନ ନଜର ରଖି ଏହି ଅଂଚଳର ବହୁମୁଖୀ ବିକାଶ ସାଧନ କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking